Latest Odisha News

ଶିଶୁ କବିତା : ନୂଆ ବରଷ ହେ ଆସ

ସଚ୍ଚିଦାନନ୍ଦ କର

ଆସିବ ଆସିବ ତୁମ କଥା ସତେ
ମନରେ ନ ଥିଲା କେବେ
ଶୀତ ମିତ ଠାରୁ ତୁମରି ଆସିବା
ଖବର ପାଇଲୁ ଏବେ
ତୁମେ ତ ଆସୁଛ ବୋଲି
ଫୁଲତୋଡା ହାତେ ଚାହିଁଛୁ ତୁମକୁ
ଦୁଆର ରଖିଛୁ ଖୋଲି ।।

ନୂଆ ବରଷ ହେ ଆସିଲେ ଦେଖିବ
କେତେ ଯେ ଲାଗିଛୁ ଆମେ
ବଣଭୋଜି ହୁଏ ଲାଗିଛି ବି କିଏ
ଘର ସଜାସଜି କାମେ
ଲାଗୁଛି ପରବ ପରି
କେହି ଜଣେ ଆମ ଆସୁଛି ନିଜର
ସୁଖର ପସରା ଧରି ।।

ଅସୁମାରୀ ଆଶା ଅନେକ ସପନ
ସାଇତିଛୁ ମନ ତଳେ
ଆମରି ମେଳକୁ ଆସିଗଲେ ତୁମେ
ଜାଣିଯିବ ବଳେବଳେ
ଥିବ ସାଥିଟିଏ ପରି
ଆମ ଜପ ତପ ଆମରି ସାଧନା
ଦେବଟି ସଫଳ କରି ।।

ଅଛି ଯେତେ କୋହ ଭୋକ ଶୋଷ ଲୁହ
ଆମଠାରୁ ପୋଛି ନେବ
ବେଶୀ ବେଶୀ କରି ସୁଖ ଫୁଲ ଆମ
ଝୁଲିରେ ଅଜାଡି ଦେବ
କରିବନି ନାଇଁ ନାଇଁ
ସବୁ ରାତି ଶେଷେ ସୁନେଲି ସକାଳ
ଆସୁଥିବ ଆମ ପାଇଁ ।।

ବାର ମାସ ପାଇଁ ଆସୁଛ ହେ ତୁମେ
ରହିବ ଆମରି ମେଳେ
ସେଲାଗି ସବୁରି ମନରେ ଆମରି
ଖୁସିର ଲହରୀ ଖେଳେ
ନୂଆ ବରଷ ହେ ଆସ
ତୁମ ଆଗମନେ ଫୁଟିଯାଉ ଫୁଲ
ଚହଟାଇ ଦେଇ ବାସ ।।

ନୂଆପଡ଼ା, ନୟାବଜାର, କଟକ -୦୪

Leave A Reply

Your email address will not be published.