Latest Odisha News

BREAKING NEWS

ଶିଶୁ କବିତା: ପରଜାପତି

ତରୁଣ କୁମାର ମିଶ୍ର

ପରଜାପତିରେ ପରଜାପତି ,
ହେଉଅଛୁ କିଆଁ ତରକା ଅତି ,
ଫୁଲରୁ ଫୁଲକୁ ଯାଉ ଉଡ଼ି ବେଗେ ,
ମନ କଥା କେବେ ନଶୁଣି କିଛି ।

କେଡ଼େ ଶରଧାରେ ପରାଗେ ତା’ର ,
ରଖିଛି ତୋ ପାଇଁ ମଧୁ ଆଧାର ,
ଦେବ ବୋଳି ଦେହେ ତା’ରଙ୍ଗୀନ ରେଣୁ
ରଙ୍ଗରଙ୍ଗିଆ ଡେଣାରେ ତୋର ।

ପରାଗ ସଙ୍ଗମେ କରିଛି ଇଚ୍ଛା ,
ଯତନେ କରିବ ତା’ ବଂଶରକ୍ଷା ,
ସେପାଇଁ ତୋହର ଗୋଡ଼ ଡେଣାରେ
ରେଣୁ ଲଗାଇବ ହୋଇ ସହସା ।

ବସିଯା କ୍ଷଣିଏ ଫୁଲ ଉପର ,
ପଢ଼ି ଯାରେ ମନ କଥା ତାହାର ,
ତୋ ରଙ୍ଗୀନ ଡେଣା ମନ ମୋହେ ତାର
ଘଷି ହୋଇଯିବୁ ଦେହରେ ତା’,ର ।

ତୋ ପରି ତାହାର ଆୟୂ କ୍ଷଣିକ ,
ମନର ଉଦ୍ଦେଶ୍ଯ କିନ୍ତୁ ମହତ ,
କ୍ଷଣିକ ପାଇଁ ସେ ଆସି ଦୁନିଆଁକୁ
ବାସରେ ମୋହଇ ସାରା ଜଗତ ।

ଧନ୍ଯ ଧନ୍ଯ ତୁହି ପରଜାପତି ,
ସବୁରି ମନରେ ଜଗାଉ ପ୍ରୀତି ,
ତୋର ଏ ସୁନ୍ଦର ରଙ୍ଗ ଶରୀର
ଦେଖିଲେ ମିଳଇ ମନରେ ଶାନ୍ତି।
ପରଜା ପତିରେ ପରଜାପତି,
ପରଜା ପତିରେ ପରଜାପତି।

ଖଣ୍ଡଗିରି ,ଭୁବନେଶ୍ବର

Leave A Reply

Your email address will not be published.