ତରୁଣ କୁମାର ମିଶ୍ର
କଉତୁକିଆ ଜୀବଟେ ମୁହିଁ
ନାଆଁ ଗୁଣ୍ଡୁଚି ମୂଷା ,
ଗଛ କୋରଡ଼େ ଚାଳ ସନ୍ଧିରେ
କରିଥାଏ ମୁଁ ବସା ।
ପିଠିରେ ମୋର ଆଙ୍ଗୁଳି ଛାପ
ଭାରି ସୁନ୍ଦର ଦିଶେ ,
ଚାଲିଲା ବେଳେ ଲାଞ୍ଜକୁ ଟେକି
ଯାଇ ଟିକିଏ ବସେ ।
ପଛ ଗୋଡ଼ରେ ଦେଇକି ଭରା
ଆଗ ଗୋଡ଼ରେ ଧରି ,
ଖାଦ୍ଯକୁ ନେଇ ପାଟି ପାଖରେ
ଖାଏ କାମୁଡ଼ି କରି ।
ବିରି ଚାଉଳ ଗହମ ମୁଗ
ଓ ଭାତ ପିଠା ରୁଟି ,
ଗଛର ଫୁଲ ଓ ଫଳ ଖାଏ
ଦାନ୍ତରେ କାଟି କାଟି ।
ତ୍ରେତୟା ଯୁଗେ ସେତୁ ବନ୍ଧରେ
ଥିଲି ମୁଁ ବାଲି ଝାଡ଼ି ,
ଶ୍ରୀରାମଚନ୍ଦ୍ର ଆଉଁଷି ତାଙ୍କ
ଆଙ୍ଗୁଳି ଛାପ ଛାଡ଼ି ।
ଦେଲେ ଆଶିଷ ହୋଇ ସନ୍ତୋଷ
ମୋ ଟିକି କାମ ପାଇଁ ,
ସେହି ଦିନରୁ ସବୁରି ପ୍ରିୟ
ହୋଇଯାଇଛି ମୁହିଁ ।
ଏବେ ସବୁଠି କୋଠା ବନୁଛି
ଭାଙ୍ଗି ଯେ ଚାଳ ଘର ,
ଗଛ ବି ନାହିଁ ରହିବି କାହିଁ
ସଂଖ୍ଯା କମୁଛି ମୋର ।
ମାନବ ଜାତି ରଖନ୍ତୁ ଦୟା
ଏ ଟିକି ଜୀବ ପରେ ,
ନୋହିଲେ ଆମ ବଂଶ ବୁଡ଼ିବ
ଦିଶିବୁ ଯେ ଛବିରେ ।
ଖଣ୍ଡଗିରି , ଭୁବନେଶ୍ବର