Latest Odisha News

BREAKING NEWS

ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର, ସଚିବମାନଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର। ଏପରି ନିର୍ଦ୍ଦେଶ ପାଇଛନ୍ତି ସଚିବ। ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ ଆଇଏଏସ୍ ଅଫିସର। ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର କେନ୍ଦ୍ରରେ ନିଶ୍ଚୟ ଖାଇବେ ଏବଂ ଖାଦ୍ୟର ମାନ ପରଖିବେ। ଏହାସହ ରାତି ମଧ୍ୟ କାଟିବେ।

ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଖୋଲା ଆଲୋଚନା କରିବେ। ଭଲମନ୍ଦ ପଚାରି ବୁଝିବେ। ସରକାରଙ୍କ ପକ୍ଷରୁ ସଚିବମାନଙ୍କୁ ଏମିତି ଜାରି ହୋଇଛି ନିର୍ଦ୍ଦେଶ। ବିକଶିତ ଓଡ଼ିଶା ଗଠନ ପାଇଁ ଡବଲ ଇଞ୍ଜିନ ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ମଧ୍ୟ ନେଇଛନ୍ତି। ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ ଲୋକଙ୍କ ପାଖକୁ ଯିବାର ଢେର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ନେଇ ବିସ୍ତୃତ ଗାଇଡଲାଇନ୍‌ ଆସିଛି ।

ବରିଷ୍ଠ ଅଧିକାରୀଙ୍କ ଭିତରେ ୩୦ ଜିଲ୍ଲା ବଣ୍ଟାଯାଇଛି । ସରକାର ପରାମର୍ଶ ଦେଇଛନ୍ତି, ୧୬ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍‌ ବୁଲିବେ ବରିଷ୍ଠ ଅଧିକାରୀ। ଜିଲ୍ଲା ବୁଲିବା ସମୟରେ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଯାହାସବୁ ସମସ୍ୟା ଥିବା ତାକୁ କେମିତି ହଟେଇ ବିକାଶ ଆଗକୁ ଯିବ ସେ ନେଇ ବାବୁମାନେ ପରାମର୍ଶ ଦେବେ। ଜିଲ୍ଲାରୁ ଫେରି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.