Latest Odisha News

BREAKING NEWS

କହି ହେଉଥାଏ ପରକୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  

ଗାଁ ମଝିରେ ସଭା ବସିଥାଏ। ଏତେ ପାଟିତୁଣ୍ଡ ଯେ, ଗାଁଟା ପୂରା ଉଠୁଥାଏ ପଡୁଥାଏ। ସେଦିନ ସଭାରେ ପ୍ରସଙ୍ଗଟା ଏମିତି ଥିଲା ଯେ, କି ପିଲା କି ବୁଢ଼ା .. ଗାଁର ସମସ୍ତେ ଏକାଠି ହୋଇଥାନ୍ତି ତାରି ଉପରେ ତର୍କ କରିବାକୁ। ଗାଁର ସ୍ତ୍ରୀଲୋକମାନେ ବି ଘର କବାଟ କୋଣ ଛାଡ଼ି ଯିଏ ଯାହାର ଦୁଆରେ ବସି ଏହି ସଭା ଆଡ଼କୁ କାନ ଡେରିଥାନ୍ତି। ଏତିକି ବେଳେ ପଶୁପତି ମହାନ୍ତିର ସ୍ତ୍ରୀ ନିଜ ବାରିପଟରେ ବସି ତୁଣ୍ଡଖୋଲି ବାହୁନି ହୋଇ କାନ୍ଦିବାରେ ଲାଗିଲା। ରାତି ଅଧଯାଏଁ ଗାଁ ସଭା ଚାଲିଥିବାରୁ ଏବଂ ସେ ସଭାରେ ଲାଗି ରହିଥିବା କୋଳାହଳ କାରଣରୁ ପଶୁପତିର ସ୍ତ୍ରୀ କାନ୍ଦିବାଟା କାହାକୁ ଶୁଭୁନଥିଲା। ନହେଲେ ଗାଁରେ ଯେତେବେଳେ ରାତି ଏଗାର, ସେତେବେଳେ ଗାଁ ଦାଣ୍ଡ ଏତେ ଶୂନଶାନ ଥାଏ ଯେ, ସୋରିଷଟିଏ ପଡ଼ିଲେ ଶବ୍ଦ ହେବ। ତଥାପି ସେଦିନ ପଶୁପତିର ସ୍ତ୍ରୀ କାନ୍ଦିବାଟା କାହାକୁ ଶୁଭିଲାନି। ତାକୁ ତୁନି କରାଇବାକୁ ବି ଘରେ କେହିନାହାନ୍ତି। କାରଣ ପଶୁପତି ଓ ତାର ଦୁଇଟା ଯାକ ପୁଅ ଗାଁ ସଭାରେ। ଆଉ ତିନି ଝିଅରୁ ଗୋଟିଏ କୋଉ କାଳୁ ବାହାହୋଇ ତା ସଂସାରରେ ବ୍ୟସ୍ତ। ସବା ସାନଝିଅଟା ଦୁର୍ଘଟଣାରେ ଅଳ୍ପାୟୁଷୀ ହୋଇ ଚାଲିଗଲା। କିନ୍ତୁ ମଝିଆ ଝିଅଟା, ଯିଏ ବାପା ମାଆଙ୍କ କଥା ବୁଝୁଥିଲା, ତା ମୁଣ୍ଡରେ କି ଭୂତ ଚଢ଼ିଲା କେଜାଣି, କାହାକୁ କିଛି ନକହି ଗାଁର ଆଉ ଗୋଟିଏ ପୁଅ ସାଙ୍ଗରେ ଫେରାର ହୋଇଯାଇଛି। ଘରଛାଡ଼ି ଗଲାଣି ଯେ, ଦଶ ଦିନ ହେଲାଣି ତାର ଖୋଜ ଖବର ନାହିଁ। ସେଥିପାଇଁ ତ ବସିଛି ଏ ଗ୍ରାମସଭା। ଏକଦା ସଭାରେ ବସି ନ୍ୟାୟ ନିଶାପ କରୁଥିବା ପଶୁପତିର ଆଜି ପାଟି ବନ୍ଦ। ସେ ଠିଆହୋଇଛି କାଠଗଡ଼ାରେ। ଗାଁରେ ମୁରବୀ ବୋଲାଉଥିବା ଲୋକଟା ଆଜି ହଠାତ୍ ନିଜକୁ ଅପରାଧୀ ଭଳି ଅନୁଭବ କରୁଛି। କଣ କରିବ, କଣ ନାହିଁ କିଛି ଚିନ୍ତା କରିପାରୁନି ସେ। ଏମିତି ସ୍ଥଳେ ତାର ଦୁଇ ପୁଅ ବି ତା ସପକ୍ଷରେ କିଛି କହିବା ଭଳି ସ୍ଥିତିରେ ନାହାନ୍ତି। ସେମାନେ ବି ଚୁପଚାପ୍ ଠିଆ ହୋଇଛନ୍ତି ଲୋକଙ୍କ ଭିତରେ।

ଏତିକିବେଳେ ଗାଁ କମିଟିର ସଦସ୍ୟମାନେ ସଭାରୁ ଉଠିଯାଇ ଟିକିଏ ଦୂରକୁ ଚାଲିଗଲେ। ପରସ୍ପର ଭିତରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥାଏ। ହଠାତ୍ ଗହଳି ଭିତରୁ ଗୋଟିଏ ଆଠରୁ ଦଶ ବର୍ଷ ବୟସର ପିଲା ସଭା ମଝିକୁ ଧଶେଇ ପଶିଲା। କହିଲା, ଗୋଟିଏ କଥାରେ ଏତେ ସମୟ ଚର୍ଚ୍ଚା କରିବା ପରେ ଯଦି କିଛି ମିଳିଲାନି, ତାହେଲେ ଆଉ ଏତେ ଆଲୋଚନା କାହିଁକି? ପ୍ରକତୃ ପକ୍ଷେ ସେ ଝିଅକୁ ପଚାରି ଦିଅନା। ଯଦି ତାର ଇଚ୍ଛା ହେଉଛି ଆଶ୍ରମରେ ରହିବା ପାଇଁ, ତାହେଲେ ତାକୁ ଦିଆଯାଉ। ନଚେତ୍ ଯଦି ସେ ନିଜସ୍ୱ ସଂସାର ବସାଇବା ପାଇଁ ଉପଯୁକ୍ତ, ତାହେଲେ ତା ବାବଦରେ ଆୋଲଚନା କରିବା କିଛି ଦରକାର ନାହିଁ। ଏକଥା ଶୁଣି ଗାଁ କମିଟି ସଦସ୍ୟମାନଙ୍କୁ ମନେ ହେଲା ସତେ ଯେମିତି କିଏ ଜଣେ ତାଙ୍କ କାମକୁ ହାଲୁକା କରିଦେଲା। ତେବେ ଝିଅ ନାହିଁ ଯେତେବେଳେ, ପଚରାଯିବ କାହାକୁ? ତଥାପି ଗାଁ ଲୋକେ ପଶୁପତିକୁ ପଚାରିଲେ, କଣ .. ତୋ ଝିଅ ନାହିଁ… ତାହେଲେ ଯେତେ ସବୁ ନିୟମ ଅଛି ତାକୁ ପାଳିବାକୁ ତୋର ପୂରା ପରିବାର ପ୍ରସ୍ତୁତ ତ? କଥାଟା ପଶୁପତିକୁ ଢେର ବାଧୁଥିଲା। ଗାଁ ଦାଣ୍ଡ ମଝିରେ ସମସ୍ତଙ୍କ ସାମ୍ନାରେ ତା କଥାକୁ ନେଇ ଏକଦା ସୁନାମି ଉଠୁଥିଲା, ଆଜି ସେହି ଲୋକଟି ବିଚାରାଧୀନ। ଏତିକି ବେଳେ ଗାଁ କମିଟି ମୁଖିଆ କହିଲେ, ଏକଦା ଗାଁ ମୁଖିଆ ଥିଲ ବୋଲି ତମ ପରିବାରକୁ ଯଦି ଦଣ୍ଡ ଦିଆ ନଯାଏ, ତାହେଲେ ସବୁ କିଛି ଗୁଡ଼ଗୋବର ହୋଇଯିବ। କେହି ଆଉ ଗାଁ ଦାଣ୍ଡରେ ଗାଁ କମିଟି ବୋଲି ପଚାରିବେ ନାହିଁ। ପୂରା ସାମାଜିକ ସ୍ଥିତି ବଦଳିଯିବ। ତା ପରେ, ଘୋଷଣା ହେଲା ଦଣ୍ଡବିଧାନ। ପଶୁପତି ଶୁଣୁଛି ନିଜ ଝିଅର ଭୁଲ ପାଇଁ ଦଣ୍ଡାଦେଶ। … ତମକୁ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ନଚେତ୍ ତମ ଦୁଆରେ ଭଲମନ୍ଦରେ କେହି ଠିଆ ହେବେନି। ତମକୁ ସମାଜରୁ ବାସନ୍ଦ କରାଯିବ। ତମ ପାଇଁ ନିଆଁ ପାଣି ସବୁ ବନ୍ଦ। ବାସ୍ .. ପଶୁପତି ଆଉ ନିଜକୁ ନିୟନ୍ତ୍ରଣ କରିପାରିଲା ନାହିଁ। ତା ପାଖରେ ତିରିଶ ହଜାର ଟଙ୍କା ତ ନଥିଲା। ହଁ, ତା ପ୍ରୌଢ଼ା ସ୍ତ୍ରୀର ଗଳାରେ ଚାରି ପାଞ୍ଚଟି ସୁନାର ହାର ପଡ଼ିଛି। ସେଥିରୁ ଦୁଇଟା ଦେଇ ଦେଲେ କାମ ସରିବ। ନା ବାଉଁଶ ଥିବ ଯେ, ଏ ଗାଁଲୋକ ବଇଁଶୀ ବଜେଇବେ। ସଭା ମଝିରେ ସାନ ପୁଅକୁ ଡାକି ଘରକୁ ପଠାଇଲା ପଶୁପତି। ମାଆ ଗଳାରୁ ଦୁଇଟା ସୁନା ହାର ବାହାରକରି ଗାଁ କମିଟି ପାଖରେ ଦାଖଲ କଲା ସେ । ଗାଁ ଲୋକଙ୍କୁ ଜୋରିମାନା ମିଳି ସାରିବା ପରେ ସମସ୍ତେ ହରିବୋଲ ପକାଇଦେଲେ। ସଭା ଭାଙ୍ଗିଲା। ରାତି ଗୋଟାଏ। ଯିଏ ଯାହା ଘରକୁ ଫେରିଲେ।
ଏଣେ ଏକ ଅଦ୍ଭୂତ ଭାବାବେଗରେ ଥିଲା ପଶୁପତି। ଘରଯାଏଁ ତ ଫେରିଲା, କିନ୍ତୁ ବାରଣ୍ଡା ଉପରକୁ ଉଠିବାକୁ ତା ପାଦ ବଢ଼ିଲାନି। ତାର ହାବଭାବ ଦେଖିଲେ ଲାଗୁଥିଲା, ସତେ ଯେମିତି ତା ଭିତରେ ଏକ ଅଣଚାଶ ଝଡ଼ ବହୁଛି। ତା ମୁଣ୍ଡ ଭିତରଟା ଗୋଳେଇ ଘାଣ୍ଟି ହୋଇଯାଉଥିଲା। ସେ ହଠାତ୍ ପଡ଼ିଗଲା ଭଳି ଅନୁଭବ କଲା। ତା ମୁଣ୍ଡ ଘୂରେଇ ଦେଉଥିଲା। ବାରଣ୍ଡା ଉପରେ ଲଥ୍ କରି ବସି ପଡ଼ିଲା ପଶୁପତି। ଆଜି ସଭାରେ ଘଟିଥିବା ଘଟଣାଟା ତା ଅସ୍ମିତାକୁ ରାମ୍ପି ବିଦାରି ପାକାଉଛି। ସେ ସମ୍ପୂର୍ଣ୍ଣ ରୂପେ ଅଶାନ୍ତ ଗ୍ରହ ଭଳି ଅସ୍ଥିର ଅଛି। ଏତିକି ବେଳେ ତାକୁ ମନେ ପଡ଼ିଲା ଗାଁର ସବୁଠୁ ଗରିବ ମୁକୁନ୍ଦ ମହାନ୍ତିର ଚେହେରା। ସେଦିନ ଯେତେବେଳେ ପଶୁପତିର ବଡ଼ପୁଅ ବାହାଘର ପାଇଁ ଗାଁରେ ସଭା ବସିଥିଲା, ସେତେବେଳେ ସେହି ବାହାଘରକୁ ବିରୋଧ କରି ସଭାରେ ଫେରାଦ ହୋଇଥିଲା ମୁକୁନ୍ଦ ମହାନ୍ତି। ଗାଁ କମିଟି ଆଗରେ ନେହୁରା ହୋଇ କହିଥିଲା, ପଶୁପତିର ବଡ଼ପୁଅ ସୂର୍ଯ୍ୟକାନ୍ତ ତାର ଏକମାତ୍ର ଝିଅ ସହିତ ବହୁଦିନ ହେଲାଣି ପ୍ରେମ ସମ୍ପର୍କ ରଖିଛି। ତେଣୁ ସିଏ ଯଦି ଅନ୍ୟ କେଉଁଠି ବାହା ହୋଇଯାଏ, ତାହେଲେ ତା ଝିଅ ବଦନାମ ହୋଇଯିବ। ତାକୁ ଆଉ କେହି ବାହା ହେବେ ନାହିଁ। ସୂର୍ଯ୍ୟକାନ୍ତ ଓ ମୁକୁନ୍ଦ ମହାନ୍ତି ଝିଅର ସମ୍ପର୍କ ନେଇ ଗାଁର ସମସ୍ତଙ୍କୁ ଜଣାଥିଲା। ସୂର୍ଯ୍ୟକାନ୍ତ ସାଙ୍ଗରେ ତାଙ୍କ ଜମିକୁ ଯାଇ ସେଠାରେ ଚାଷବାସରେ ବି ସାହାଯ୍ୟ କରୁଥିଲା ମୁକୁନ୍ଦର ଝିଅ। ଉଭୟେ ଉଭୟଙ୍କ ଘରକୁ ଅବାଧରେ ଯାଆଆସ କରୁଥିଲେ। ଗାଁର ଯାନିଯାତ୍ରା ମହୋତ୍ସବରେ ଉଭୟଙ୍କୁ ଏକାଠି ବୁଲିବାର ଦେଖିଛନ୍ତି ସମସ୍ତେ। ସେମାନଙ୍କ ଭିତରେ କେବଳ ବରଣମାଳ ପଡ଼ିବା ବା ବିଧିବଦ୍ଧ ବାହାଘର ହେବା ବାକିଥିଲା। ନଚେତ ଆଉ ସବୁକିଛି ଥିଲା ଦାମ୍ପତ୍ୟ ଜୀବନ ଭଳି। ତେଣୁ ଏଭଳି ସ୍ଥଳେ ଯଦି ସୂର୍ଯ୍ୟକାନ୍ତର ବାହାଘର ଅନ୍ୟତ୍ର ହୁଏ, ତାହେଲେ ନିଜ ସଂସାରଟା ଭାସିଯିବ ବୋଲି ଗୁହାରି କରୁଥିଲା ମୁକୁନ୍ଦ ମହାନ୍ତି।

ସେତେବେଳେ ସବୁ ଜାଣି ବି କିଛି ନଜାଣିଲା ଭଳି ବ୍ୟବହାର କରୁଥିଲା ପଶୁପତି। ନିଜ ବଡ଼ଲୋକୀ ପଣିଆ ଦେଖାଇ କହିଲା, ଆମ ଘରେ ଚାକରାଣୀ ହେବାକୁ ଯୋଗ୍ୟ ନୁହେଁ ତୋ ଝିଅ। ତାକୁ ମୋ ଘରେ ବୋହୂ କରିବି ମୁଁ? ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ବି ଏ କଥା ସମ୍ଭବ ହେବନାହିଁ। ତେବେ ଗାଁ ଲୋକଙ୍କ ନଜରରେ ଯେହେତୁ ଏହି ଘଟଣାଟି ବହୁ ପୂର୍ବରୁ ଥିଲା, ତେଣୁ ସମସ୍ତେ ଏ ବାବଦରେ ଆଲୋଚନା କରିବାକୁ ଚାହିଁଲେ। ଏତିକିବେଳେ ସଭା ମଝିରେ ନିଜ ବାହାଦୂରୀ ମାରି ପଶୁପତି କହିଲା, ସେ ଝିଅ ସାଙ୍ଗରେ ମୋ ପୁଅର କୌଣସି ସମ୍ପର୍କ ନାହିଁ। ମୋ ଘରଦ୍ୱାର, ସମ୍ପତ୍ତି ଦେଖି ମୁକୁନ୍ଦ ମହାନ୍ତି ତା ଝିଅକୁ ମୋ ଘରେ ଭର୍ତ୍ତି କରିବାକୁ ଚାଲ୍ ଚଳେଇଛି। ତେଣୁ କସ୍ମିନ୍ କାଳେ ଏହା ହୋଇପାରିବ ନାହିଁ। ତଥାପି ଗାଁ ଲୋକେ ପଶୁପତିର ପୁଅ ସୂର୍ଯ୍ୟକାନ୍ତକୁ ସଭା ମଝିକୁ ଡାକି କହିଥିଲେ ମୁକୁନ୍ଦର ଅଭିଯୋଗ ସମ୍ପର୍କରେ ନିଜ ପକ୍ଷ ରଖିବା ପାଇଁ। ସର୍ବ ସମ୍ମୁଖରେ ଠାକୁରଙ୍କୁ ସାକ୍ଷୀ ରଖି ମିଛ କହିଲା ସୂର୍ଯ୍ୟକାନ୍ତ। ମୁକୁନ୍ଦ ଝିଅ ସହିତ କୌଣସି ସମ୍ପର୍କ ନାହିଁ ବୋଲି ରୋକଠୋକ୍ କହିଲା ସଭାରେ। ଏତିକିରେ ଗାଁ ଲୋକେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟକାନ୍ତର ବାହାଘର ପାଇଁ ଅନୁମତି ଦେଇଦେଲେ। ବାହାଘର, କୁଣିଆ ଭୋଜି, ଗାଁ ଭୋଜି ନେଇ ସବୁକିଛି ନିଷ୍ପତ୍ତି ହୋଇଗଲା ସଭାରେ। ଗାଁ ସଭାସାରି ଯିଏ ଯାହା ଘରକୁ ଫେରିଲା ବେଳକୁ ଗାଁରେ ହୁରି ପଡ଼ିଲା ମୁକୁନ୍ଦ ମହାନ୍ତିର ଝିଅ କୀଟନାଶକ ପିଇ ଆତ୍ମହତ୍ୟା କରିଛି। ମୁକୁନ୍ଦ ଝିଅ ସୂର୍ଯ୍ୟକାନ୍ତକୁ ଯେ ଭଲ ପାଉଥିଲା ଏବଂ ତା ଚରିତ୍ର ଉପରେ ପ୍ରଶ୍ନ ଉଠିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଲା, ସେକଥା ଗାଁର କୌଣସି ଲୋକ ପାଇଁ ଆଉ ଅବୁଝା ନଥିଲା। ଝିଅ ଯିବାର ଦୁଃଖ ଏବଂ ଅପମାନରେ ଏତେ ଚିନ୍ତାଗ୍ରସ୍ତ ହୋଇଯାଇଥିଲା ଯେ, ଝିଅ ମୃତ୍ୟୁର ଦୁଇ ମାସ ଭିତରେ ଆରପାରିକୁ ଚାଲିଗଲା ମୁକୁନ୍ଦ। ପଶୁପତିର ଆଖି ଆଗରେ ନାଚିଉଠୁଥିଲା ମୁକୁନ୍ଦ ମହାନ୍ତି ଓ ତା ଝିଅର କରୁଣ ଚେହେରା। ତାକୁ ଲାଗୁଥିଲା ଯେମିତି, ମୁକୁନ୍ଦ ଝିଅ କହୁଛି, ଗାଁ ସଭାରେ ମୋ ଭଳି ଗୋଟିଏ ଗରିବ ଝିଅକୁ ବଦନାମ କଲାବେଳେ ତୋ ବିବେକ ତତେ ବାଧା ଦେଲାନି? ସେତେବେଳେ ତ ବଡ଼ ବାହାଦୂରୀ ମାରୁଥିଲୁ। ଏବେ ନିଜ ଝିଅ କଥା ଉଠିଲା ବେଳକୁ ତୋ ପାଟି କାହିଁକି ଖନି ମାରିଯାଉଥିଲା? ବୁଝିଲୁ ପଶୁପତି ମହାନ୍ତି, ନିଜ ଝିଅ ଆଉ ପର ଝିଅ ବୋଲି ଭାବି ଯେତେବେଳେ ଦୁଇଟା ଅଲଗା ଅଲଗା ଚଷମାରେ ଦେଖିବୁ ନା, ସେତବେଳେ ଏମିତି ହିଁ ଦୁର୍ଦ୍ଦିନ ଦେଖିବାକୁ ପଡ଼ିବ। ଆରେ, ଝିଅ ଯାହା ଘରର ହେଉନା କାହିଁକି, ସେ ଝିଅ। ତାର ଆତ୍ମସମ୍ମାନ ଅଛି। ତା ସମ୍ମାନକୁ ତ ସମ୍ମାନ ଦିଅ। ମୁଁ ତ ଗଲି.. ଅନ୍ତତଃ ତୋ ଝିଅର ସଂସାର କିଛି ନହେଉ। ସମାଜରେ ଥିବା ତୋ ଭଳି ଲୋକମାନଙ୍କ ମୁଣ୍ଡରେ ଈଶ୍ୱର ଟିକିଏ ସଦବୁଦ୍ଧି ଦିଅନ୍ତୁ। .. ପଶୁପତିର ମୁଣ୍ଡଟା ଆହୁରି ଖରାପ ହୋଇଯାଉଥିଲା। ଆତ୍ମଗ୍ଳାନିରେ ନିଜ ଭିତରେ ନିଜେ ଜଳି ଯାଉଥିଲା ସେ। ତାକୁ ଲାଗୁଥିଲା ମୁକୁନ୍ଦ ମହାନ୍ତିର ଝିଅ ତା ସାମ୍ନାରେ ଏକ ବିଶାଳ ଦେବୀମୂର୍ତ୍ତି ଭଳି ଉଭା ହୋଇଛି। ତା ଆଡ଼କୁ ଆଉ ଆଖି ପାଉନି। ତାହାରି ସାମ୍ନାରେ ନିଜ ନଜରରେ ନିଜେ ଧୀରେ ଧୀରେ ଛୋଟ ହୋଇଯାଉଥିଲା ପଶୁପତି ମହାନ୍ତି।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ। ପିନ୍- ୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed, but trackbacks and pingbacks are open.