Latest Odisha News

BREAKING NEWS

ଫଡନାଭିଶଙ୍କ ‘ପାୱାର’ ଗେମ, ଫସିଗଲେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଜନୀତି ଦିନକୁ ଦିନ ଗୋଳମାଳିଆ ହେଉଛି। ଏନସିପିର ଦୁଇ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ନା ଅଜିତ ପାୱାରଙ୍କ ମଧ୍ୟରେ କାହା ସପକ୍ଷରେ ଅଧିକ ବିଧାୟକ ଅଛନ୍ତି ତାକୁ ନେଇ ବଳ କସିଛନ୍ତି ଉଭୟ ନେତା।

ସେପଟେ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ ହେବାକୁ ନେଇ ସିନ୍ଦେ ଗୋଷ୍ଠୀ ଶିବସେନାର ନେତାମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଏ ନେଇ ଦଳର ନେତା ସଞ୍ଜୟ ଶୀର୍ଷାଟ ଖୋଲାଖୋଲି ଜଣାଇଛନ୍ତି।

କୌଣସି ବିପକ୍ଷ ଦଳର ନେତା ଯଦି ଦଳକୁ ଆସିବାକୁ ଚାହୁଁଥାନ୍ତି ତାହେଲେ ତାଙ୍କୁ ଦଳରେ ସ୍ୱାଗତ କରାଯିବା ରାଜନୈତିକ ନିୟମ ବୋଲି ଶୀର୍ଷାଟ କହିଛନ୍ତି। କିନ୍ତୁ ଏନସିପି ନେତାଙ୍କର ସରକାରରେ ପ୍ରବେଶକୁ ନେଇ ସିନ୍ଦେ ଗୋଷ୍ଠୀର ବହୁ ନେତା ଅସନ୍ତୁଷ୍ଟ ଥିବା ସେ କହିଛନ୍ତି।

ସିନ୍ଦେ ଗୋଷ୍ଠୀର ବହୁ ନେତାଙ୍କୁ ପଦ ମିଳିବାର ଥିଲା। କିନ୍ତୁ ଏବେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଆଉ ସମ୍ଭବ ନୁହେଁ। ସେଥିପାଇଁ ଦଳୀୟ ନେତାମାନେ ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ମିଛରେ ସବୁ ଖୁସି ଅଛନ୍ତି ବୋଲି କହିବାର କିଛି ମାନେ ନାହିଁ ବୋଲି ସିନ୍ଦେ ଗୋଷ୍ଠୀ ନେତା ସଞ୍ଜୟ ଶୀର୍ଷାଟ କହିଛନ୍ତି।

ଏପରିକି ଏ ସମ୍ପର୍କରେ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିଶଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ତେଣୁ ଏ ସମସ୍ୟାର ସମାଧାନ କରିବାକୁ ପଡିବ ବୋଲି ଶୀର୍ଷାଟ କହିଛନ୍ତି। ନିଜ ଦଳର ନେତା ଅସନ୍ତୁଷ୍ଟ ରହିବା ଠିକ ନୁହେଁ ବୋଲି ସେ କହିଛନ୍ତି।

ଏପରିକି ସିନ୍ଦେ ଗୋଷ୍ଠୀ ସବୁବେଳେ ଏନସିପି ବିରୋଧରେ ଥିବା ସେ କହିଛନ୍ତି। ପୂର୍ବରୁ ମଧ୍ୟ ଅଜିତ ପାୱାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସିନ୍ଦେ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ସେମିତି ହେଲେ ସିନ୍ଦେ ଗୋଷ୍ଠୀ ସରକାରରୁ ଓହରିହିବ ବୋଲି କୁହାଯାଇଥିଲା। ତେଣୁ ଏବେ ଅଜିତଙ୍କ ସହ ଏନସିପି ନେତାଙ୍କ ସରକାରରେ ଏଣ୍ଟ୍ରି ପରେ ଦଳ ଭିତରେ ଅସନ୍ତୋଷ ତୀଵ୍ର ହୋଇଛି।

ସେପଟେ ଠିକ ଏଭଳି ସମୟରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ସିନ୍ଦେ ଗୋଷ୍ଠୀ ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ତୁରନ୍ତ ନେବାକୁ ନିର୍ଦେଶ ଦେବାକୁ କୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି।

ବର୍ଷେରୁ ଅଧିକ ସମୟ ଧରି ଏହି ନିଷ୍ପତ୍ତି ଅଟକି ରହିଥିବାରୁ ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେବାକୁ କୋର୍ଟଙ୍କ ନିକଟରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଛି। ଉଦ୍ଧବ ଗୋଷ୍ଠୀ ଶିବସେନାର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଏ ସମ୍ପର୍କରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ସୁପ୍ରିମକୋର୍ଟ ପୂର୍ବରୁ ଏ ସମ୍ପର୍କିତ ମାମଲାର ଶୁଣାଣି କରି ବାଚସ୍ପତିଙ୍କୁ ବିଧାୟକଙ୍କ ଅଯୋଗ୍ୟ ସମ୍ପର୍କରେ ନିଷ୍ପତ୍ତି ନେବାକୁ କୁହାଯାଇଛି। କିନ୍ତୁ ବାଚସ୍ପତି ଏ ଯାଏ କୌଣସି ବୈଠକ କରିନାହାନ୍ତି ବୋଲି ପିଟିସନରେ ଦର୍ଶାଯାଇଛି।

ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ଏ ସମ୍ପର୍କିତ ନିଷ୍ପତ୍ତି ନେବାକୁ ମେ ୧୧ ତାରିଖରେ ନିର୍ଦେଶ ଦେଇଥିବା ବେଳେ ଉଦ୍ଧବ ଗୋଷ୍ଠି ପକ୍ଷରୁ ତିନି ଥର ଲିଖିତ ଆକାରରେ ଜଣାଯାଇଛି। କିନ୍ତୁ ବାଚସ୍ପତି ଏ ଯାଏ କିଛି ପଦକ୍ଷେପ ନେଉ ନ ଥିବା ପିଟିସନରେ ଦର୍ଶାଯାଇଛି।

ତେଣୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଗୋଳମାଳିଆ ସ୍ଥିତିକୁ ନେଇ ମହାରାଷ୍ଟ୍ର ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଯାହାକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ହେଉଛି।

Leave A Reply

Your email address will not be published.