ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ କହିଛନ୍ତି ଯେ, ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ଯୋଜନା ଚାଲିଛି । ପ୍ରାୟ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲବାଟିକା ନିଆଯାଇଛି । ଏହା ଖୁବଶୀଘ୍ର ଲାଗୁ କରାଯିବ । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବା ନେଇ ମଧ୍ୟ ଗୁରୁତ୍ଵ ଦିଆଯାଇଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧ ହଜାର ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨ ହଜାର ୯୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୧୯୩ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୧୪୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୮୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
Comments are closed.