Latest Odisha News

ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଓ ହିଂସା ଘଟଣାରେ ମୋଟ ୭୯ ଜଣ ଗିରଫ, ଏସ୍‌ପି ଅଫିସରେ ଡିଜିପିଙ୍କ ସମୀକ୍ଷା ବୈଠକ

ସମ୍ବଲପୁର : ରବିବାର ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ବେଳେ ୧୨ ଓ ୧୪ ତାରିଖର ହିଂସାରେ ସଂପୃକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୭୯ ଜଣଙ୍କୁ ଗିରଫ କରାଯାଇଛି । ଏପ୍ରିଲ ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ଘଟଣାରେ ୫୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି । ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି। ୧୨ ତାରିଖରେ ଏକ କୋଠାରୁ ଟେକାମାଡ଼ କରାଯାଇଥିବା ନେଇ ଏସ୍‌ପି କହିଛନ୍ତି ଯେ, ସରକାରୀ ଜମିରେକୋଠାଟି ନିର୍ମାଣ ହୋଇଥିଲେ, ତାହା ଭଙ୍ଗାଯିବ ବୋଲି ଏସପି କହିଛନ୍ତି। ଘଟଣାଟି ପୂର୍ବ ଯୋଜନା ଭଳି ଲାଗୁଛି ବୋଲି ଏସପି କହିଛନ୍ତି । ଏଥିସହ ଆଗକୁ ଗିରଫଦାରୀ ବଢ଼ିବ ବୋଲି ସେ କହିଛନ୍ତି ।

ସେପଟେ ସମ୍ବଲପୁର ଏସ୍‌ପି ଅଫିସରେ ରବିବାର ଡିଜିପି ସୁନୀଲ ବଂଶଲ ସାମଗ୍ରିକ ଆଇନଶୃଙ୍ଖଳା ସମୀକ୍ଷା କରୁଥିବା ଜଣାପଡିଛି
। ବୈଠକରେ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡାଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସପିଙ୍କ ସହ ସମୀକ୍ଷା କରୁଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ।

ଏସବୁ ଭିତରେ ରବିବାର ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଥିବାବେଳେ ଆରମ୍ଭ ହୋଇଛି CDS ଓ ASO ପରୀକ୍ଷା । ପରୀକ୍ଷାର୍ଥୀ କିଭଳି ଭାବେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାଇ ପରୀକ୍ଷା କେନ୍ଦ୍ରକୁ ବିନା ଅସୁବିଧାରେ ପହଂଚି ପାରିବେ ସେନେଇ ତମାମ ବ୍ୟବସ୍ଥା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାର ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ସୂଚନା ମିଳିଛି । ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଛି । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଏଥିପାଇଁ ସକାଳ ୭ଟା ୩୦ରୁ ୧୦ଟା ୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

Leave A Reply

Your email address will not be published.