Latest Odisha News

BREAKING NEWS

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି ଅଣସର ପିଣ୍ଡିରେ।

ଅଣସର ବିଧି ଅନୁଯାୟୀ ଶ୍ରୀବିଗ୍ରହ ମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି। ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ଵର ହେଲେ ଯେପରି ପଥି ଉପଚାର କରାଯାଏ, ସେହିଭଳି ଭାବେ ମହାପ୍ରଭୁଙ୍କୁ ପଣା ଭୋଗ ଅର୍ପଣ କରାଯାଉଛି। ରାତ୍ରୀରେ ମହାପ୍ରଭୁଙ୍କୁ ଚକଟା ଭୋଗ ପରେ ଏହି ପଣା ଭୋଗ ଅର୍ପଣ କରାଯାଏ। ମହାପ୍ରଭୁଙ୍କୁ ଏହା ଅର୍ପଣ କରାଯିବା ପରେ ବିଭିନ୍ନ ଦେବଦେବୀଙ୍କୁ ଅର୍ପଣ ସହ ରାଜପ୍ରାସାଦକୁ ଯାଇଥାଏ।

୧୪ଦିନ ଧରି ଦଇତାପତିମାନେ ଏହି ପଣା ଭୋଗ ପ୍ରସ୍ତୁତ କରିଥାନ୍ତି। ଜଳ ,କ୍ଷୀର, କର୍ପୁର, ଚିନି, ସରର ସମ୍ମିଶ୍ରଣରେ ଏହି ପଣା ପ୍ରସ୍ତୁତ ହୋଇଥାଏ। ପଣା ପ୍ରସ୍ତୁତ ପରେ ଓଳିରେ ଏହା ବିଭିନ୍ନ ଘରକୁ ବଣ୍ଟା ଯାଇଥାଏ। ବର୍ଷକରେ କେବଳ ଅଣସର ସମୟରେ ଏହି ସ୍ୱତନ୍ତ୍ର ପଣା ଭୋଗ ମିଳୁଥିବା ବେଳେ ଏହାକୁ ପାଇ ବହୁ ଭକ୍ତ ନିଜକୁ ଧନ୍ୟମନେ କରିଥାନ୍ତି। ଦଇତାପତିମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପଣା ପ୍ରସ୍ତୁତ କରିଥାନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ପୂଜାପଣ୍ଡା ସେବାୟତ ଭୋଗଲାଗି କରୁଥିବା ବେଳେ ଅଣସର ସମୟରେ ପତିମହାପାତ୍ର ହିଁ ସମସ୍ତ ନୈବେଦ୍ୟ ସମର୍ପଣ କରିଥାଆନ୍ତି। ପଥି ଉପଚାରରେ ଏହି ପଣା ଭୋଗ ନୈବେଦ୍ୟ ବୋଲି ମତ ଦିଅନ୍ତି ଗବେଷକ।

Leave A Reply

Your email address will not be published.