Latest Odisha News

BREAKING NEWS

ଦେଶ ସହିତ ଛିଡା ହୋଇଛୁ: ଜେଏନୟୁ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଏମଓୟୁକୁ କଲା ସ୍ଥଗିତ

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା । ଏହାପରେ ତୁର୍କୀ ପାକିସ୍ତାନକୁ ପ୍ରତିରକ୍ଷା ଉପକରଣ ଯୋଗାଇ ସମର୍ଥନ କରିଥିଲା। ଏପରି ପରିସ୍ଥିତିରେ, ସାରା ଦେଶରେ ତୁର୍କୀକୁ ବୟକଟ କରାଯାଉଛି। ଏହା ମଧ୍ୟରେ ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

JNU ଏକ୍ସ (X) ପ୍ଲାଟଫର୍ମରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛି, “ଜାତୀୟ ସୁରକ୍ଷା ବିଚାରକୁ ନେଇ JNU ଏବଂ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ଚୁକ୍ତିନାମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ। JNU ରାଷ୍ଟ୍ର ସହିତ ଠିଆ ହୋଇଛି।

ତୁର୍କୀର ମାଲାତ୍ୟାରେ ଅବସ୍ଥିତ ଇନୋନୁ ବିଶ୍ୱବିଦ୍ୟାଳୟ, ସାଂସ୍କୃତିକ ଗବେଷଣା ଏବଂ ଛାତ୍ର ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ JNU ସହିତ ଏକ ଶୈକ୍ଷିକ  ଚୁକ୍ତିନାମା ୩ ଫେବୃଆରୀ ୨୦୨୫ରେ ତିନି ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିଲା।

କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ଏବଂ ତୁର୍କୀର ପାକିସ୍ତାନକୁ ସମର୍ଥନ ଯୋଗୁଁ JNU ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

ଜେଏନୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଆମେ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ରକୁ ସ୍ଥଗିତ ରଖିଛୁ। ଏହି ଚୁକ୍ତିନାମା ଅଧୀନରେ ଅଧ୍ୟାପକ ବିନିମୟ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ସମେତ ଅନେକ ଯୋଜନା ଥିଲା।

 

Comments are closed.