ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ । ଏପର୍ଯ୍ୟନ୍ତ ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଯାଞ୍ଚ ଜାରି ରହିଛି । ବ୍ୟାଙ୍କରେ ଆଧାର କାର୍ଡ ଲିଙ୍କର ଡାଟା ଯେତେବେଳେ ସାମ୍ନାକୁ ଆସିଲା ସେତେବେଳେ ଏଭଳି ତଥ୍ୟ ଜଣାପଡିଛି । କେତେକ କ୍ଷେତ୍ରରେ ପୁଅଙ୍କ ନାଁ ଓ ଝିଅଙ୍କ ନାଁ ଏକା ଭଳି ଥାଏ । ବୋଧହୁଏ ସେମାନେ ତୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୁଭଦ୍ରା ଯୋଜନାରେ ପୁରୁଷଙ୍କ ଆବେଦନ ସରକାରଙ୍କ ନିଦ ଉଡେଇଛି । ଇ-କେୱାଇସି ଯାଞ୍ଚବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେପଟେ ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା। ଜିଲ୍ଲାଭିତ୍ତିକ ସମୀକ୍ଷାବେଳେ ଦେଶାନ୍ତର ପାଇଁ ଅନେକ ମହିଳା ସୁଭଦ୍ରା ଆବେଦନ କରିପାରି ନଥିବା ନଜରକୁ ଆସିଛି। ତେଣୁ ରାଜ୍ୟ ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଆବେଦନ କରନ୍ତୁ ବୋଲି କହିଛନ୍ତି ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା। ତେବେ ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ। ମାତ୍ର ବାୟୋମେଟ୍ରିକ୍ କିମ୍ବା ଏନ୍ପିସିଆଇ ଯାଞ୍ଚ ନିମନ୍ତେ ସେମାନଙ୍କୁ ଆସିବାକୁ ପଡ଼ିବ ବୋଲି ଗତକାଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ । ଯୋଜନାରୁ ବାହାରି ଯାଇଥିବା ବା ଅପ୍ଟ ଆଉଟ୍ ହୋଇଥିବା ଅଧିକାଂଶ ମହିଳାଙ୍କ ମଧ୍ୟରୁ ଅନେକ ଅପ୍ଟ ଇନ୍ କରିସାରିଲେଣି। ଶେଷ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
Comments are closed.