Latest Odisha News

BREAKING NEWS

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା ଟିମ କମ୍ବିନେଶନକୁ ବିଗାଡି ଦେଇଥାଏ । ତାହାକୁ ଭରଣା କରିବା ଏତେଟା ସହଜ ହୋଇ ନ ଥାଏ । ଏଥର ଟି୨୦ ବିଶ୍ୱକପ ପୂର୍ବରୁ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଓହରିଯିବା ଦଳକୁ ଦ୍ୱନ୍ଦ୍ୱରେ ପକାଇଛି । ଏହା ପୂର୍ବରୁ ଅନେକ ଥର ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୦୯ ଓ ୨୦୧୦ ବିଶ୍ୱକପ ପୂର୍ବରୁ ସେ ସମୟର ଷ୍ଟାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ କାନ୍ଧ ସମସ୍ୟା ଯୋଗୁ ଖେଳି ପାରି ନ ଥିଲେ ।

୨୦୦୯ରେ ତାଙ୍କ ସ୍ଥାନରେ ଦୀନେଶ କାର୍ତିକ ଓ ୨୦୧୦ରେ ମୁରଲୀ ବିଜୟଙ୍କୁ ସାମିଲ କରାଯାଇଥିଲା । ସେମାନେ କଣ ପ୍ରକୃତରେ ସେହ୍ୱାଗଙ୍କ ବିକଳ୍ପ ଥିଲେ କି ? ସେହିପରି ଈଶାନ୍ତ ଶର୍ମା ମଧ୍ୟ ଏହି ସମସ୍ୟା ଯୋଗୁ ତାଙ୍କ କ୍ୟାରିୟରରେ ବିଶ୍ୱକପ ଖେଳିପାରି ନାହାନ୍ତି । ୨୦୧୫ରେ ସେ ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ ମାତ୍ର ଶେଷ ମୂହର୍ତରେ ଆଂଠୁ ଯନ୍ତ୍ରଣା ଯୋଗୁ ଓହରିଥିଲେ । ତାଙ୍କ ସ୍ଥାନରେ ମୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିଲା । ୨୦୧୬ରୁ ୧୮ ମଧ୍ୟରେ ମନୀଷ ପାଣ୍ଡେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ସେ ଦଳରେ ସ୍ଥାନ ପାଇଥିଲେ ସତ ମାତ୍ର ସାଇଡ ଷ୍ଟ୍ରେନ ଯୋଗୁ ଓହରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ବଦଳରେ କାର୍ତିକଙ୍କୁ ସୁଯୋଗ ମିଳିଥିଲା । ବଡ ଆଇସିସି ଟୁର୍ଣ୍ଣାମେଂଟ ପୂର୍ବରୁ ଏ ଭଳି ସମସ୍ୟା କିପରି ଦୂରିଭୂତ ହେବ ସେଥିପ୍ରତି ବିସିସିଆଇ ଯତ୍ନବାନ ହେବା ଉଚିତ । ଅଧିକ ଖେଳାଳି ହାତରେ ଥିଲେ ମଧ୍ୟ ଏହି ସମସ୍ୟାର ଉପଯୁକ୍ତ ସମାଧାନ ହେଲା ଭଳି ଲାଗୁନି ।

ଅଷ୍ଟ୍ରେଲିଆ ପିଚରେ ଭାରତକୁ ଏକ ଶକ୍ତିଶାଳୀ ଟିମ ଭାବେ ପ୍ରଦର୍ଶନ କରିବାକୁ ପଡିବ । ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି । ବାକି ରହିଲା ବୁମରାହଙ୍କ ଅଭାବ… ଦେଖାଯାଉ ଟିମ ଇଣ୍ଡିଆ କିପରି ଏହି ସମସ୍ୟାର ସମାଧାନ କରୁଛି । ସାମନ୍ୟ ଭୁଲ ବିଶ୍ୱକପ ହାତେଇବା ସୁଯୋଗ କୁ ହାତଛଡା କରିଦେବ । ଏଥରର ଟିମ ବିଶ୍ୱକପ ଜିତିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଆଘାତ ହିଁ ସାଜିଛି ମୂଖ୍ୟ ପ୍ରତିବନ୍ଧକ ।

ଏସିଆ କପରେ ଆମର ଅନେକ ଦୁର୍ବଳ ପଦାରେ ପଡିଛି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜକୁ ଅଷ୍ଟ୍ରେଲିଆ ପିଚର ପ୍ରଦର୍ଶନ ସହିତ ଯୋଡିବା ମୂର୍ଖାମୀ ହେବ । ଦଳର କିଛି ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ସମସ୍ତ ମ୍ୟାଚରେ ଏଥିନେଇ ସ୍ଥିରତା ପରିଲକ୍ଷିତ ହେଉନି । ଏଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡିବ ।

Leave A Reply

Your email address will not be published.