ପୁରୀ: ପହଣ୍ଡି ସମୟରେ ଅଧା ବାଟରୁ ମହାପ୍ରଭୁଙ୍କ ଟାହିଆ ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଟାହିଆର ଓଜନ ଆହୁରି ବଢ଼ି ଯାଇଥିଲା । ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁଙ୍କ ଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା ବୋଲି ଯୁବ ଦିଇତାପତି କିର୍ତି ପ୍ରକାଶ ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେଣୁ ପହଣ୍ଡିବେଳେ ମହାପ୍ରଭୁଙ୍କ ଟାହିଆ ଖୋଲା ଯାଇଥିଲା ବୋଲି କୁହାଯାଇଛି ।
ତେବେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ପବିତ୍ର ଟାହିଆ । ପହଣ୍ଡି ସମୟରେ ଟାହିଆ ମହାପ୍ରଭୁଙ୍କ ଦିବ୍ୟ ରୂପକୁ ଅଧିକ ଗୌରବମୟ କରିଥାଏ । ଏପରି ପବିତ୍ର ପରମ୍ପରାରେ ବ୍ୟତିକ୍ରମ ଘଟିବାକୁ ନେଇ ଭକ୍ତମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି ।