Latest Odisha News

ତାରାଙ୍କ ତେରଚ୍ଛା ବାଣରେ ହସି ପକାଇଲେ ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ଶରତ ପଟ୍ଟନାୟକ ହେବା ପରେ ସବୁ ଠିକଠାକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ଦିନ ଧରି ଚାଲିଥିବା ନବ ସଂକଳ୍ପ ସମାବେଶରେ ତିନି ନିର୍ବାଚିତ ବିଧାୟକ ଅନୁପସ୍ଥିତ ରହିବା ପରେ ଜଣାପଡିଛି ଦଳରେ ପୁରୁଣା ରୋଗର ‘ଭୂତାଣୁ’ ଦୂର ହୋଇନି ।

କଥାହେଲା ଦୁଇ ଦିନ ଧରି ଚାଲିଥିବା ବୈଠକରେ ବିଧାୟକ ତାରା ବାହିନୀପତି, ମହମ୍ମଦ ମୋକ୍କିମ ଏବଂ ରମେଶ ଜେନା ଅନୁପସ୍ଥିତ ରହିଛନ୍ତି । ରମେଶ ଲେହ ବୁଲିବାକୁ ଯାଇଥିବାରୁ ବୈଠକକୁ ଆସିନାହାନ୍ତି ବୋଲି ଜଣାପଡିଛି । ଅନ୍ୟପଟେ ରାଜଧାନୀରେ ଥାଇ ଅସୁସ୍ଥତା ଦର୍ଶାଇ ବୈଠକରେ ଯୋଗ ଦେଇନାହାନ୍ତି ମୋକ୍କିମ ଏବଂ ତାରା ।

ଏହି ପ୍ରସଙ୍ଗରେ ତାରା କହିଛନ୍ତି, ଦଳରେ କିଛି କନ୍ଦଳ ନାହିଁ। ବ୍ରଜରାଜନଗରରେ ସମସ୍ତେ ଏକାଠି ହୋଇ ପ୍ରଚାର କରିଥିଲେ। ପ୍ରଚାର ପରେ ଅସୁସ୍ଥ ରହିଥିବାରୁ ସେ ଘରେ ଅଛନ୍ତି ବୋଲି କହିଛନ୍ତି । କିନ୍ତୁ ନିଜର କଥା ଭିତରେ କହିଛନ୍ତି, ଖାଲି ନୂଆ ପିସିସି ସଭାପତିଙ୍କ ପଛରେ ପେଟ କାଢି ବୁଲିଲେ ହେବନି । ଏଥିପାଇଁ ଫିଲ୍ଡରେ କାମ କରିବା ଦରକାର । କଂଗ୍ରେସ ସେତେବେଳେ ମଜବୁତ ହେବ ଯେତେବେଳେ କର୍ମଠ ଲୋକ ଦଳରେ କାମ କରିବେ। ଅନ୍ୟପଟେ ବୈଠକରେ ଅନୁପସ୍ଥିତ ଥିବା ଅନ୍ୟତମ ବିଧାୟକ ମହମ୍ମଦ ମୋକ୍କିମ ଏ ପ୍ରସଙ୍ଗରେ ନିରବ ରହିଛନ୍ତି।

ତେବେ ତାରା ଶରତଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିବା ପରେ ଶରତ ପଟ୍ଟନାୟକ ହସି କରି କହିଛନ୍ତି, ତାରା ଠିକ୍ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମୋକ୍କିମ ଏବଂ ତାରା ପିସିସି ସଭାପତି ରେସରେ ଥିଲେ। ହେଲେ ଦୁଇ ଜଣଙ୍କୁ ଏବେ ନିରାଶ ହେବାକୁ ପଡିଛି । ଅନ୍ୟପଟେ ଶରତ ପଟ୍ଟନାୟକ ପିସିସି ସଭାପତି ନହୁଅନ୍ତୁୁ ବୋଲି ଦିଲ୍ଲୀରେ ଶୀର୍ଷ କଂଗ୍ରେସ ନେତାଙ୍କ ପାଖରେ ଦାବି କରିଥିଲେ ବୋଲି ସୂଚନା ରହିଛି। ତେଣୁ ଏହି ଦୁଇ ପ୍ରମୁଖ ଅସନ୍ଚୁଷ୍ଟଙ୍କୁ ଶରତ କିପରି ମନାଇ ଆଗକୁ ବଢିବେ ତାଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.