Latest Odisha News

ଆମେ ଏବେ କେଉଁ ବାଟରେ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

କାହିଁ କେଜାଣି ଏଇ କେତେ ଦିନ ହେଲାଣି ସୋସିଆଲ ମିଡ଼ିଆ ଖୋଲି ଦେଲେ ଆଉ ଟିଭି ଖୋଲି ଦେଲେ ଖାଲି ଅଦ୍ଭୁତ ଘଟଣାମାନ ଶୁଣିବାକୁ ଆଉ ଦେଖିବାକୁ ମିଳୁଛି । କେଉଁଠି ଘର କଳି ଦାଣ୍ଡରେ ପଡ଼ିଛି ତ ଆଉ କେଉଁଠି ପାଠ ପଢ଼ୁଥିବା ଝିଅଟିଏ ନିଜ ଇଛା ବା ନିଜ ପସନ୍ଦରେ ବାହା ହେବ ବୋଲି ନିଜର ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହେଉଛି । ଏମିତି କିଛି ଲୋକ ଅଛନ୍ତି, ସେମାନେ କୁଆଡ଼େ କିଛି ନଜାଣି ସାମାଜିକ ଗଣ ମାଧ୍ୟମରେ ବହୁତ ପ୍ରକାର ମତ ଦେବାରେ ବ୍ୟସ୍ତ ରହନ୍ତି । ସେଇ ମତ ଦେବା ଯେ କେତେ ଦୂର ଯୁକ୍ତିଯୁକ୍ତ,  ତାହା ସେମାନେ ଚିନ୍ତା ବି କରିନଥାନ୍ତି ।

ଏପରି ଘଟଣାଗୁଡ଼ିକ ଏବେ ପ୍ରାୟତଃ ଆମ ସମସ୍ତଙ୍କର ଦେହ ସୁହା ହେଇଗଲାଣି ।ଆଜିକାଲି ସୋସିଆଲ ମିଡ଼ିଆ ମତ ଆଦାନ-ପ୍ରଦାନ କରିବାର ମୁଖ୍ୟ ମାଧ୍ୟମ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ସେଇ ମତ ଆଦାନ-ପ୍ରଦାନ ଭିତରେ କିଏ କାହାକୁ ପ୍ରଶଂସା କରିବାର ଦେଖିବାକୁ ମିଳୁଛି ତ ଆଉ କିଏ କିଛି ନଜାଣି ନଶୁଣି କାହାର ଚରିତ୍ର ସଂହାର କରିବାକୁ ମଧ୍ୟ ପଛାଉନାହାନ୍ତି ।  ହେଲେ ଏ ସବୁର ଖରାପ ପ୍ରଭାବ ଆମ ସମାଜ ଉପରେ କେତେ ପଡୁଛି ତାହା ଆମ କଳ୍ପନାର ବାହାରେ।

ଆମେ ସଭ୍ୟ ଶିକ୍ଷିତ ସମାଜରେ ବାସ କରୁଛେ ବୋଲି ସବୁ ବେଳେ ସବୁ ଜାଗାରେ ଗର୍ବର ସହିତ କହିଥାଉ । କିନ୍ତୁ ଯେତେବେଳେ କିଛି ଘଟଣାରେ ସାମାଜିକ ଗଣମାଧ୍ୟମରେ ଅଜବ ଆଉ ଅଦ୍ଭୁତ ମତ ଆସିଥାଏ ଆମକୁ ଖରାପ ଲାଗିଲେ ମଧ୍ୟ ଆମେ ସମସ୍ତେ ସେଇ ଜାଗାରେ ଚୁପ ରହିବା ପାଇଁ ଯେମିତି ସଂକଳ୍ପ କରିଥାଉ । ବଡ଼ ବିଚିତ୍ର ଆମର ଚିନ୍ତାଧାରା । କେତେବେଳେ କେଉଁ ଜାଗାରେ ଠିକ କଥାଟି କହିଲା ବେଳେ ସେଇ ସମାନ ଘଟଣାରେ ଅନ୍ୟ ଜାଗାରେ ପୁଣି ତା’ର ଆଉ ଗୋଟିଏ ମତ ରଖିଥାଉ ।  ତାହା ସତ ହେଉ କି ମିଛ,  ସେଇଟା ଆମକୁ ଫରକ ପଡ଼େନାହିଁ,  କିନ୍ତୁ ଯଥା ସମ୍ଭବ ଲାଇକ ବଟନକୁ ଟଚ କରିଦେଇ କିଛି ଗୋଟେ ଯାହା ବି ହେଉ (ସଭ୍ୟ ବା ଅସଭ୍ୟ ଭାଷା) ରେ ଦୁଇ ଧାଡ଼ି ଲେଖିଦେଉ । ହେଲେ ଆମର ଲେଖାକୁ ଯେ କେତେ ଲୋକ ପଢ଼ି ମର୍ମାହତ ହୋଇଥାନ୍ତି,  ତାହା ଆମ ପାଇଁ ଗୁରୁତ୍ୱ ବହନ କରେନାହିଁ । କାରଣ ଆମେ ଏବେ ଏମିତି ଗୋଟେ ମିଛ ଆଇନାରେ ନିଜକୁ ଦେଖିବା ଅଭ୍ୟସ୍ତ କରିଦେଲେଣି ଯେ ପ୍ରକୃତ ସତ୍ୟର ଟିକେ ଝଲକ ମଧ୍ୟ ଦେଖିବାକୁ ପସନ୍ଦ କରୁନେ ।

ଏ ତ ଗଲା ସାମାଜିକ ଗଣମାଧ୍ୟମର କଥା । ଏବେ ଟିକେ ନଜର ପକେଇବା ୱେବ ପୋର୍ଟାଲଗୁଡ଼ିକ ଉପରେ । ସୋସିଆଲ ମିଡ଼ିଆରେ କିଛି ୱେବ ପୋଟାଲ ( ସମସ୍ତେ ନୁହନ୍ତି ) ଗୁଡ଼ିକର ପ୍ରାଦୁର୍ଭାବ ଏତେ ଅଧିକ ଯେ ଏମାନେ କେତେବେଳେ କାହାକୁ ନେଇ କ’ଣ ଲେଖିଦେବେ ଯେ ତାହା ଜଣେ ସାଧାରଣ ବ୍ୟକ୍ତିର ପରିଧି ବାହାରେ । ଭାଷାଗତ ଜ୍ଞାନର ଅଭାବ ଆଉ ଅଶ୍ଳୀଳତାର ଚରମ ସୀମାରେ ଏମାନେ କିଛି ନା କିଛି ଲେଖିଦେବାର ବହୁତ ନଜିର ରହିଛି । କିନ୍ତୁ ପରେ ଯଦି କେତେବେଳେ ଜଣେ କିଛି ଆଇନଗତ ପଦକ୍ଷେପ ନେବାକୁ ଚାହିଁବ,  ସେତେବେଳେ ସେ ଖୋଜି ଖୋଜି ନୟାନ୍ତ ହୋଇଯିବ ପଛେ ସେ ୱେବ ପୋଟାଲର ଆଉ ନାଁ, ଠିକଣା ଆଉ କିଛି ନଥିବ ।  କିନ୍ତୁ କ୍ଷଣକ ଭିତରେ ଏମାନେ ଏମିତି ଭାଷାର ପ୍ରୟୋଗ କରି ଜଣକର ଚରିତ୍ର ସଂହାର କରିଥାନ୍ତି ଯେ ସମ୍ପୃକ୍ତ ପୀଡିତ / ପୀଡ଼ିତା ନିଜକୁ ସମ୍ଭାଳିବାକୁ ଏବଂ ସ୍ୱାଭାବିକ ହେବାକୁ ବେଶ କିଛି ସମୟ ନେଇଥାନ୍ତି ।

ବାସ୍ତବରେ ଏଇଠି କଥା ଉଠୁଛି ଆମେ କାହିଁକି ଜଣଙ୍କ ବିଷୟରେ କିଛି ନଜାଣି ଆକ୍ଷେପ କରିବା ? ଏ ଆକ୍ଷେପ କରିବାର ଅଧିକାରଟି ଆମକୁ କିଏ ଦେଲା ? ଆଜି କାଲି କିଛି ଛୋଟ ଛୋଟ ଅଦ୍ଭୁତ ନାମର ଖବରକାଗଜ ମଧ୍ୟ ଏ ସବୁକୁ ବେଶ ସହଜରେ ଆପଣେଇ ନେଉଛନ୍ତି । ପଇସା ରୋଜଗାର କରିବାର ଏକ ଶସ୍ତା ମାଧ୍ୟମ ବ୍ଲାକମେଲିଙ୍ଗ କରି ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଯାହାକି ଆଗାମୀ ଦିନରେ ସାମ୍ବାଦିକତା ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେବାକୁ ଯାଉଛି ! ଏଥି ପାଇଁ କିଏ ଦାୟୀ ହେବ ତାହା ଏବେ ବଡ଼ ପ୍ରଶ୍ନ ! ଅନେକ ମାନହାନି କେଶର ଘଟଣାମାନ ମଧ୍ୟ ଆଗକୁ ଆସିଛି l ଲୋକ ଭୁଲ ମାଗିଛନ୍ତି କିନ୍ତୁ କିଛି ଦିନ ପରେ ଯାହାକୁ ସେଇଆ ଅବସ୍ଥାରେ ପୁଣି ଆସି ପହଞ୍ଚି ଯାଇଥାନ୍ତି ଏମାନେ ।

ଏହା ହେଉଛି ଏବେ ଆମ ସମାଜର ଗତି।  କିଏ କୁଆଡ଼େ ଯାଉଛି ତ କିଏ କ’ଣ ଲେଖୁଛି । ଆଉ ସବୁଠାରୁ ବଡ଼ କଥା ହେଲା ରକ୍ତ ସମ୍ପର୍କ ବାପା ମାଆଙ୍କୁ ମଧ୍ୟ ଏମାନେ ଛାଡ଼ୁନାହାନ୍ତି । ଏବେ ଆମେ ଏମିତି ଭାବରେ ସମୟ ସାଙ୍ଗରେ ଚାଲୁଛେ ଯାହା ପରିକଳ୍ପନାର ବାହାରେ । ଘର କଳି ଆଉ ଘରେ ରହୁ ନାହିଁ । ଟିକେ ଟିକେ କଥାରେ ମିଡ଼ିଆ ଆଗରେ ବାଜୁଛି , କିଛି ଦିନ ବେଶ ସରଗରମ ହେଉଛି । ତା’ପରେ କାଦୁଅ ଫିଙ୍ଗା ଫିଙ୍ଗି ଏଇ ସୋସିଆଲ ମିଡ଼ିଆରେ । ଘଟଣାଟି ଯଦି ଗୋଟିଏ ରାଜନେତା ବା ନେତ୍ରୀଙ୍କୁ ନେଇ ହୋଇଥାଏ ତା’ ହେଲେ ବିଚରା ସେ ବ୍ୟକ୍ତି ବିଶେଷଙ୍କର ଚଉଦ ପୁରୁଷ ବଳି ପଡିଯାଇଥାନ୍ତି ଏଇ ସବୁ ଘଟଣାରେ। ଆଉ ସେଲିବ୍ରିଟି ହୋଇଥିଲେ କଥା ସରିଗଲା । ଆମ ଲୋକମାନେ ନିଜେ ନିଜେ ବିଚାର କରିଦିଅନ୍ତି ସେମାନଙ୍କ ଚରିତ୍ର ବିଷୟରେ । ଏବେ ଆଉ କିଛି ଅଛପା ହୋଇ ରହୁନାହିଁ । ତେବେ ଏସବୁ ଘଟଣାରେ ଆମେ ସମସ୍ତେ ଟିକେ ସ୍ୱର ଉଠେଇ ପାରିଲେ ଏଇ ଭଳି ଲୋକଙ୍କ ଉପରେ ଲଗାମ ରହିପାରନ୍ତା ଆମ ସମାଜରେ । ନହେଲେ ଆମ ସମାଜ ଧୀରେ ଧୀରେ କେତେ ପରିମାଣରେ ନିମ୍ନଗାମୀ ସ୍ତରକୁ ଚାଲିଯିବ ତାର ଆକଳନ ବି କରିପାରିବା ନାହିଁ । ବେଳହୁଁ ସାବଧାନ ହେଲେ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇପାରିବ ; ନହେଲେ ଆମେ ଏମିତି ଅବାଟରେ ପଥ ହୁଡ଼ିବା ଯେ ସେ ଭିତରୁ ବାହାରିବା କଷ୍ଟକର ହୋଇଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ  ।

Leave A Reply

Your email address will not be published.