Latest Odisha News

BREAKING NEWS

ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ, ଯେଉଁଠାରେ ଗୁପ୍ତେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ ସ୍ଵୟଂ ଶ୍ରୀରାମ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ ଜିଲ୍ଲା । ଆଉ ସେଠାରେ ଥିବା ଗୁପ୍ତେଶ୍ୱର ପାହାଡ଼ରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ମହାଦେବ । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କର ରହିଛି ଭିନ୍ନ ମାହାତ୍ମ୍ୟ । ପୌରାଣିକ ତଥ୍ୟ ଅନୂଯାୟୀ ଏହି ଶୈବପୀଠର ରହିଛି ଅନେକ କାହାଣୀ । ତେବେ ଆସନ୍ତୁ ଜାଣିବା ଏହି ପୀଠର ବିଶେଷତା,ଅଲୌକିକତା ଓ ବାବା ଗୁପ୍ତେଶ୍ୱରଙ୍କ ମହାତ୍ମ୍ୟ ବିଷୟରେ ।

ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଅବସ୍ଥିତ ଗୁପ୍ତେଶ୍ୱର ଲିଙ୍ଗ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା ।

ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଛି । ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି ଏହି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଘାଟରେ ଥିବା ପଥୁରିଆ ଚଟାଣ ଅତ୍ୟନ୍ତ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି । ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ । କୋରାପୁଟ ଯିବା ପାଇଁ ଭୁବନେଶ୍ଵରରୁ ଉଭୟ ଟ୍ରେନ ଏବଂ ବସ୍‌ର ସୁବିଧା ରହିଛି। କୋରାପୁଟରେ ପହଞ୍ଚିବା ପରେ ବସ୍‌ କିମ୍ଵା କାର୍‌ ଯୋଗେ ଆପଣ ରାମଗିରି ପାହାଡ଼ରେ ପହଞ୍ଚିପାରିବେ। ପର୍ଯ୍ୟଟକଙ୍କ ରହିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ପାନ୍ଥଶାଳା ଏବଂ ଜଙ୍ଗଲ ବିଭାଗର ଆବସ ସ୍ଥଳୀ ରହିଛି।

Leave A Reply

Your email address will not be published.