Latest Odisha News

BREAKING NEWS

ତିନୋଟି କବିତା

ତିନୋଟି କବିତା
ସସ୍ମିତା ରାଉତ


୧. ତୃଷ୍ଣା

ବେପରୁଆ ଆଞ୍ଜୁଳେ ଶବ୍ଦକୁ
ଉଚ୍ଛାଳିଲି ଆକାଶକୁ

କିଛି ତ,  ଖାଲି ଖାଲି ବାଦଲ !
ମୋ ଛାତିରେ ଭରି ତୃଷ୍ଣା;

କିଛି ବିନ୍ଦୁ ବିନ୍ଦୁ ସାଜି
ଭିଜାଇଲେ ଆଉ କାହା ମାଟି
ସେତିକି ମୋ କବିତା !

***

୨. ଷଡ଼ଯନ୍ତ୍ର

ଶ୍ରାବଣ ବିତିଗଲା ପରେ
ଅଙ୍ଗାରଟେ ପାଇଲି
ମୋର ହିଁ ଜିଭ ତଳେ,

ନିଜ ହାତରେ
ସିଲେଇ ନିଜ ଓଠ !
ଚୁପ ରହିଲି ଭୟରେ
ଚୁପ ରହିଲି ମଧ୍ୟ ଆନନ୍ଦରେ,

କେବେ ଥରେ ଆସି
ଲିଭେଇ ଯାଅ ନିଆଁ ମୋ ଆଖିରେ
ଏବଂ ଶିକାର ହୁଅ ମୋ ଷଡ଼ଯନ୍ତ୍ର ର
ମୁଁ ପଲକ ବନ୍ଦ କଲା ପରେ ।

***

୩. ରହସ୍ୟ

ତୁମ ଆଖି
ମୋ ପ୍ରିୟ ରୋମାଂଚକ ବହିର
ହଜିଯାଇଥିବା  ଶହେ ସତର ତମ ଫର୍ଦ୍ଦ !

ମୁଁ ଜିଭରେ
ଅଙ୍ଗୁଠି ଟିପ ଛୁଆଇଁ
ଓଲଟାଇଛି ତୁମ
ଛାତିର ପ୍ରତିଟି ପୃଷ୍ଠା,
ଏବଂ ପାଲଟି ଯାଇଛି ବିଷ କନ୍ୟା  !

ତୁମ ଛାଇ ହାତରେ
ଧାର ଧାର ରକ୍ତବୁଡା ଛୁରୀ !
ମୋ ଓଠରେ ବିଷ !
ମୁହଁରେ ନିରୀହତା ।

ଚିରା ହୋଇଥିବା ତୁମ
ହାତ ଲେଖା ଧାଡିଏ କବିତା ମୁଁ,
ତୁମ ରକ୍ତରେ
ସିରିଂଜ଼ ଦେଇ ଓଲ୍ହାଉଥିବା
ବର୍ଷା କେଇ ଟୋପା ମୁଁ,
ଭିଡ଼ରେ ତୁମକୁ ଚମକାଇ ଦେଉଥିବା
ମୁଁ ମଧ୍ୟ ସେହି ନିର୍ଜନତା !

ମୁଁ ଫେରାର ଆସାମୀ !

ମୁଁ ଠିକଣା ବଦଳାଇ ଦେଲେ
ତୁମ ଛାଇରେ ପଡେ ଖରା
ତୁମେ ହୁଅ ନିର୍ଦୋଷରେ ଖଲାସ !

ଏବେ  ସାରା ସହରରେ ଗୋଟିଏ  ହିଁ ଚର୍ଚ୍ଚା!

ପ୍ରକୃତରେ କାହାର ହୋଇଛି ହତ୍ୟା ?

……………………
ତାଳଚେର, ଅନୁଗୁଳ

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.