ଝିଅକୁ ନେଇ କାହାଣୀ
ନୀହାରିକା ମଲ୍ଲିକ
“…ଏବଂ ଶେଷରେ ଝିଅଟି ମରିଯାଏ”
– ତୁମେ କହିଲ ଦୀର୍ଘଶ୍ଵାସ ଛାଡି!
-ନା, ନା.. ଆଉ ମାରନି
କେତେ ବା ମରିବ ଝିଅଟି!
ମାଆ ପେଟରୁ ନେଇ ପୁଣି
ସତକୁ ସତ ଜୁଇରେ ଜଳିବା ଯାଏଁ
କବିତାଠୁ ନେଇ ଗଳ୍ପର ଶେଷଯାଏଁ
ସେ ତ ଖାଲି ମରୁଥାଏ ତିଳତିଳ ହୋଇ ।
ଏନ୍ତୁଡିଶାଳ ନିଆଁରେ କଣ ଏମିତି
ଟାଣପଣ ଥାଏ କେଜାଣି
ଦେହ ସହ ମନକୁ ବି ବଜ୍ର କରିଥାଏ ।
ବୋଧେ ନିଆଁ ସହ ଯୁଝିବାର କଳା
ତାକୁ ସେଇଠୁ ହିଁ ଜଣା,
ବାହାବେଦୀର ହୋମାନଳରେ ସିଝିସିଝି
ସେ ଦୃଢକରୁଥାଏ ସଂପର୍କର ଡୋର
ବାସରର ଲଜ୍ଜାହୋମରେ
ଝାସଦିଏ ନିଜ ସ୍ଵପ୍ନକୁ , ଇଚ୍ଛା କୁ
ଆଉ କାହାର ସ୍ଵପ୍ନକୁ ଜୀବନ୍ତ କରି ରଖିବାର
ସଂକଳ୍ପଟେ ନେଉନେଉ
ନିଜେ ମରି ଜୀଇଁରହିବାର ସୂକ୍ଷ୍ମ କଳାଟି
ତାକୁ ବେଶ୍ ଜଣା
ନ ହେଲେ ସବୁଥର ବାପଘରେ
ସୁଖୀ ଜୀବନର ପେଟରା ଖୋଲୁଖୋଲୁ
ଖୁବ୍ ସନ୍ତର୍ପଣରେ ଲୁଚାଇ ଦିଅନ୍ତାନି
ଲୁହର ଟିକି ଫରୁଆଟିକୁ।।
ଝିଅ, ବୋହୂ, ପତ୍ନୀ, ମାଆ ହୋଇ
ସବୁ ସଂପର୍କକୁ ଜୀବନ୍ୟାସ ଦେଇ
ତ୍ୟାଗ ଓ ପ୍ରେମର ଆବାହନୀ ମନ୍ତ୍ରରେ
ଝଂକୃତ କରୁଥାଏ ସଂସାରକୁ ।
ଆସନା, ଏଥର ଟିକେ ତା ପାଇଁ
ଗପର ମୋଡ ବଦଳେଇବା
ତାକୁ ପ୍ରଜାପତିଟେ କରି ଉଡେଇଦେବା
ପ୍ରେମ ବଗିଚାରେ,
ହାତରେ ବିଶ୍ୱାସର ତୂଳୀ ଦେଇ
ସାରା ଆକାଶକୁ ସମର୍ପିଦେବା
ସେ ଆଙ୍କି ଚାଲିବ ତା ସ୍ଵପ୍ନକୁ
ଭୂମିରୁ ଭୂମା ଯାଏଁ ଇନ୍ଦ୍ରଧନୁର ରଙ୍ଗ ନେଇ…
– ମୁଁ କହିଲି…।
କାହାଣୀର ଶେଷରେ
“ଆଉ ଏମିତି ଝିଅଟି ଜୀଇଁ ଚାଲିଲା ତାର ସମଗ୍ର ଆୟୁଷ !”
– ତୁମେ ପରିତୃପ୍ତିର ହସଟେ ହସି କୁହନ୍ତ।
…………………….
ନବରଙ୍ଗପୁର