Latest Odisha News

BREAKING NEWS

ଆମ ତୋଷାଳୀ ମେଳା, ମିଙ୍ଗେଇ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ

ସୁମିତ୍ରା ପାଢ଼ୀ

ଏବେ ଭୁବନେଶ୍ୱରରେ ତୋଷାଳୀ ମେଳା ଚାଲିଛି । କିଛି ବର୍ଷ ହେଲା କ୍ରାଫ୍ଟର ପ୍ରଚାର ପ୍ରସାର ପାଇଁ ସରକାର ଏମିତିକା ମେଳାମାନ ଆୟୋଜନ କରୁଛନ୍ତି । ଭାରତରେ ଆର୍ଟ ଓ କ୍ରାଫ୍ଟର ବିଭାଜନକାରୀ ରେଖା କିନ୍ତୁ ଆଗରୁ ନଥିଲା । ସବୁକିଛି କଳାର ପର୍ଯ୍ୟାୟଭୁକ୍ତ ଥିଲା । ସବୁକିଛିର ବ୍ୟାବହାରିକ ଦିଗ ମଧ୍ୟ ରହିଥିଲା । ଇଂରେଜ ଉପନିବେଶିକ ଦୃଷ୍ଟିକୋଣରୁ ପରେ ଚାରୁ କଳା ଓ କାରୁ କଳା ଭାବରେ ଦୁହିଁଙ୍କୁ ଅଲଗା କରାଗଲା । ବିଶ୍ୱ ପ୍ରେକ୍ଷାପଟରେ କିନ୍ତୁ ଏନେଇ ବିଧିବଦ୍ଧ ଆନ୍ଦୋଳନ ହୋଇଛି ।

୧୮୮୦ ବେଳକୁ ବ୍ରିଟେନ୍ ରେ ନିଜ ଜାଗା ତିଆରି କରିନେଇଥିବା ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନ ଧୀରେ ଧୀରେ ୟୁରୋପ, ଉତ୍ତର ଆମେରିକା ହୋଇ ୧୯୨୦ ବେଳକୁ ଜାପାନ୍ ରେ “ମିଙ୍ଗେଇ” ମୁଭମେଣ୍ଟନାମରେ କେନ୍ଦ୍ରୀତ ହୋଇଥିଲା ।

ଦେଖିବାକୁ ଗଲେ, ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା ଉନବିଂଶ ଶତାବ୍ଦୀରେ ଖୁବ୍ ଲୋକପ୍ରିୟ ହୋଇଥିବା “ୱାଲଡ୍ ଫେଆର୍” ସିରିଜ୍ ର ପ୍ରଥମ ପ୍ରଦର୍ଶନୀ “ଗ୍ରେଟ୍ ଏଗଜିବିସନ୍” । ୧୮୫୧ରେ ହାଇଡ୍ ପାର୍କ, ଲଣ୍ଡନରେ ହୋଇଥିବା ଏହି ଏଗଜିବିସନ୍ ରେ ଯନ୍ତ୍ର ଓ କଳକାରଖାନା ଉତ୍ପାଦର ମାନରେ ଯେଉଁ ଅବନତି ହୋଇଥିଲା ତାହା ଜଳଜଳ ହୋଇ ଦିଶିଥିଲା । ଶିଳ୍ପକାରିଗରୀ, ଗୁଣବତ୍ତା, ସରଳତା ହଜିଯାଇ ଯେମିତି କାମଗୁଡ଼ିକ ଖୁବ୍ କୃତ୍ରିମ ଓ ଜଟିଳ ଦିଶୁଥିଲେ । ମାନରେ ମଧ୍ୟ ଖୁବ୍ ଅବନତି ଘଟିଥିଲା । ଏଥିପାଇଁ ଆୟୋଜକମାନଙ୍କୁ ସମାଲୋଚକ ଓ ସର୍ବସାଧାରଣ କଡ଼ା ନିନ୍ଦା ମଧ୍ୟ କରିଥିଲେ । ଫଳାଫଳ ସ୍ୱରୁପ ଆମର ଏଠି ଯାହା କେବେ ଘଟେ ନାହିଁ, ଯାହା କେବେ ଦେଖିବାକୁ ମିଳେ ନାହିଁ, ଯାହା କେହି କେବେ କରନ୍ତି ନାହିଁ, କିନ୍ତୁ କେହି ଜଣେ କରୁ ବୋଲି ଅନେଇ ବସିରହନ୍ତି ତାହା ଘଟିଥିଲା । ଆୟୋଜକମାନେ ସମାଲୋଚନାକୁ ଗ୍ରହଣ କରିଥିଲେ, ନିଜ ତ୍ରୁଟିକୁ ସ୍ୱୀକାର କରିଥିଲେ ଓ ସେଥିରେ ସୁଧାର ଆଣିବା ମଧ୍ୟ ଆରମ୍ଭ କରିଥିଲେ ।

୧୮୬୧ରେ ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନର ମୂଖ୍ୟ ପୁରୋଧା ଉଇଲିୟମ୍ ମୋରିସ୍ ଆରମ୍ଭ କରିଥିଲେ “ମୋରିସ୍, ମାରଶାଲ୍, ଫୋକନେର୍ ଏଣ୍ଡ କୋ” କମ୍ପାନୀ । ମୋରିସ୍ ଥିଲେ ଜଣେ ଟେକ୍ସଟାଇଲ୍ ଡିଜାଇନର୍, ଚିତ୍ରଶିଳ୍ପୀ, କବି, ଔପନ୍ୟାସିକ ଏବଂ ସାମାଜିକ କର୍ମୀ । ମୋରିସ୍ ଙ୍କର ଡିଜାଇନନିଂ ଶୈଳୀରେ ପରିବର୍ତ୍ତନ ଖୁବ୍ ଲୋକପ୍ରିୟ ଥିଲା । ୧୮୮୭ର ଆର୍ଟ ଏଣ୍ଡ କ୍ରାଫ୍ଟ ଏଗଜିବିସନ୍ ସୋସାଇଟି ଗଠନ ହେବା ସହ ଏହାର ଏକ ବୈଠକରେ “ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ” ଶବ୍ଦଟି ତିଆରି ହେଲା । ବିଗତ କୋଡିଏ ବର୍ଷ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ଆନ୍ଦୋଳନର ମୂଳଦୂଆଟି ସତକୁ ସତ କିନ୍ତୁ ଏଇଠି ହିଁ ପଡ଼ିଲା । ୧୮୮୭ରୁ ୧୮୯୦ ଯାଏ ଏହାର ପ୍ରଦର୍ଶନୀ ପ୍ରତି ବର୍ଷ ଆୟୋଜିତ ହୋଇଆସୁଥିଲା । କିନ୍ତୁ ବାରମ୍ବାରତା ଦ୍ୱାରା ଜିନିଷର ବିବିଧତା, ଉପଲବ୍ଧତା, ସ୍ୱତନ୍ତତା ଓ ବହୁଳତାରେ ଆଞ୍ଚ ଆସିବା କାରଣରୁ ତୃତୀୟ ବର୍ଷ ଏହା ଆର୍ଥିକ କ୍ଷତି ସହିଥିଲା । ତେଣୁ ଆୟୋଜକମାନେ ଉତ୍କର୍ଷତା ବଜାୟ ରଖିବାକୁ ପ୍ରତି ତିନି ବର୍ଷରେ ପ୍ରଦର୍ଶନୀର ଆୟୋଜନ କରିଥିଲେ । ଏହି କଥାଟି ବୁଝିବାକୁ ଆମର ଏଠି ସମୟ ଲାଗେ ବୋଧେ।

ପ୍ରକୃତରେ ‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ଏକ ସମାଜବାଦୀ ଆନ୍ଦୋଳନ ଥିଲା । ଆଧୁନିକ କଳକାରଖାନା, ଯନ୍ତ୍ର ଦୁନିଆ, ଲୋକବଳକୁ ଛାଡ଼ି ମେସିନ୍ ର ବ୍ୟବହାର, ଶ୍ରମ ବିଭାଜନ ଓ ପୁଞ୍ଜିବାଦ ବିରୁଦ୍ଧରେ ଏହା ଏକ ସିଧାସଳଖ ଆକ୍ରମଣ ଥିଲା । ଏଥିସହିତ ହଜିଯାଇଥିବା ପାରମ୍ପରିକ ଶିଳ୍ପ କୌଶଳକୁ ଫେରାଇ ଆଣିବାର ପ୍ରୟାସ ମଧ୍ୟ କରୁଥିଲା ଏହି ଆନ୍ଦୋଳନ ।

ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ଖୁବ୍ ପ୍ରଭାବଶାଳୀ ହୋଇ ଇଣ୍ଟରନ୍ୟାସନାଲ୍ ଟ୍ରେଣ୍ଡ୍ ରେ ପରିଣତ ହୋଇସାରିଥିଲା । ପାରମ୍ପରିକ ଶିଳ୍ପକଳା, ସହଜ-ସରଳ ଲୋକକଳା, ରୋମାଣ୍ଟିକ୍ ଓ ମଧ୍ୟଯୁଗୀୟ ଶୈଳୀର ପ୍ରଭାବରେ ଆଳଙ୍କାରିକ ଡିଜାଇନ୍ ସବୁ ପ୍ରସ୍ତୁତ ହେଉଥିଲା । କେବଳ ଚାରୁକଳା କି କାରୁକଳା ନୁହେଁ; ଚିତ୍ର, ଭାସ୍କର୍ଯ୍ୟ, ସେରାମିକସ୍, ଟାଇଲିଙ୍ଗ୍, ଫର୍ଣ୍ଣିଚର୍, ମେଟାଲ୍ ୱାର୍କ, ବୁକ୍ ମେକିଙ୍ଗ୍, ଫଟୋଗ୍ରାଫି, ଏମିତିକି ଆର୍କିଟେକଚର୍ ରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଓ ସୁଦୃଶ୍ୟ ଥିଲା । ୧୯୧୦ ବେଳକୁ ଘରେ ଘରେ ହାତ ତିଆରି ଲୁଗାପଟା, ଗହଣାଗାଣ୍ଠି, ଘରକରଣା ଜିନିଷ ଠୁଁ ଆରମ୍ଭ କରି ବିଛଣା ସଜ, ଗାଲିଚା ଆଦି ରଖିବାର ଟ୍ରେଣ୍ଡ୍ ଜୋରସୋର୍ ରେ ଚାଲିଥିଲା ।

୧୮୮୮ ରୁ ୧୯୧୬ ଭିତରେ “ଆର୍ଟ ଏଣ୍ଡ କ୍ରାଫ୍ଟ ଏଗଜିବିସନ ସୋସାଇଟି” ଏଗାରଟି ପ୍ରଦର୍ଶନୀର ଆୟୋଜନ କରିସାରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବା ପରେ ଉଭୟ ପ୍ରଦର୍ଶନୀ ଓ କାରିଗରମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ହୋଇଥିଲା । ଛୋଟ- ବଡ଼ ସବୁ କମ୍ପାନୀମାନେ ଯୁଦ୍ଧ ସମ୍ପର୍କିତ ଜିନିଷପତ୍ର ଉତ୍ପାଦନ କରିବାରେ ଲାଗିପଡ଼ିବାରୁ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟରେ ଭଟ୍ଟା ପଡ଼ିଗଲା ୧୯୨୦ ବେଳକୁ । ସେତେବେଳକୁ କିନ୍ତୁ ଜାପାନରେ “ମିଙ୍ଗେଇ ମୁଭମେଣ୍ଟ”ଆରମ୍ଭ ହୋଇସାରିଥାଏ । ‘ମିଙ୍ଗେଇ’ ର ଅର୍ଥ ଲୋକକଳା । ଦ୍ରୁତ ଶିଳ୍ପାୟନ ଓ ୟୁରୋପୀୟକରଣର ପ୍ରତିବାଦରେ ଏହା ଆରମ୍ଭ ହୋଇଥାଏ, ଯେଉଁଥିରେ ଜାପାନର ଲୋକକଳାକୁ ଗୁରୁତ୍ୱ ଦିଆଯାଉଥାଏ  । ୧୯୬୦ ରୁ ୧୯୭୦ ମସିହା ଏହି ଆନ୍ଦୋଳନର ସୁବର୍ଣ୍ଣ ଯୁଗ ଥିଲା କହିଲେ ଚଳେ । ୧୯୬୦ ବେଳକୁ ଏହା ଘରେ ଘରେ ପରିଚିତ ହୋଇସାରିଥିବା ବେଳେ ୧୯୬୫ରେ ଆସିଥିଲା “ମିଙ୍ଗେଇ ବୁମ୍” । ବୁମ୍ ରୁ ସର୍ବାଧିକ ଲାଭବାନ୍ ହୋଇଥିଲେ ସେଠାକାର କୁମ୍ଭାରମାନେ । ଧୀରେ ଧୀରେ କାରିଗରୀ କୌଶଳର ଗୁରୁତ୍ୱ କମି ଲୋକେ ଯେତେବେଳେ ଅର୍ଥ ରୋଜଗାର ପନ୍ଥା ଭାବରେ ଏହି କ୍ଷେତ୍ରକୁ ବାଛିଲେ ସେତେବେଳେ ଏହି ଆନ୍ଦୋଳନ ଆଉ ଆନ୍ଦୋଳନ ହୋଇ ରହିଲା ନାହିଁ । ବିଚାରଗତ ଅବନତିର ପ୍ରଭାବ ଆର୍ଥିକ କ୍ଷେତ୍ରରେ ମଧ୍ୟ ପଡ଼ିଲା । ୨୦୦୦ ବେଳକୁ ଏହା ଜାପାନରେ କ୍ରମେ କ୍ରମେ ନିଷ୍ପ୍ରଭ ହୋଇ ଆସିଲା ।

ଜାପାନରେ ମିଙ୍ଗେଇ ମୁଭମେଣ୍ଟ ସରିବା ଆଗରୁ ୧୯୬୬ରେ ଜନ୍ କସବି ଫ୍ରିମ୍ୟାନ୍ ଙ୍କ ବହି “ଦ ଫରଗଟନ୍ ରିବେଲ୍: ଗୁଷ୍ଟଭ୍ ଷ୍ଟିକଲେ ଏଣ୍ଡ ହିଜ୍ କ୍ରାଫ୍ଟସମ୍ୟାନ୍ ମିଶନ୍ ଫର୍ଣ୍ଣିଚର୍”ର ପ୍ରକାଶନ ପୃଥିବୀର ଅନେକଆଡେ଼ ଆନ୍ଦୋଳନକୁ ପୁନରୁତ୍ଥାନ କରିବାରେ ମୂଖ୍ୟ ଭୂମିକା ନେଲା । ବହିଟି ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ ର ପ୍ରଥମ ବିଧିବଦ୍ଧ ଐତିହାସିକ ଗବେଷଣା । ପୁସ୍ତକ ପ୍ରକାଶନ ପରେ ପରେ ଆନ୍ଦୋଳନ ସମୟର କାମଗୁଡ଼ିକୁ ନେଇ ଯେତେବେଳେ “ଆମେରିକାନ୍ ଆର୍ଟସ୍ ଏଣ୍ଡ କ୍ରାଫ୍ଟସ୍ ୧୮୭୬-୧୯୧୬” ନାମରେ ପ୍ରଥମ ପ୍ରଦର୍ଶନୀ ପ୍ରିନ୍ସଟନ୍ ୟୁନିଭର୍ସିଟିରେ ୧୯୭୨ରେ ଆୟୋଜିତ ହେଲା, ସେତେବେଳେ ବିଭିନ୍ନ ସଂଗ୍ରାହକମାନେ ଆରମ୍ଭ ସମୟର କାମଗୁଡ଼ିକୁ ସଂଗ୍ରହ କରିବା ଆରମ୍ଭ କଲେ । ସେଇଥିପାଇଁ ସେ ସମୟର ଅନେକ କାମ ଏବେ ବିଭିନ୍ନ ମ୍ୟୁଜିଅମ୍, ଧନୀ ବ୍ୟବସାୟୀ ଓ ହଲିଉଡ୍ ଷ୍ଟାର୍ ମାନଙ୍କ ପାଖରେ ସଂଗୃହୀତ ହୋଇ ରହିପାରିଲା । ଏହା ପରେ ପରେ ପୁରୁଣା କାମ ସବୁର ଲୋକପ୍ରିୟତା ଏତେ ବଢିଗଲା ଯେ ସେହି ସବୁ ଡିଜାଇନ୍ ର ରିପ୍ରଡକକ୍ସନ୍ ହେବା ଆରମ୍ଭ ହେଲା ।

‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ପ୍ରଥମ ଥର ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ ପ୍ରତିବାଦରେ ଆରମ୍ଭ ହୋଇଥିବା ବେଳେ ଏଥର ଟେକ୍ନୋଲୋଜିକାଲ୍ ରିଭଲ୍ୟୁସନ୍ ପ୍ରତିବାଦରେ ଏହା ଲୋକପ୍ରିୟ ହେଉଛି ବୋଲି ସମୀକ୍ଷକମାନେ ଅନୁମାନ କରୁଛନ୍ତି । ଏଥରର ଭିନ୍ନତା ଏତିକି ଯେ, ପାରମ୍ପରିକ କଳା କୌଶଳକୁ ଲୋକପ୍ରିୟ କରିବା ପାଇଁ ସୋସିଆଲ୍ ମିଡିଆ ଓ ଅନଲାଇନ୍ ବଜାର ପରି ଆଧୁନିକ ସାଧନର ବ୍ୟବହାର କରାଯାଉଛି । କିନ୍ତୁ ଏଥିରୁ ସତକୁ ସତ ଶିଳ୍ପୀଟିଏ କେତେ ଲାଭବାନ୍ ହେଉଛି ତାହା ଭାବିବାର କଥା । ପ୍ରତିଷ୍ଠିତ ଅନଲାଇନ୍ ବ୍ୟବସାୟୀମାନେ କାରିଗରର ଉତ୍ଥାନରେ କିପରି ଭାବେ ଓ କେତେ ମାତ୍ରାରେ ସହାୟକ ହେଉଛନ୍ତି ବା ହେଉନାହାନ୍ତି ତାହା ମଧ୍ୟ ଭାବିବାର କଥା ।

ପାଶ୍ଚାତ୍ୟ ଦେଶ ମାନଙ୍କରେ କିନ୍ତୁ ଶିଳ୍ପୀମାନଙ୍କର ଚାହିଦା ଖୁବ୍ ବେଶୀ ବଢିଛି ଏହି ଗଲା ଦୁଇ ଦଶନ୍ଧି ଭିତରେ । ଏଟସି, ଇନଷ୍ଟାଗ୍ରାମ୍ ପରି ସାଇଟ୍ ମାନେ ବ୍ୟକ୍ତିଗତ ଭାବେ ହାତ ତିଆରି ଜିନିଷକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇ ଦେଇଛନ୍ତି ଶିଳ୍ପୀକୁ । ଲୋକେ ଏବେ ପୁଣିଥରେ ହାତ ତିଆରି ଉତ୍ପାଦକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । କାରିଗରମାନେ ନିଜର ଶ୍ରମ, ସମୟ, ଭଲପାଇବା, ସୃଜନଶୀଳତା, କଳା କୌଶଳ ଦେଇ ଯେଉଁ ହାତତିଆରି ଜିନିଷ ପ୍ରସ୍ତୁତ କରୁଛନ୍ତି ତାହାର ସୌନ୍ଦର୍ଯ୍ୟ, କାରୁକାର୍ଯ୍ୟ, ସରଳତା ଓ ବ୍ୟାବହାରିକତା ସମସ୍ତଙ୍କୁ ଆକର୍ଷିତ କରୁଛି । ତେଣୁ ଏସବୁ ଜିନିଷର ବିଶେଷତ୍ୱ ବି ବଢିଯାଇଛି । ଏହା ସହିତ ପରିବେଶ ସଚେତନତା ଆନ୍ଦୋଳନ, ସାମାଜିକ ଓ ଆର୍ଥିକ ଆନ୍ଦୋଳନ ଦୃଷ୍ଟିରୁ ବି ଲୋକେ ମେସିନ୍ ତିଆରି ଉତ୍ପାଦ ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଯେତେ ସମ୍ଭବ ସେତେ ବାୟୋଡିଗ୍ରେଡିବଲ୍ ଜିନିଷ ବ୍ୟବହାର କରୁଛନ୍ତି । ଯଦିଓ ଆମର ଏହି ପ୍ରାନ୍ତଟିରେ ଏଯାଏଁ ହାତ ତିଆରି ଜିନିଷ କେବଳ ଘର ସଜେଇବା ଲାଗି ହିଁ ଉଦ୍ଧିଷ୍ଟ ହୋଇ ଏବେବି ରହିଛି ।

ତୋଷାଳୀ ମେଳାର କିନ୍ତୁ କେତେକ ଷ୍ଟଲ୍ ପାଖରେ ମଲ୍ ମାନଙ୍କରୁ ଫିକ୍ସ ପ୍ରାଇସ୍ ରେ ଜିନିଷ କିଣୁଥିବା ଲୋକେ ୧୦୦ ଟଙ୍କାର ଜିନିଷକୁ ଫୁଟପାଥ୍ ରେ ମିଳୁଥିବା ପ୍ଲାଷ୍ଟିକ୍ ଜିନିଷ କିଣିବା ପରି ୫୦ ଟଙ୍କାରେ ଦେବା ପାଇଁ କାରିଗର ସହ ମୁଲଚାଲ୍ କରୁଥିବାର ଦେଖିଲି । ଗୋଟିଏ ଗୋଟିଏ କାମ ପାଇଁ କେମିତି ପୁରା ଗୋଟେ ଦିନ ଲାଗିଯାଉଛି ବୋଲି ଶିଳ୍ପୀଟି କହିଲେ ବି କେହି ଯେମିତି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଯେଉଁ ସ୍ୱତନ୍ତ୍ରତା, ସୁକ୍ଷ୍ମତା, ବ୍ୟକ୍ତିଗତ କାରିଗରୀ ପାଇଁ ଆର୍ଟ ଓ କ୍ରାଫ୍ଟ ମୁଭମେଣ୍ଟ ଆରମ୍ଭ ହୋଇଥିଲା ତାହା ବୁଝିବାକୁ ସମସ୍ତେ ଏଠି ଅକ୍ଷମ ଯେମିତି । ଯଦିଓ ଆମର ଏଠି ମେଳା ମାନଙ୍କରେ କାରିଗର ଅପେକ୍ଷା ମଧ୍ୟସ୍ଥ ବେପାରୀ ମାନଙ୍କର ଉପସ୍ଥିତି ବେଶୀ ଓ ପ୍ରତି ବର୍ଷ ଏକା ପ୍ରକାରର ଓ ଏକା ଡିଜାଇନ୍ ର ଜିନିଷ ଦେଖି ଦେଖି ଲୋକେ ଚିଟା ଧରିଗଲେଣି । ତାପରେ କ୍ରାଫ୍ଟ ମେଳାର ସାଜ-ସଜାରେ ଯେତିକି ଫ୍ଲେକ୍ସ ଲଗାଯାଇଛି ତାହା ଯେମିତି ସବୁ ଉଦ୍ଦେଶ୍ୟକୁ ଭଣ୍ଡୁର କରିପକାଉଛି ।

ଗୋଟିଏ ଆନ୍ଦୋଳନକୁ ଆଗେଇ ନେବାରେ ଅନେକ ଗୋଷ୍ଠୀ, ଗୁଡ଼ାଏ ବିଚାର, ବିଭିନ୍ନ ଯୋଜନା, କେତେକେତେ ପ୍ରଦର୍ଶନୀ ଓ କେତେ ନା କେତେ ଲୋକଙ୍କର ଭୂମିକା ରହିଥାଏ । ଏବଂ ପ୍ରତି ଆନ୍ଦୋଳନର ଏକ ନିଜସ୍ୱ ଦର୍ଶନ ଓ ନିଜସ୍ୱ ଶୈଳୀ ଥାଏ । ଆଉ ସେହି ସ୍ୱତନ୍ତତା ହିଁ ଗୋଟିଏ ଛୋଟିଆ କଥାକୁ ମୂଖ୍ୟ ସ୍ରୋତକୁ ନେଇ ଆସିବାରେ ସହାୟକ ହୁଏ । ଅନେକ ବ୍ୟକ୍ତି, ଗୋଷ୍ଠୀ, ଜାତି ବା ସମୂହ ଯେତେବେଳେ ସେହି ଏକା କଥାକୁ ଅନୁସରଣ କରନ୍ତି, ସେଇ ଏକା ଉଦ୍ଦେଶ୍ୟ ନେଇ ଏକାପ୍ରକାର କାମ କରିବାରେ ବ୍ରତୀ ହୁଅନ୍ତି, ସେତେବେଳେ ତାହା ଆନ୍ଦୋଳନର ରୂପ ଦିଏ ।  ଆଲୋଚିତ ଆନ୍ଦୋଳନ ପରିପ୍ରେକ୍ଷୀରେ ଦେଖିଲେ ମୋତେ ଲାଗେ ଆମେ ଏଠି ଏବେବି ଏକ ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନ ଅପେକ୍ଷାରେ ଅଛେ …. ।

Leave A Reply

Your email address will not be published.