Latest Odisha News

BREAKING NEWS

ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ‘ସୃଷ୍ଟି ଫାଉଣ୍ଡେସନ’ ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଙ୍କ ନେତୃତ୍ୱରେ କୋଭିଡ କଟକଣା ପାଳନ ସହ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନେକ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ରହି ସ୍ୱର୍ଗତ ମନୋଜ ଦାସଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଓ ତାଙ୍କର ସାହିତ୍ୟ କୃତି ତଥା ଅନ୍ୟାନ୍ୟ  ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ବିଶିଷ୍ଟ କବି ଓ ଗାଳ୍ପିକ ତଥା ସୃଷ୍ଟି ଫାଉଣ୍ଡେସନର ଅଧ୍ୟକ୍ଷ ରୋହିତ ଦାଶ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ନେଇ ବିଶିଷ୍ଟ ଲେଖକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦ୍ୱାରା  ମନୋଜ ଦାସଙ୍କ ସମ୍ବନ୍ଧରେ ଲିଖିତ ଏକ ‘ପ୍ରାକ କଥନ’କୁ ପଢି ଶୁଣେଇବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗାଳ୍ପିକ ଅଶୋକ ମହାପାତ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ବିଶିଷ୍ଟ ବ୍ୟଙ୍ଗକବି ମନୋରଞ୍ଜନ ସାହୁ, ବିଶିଷ୍ଟ ସାମ୍ବାଦିକ ସୁରେନ୍ଦ୍ର ହୋତା ତଥା ବିଶିଷ୍ଟ ସାହିତ୍ୟିକ ମୋହନ ସାହୁ , ମନୋଜ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।

ଏହି ସଭାରେ ସର୍ବଶ୍ରୀ ପ୍ରଦେଶୀ ବାରିକ, ମନୋରଞ୍ଜନ ମେହେର, ଶେଷନ ବିଶି, ପ୍ରଦୀପ୍ତ ଭାନୁ ମହାନ୍ତି, ବିଶ୍ୱଜିତ ମିଶ୍ର, ସମାଜର ଜିଲ୍ଲା ପ୍ରତିନିଧି  ବିଭୁ ବାଲାଜୀ ତରାସିଆ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ କବି, ସାମ୍ବାଦିକ , ବୁଦ୍ଧିଜୀବି ଓ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହି ସଭା ପରିଚାଳନାରେ  ପଞ୍ଚାନନ ବାରିକ ଓ ଦାମୋଦର ସାହୁ ସହଯୋଗ କରିଥିବା ବେଳେ ଅଶୋକ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ରୋହିତ ଦାଶ ମନୋଜ ଦାସଙ୍କ ଏକ ବହୁଚର୍ଚ୍ଚିତ କବିତା ‘ମୁଁ ପୁଣି ଆସିବି ଫେରି’ ପାଠ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.