Latest Odisha News

BREAKING NEWS

ଅଦିନିଆ ବର୍ଷା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ନନ୍ଦକିଶୋର ଘଡ଼େଇ ନିଜ ଗାଁ ଛାଡ଼ି ପଳେଇ ଆସିଥିଲା ମାତ୍ର ସାତ ବର୍ଷ ବୟସରେ। ସେ ଯେତେବେଳେ ମାତ୍ର ଦେଢ଼ବର୍ଷର ଥିଲା, ସେତେବେଳେ ବସନ୍ତ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା ତା ବାପା। ମାଆ ଯାହା ଯେମିତି କରି ତାକୁ ବଡ଼ କରେଇଲା, ହେଲେ ଆଉ ପାରିଲାନି । ସେଥିପାଇଁ ତା ବାପାଘର ଗାଁ ବୀରଘାଟୀକୁ ଆସିଥିଲା ପୁଅ ନନ୍ଦକିଶୋରକୁ ଧରି। ଭାଇମାନେ ଡିହ ଖଣ୍ଡେ ଦେବାରୁ ସେଇଠି ହିଁ ଝାଟିମାଟିରେ ଘର ବଖରାଟେ କରି ପୁଅ, ଆଉ ବୁଢ଼ୀ ଶାଶୂକୁ ନେଇ ରହୁଥିଲା ନନ୍ଦକିଶୋରର ମାଆ। ନନ୍ଦକିଶୋରକୁ ନନ୍ଦୁ ବୋଲି ଡାକୁଥିଲେ ସମସ୍ତେ । ନନ୍ଦୁକୁ ଅଠର ବର୍ଷ ହେଲାବେଳକୁ ତା ଜେଜେମା’ ବି ଚାଲିଗଲା ଆରପାରିକୁ । ଏଣେ ନନ୍ଦୁର ମାଆ ବି ଧୀରେ ଧୀରେ ବୟସ ଢଳିବାରୁ ଆଉ କାମ ଦାମ କରିପାରୁନଥିଲା । ତେଣୁ ଅଧିକାଂଶ ସମୟରେ ମାଆର ଦେଖାଶୁଣା କରିବା ସହ ଘରେ ରୋଷେଇବାସ କାମ ବି କରୁଥିଲା ନନ୍ଦୁ । ତେବେ ମାମୁମାନେ କହି, ସେହି ବୀରଘାଟୀ ଗାଁର ହିଁ ଝିଅ କାଞ୍ଚନକୁ ବାହା କରେଇଥିଲେ ନନ୍ଦୁ ସହିତ । ମାମୁମାନେ ଯେଉଁ ଜାଗା ଖଣ୍ଡିକ ଦେଇଥିଲେ, ସେଇଟା ଥିଲା ଗାଁର ଶେଷମୁଣ୍ଡରେ । ସେଇଠି ମାଆ ପୁଅ ଯେଉଁ ଛୋଟ ଚାଳିଆ ଖଣ୍ଡେ କରିଥିଲେ, ତା ପାଇଁ ସବୁଠୁ ବଡ଼ ବିପଦ ଥିଲା ସେଇ ଘରର କାନ୍ଥକୁ ଲାଗି ରହିଥିବା ଗାଁ ଗୋହିରୀ। ହଁ.. ଗୋହିରୀ ମାନେ, ସେଇଟା ଏମିତି ଗୋଟିଏ ଅଣ ଓସାରିଆ ରାସ୍ତା, ଯାହା ଗାଁ ଦାଣ୍ଡକୁ ଗାଁ ପଛରେ ଥିବା ପାହାଡ଼ ସହିତ ଯୋଡୁଥିଲା । ଗାଁ ପଛପଟେ ବାଘନଖି ପାହାଡ଼ଟା ଭାରତକୁ ହିମାଳୟ ଆକଟ କରି ରଖିଲା ଭଳି ରଖିଛି ବୀରଘାଟୀ ଗାଁକୁ। ସେହି ପାହାଡ଼କୁ ଗାଁର ଗୋରୁଗାଈ ଚରିବାକୁ ଯାଆନ୍ତି । ଗାଈଆଳ ପିଲାମାନେ ସେହି ଗୋହିରୀ ବାଟ ଦେଇ ଗାଁ ଗାଈଗୋଠକୁ ପାହାଡ଼ ଉପରକୁ ଉଠାନ୍ତି । ଗାଁର ଗାଈଗୋରୁ ପାହାଡ଼କୁ ଯାଉଥିବା ବେଳେ ଅଧିକାଂଶ ସମୟରେ ନନ୍ଦୁର ଚାଳିଆର କାନ୍ଥ ଦେହରେ ଘସି ହୋଇଯାଆନ୍ତି । ଖାଲି ସେତିକି ନୁହେଁ, ତା ନଡ଼ା ଛପର ଚାଳରୁ ଅଧିକାଂଶ ସମୟରେ କେରାଏ ଦି କେରା ଟାଣିଦିଅନ୍ତି ଗୋରୁ । ଯାହା ଫଳରେ ଗୋରୁଗାଈ ଯିବା ଆସିବା କରିବା ସମୟରେ ଘରୁ କେହି ନା କେହି ଦୁଆର ମୁହଁରେ ଠିଆ ହୁଅନ୍ତି ଚାଳର ସୁରକ୍ଷା ଲାଗି, ଗୋରୁଗାଈ ଆକଟ କରିବାକୁ ।

ଗୋହିରୀର ଗୋଟିଏ ପାଖରେ ନନ୍ଦୁର ଘର । ସେହି ଘରେ ତା ସ୍ତ୍ରୀ କାଞ୍ଚନ, ବୁଢ଼ୀ ମାଆ ଆଉ ପିଲା ତିନିଟି । ଦୁଇଟା ଝିଅ ମଝିରେ ଗୋଟିଏ ପୁଅ । ବଡ଼ ଝିଅ ପାରିବାର ହୋଇଗଲାଣି । ଗାଁ ଗହଳିରେ ତେର ଚଉଦ ବର୍ଷରେ ଝିଅକୁ ଶାଶୂଘରକୁ ପଠେଇ ଦେଉଥିଲା ବେଳେ, ନନ୍ଦୁର ବଡ଼ ଝିଅକୁ ଷୋହଳ ବର୍ଷ ହେଲାଣି। କିନ୍ତୁ ଛୋଟ ପଣତ, ପେଟ ଘୋଡ଼େଇଲେ ପିଠି ମୁକୁଳା । ଦାରିଦ୍ର୍ୟ ଯୋଗୁଁ ଏଯାଏଁ ନନ୍ଦୁ ଦୁଆରକୁ ବର ଘର ଆସିନି । ତେଣେ ପୁଅଟା ଅଷ୍ଟମ ଶ୍ରେଣୀରେ ପଢୁଛି । ଆଉ ସାନ ଝିଅଟା ସ୍କୁଲ ଦୁଆର ତ ଦେଖିନି ବରଂ ନନ୍ଦୁକୁ ସରକାରୀ ଋଣରେ ମିଳିଥିବା ଚାରିଟା ଛେଳିଛୁଆଙ୍କୁ ଏବେ କିଛି ଦିନ ହେଲା ଗାଁ ପଛପଟ ବାଘନଖି ପାହାଡ଼କୁ ଚରେଇବାକୁ ନେଉଛି । ସେପଟେ ଗୋହିରୀର ଆର ପାଖରେ ଗାଁ ସାହୁକାର ଆନନ୍ଦ ଶାସମଲଙ୍କ ଘର । ସିଏ ତ ଘର ଏମିତି ତିଆରି କରିଛନ୍ତି ଯେ ଗାଁ ଦାଣ୍ଡରୁ ବାଘନଖି ପାହାଡ଼କୁ ଛୁଉଁଛି । ପାଖାପାଖି ଦେଢ଼ ଶହ ଫୁଟ୍ ଲମ୍ବା ଗୋଟିଏ କାନ୍ଥ ତିଆରି ହୋଇଛି । ପକ୍କା କାନ୍ଥ ହୋଇଥିବାରୁ ଆନନ୍ଦ ଶାସମଲଙ୍କ କାନ୍ଥକୁ ଗାଈଗୋରୁ କିଛି କରିପାରୁନାହାନ୍ତି । ଆଉ ଗାଁ ଗୋହିରୀର ବି କିଛି ପ୍ରଭାବ ପଡୁନି ତା ଉପରେ । ବର୍ଷା ଦିନ ଆସିଲେ, ଯେତେବେଳେ ବାଘନଖି ପାହାଡ଼ ଉପରେ ମେଘ ଯେତେ ଯୁଆଡ଼ୁ ଆଣିଥିବା ପାଣି ଅଜାଡ଼ି ଦେଉଛି, ସେଇ ପାଣି ବର୍ଷା ଛାଡ଼ିବାର ପ୍ରାୟ ଘଣ୍ଟାଏ ପରେ ବଢ଼ି ହୋଇ ତଳକୁ ଖସୁଛି । ତେବେ ସେ ପାଣି ଯିବ ତ କୁଆଡ଼ ଯିବ । ତାର ପ୍ରାକୃତିକ ବାଟଟା ହେଲା ଏଇ ଗାଁ ଗୋହିରୀ । ସେହି ଗୋହିରୀ ଦେଇ ହିଁ ପାହାଡ଼ରୁ ପାଣି ଖସି ଗାଁ ଦାଣ୍ଡ ମଝିରେ ତଳକୁ ବହି ଗାଁ ମୁଣ୍ଡରେ ଥିବା ପୋଖରୀରେ ପଶେ। ଏହି ଗୋହିରୀଟିକୁ ଯଦି ବନ୍ଦ କରିଦିଆଯାଏ, ତାହେଲେ ଗାଁ ପାହାଡ଼କୁ ଉଠିବା ପାଇଁ ପାଖାପାଖି ଅଧାମାଇଲ ବାଟ ବୁଲିକି ଯିବାକୁ ପଡ଼ିବ । ତେଣୁ କିଛି ଲୋକ ଗତ କିଛି ବର୍ଷ ହେଲା ସେହି ଗୋହିରୀଟାକୁ ବନ୍ଦ କରିବା ଲାଗି ମସୁଧା ଚଳାଇଥାନ୍ତି ।

ଏତିକି ବେଳେ ନିଜ ଭାଇ ସହିତ ଝଗଡ଼ା କରି ତଳ ସାହିରୁ ଘର ଛାଡ଼ି ଆସିଥିବା ମଙ୍ଗରାଜ ଗୌଡ଼ ଗାଁର କିଛି ଲୋକଙ୍କ ପ୍ରରୋଚନାରେ ସେହି ଗୋହିରୀ ଉପରେ ଘରଟିଏ କରିଛି । ଘରଟା ଏମିତି ହୋଇଛି ଯେ ଗୋଟିଏ ପଟେ ଆନନ୍ଦ ଶାସମଲଙ୍କ ପକ୍କା କାନ୍ଥ, ଆଉ ଅନ୍ୟପଟେ ନନ୍ଦୁର ଚାଳିଆର କାନ୍ଥ । ମଙ୍ଗରାଜ ଖାଲି ଘର କରିନି, ତା ପଛକୁ ପଛ ବି ଘର ଚାରି ବଖରା କରିଦେଇଛି । କିନ୍ତୁ ନନ୍ଦୁର ସେହି ଦାଣ୍ଡ ପଟରେ ଥିବା ଗୋଟିଏ ବଖରା ଚାଳଘର । ତା ପଛକୁ ପୂରା ମେଲା । ମଙ୍ଗରାଜ ଗୌଡ଼ ଘର କରିବା ପରଠାରୁ ଗାଁର ଗାଈଗୋରୁ ସବୁ ଏବେ ଅଧାମାଇଲ ବାଟ ବୁଲି ବୁଲି ଶେଷରେ ବାଘନଖି ପାହାଡ଼ର ଆଉ ଗୋଟିଏ ପଟୁ ଉପରେ ଚଢୁଛନ୍ତି । ମୋଟାମୋଟି କହିବାକୁ ଗଲେ, ମଙ୍ଗରାଜର ଘର ହୋଇସାରିବା ପରେ, ସେଠାରେ ଯେ ଗୋଟିଏ ଗୋହିରୀ ଥିଲା, ସେକଥା ଆଦୌ ଜଣାପଡୁନାହିଁ ।

ସେଦିନ ଚୈତ୍ରମାସ ମଙ୍ଗଳବାର । ତାରିଣୀ ପର୍ବତରେ ମେଳା । ସେଥିପାଇଁ ଗାଁର ଅଧିକାଂଶ ଲୋକ ଶଗଡ଼ରେ ବସି ତାରାତାରିଣୀ ଦର୍ଶନ ପାଇଁ ଯାଇଥାନ୍ତି । ନନ୍ଦୁ ବି ତା ସ୍ତ୍ରୀ କାଞ୍ଚନ, ମାଆ, ଆଉ ପୁଅକୁ ନେଇ ମଙ୍ଗରାଜର ଶଗଡ଼ରେ ବସି ଯାଇଛି । ମାନସିକ ରଖିଥିଲା ପୁଅକୁ ଠାକୁରାଣୀ ପାଖେ ନଣ୍ଡା କରିବ ବୋଲି । ସେଥିପାଇଁ ନନ୍ଦୁ ତା ସାଙ୍ଗରେ ତା ମାମୁଁ ମାଇଁଙ୍କୁ ବି ନେଇଛି । ଘରେ କେବଳ ତାର ଦି ଝିଅ । ବଡ଼ ଝିଅଟା ଘରେ ଥିଲା । ସାନ ଛେଳି ଚରେଇବାକୁ ଯାଇଥିଲା । ହେଲେ ଅଦିନରେ କଳାହାଣ୍ଡିଆ ମେଘ ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ମାରିବାରୁ ଡରରେ ଆଗୁଆ ଘରକୁ ପଳେଇ ଆସିଛି ସେ। ନନ୍ଦୁର ସାନ ଝିଅ ଛେଳି ଚାରିଟାକୁ ଦୁଆର ଖୁଣ୍ଟିରେ ବାନ୍ଧିଦେଇ ଘର ଭିତରକୁ ଯାଇଛି କି ନାହିଁ, ଆରମ୍ଭ ହେଲା ଝଡ଼ ତୋଫାନ ବର୍ଷା। ନନ୍ଦୁର ଘର ଉପରେ ଚାଳ ଉଡ଼ିବାରେ ଲାଗିଲା । ଘରେ ନନ୍ଦୁ ନାହିଁ କି ଆଉ କେହି ବୟସ୍କ ବି ନାହାନ୍ତି । କଣ କରିବେ ଦି ଭଉଣୀ କିଛି ଭାବି ପାରୁନଥାନ୍ତି । ହଠାତ୍ ନନ୍ଦୁର ବଡ଼ ଝିଅ ମୁଣ୍ଡରେ କଣ ବୁଦ୍ଧି ପଶିଲା କେଜାଣି, ବାଡ଼ିପଟୁ ନିଶୁଣିଟା ଆଣି ଚାଳ ଉପରକୁ ପକାଇଲା । ତା ପରେ ସାନଝିଅ ତଳୁ ବଢ଼ାଉଥାଏ ଗୋଟିଏ ପରେ ଗୋଟିଏ କାଠ ଖଣ୍ଡ । ନନ୍ଦୁର ବଡ଼ ଝିଅ ବଡ଼ ସାହସ କରି ଚାଳ ଉପରେ ଚଢ଼ି କାଠ ସବୁକୁ ଲଦି ଚାଲିଲା । ଅନ୍ତତଃ ଚାଳଟା ନଉଡୁ, ସେଇ ଭାବନାରେ । ଧୀରେ ଧୀରେ ବଢ଼ିବାରେ ଲାଗିଲା ବର୍ଷା। ଦୁଇ ଭଉଣୀ ଘରର କବାଟ ବନ୍ଦ କରି, ଘର ଭିତରେ ଜାକିଜୁକି ହୋଇ ବସିଥାନ୍ତି । ପ୍ରାୟ ଦି ଘଣ୍ଟା ଧରି ସାପମୁଣ୍ଡ ଦିଖଣ୍ଡ ହେଲାଭଳି ବର୍ଷା କାଚିଲା ।

ବର୍ଷା ଛାଡ଼ିଛି କି ନାହିଁ, ହଠାତ୍ ନନ୍ଦୁର ଦୁଇ ଝିଅ ଦେଖିଲେ ତାଙ୍କ ଘର ଭିତରେ ପାଣି । ଚାଳରୁ ତ ପାଣି ଗଳୁନି । ତାହେଲେ ପାଣି ଆସିଲା କୁଆଡୁ? ନନ୍ଦୁର ବଡ଼ ଝିଅ ଘରର ଅନ୍ଧାର ଭିତରେ ଦେଖୁବାକୁ ଚେଷ୍ଟା କରୁଥାଏ, ପ୍ରକୃତରେ ପାଣି ଆସୁଛି କୁଆଡୁ? କିଛି ଜାଣିପାରୁନଥାଏ । ହଠାତ୍ ଉଠିପଡ଼ି ଘରର ପଛପଟ କବାଟଟାକୁ ଖୋଲିଦେଲା । ଭୁସ୍ କିନା ଘର ଭିତରକୁ ପଶିଆସିଲା ପାଣି । ଘର ଭିତରେ ଆଣ୍ଠୁଏ ପାଣି । ଘରେ ଏମିତି ପାଣି କେବେ ଦେଖିନାହାନ୍ତି ସେମାନେ ଜନ୍ମହେଲାଠାରୁ । ନନ୍ଦୁର ସାନ ଝିଅ ଡରରେ କାନ୍ଦି ଉଠିଲା । ବଡ଼ ଝିଅ ଦୌଡ଼ି ଆସି ଦାଣ୍ଡପଟର କବାଟଟାକୁ ଖୋଲିଦେଲା । ତା ପରେ ଚାଲିଲା ବଢ଼ି । ଦି ଭଉଣୀ ଚେଷ୍ଟା କରୁଥାନ୍ତି ଘରର ଜିନିଷ ପତ୍ର କେମିତି ବଞ୍ଚାଇ ହେବ ସେଥିପାଇଁ । କିନ୍ତୁ କିଛି କରିପାରୁନଥାନ୍ତି । ସେମାନଙ୍କ ଆଖି ଆଗରେ ଭାସିଗଲା ଭାଇର ବସ୍ତାନି । ସେଥିରେ ଥିବା ବହିପତ୍ର ସବୁ କିଛି । ତା ପରେ ଘରେ ଥିବା ଚାଉଳ, ମାଣ୍ଡିଆ ସବୁଥିରେ ପାଣି ପଶିଗଲା । ପାଣି ଏତେ ମାତ୍ରାରେ ଘର ଭିତରେ ପଶିଥିଲା ଯେ, ଘରର କୋଉ କୋଣରେ ନନ୍ଦୁର ସ୍ତ୍ରୀ ଲୁଚାଇ ରଖିଥିବା ଗୋଟିଏ ଛୋଟିଆ କାଠପେଢ଼ି, ସେଇଟା ବି ଭାସି ଭାସି ଏରୁଣ୍ଡି ଉପର ଦେଇ ଦାଣ୍ଡକୁ ଖସିଗଲା । ସେଥିରେ ଥିଲା ନନ୍ଦୁର ସେହି ଗୋଟିଏ ବଖରା ଘରର ଦସ୍ତାବିଜ୍, ତା ପୁଅ ଝିଅର ଜାତକ, ଆଉ ବଡ଼ ଝିଅକୁ ଶାଶୂଘର ଦେବା ପାଇଁ ବର୍ଷ ବର୍ଷ ଧରି କାଞ୍ଚନ ସଞ୍ଚୟ କରିଥିବା କିଛି ଟଙ୍କା । ନନ୍ଦୁର ସାନ ଝିଅ ଦୌଡ଼ି ଯାଇ ସେଇ ଛୋଟ କାଠପେଢ଼ିଟାକୁ ଧରି ପକେଇଲା । ତାକୁ ଲାଗୁଥିଲା, ସତେ ଯେମିତି ସେ ଗଡ଼ ଜୟ କରିଛି । ଏଭଳି ଏକ ବିପତ୍ତି ବେଳେ ତା ବାପା ମାଆର ଜୀବନ ତମାମର ସାଇତା ସମ୍ପତ୍ତିକୁ ସେ ଉଦ୍ଧାର କରିପାରିଛି ।

ଏ ଅଦିନିଆ ମେଘ ଓ ଝଡ଼ ତୋଫାନ ଯୋଗୁଁ ଗାଁର ଅଧିକାଂଶ ଲୋକ ଘର ଭିତରେ କବାଟ ବନ୍ଦ କରି ରହିଥିଲେ । ନନ୍ଦୁର ଘରେ ଏତେ ବଡ଼ ଘଟଣା ଘଟିଗଲାଣି, ସେକଥା କାହା ନଜରକୁ ଆସିନି । ବର୍ଷା ଛାଡ଼ିଗଲାଣି ସିନା, ହେଲେ ପାଣି ବନ୍ଦ ହେବାର ନାଁ ନେଉନି । ଏଣେ ଦୁଇ ଭଉଣୀ ଏତେ ଡରି ଯାଇଛନ୍ତି ଯେ, ସେମାନଙ୍କୁ ଲାଗୁଛି ପାଣିରେ ବତୁରି ଯାଇ ତାଙ୍କ ଝାଟିମାଟିର ଏ ଘରଟା ଏବେ ହିଁ ଭୁଶୁଡ଼ି ପଡ଼ିବ । ତେବେ ବର୍ଷା ଛାଡ଼ିବାରୁ ଲୋକେ କବାଟ ଖୋଲି ବାହାରକୁ ଆସିଲେ । ଲୋକଙ୍କ ନଜରକୁ ଆସିଲା ନନ୍ଦୁର ଘର ଭିତର ଦେଇ ବହି ଚାଲିଛି ଗାଁ ଗୋହିରୀର ପାଣି । ମଙ୍ଗରାଜ ଘର ତିଆରି କରିବା ପରେ ଏଇଟା ଥିଲା ପ୍ରଥମ ବର୍ଷା । କେହି ଅନୁମାନ ବି କରିନଥିଲେ ଯେ, ଗାଁ ଗୋହିରୀ ଉପରେ ଘର ତିଆରି କରିଦେବା ପରେ ନନ୍ଦୁର ଘର ଭିତରେ ପାଣି ପଶିଯିବ ବୋଲି । ମଙ୍ଗରାଜ ପଛକୁ ପଛ ଘର କରିଥିବାରୁ ଏବଂ ନନ୍ଦୁର ଘରଠୁ ଉପରେ ମଙ୍ଗରାଜର ଘର ଥିବାରୁ ତା ବାଡ଼ିପଟ ଦେଇ ପାହାଡ଼ର ପାଣିଟା ଗଡ଼ିଆସି ନନ୍ଦୁର ଘର ପଛପଟେ ଭର୍ତ୍ତି ହୋଇଛି ଏବଂ ଶେଷରେ ତା ଘର ଭିତରେ ପଶିଛି । ତେବେ ଗାଁ ଲୋକଙ୍କୁ ଦେଖିଲା ପରେ ଅତି ଜୋରରେ କାନ୍ଦି ଉଠିଲେ ନନ୍ଦୁର ଦୁଇ ଝିଅ । ଏ ଅବସ୍ଥା ଦେଖି, ସଙ୍ଗେ ସଙ୍ଗେ ଗାଁର ଚାରିଟା ଭେଣ୍ଡିଆ ପିଲା ନନ୍ଦୁର ବାଡ଼ି ପଟକୁ ଯାଇ ମଙ୍ଗରାଜର କାନ୍ଥରେ ଶାବଳ ମାରି ଗୋଟିଏ ବଡ଼ କଣା ତିଆରି କଲେ । ସେହି କଣା ଦେଇ ଯେମିତି ଦୁଇଟା ମଣିଷ ଗଳି ପାରିବେ, ସେତେବଡ଼ ଥିଲା ସେ କଣା । ସେହି ବାଟ ଦେଇ ବାଘନଖି ପାହାଡରୁ ଖସିଥିବା ସେହି ଅଦିନିଆ ବର୍ଷାର ବଢ଼ିପାଣି ବହିବା ଆରମ୍ଭ କଲା । ସେପଟେ ପାଣି ବାହାରିବା ପରେ ନନ୍ଦୁର ଘର ଭିତରକୁ ପାଣି ପଶିବା ବନ୍ଦ ହେଲା । ତା ପରେ ଘର ଭିତରେ ଥିବା ପାଣିକୁ ବାହାର କରିବା ପାଇଁ ଦୁଇ ଭଉଣୀ ଦୁଇଟି ଥାଳି ଧରି ଲାଗିପଡ଼ିଲେ ବାହାରକୁ ପାଣିଫିଙ୍ଗିବାରେ । ସେମାନେ ବୁହାଇ ଚାଲିଥାନ୍ତି ପାଣି । ହେଲେ ଘର ଭିତରେ ଏତେ ପାଣି ଥିଲା ଯେ, ତାକୁ ବୁହାଇ ବୁହାଇ ଦୁଇ ଭଉଣୀ ଥକି ଗଲେଣି ସିନା, କିନ୍ତୁ ସେ ପାଣି ସରିବାର ନାଁ ନେଉନଥାଏ ।

ଏତିକି ବେଳେ ତାରାତାରିଣୀରୁ ଫେରିବା ବାଟରେ ବର୍ଷା ପାଇଁ ଅଟକି ଯାଇଥିବା ମଙ୍ଗରାଜର ଶଗଡ଼ ଆସି ତା ଦୁଆର ମୁହଁରେ ପହଞ୍ଚିଲା । ଶଗଡ଼ରୁ ଓହ୍ଲାଇବା କ୍ଷଣି ଘରର ଏ ସ୍ଥିତି ଦେଖି, କାଞ୍ଚନ ବାହୁନି କାନ୍ଦିଲା, ଏ ମୋ ସଂସାର ସରିଗଲା ଲୋ ମାଆ .. ମୁଁ ଏବେ କୋଉଠେ ରହିବି ଲୋ ମାଆ । ଘରେ ଯାହା କିଛି ଖାଇବା ଜିନିଷ ଥିଲା ସବୁ ଗଲା । ଖାଲି ଚାଳରୁ ଝୁଲୁଥିବା ସିକା ଦେହରେ କିଛି ପିଆଜ, ବିହନ ପାଇଁ ଥିବା ବୁଢ଼ା ଶୁଖିଲା ମକା, ଏବଂ ଲକ୍ଷ୍ମୀପୂଜାରେ ମାଣବସା ପାଇଁ ବ୍ୟବହୃତ ଧାନକେଣ୍ଡା ହିଁ ଝୁଲୁଥିଲା ସେଇଠି, ତା ପୁଣି ଅକ୍ଷତ ଭାବରେ । ଚୁଲିରେ ପାଣି ପଶିଯାଇଥିବାରୁ ଆଉ ସପ୍ତାହେ ପର୍ଯ୍ୟନ୍ତ ସେ ଚୁଲିରେ ରନ୍ଧା ବି ହୋଇପାରିବନି । ଗୋବରଲିପା ମାଟି ଚଟାଣ ଉପରେ ଏତେ ସମୟ ଧରି ପାଣି ଜମିଥିବାରୁ ସେଇଠି କାଦୁଅ ଉଠିଯାଇଥିଲା । ତିନି ତିନିଟା ପିଲା, ବୁଢ଼ୀ ମାଆ ସମସ୍ତେ କେମିତି କୋଉଠେ ଶୋଇବେ, ସେଇ ଚିନ୍ତାରେ ଦାଣ୍ଡ ଦୁଆରେ, ମୁଣ୍ଡରେ ହାତ ଦେଇ ବସିଥାନ୍ତି ନନ୍ଦୁ ଓ କାଞ୍ଚନ ।

ଏତିକି ବେଳେ ବେଲାଟାରେ ବେଲାଏ ମୁଢ଼ି ଆଉ ଗୋଟିଏ ଢାଳରେ ଢାଳେ ଚା’ ଧରି ଦୁଆର ମୁହଁରେ ହାଜର ହେଲା ମଙ୍ଗରାଜର ସ୍ତ୍ରୀ । ହାଁ ଭୋକେ ହାଁ ଶୋଷେ ଥିବା ନନ୍ଦୁ ଓ ତାର ପରିବାର ଆଉ କିଛି ନପଚାରି ଖାଇ ଚାଲିଲେ ସେହି ମୁଢ଼ି ଆଉ ଚା’ । ଏଇସବୁ କଥା ନନ୍ଦୁର ବଡ଼ଝିଅ ଆଖିରେ ଚିତ୍ର ଭଳି ଭାସିଯାଉଥିବା ବେଳେ ବିଏମସି ବାଲା ଘର ଭିତରକୁ ଫିଙ୍ଗିଦେଲେ ଦୁଇଟା ଖାଦ୍ୟ ପୁଡ଼ିଆ । ପ୍ରକୃତିସ୍ଥ ହେଲା ସେ । ଜାଣିପାରିଲା ଯେ, ସେ ଏବେ ଗାଁରେ ନାହିଁ । ବରଂ ତା ସ୍ୱାମୀ ସହିତ ଆସି ଦଶବର୍ଷ ହେଲାଣି ଭୁବନେଶ୍ୱର କେନାଲ ହୁଡ଼ାରେ ବସ୍ତିରେ ରହୁଛି । ଦି ଦିନ ତଳେ ପ୍ରବଳ ବର୍ଷାରେ ତା କୁଡ଼ିଆ ଭିତରେ ବି ପାଣି ପଶିଯାଇଥିଲା । ମନେ ମନେ ଭାବିଲା ସେହି ଅଦିନିଆ ବର୍ଷାର କଥା । ତା ପରେ ଠୋ ଠୋ ହୋଇ ବହେ ହସିଲା । ତାକୁ ଦେଖି, ତା ସ୍ୱାମୀ ପଚାରିଲା .. ଆଲୋ କଣ ହେଲା ? ବାୟାଣୀ ହୋଇଗଲୁ ନା କଣ? ଏମିତି କଣ ହସୁଛୁ? ନନ୍ଦୁର ବଡ଼ଝିଅ କହିଲା, ଆମ ଗାଁରେ ଗୋହିରୀ ଉପରେ ମାଡ଼ିବସି ଘର କରିଦେଲେ ବୋଲି ଆମ ଘରେ ପାଣି ପଶିଯାଇଥିଲା । ଆଉ ଏଇଟା ତ ମହାନଗରୀ । ଆମେ ଗାଁ ଛାଡ଼ି ସହରକୁ ଆସିଥିଲେ କାମ କରିବା, ଟଙ୍କା ଅର୍ଜିବା, ଖୁସିରେ ରହିବା ବୋଲି । ହେଲେ ଏଇଠି ତ ବି ସେହି ଅବସ୍ଥା । ପାଣିର ବାଟ କଣ କେହି କେବେ ବନ୍ଦ କରିପାରିଛି? ତାକୁ ଗୋଟିଏ ପଟେ ବନ୍ଦ କଲେ, ସିଏ ଆଉ ଗୋଟିଏ ପଟେ ତା ବାଟ କାଢ଼ିନେବ । ତା ନହେଇଥିଲେ, କି ଏତେ ବର୍ଷ ପରେ ମଙ୍ଗୁ ଗଉଡ଼ର ସ୍ତ୍ରୀ ଆମ ହାତରେ ବେଲାଏ ମୁଢ଼ି ବଢ଼େଇ ଦେଲା ଭଳି ଏ ମ୍ୟୁନିସିପାଲଟି ବାଲାଏ ଏ ଚୁଡ଼ା ପୁଡ଼ାଟା ଆମ ଉପରକୁ ଫିଙ୍ଗିଦେଇ ଯାଇଥାନ୍ତେ?

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ସଂପର୍କ- ୯୯୩୭୨୫୨୪୬

Leave A Reply

Your email address will not be published.