Latest Odisha News

BREAKING NEWS

ଯେଉଁଠି ହାର ମାନିଲା ବଡ ବଡ ମେସିନ ସେଠି କମାଲ ଦେଖାଇଲା ରାଟ ମାଇନର୍ସଙ୍କ ହାତ: ଦେଖନ୍ତୁ ଭିଡିଓ

ଉତ୍ତରକାଶୀ:ବୋଧହୁଏ ଆଉ କେଇ ଘଣ୍ଟା ପରେ ଶେଷ ହେବ ପ୍ରତୀକ୍ଷା । ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ସୁଡଙ୍ଗ ମୁହଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ବାହାରକୁ ଆସିବା କ୍ଷଣି ସମସ୍ତ ଶ୍ରମିକଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯିବ ।

ଏଇ ୧୭ ଦିନ ମଧ୍ୟରେ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ଅଗର ମେସିନ ଖରାପ ହେବା ପରେ ଉଦ୍ଧାର କାର୍ଯ୍ୟ ନେଇ ଅନେକ ଆଶା-ଆଶଙ୍କା ଦେଖା ଦେଇଥିଲା । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯେଉଁଠି ଦେଶ-ବିଦେଶର ବଡ ବଡ ମେସିନ ଫେଲ ହୋଇ ଯାଉଥିଲେ, ସେଠାରେ କମାଲ କରିଛନ୍ତି ରାଟ ମାଇନର୍ସ ।

ରାଟ ମାଇନର୍ସ ବର୍ତ୍ତମାନ ସୁଦ୍ଧା ୪ରୁ ୫ ମିଟର ଖୋଳି ସାରିଲେଣି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ କହିବା ଅନୁଯାୟୀ, ୫୨ ମିଟର ପର୍ଯ୍ୟନ୍ତ ପାଇପ ଭିତରକୁ ଯାଇ ସାରିଥିଲା । ଏବେ ୫୭ ମିଟର ଯାଏ ପାଇପ ଭର୍ତ୍ତି କରାଯାଉଛି । ଅର୍ଥାତ ଆଉ ୩ ମିଟର ବାକି ରହିଛି ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ । ଅନ୍ୟପକ୍ଷେ ପାହାଡ ଉପରେ ବି ଭର୍ଟିକାଲ ଡ୍ରିଲିଂ ଚାଳିଛି ।  ବର୍ତ୍ତମାନ ସୁଦ୍ଧା ୪୨ ମିଟର ଖନନ କାମ ଚାଲିଛି । ୮୬ ମିଟର ଭର୍ଟିକାଲ ଡ୍ରିଲିଂ କରାଯିବ ।

ଏଠି କହିରଖିବୁ, ୪୮ ମିଟର ଖନନ ପରେ ଅଗର ମେସିନ ଅଟକି ଯାଇଥିଲା । ପରେ ଏହାକୁ କାଟି ବାହାର କରାଯାଇଥିଲା । ପାଇପ ମଧ୍ୟ ପକା ଯାଇ ସାରିଥିଲା । ରାଟ ମାଇନର୍ସ ୮୦୦ ମିଟର ବ୍ୟାସାର୍ଦ୍ଧ ପାଇପରେ ପଶି ଆବର୍ଜନା ବାହାର କରୁଛନ୍ତି । ଏହା ପରେ ଅଗର ମେସିନ ସହାୟତାରେ ପାଇପ ପକାଯାଉଛି।

ଯାହା ବି ହେଉ, ଯେଉଁଠି ମେସିନ ହାର ମାନିଲା ସେଠି ଏଇ ମଣିଷର ହାତ ଦେଖାଇଲା କମାଲ । ଏଠି କହିରଖିବୁ, ୨୦୧୪ରେ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରାଟ ମାଇନର୍ସଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତଥାପି ଅବୈଧ ରୂପରେ ରାଟ ମାଇନର୍ସ ଖନନ କାମ କରୁଥିଲେ । ମେଘାଳୟରେ ପ୍ରତିବର୍ଷ ଅନେକ ଲୋକ ରାଟ ହୋଲ ମାଇନିଂ ସମୟରେ ଜୀବନ ହରାଇଥିବା ଜାଣିବାକୁ ମିଳିଛି । ହେଲେ ଆଜି ସେ ରାଟ ମାଇନର୍ସ ସାଜିଛନ୍ତି ଭଗବାନ । ଉଦ୍ଧାର କାର୍ଯ୍ୟର ଶେଷ ସ୍ପର୍ଶ ସେଇମାନେ ହଁ ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.