ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ ‘କ୍ଵାଡ୍’ (Quad) ବର୍ତ୍ତମାନ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରଣନୀତିକ ଗୋଷ୍ଠୀ ଭାବେ ଉଭା ହୋଇଛି। ବିଶେଷ କରି ହିନ୍ଦ-ପ୍ରଶାନ୍ତ (ଇଣ୍ଡୋ-ପାସିଫିକ୍) ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି ଚାରି ଦେଶ ଏକାଠି କାମ କରୁଛନ୍ତି। ବର୍ତ୍ତମାନର ବଦଳୁଥିବା ସମୀକରଣ ଭିତରେ କ୍ଵାଡ୍ର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ କ୍ଵାଡ୍ ସଦସ୍ୟ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ଅଷ୍ଟ୍ରେଲିଆର ପେନି ୱଙ୍ଗ ଏବଂ ଜାପାନର ତୋଶିମିତ୍ସୁ ମୋତେଗିଙ୍କୁ ସ୍ୱାଗତ କରିବେ। ଏହି ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ପ୍ରଭାବରେ ସାମୁଦ୍ରିକ ସୁରକ୍ଷା ତଥା ଶକ୍ତି ସଙ୍କଟ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଏହାସହ ହୋର୍ମୁଜ (Strait of Hormuz) ସମେତ ବିଶ୍ୱର ପ୍ରମୁଖ ସାମୁଦ୍ରିକ ମାର୍ଗଗୁଡ଼ିକରେ ବାଣିଜ୍ୟିକ କାରବାରକୁ ମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ଚାରି ଦେଶ ରଣନୀତି ପ୍ରସ୍ତୁତ କରିବେ।
କ୍ଵାଡ୍ର ପୂରା ନାଁ ହେଉଛି ‘କ୍ଵାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍’ (QSD)। ଏହା ଚାରୋଟି ଗଣତାନ୍ତ୍ରିକ ଦେଶର ଏକ ଅନୌପଚାରିକ ରଣନୀତିକ ମଞ୍ଚ। ଏହାର ମୂଳ ଲକ୍ଷ୍ୟ ହେଉଛି ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ମୁକ୍ତ, ଖୋଲା ଏବଂ ସମୃଦ୍ଧ ପରିବେଶ ତିଆରି କରିବା। ଏହି ଗୋଷ୍ଠୀର ସଦସ୍ୟମାନେ ନିୟମିତ ଶିଖର ସମ୍ମିଳନୀ, ସୂଚନା ଆଦାନପ୍ରଦାନ ଏବଂ ମିଳିତ ସାମୁଦ୍ରିକ ସମରଭ୍ୟାସ ଜରିଆରେ ପରସ୍ପର ସହ ଜଡ଼ିତ ରୁହନ୍ତି।
କ୍ଵାଡ୍ ଗଠନର କାହାଣୀ ବେଶ୍ ଚମତ୍କାର। ୨୦୦୪ ମସିହାରେ ଆସିଥିବା ଭୟାବହ ସୁନାମି ସମୟରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମିଶି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଏହାପରେ ୨୦୦୭ ମସିହାରେ ଜାପାନରତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଥମ କରି କ୍ଵାଡ୍ ଗଠନର ପ୍ରସ୍ତାବ ଦେଇଥିଲେ। ସେହି ବର୍ଷ ଆସିଆନ୍ ସମ୍ମିଳନୀ ଅବସରରେ ଏହାର ପ୍ରଥମ ବୈଠକ ବସିଥିଲା। ତେବେ ଚୀନର କୂଟନୈତିକ ଚାପ ଯୋଗୁଁ ମଝିରେ ଅଷ୍ଟ୍ରେଲିଆ ଏହି ମଞ୍ଚରୁ ଓହରି ଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୨ରେ ସିଞ୍ଜୋ ଆବେ ଏସିଆର ‘ଡେମୋକ୍ରାଟିକ୍ ସିକ୍ୟୁରିଟି ଡାଇମଣ୍ଡ’ର ଚିନ୍ତାଧାରା ଆଣିଥିଲେ ଏବଂ ୨୦୧୭ରେ ଫିଲିପାଇନ୍ସରେ ପୁଣିଥରେ ଏହି ଚାରି ଦେଶ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିଥିଲେ।
ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ବାଣିଜ୍ୟ ପଥକୁ କୌଣସି ନିର୍ଦ୍ଦିଷ୍ଟ ଦେଶର ସାମରିକ ବା ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବା। ବିଶେଷଜ୍ଞଙ୍କ ମତରେ, ଏହି ଅଞ୍ଚଳରେ ଚୀନର ବଢ଼ୁଥିବା ଦାଦାଗିରିକୁ ରୋକିବା ପାଇଁ ଏହା ଏକ ପ୍ରଭାବଶାଳୀ ମାଧ୍ୟମ। ଆନ୍ତର୍ଜାତୀୟ ନିୟମ ଅନୁସାରେ ବାଣିଜ୍ୟ କାରବାର କରିବା, ସାମୁଦ୍ରିକ ସୀମାରେ ଯାତାୟାତର ସ୍ୱାଧୀନତା ରକ୍ଷା କରିବା ଏବଂ ବିକାଶମୁଖୀ ଦେଶଗୁଡ଼ିକୁ କରଜ ଜାଲରୁ ରକ୍ଷା କରିବା ପାଇଁ ଏହି ଗୋଷ୍ଠୀ ବିକଳ୍ପ ଆର୍ଥିକ ସହାୟତା ଯୋଗାଇଥାଏ। କେବଳ ସୁରକ୍ଷା ନୁହେଁ, ବରଂ ସାଇବର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ନୂତନ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ କ୍ଵାଡ୍ ଦେଶଗୁଡ଼ିକ ମିଳିତ ଭାବେ କାମ କରୁଛନ୍ତି।
ରଣନୀତିକ ଦୃଷ୍ଟିକୋଣରୁ କ୍ଵାଡ୍ ଭାରତ ପାଇଁ ଅତ୍ୟନ୍ତ ଜରୁରୀ। ସୀମାରେ ଚୀନ ସହ ଲାଗି ରହିଥିବା ବିବାଦ ମଧ୍ୟରେ ଭାରତ ପାଇଁ ଏହି ମଞ୍ଚ ଏକ ବଡ଼ ଶକ୍ତି ପାଲଟିଛି। ଯଦି କେବେ ସୀମାରେ ଚୀନ ପକ୍ଷରୁ ଶତ୍ରୁତା ବଢ଼େ, ତେବେ ଭାରତ କ୍ଵାଡ୍ର ଅନ୍ୟ ସଦସ୍ୟ ଦେଶମାନଙ୍କର କୂଟନୈତିକ ଏବଂ ରଣନୀତିକ ସହଯୋଗ ପାଇପାରିବ। ଏହାସହ ହିନ୍ଦ ମହାସାଗରରେ ନିଜର ପ୍ରଭାବ ବିସ୍ତାର କରିବା ଏବଂ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ସହ ଭାରତର ସମନ୍ୱୟ ବେଶ୍ ସହାୟକ ହେବ।