Latest Odisha News

ମ୍ୟୁଜିକ୍ ସର୍କଲ ପକ୍ଷରୁ ଯୁବ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଆୟୋଜିତ ବାର୍ଷିକ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ବିଜେତାମାନଙ୍କୁ ଗୀତଗୋବିନ୍ଦ ସଦନଠାରେ ଏକ ସ୍ୱତନ୍ତ୍ର ସଙ୍ଗୀତ ସନ୍ଧ୍ୟାରେ ସମ୍ମାନିତ କରାଯାଇଛି।

ଏହି ଅବସରରେ ବିଜେତା ଛାତ୍ରଛାତ୍ରୀମାନେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ।

ଗତ ଅଗଷ୍ଟ ୧୬ ତାରିଖରେ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୪୨ ଜଣ ସ୍କୁଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ବ୍ୟତୀତ କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ରାଉରକେଲା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଯୋଗଦେଇଥିଲେ।ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠିତ ହୋଇଥିଲା।

ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ନିହାରିକା ମିଶ୍ର ପ୍ରଥମ ସ୍ଥାନ ହାସଲ କରି ୧୨,୫୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ଡିଏଭି ପବ୍ଲିକ୍ ସ୍କୁଲ, ଯାଜପୁରର ସମ୍ବିତ ସାହୁ ଦ୍ୱିତୀୟ ଓ ଡିଏଭି ପବ୍ଲିକ୍ ସ୍କୁଲ, ସିଡିଏ, କଟକର ଶ୍ରେୟା ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେସେମାନେ ଯଥାକ୍ରମେ ୭,୫୦୦ ଓ ୫,୦୦୦ ଟଙ୍କା ପୁରସ୍କାର ପାଇଥିଲେ।

ସ୍ୱସ୍ତିକ ନନ୍ଦ, ନିନାଦ ସାହୁ, ରୋଜାଲିନ ନାଥ, ମହିମା ସୁଭଲକ୍ଷ୍ମୀ ମହାରଥୀ, ଅଭ୍ୟୁଦୟ ମହାପାତ୍ର ଓ ଜାହ୍ନବୀ ଦତ୍ତଙ୍କୁ ପ୍ରତିଭା ସମ୍ଭାବନା ପୁରସ୍କାର ପ୍ରଦାନ କରାଯାଇଥିଲା। ବିଚାରକଙ୍କ ପସନ୍ଦ ପୁରସ୍କାର ପାଇଥିଲେ କଟକ ମଙ୍ଗଳାବାଗସ୍ଥିତ ଇଣ୍ଡିଆନ ରେଡକ୍ରସ ସୋସାଇଟିର ସହାୟ ସ୍ପେଶାଲ ସ୍କୁଲର ଦିବ୍ୟାଙ୍ଗ ଛାତ୍ର ଦୀପକ ଦାସ।

ଏହି ପ୍ରତିଯୋଗିତା ମାଧ୍ୟମରେ ସ୍କୁଲସ୍ତରରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ସହ ଉଦୀୟମାନ ପ୍ରତିଭାଙ୍କୁ ଏକ ମଞ୍ଚ ପ୍ରଦାନ କରାଯାଉଛି।

 

Leave A Reply

Your email address will not be published.