Latest Odisha News

BREAKING NEWS

ରବିବାର ଓଡିଶା ପହଞ୍ଚିବ ୨୧ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : କୋଭିଡ୧୯ ଓ ଲକ୍‌ଡାଉନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନ ରବିବାର ଓଡିଶାର ବିଭିନ୍ନ ଅଂଚଳରେ ପହଞ୍ଚିବ । ଏଥି ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଗୋଟିଏ ଦିନରେ ରାଜ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିବାର ଏହା ସର୍ବାଧିକ ସଂଖ୍ୟା । ଏଥି ମଧ୍ୟରୁ ବଲାଙ୍ଗିର, ଖୋର୍ଦ୍ଧା ରୋଡ୍‌, ନୂଆପଡା ରୋଡ୍‌ରେ ତିନିଟି ଲେଖାଏଁ ଟ୍ରେନ ପହଞ୍ଚିବାକୁ ଥିବା ବେଳେ ଭଦ୍ରକ, ବାଲେଶ୍ୱର, ଜଗନ୍ନାଥପୁରରେ ଦୁଇଟି ଲେଖାଏଁ ଟ୍ରେନ ପହଞ୍ଚିବ । ପ୍ରବାସୀଙ୍କୁ ନେଇ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ ଭୁବନେଶ୍ୱର, କଟକ, ଗଂଜାମ, ଅନୁଗୁଳ, ଭାବାନୀ ପାଟଣା, ନିର୍ଗୁଣ୍ଡିରେ ଲାଗିବ ।
ତାମିଲନାଡୁର କୋଏମ୍ବାଟୁରୁ ଦୁଇଟି ଟ୍ରେନ ବାହାରି ବଲାଙ୍ଗିର ଓ ଭଦ୍ରକରେ ପହଞ୍ଚିବ ।

ସେହିଭଳି ତେଲେଙ୍ଗାନାର କାଜିପେଟ୍‌ରୁ ବାହାରିଥିବା ତିନିଟି ଟ୍ରେନ ବଲାଙ୍ଗିର, ନୂଆପଡା ରୋଡ୍ ଓ ଅନୁଗୁଳକୁ ଆସୁଥିବା ବେଳେ ହାଇଦ୍ରାବାଦରୁ ବାହାରିଥିବା ପାଞ୍ଚଟି ଟ୍ରେନ ନୂଆପଡା ରୋଡ୍‌, ଭଦ୍ରକ, କଟକ, ଖୋର୍ଦ୍ଧା ରୋଡ୍ ଓ ବାଲେଶ୍ୱରରେ ପହଞ୍ଚିବ । ଅନ୍ୟ ପକ୍ଷରେ ମେହବୁବ ନଗରରୁ ଗୋଟିଏ ଟ୍ରେନ ନୂଆପଡା ରୋଡ୍‌ରେ ପହଞ୍ଚିବ ।

ଗୁଜୁରାଟର ସୁରତରୁ ବାହାରିଥିବା ଦୁଇଟି ଟ୍ରେନ ଜଗନ୍ନାଥପୁରରେ ପହଞ୍ଚିବାକୁ ଥିବା ବେଳେ ଗାନ୍ଧିଧାମରୁ ବାହାରିଥିବା ଅନ୍ୟ ଏକ ଟ୍ରେନ ନିର୍ଗୁଣ୍ଡିରେ ପହଞ୍ଚିବ । ସେହିଭଳି ପ୍ରବାସୀଙ୍କୁ ନେଇ ମହାରାଷ୍ଟ୍ରର ଭସାଇ ରୋଡ୍‌, ପୁଣେ ଓ ବୋରିଭିଲ୍ଲିରୁ ବାହାରିଥିବା ତିନିଟି ଟ୍ରେନ ଖୋର୍ଦ୍ଧା ରୋଡ୍‌, ବାଲେଶ୍ୱର ଓ ଗଂଜାମରେ ପହଞ୍ଚିବ ।

ଅନ୍ୟ ସ୍ଥାନରୁ ରବିବାର ଆସୁଥିବା ଟ୍ରେନଗୁଡିକ ମଧ୍ୟରେ ରହିଛି ବିଶାଖାପାଟଣାରୁ ବଲାଙ୍ଗିର, ବେଙ୍ଗାଳୁରୁରୁ ଖୋର୍ଦ୍ଧା ରୋଡ୍‌, ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଗୋଆର କର୍ମାଲିରୁ ଭବାନୀ ପାଟଣା ଆସୁଥିବା ପ୍ରବାସୀ ସ୍ପେଶାଲ ଟ୍ରେନ ।

Leave A Reply

Your email address will not be published.