Latest Odisha News

BREAKING NEWS

ଅହେତୁକ ଅହଂକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ସମ୍ପ୍ରତି ପୃଥିବୀରେ ପାଖାପାଖି ଆଠଶହ କୋଟି ମଣିଷର ଅହେତୁକ ଗର୍ବ ଅହଂକାର ସୀମା ଟପି ଯାଇଛି । ବିଶେଷ କରି ବିଭିନ୍ନ ଦେଶର ଶାସକ ଓ ପୁଞ୍ଜିପତି ମାନଙ୍କର ଅହଂକାର ଯୋଗୁଁ ମାନବ ସମାଜ ଧ୍ୱଂସମୁଖୀ । ମଣିଷ ମଣିଷକୁ ମାରିବା ପାଇଁ କେତେ କଳ-କୌଶଳ, ଷଡଯନ୍ତ୍ର ରଚନା କରିଛି ଏବଂ କରୁଛି ତା’ର ପଟ୍ଟାନ୍ତର ନାହିଁ । କ୍ଷମତା ଓ ସମ୍ପତି ଲୋଭରେ କେତେ ଯେ ଯୁଦ୍ଧ ଘଟିଗଲାଣି, କୋଟି କୋଟି ମଣିଷ ଅହଂକାରୀ ଯୁଦ୍ଧର ଯଜ୍ଞ ବେଦିରେ ଲୀନ ହେଇଗଲେଣି, ତା’ର ହିସାବ ନିକାଶ କେହି କେବେ କରିଛିକି? ଯୁଦ୍ଧ ପାଇଁ ରାଜକୋଷ ବରବାଦ୍ କରି ମଣିଷକୁ ପୋକମାଛି ଭଳି ମାରି ଦିଆଯାଇଛି । କେତେ ପରମାଣୁ ବୋମା, ହାଇଡ୍ରୋଜେନ୍ ବୋମା ତିଆରି କରି ଶତ୍ରୁକୁ ଧ୍ୱଂସ କରିବାରେ ନିକ୍ଷେପ କରାଯାଇଛି । ଆଜି କିନ୍ତୁ ସମଗ୍ର ବିଶ୍ୱରେ ଅଦୃଶ୍ୟ କରୋନା ଭୂତାଣୁକୁ କୌଣସି ଦେଶ ଧ୍ୱଂସ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି । ଏବେ ପୃଥିବୀ ସାରା ସବୁ ଦେଶର ସୈନ୍ୟ, ମାରଣାସ୍ତ୍ର ମଳିତ ଭାବେ ମଧ୍ୟ କରୋନା ଭୂତାଣୁକୁ ପରାସ୍ତ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ।

ମଣିଷର ଅହଂକାର ବା ମୁଁକାର । ଅହଂ ବା ମୁଁ ନ’ରହିଲେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିଠାରୁ ପୃଥକ କରିହେବନାହିଁ । “ମୁଁ” ନ’ରହିଲେ “ମୋର” ରହିପାରିବ ନାହିଁ । ପ୍ରତ୍ୟେକ ସଜୀବ ପ୍ରାଣୀର ‘ମୁଁ’ ଓ ‘ମୋର’ ରହିଛି । ନିର୍ଜୀବର ‘ମୁଁ’ ନଥାଏ । ତା’ହେଲେ ‘ମୁଁ’ ଆସିଲାକେଉଁଠୁ? ବୈଦିକ ସାହିତ୍ୟ ଠାରୁ ଆରମ୍ଭ କରି ସମସ୍ତ ଶାସ୍ତ୍ର ପୁରାଣ ପ୍ରମାଣ ଦିଅନ୍ତି ଯେ ପ୍ରତ୍ୟେକ ସୃଷ୍ଟିର ଏକ ସ୍ରଷ୍ଟା ଅବଶ୍ୟ ରହିଛନ୍ତି । ସେଇ ଆଦିସ୍ରଷ୍ଟାଙ୍କୁ ସାରା ସୃଷ୍ଟ ପ୍ରାଣୀ ନିଜସ୍ୱ ଢଙ୍ଗରେ ଅନୁସନ୍ଧାନ କରି ଆସିଛନ୍ତି । ଏବେବି କରୁଛନ୍ତି । ଏ ଅନୁସନ୍ଧାନର ଇତି କେଉଁଠି କେବେ କହିବା ସମ୍ଭବପର ନୁହେଁ ।

ମୂନୀ ରୁଷୀମାନେ କହନ୍ତି – ପରମ (Supreme) ଏକ୍‌, ସେ ବହୁ ହେବାକୁ ଇଛାକଲେ । ସେ ଇଛାକୁ ଆଦିଶକ୍ତି କହୁଛନ୍ତି । ପରମ ଏକ ଇଛାକରିବାମାତ୍ରେ ବହୁ ହୋଇଗଲେ । ଏକ୍ ତ ଥିଲେ, ବହୁ ହେବାକୁ ଇଛାକଲେ କାହିଁକି? ଉତରରେ କୁହାଯାଇଛି – ଆନନ୍ଦ ପାଇଁ । ଏହି ଏକ ସତ୍‌, ଚିତ୍ (ଚେତନା) ଓ ଆନନ୍ଦ – ସଚ୍ଚିଦାନନ୍ଦ । ବହୁ ନହେଲେ ଆନନ୍ଦ ମିଳେନା । ଏହାର ବିଶେଷ ଚର୍ଚ୍ଚା ବହୁ ଦୀର୍ଘ ।

ପୁନଃଶ୍ଚ କୁହାଯାଇଛି – ଯେ ‘ଅହଂ’ ଅନିତ୍ୟ । ପରମ ନିତ୍ୟ, ସତ୍ୟ, ଶାସ୍ୱତ । ଏହି ଅନିତ୍ୟ ଅହଂଗୁଡିକରସୃଷ୍ଟି ଓ ବିନାଶ ଅଛିା ଏଗୁଡିକ ସହିତ ନିତ୍ୟର ଖେଳ ଚାଲିଛି, ଚାଲିଥିବ କେବଳ ଆନନ୍ଦ ପାଇଁ । ତେବେ ପ୍ରଶ୍ନଉଠେ – ନିତ୍ୟରୁ ସୃଷ୍ଟ ହେଲେ ଅନିତ୍ୟ ହେବ କିପରି? କୁହାଯାଏ, ନିତ୍ୟର ଖେଳ ଜାରି ରଖିବା ପାଇଁ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା । ଯେପରି କୌଣସି କୋଠାଘରର ଛାତ ତିଆରି ପାଇଁ ଭିଡା ବା ଠେକରା ଦିଆଯାଏ, ଛାତ ଶକ୍ତ ହୋଇଗଲେ ସେଗୁଡିକୁ କାଢି ଦିଆଯାଏ । ସେଗୁଡିକୁ ନ ହଟାଇଲେ କୋଠରୀରେ ରହିବା ପାଇଁ ଜାଗା ମିଳିବ ନାହିଁ ।

ଅଧିକ ପଢନ୍ତୁ: ଅଥ ଅଥର୍ବ ଅର୍ଥନୀତି

ବେଳେବେଳେ ଏହି ଅସ୍ଥାୟୀ ଗୁଡିକ କୌଣସି ଉପାୟରେ ନିଜକୁ ଏତେ ମଜବୁତ୍ କରିନିଅନ୍ତି ଯେ, ସେମାନେ ଭାବନ୍ତି – ଆମେ ଅସ୍ଥାୟୀ ନୋହୁଁ, ସ୍ଥାୟୀ । ଅଳ୍ପେ ବହୁତେ ଏହିଭାବ ସବୁ ‘ଅହଂ’ ବା ‘ମୁଁ’ର ରହିଛି । ଛାତ ନିର୍ମାଣ ବେଳେ ଏଗୁଡିକ ସହାୟକ ଥିଲେ, ଏବେ ବାଧକ ସାଜିଛନ୍ତି ।

ପୁରାଣ ପୃଷ୍ଠାରେ ଏହାର ବହୁତ ପ୍ରମାଣ ରହିଛି । ହିରଣ୍ୟକଷିପୁ, ଯିଏକି ନିଜକୁ ହିଁ ସର୍ବଶ୍ରେଷ୍ଠ, ସର୍ବଶେଷ ଈଶ୍ୱର ବୋଲି କହୁଥିଲା, ତା’ର ଅହଂ ହିଁ ଏହା କୁହାଉଥିଲା । ଅମର ହେବାର ବର ତ ଦେବତାମାନେ ଦେଇ ପାରିବେନି, କିନ୍ତୁ ଏପରିବର ପାଇଥିଲା ଯେ, ଯାହାଦ୍ୱାରା ସେ ଅମର ପ୍ରାୟ ହୋଇଯାଇଥିଲା । ବରଦାନର ସର୍ତ ଠିକ୍‌ରଖି ଦେଶ, କାଳ, ପାତ୍ର, ଅସ୍ତ୍ରଶସ୍ତ୍ର ଅନୁସାରେ ଭଗବାନ ନୃସିଂହ ରୁପରେ ତାକୁ ବିନାଶ କରିଥିଲେ । ରାବଣ ନିଜର ମୁଣ୍ଡକାଟି ଆହୁତି ଦେଇ ଏପରି ବରପ୍ରାପ୍ତ ହୋଇଥିଲା ଯେ, ଶତ୍ରୁ ଦ୍ୱାରା ମୁଣ୍ଡକଟି ଯାଉଥିଲେ ବି ପୁଣି ଆସି ଲାଗି ଯାଉଥିଲା । ଏଥିରେ କେଉଁ ଅହଂକାରର ବୃଦ୍ଧି ନହେବ? ରାବଣ ନରବାନରଙ୍କୁ ନିଜର ଖାଦ୍ୟ ବୋଲି ଭାବି ସେମାନଙ୍କୁ ତୁଚ୍ଛ ମଣିଥିଲା । ଭଗବାନ ନର ରୂପ ଧରି ବାନରମାନଙ୍କ ସହାୟତାରେ ତାକୁ ବିନାଶକଲେ । କଂସ ନିଜ ବାହୁବଳରେ ଏତେ ବିଶ୍ୱାସୀ ହୋଇଯାଇଥିଲା ଯେ, ନିଜକୁ ସର୍ବଶକ୍ତିମାନ ଭାବୁଥିଲା । ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ତା’ର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଥିଲା । କଂସର ଅହଂକୁ ତୁଚ୍ଛ କରି ତାକୁ ଭଗବାନ ନାଶ କରିଥିଲେ ।

“ମହାଭାରତ” ସିରିଏଲ୍‌ରେ ଦୁର୍ଯ୍ୟୋଧନର ଅହଂକାରର ଏକ ସୁନ୍ଦର ଦୃଶ୍ୟ ବର୍ଣ୍ଣନା କରାଯାଇଛି – ଅହଂକାର କେତେତଳକୁ ଯାଇପାରେ! ପାଣ୍ଡବମାନଙ୍କ ବନବାସବେଳେ ସେମାନଙ୍କ ଦୈନତାକୁ ଉପହାସକରିବାକୁ ଯାଇ ଦୁର୍ଯ୍ୟୋଧନ ପାଣ୍ଡବଙ୍କ କୁଟୀର ନିକଟରେ ନିଜର ପ୍ରୌଢୀ ଦେଖାଉଥିଲା । ବଣରେ ଗନ୍ଧର୍ବକନ୍ୟାକୁ ଏକୁଟିଆ ଦେଖି ଅସଭ୍ୟ ବ୍ୟବହାର କଲା । ଗନ୍ଧର୍ବମାନେ ଦୁର୍ଯ୍ୟୋଧନକୁ ବନ୍ଦୀ କରି ମୃତ୍ୟୁଦଣ୍ଡ ଦେବାକୁ ନିର୍ଣ୍ଣୟ ନେଇସାରିଥିଲେ । ଦୁର୍ଯ୍ୟୋଧନର ଅଙ୍ଗରକ୍ଷକ ଉପାୟଶୂନ୍ୟ ହୋଇ ପାଣ୍ଡବଙ୍କ ସହାୟତା ଭିକ୍ଷାକଲା । ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ଓ ଅର୍ଜୁନ ଯାଇ ଦୁର୍ଯ୍ୟୋଧନକୁ ବନ୍ଧନମୁକ୍ତ କରିଥିଲେ । ଚରମଶତ୍ରୁଙ୍କ ଦ୍ୱାରା ନିଜର ଜୀବନ ରକ୍ଷାହେଲା – ଏ ଦିଗକୁ ଦୁର୍ଯ୍ୟୋଧନର ଦୃଷ୍ଟି ପଡିଲାନାହିଁ । ତା’ର ଈର୍ଶାଳୁ, ଉଦ୍ଧତ, ଉଦଣ୍ଡ ଅହଂକାର ଏତେ ପ୍ରବଳ ଥିଲା ଯେ, ପାଣ୍ଡବଙ୍କ ସହାୟତାରେ ମୁକ୍ତ ହେବା ତା’ର ଚରମ ଅପମାନ ବୋଲି ଅନୁଭବକଲା । ମରିଗଲେମରିଯାଇଥାନ୍ତି ପଛକେ, ପାଣ୍ଡବମତେଜୀବନଦାନ ଦେଲେ!! – ଏଇଟାହିଁତା ଅହଂକାରକୁ ଅତ୍ୟନ୍ତ ବାଧିଥିଲା । ତେଣୁ ପାଣ୍ଡବଙ୍କୁ ସାହାଯ୍ୟ ଭିକ୍ଷା କରିବା ଯେ ଅକ୍ଷମଣୀୟ ଅପରାଧ, ଏହା ନିଶ୍ଚିତ କରି ଅଙ୍ଗରକ୍ଷୀକୁ ହତ୍ୟାକଲା ଏବଂ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟତ ହୋଇଥିଲା । ଲକ୍ଷ୍ୟକରିବା କଥା – ଅହଂକାର କେତେ ମାରାତ୍ମକ, ନିଜକୁ ମଧ୍ୟ କ୍ଷମାକରେନା ।

ଅହଂକାରୀ ମଣିଷ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ କରିବାର ଆସ୍ଫାଳନ କରିଛି । ପ୍ରକୃତି ଏବେ ପ୍ରତିଶୋଧ ପରାୟଣ । କ୍ଷୁଦ୍ରାତି କ୍ଷୁଦ୍ର ଗୋଟିଏ ଭାଇରସ୍‌ର ଭୟରେ ଆଜି ପ୍ରବଳ ପରାକ୍ରମୀ ଶାଳୀ ମଣିଷ ଅସହାୟ । ଆଜି ଆମେ ଗୃହବନ୍ଦୀ, ପରିବେଶ ହେଉଛି ଧିରେ ଧିରେ ପରିଷ୍କାର, ନଦୀ ଓ ଆକାଶ ହେଉଛି ନିର୍ମଳ, ବାୟୁମଣ୍ଡଳ ଶୁଦ୍ଧ, ପ୍ରକୃତି ଆଜି ମୁରୁକି ମୁରୁକି ହସୁଛି । ମାନବ ସମାଜର ଉନ୍ନତୀର ଉତୁଙ୍ଗ ଆକାଂକ୍ଷା ସବୁ ଧୂଆଁ, ପବନରେ ଉଡିଯାଉଛି । ଶୋଷଣର ବିଶାକ୍ତ ହତିଆର ଅକାମି ହୋଇପଡୁଛି । ନିପୀଡିତ ନିଃଶ୍ୱର ନିଶ୍ୱାସରେ ବିଶ୍ୱ ଜଳିବାକୁ ଯାଉଛି । ଯେଉଁ ଆମେରିକା ଦିନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପରମାଣୁ ବୋମାରେ ଜାପାନର ହିରୋସୀମା ଓ ନାଗାସାକି ଦୁଇଟି ସହର ଲାଶ୍ ପାଲଟିଗଲା । ଭିଏତ୍‌ନାମାରେ ୧୭ବର୍ଷ ଯୁଦ୍ଧ କରି ହଜାର ହଜାର ଲୋକଙ୍କୁ ମାଟିରେ ମିଶାଇଦେଲା ।ସଦ୍ଦାମ ହୁସେନ୍ ଗଦ୍ଦାଫିଙ୍କୁ ଗୋଡେଇ ଗୋଡେଇ ହତ୍ୟାକଲା– ଏବେ ସେଇ ଆମେରିକାରେ ଆଜି କରୋନା ଭୂତାଣୁରେ ପ୍ରତିଦିନ ମୃତ୍ୟୁ ଶୋଭାଯାତ୍ରା ଚାଲିଛି । ଧନୀ, କ୍ଷମତାଶାଳୀ ଦେଶ ମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବାରେ ଲାଗିଛି । ମଣିଷର ଅହଂକାର, ଗର୍ବ ରହିନାହିଁ । ଅହଂକାରୀ ମଣିଷ ମାନଙ୍କ ମଧ୍ୟରେ ଅସୁର, ରାବଣ, କଂସର ବଂଶଧର ମାନେ ଘୁରି ବୁଲୁଛନ୍ତି । ଆଜି ମଣିଷର ଅହଂକାରକୁ ଅଦୃଶ୍ୟ କରୋନା ଭୂତାଣୁ ଧ୍ୱଂସ କରିବାରେ ଲାଗିଛି । ଏ ସବୁ ସତ୍ୱେ ଆମେ ଯେତେ ଶୀଘ୍ର ଗର୍ବ, ଅହଂକାର ଛାଡି ସମଗ୍ର ବିଶ୍ୱର ମଙ୍ଗଳ ଚିନ୍ତାକରିବା, ସେଦିନ ପ୍ରକୃତି ହୁଏତ ଆମକୁ କ୍ଷମା ଦେଇପାରେ ।

ଯାଜପୁର ରୋଡ, ଯାଜପୁର – ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.