ଶ୍ରୀଜଗନ୍ନାଥ ଚେତନା …

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ଶ୍ରୀଜଗନ୍ନାଥ ଏକ ଚେତନାର, ଚିନ୍ତାସାଗର, ସଂସ୍କୃତିର ସଂକେତ । ବିଶ୍ୱପ୍ରେମ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ । ସେ ଜଗତର ନାଥ ଅର୍ଥାତ୍, ଅସୀମ ବିଶ୍ଵବ୍ରହ୍ମାଣ୍ଡର ଈଶ୍ୱର । ସେ ସର୍ବବ୍ୟାପୀ ଭୂମା, ସେ ସାର୍ବଭୌମ । ଜଗନ୍ନାଥ ‘ଅପାଣିପାଦ’ ହେବା ମୂଳରେ ରହିଛି ଏହି ଚେତନା । ତାଙ୍କର ଆରମ୍ଭ ନାହିଁ ତାଙ୍କର ଶେଷ ନାହିଁ । ସେ ଅନାଦି, ସେ ଅଶେଷ । ପୁଣି ତାଙ୍କର ଯେଉଁ ଦୁଇଟି ବାହୁର କଳ୍ପନା କରାଯାଇଛି ତାହା ସମାନ୍ତରାଳ । ଦୁଇ ସମାନ୍ତରାଳ ସରଳ ରେଖାର ମିଳନ ଏକ ଅନନ୍ତ ବିନ୍ଦୁରେ ।

ଶ୍ରୀଜଗନ୍ନାଥଙ୍କ ପରମ ଓ ଚରମ ସତ୍ତା ସେହି ଅନନ୍ତ ବିନ୍ଦୁରେ ହିଁ ଉପଲବ୍ଧି କରିହୁଏ । ସେ ଅରୂପ ପୁଣି ସରୂପ । ସେ ନିର୍ଗୁଣ, ପୁଣି ସଗୁଣ । ବହୁ ରୂପରେ ତାଙ୍କର ପରିକଳ୍ପନା । ଦେହାତୀତର ଚେତନାକୁ ଦେହ ଭିତରେ ଚେତେଇ ଦେବା ପାଇଁ ବିଭିନ୍ନ ରୂପରେ ପ୍ରତିଭାତ ଦେହର କଳ୍ପନା କରାଯାଇଛି – ସେ ଜଗନ୍ନାଥ ।

ବୈଷ୍ଣବ ତାଙ୍କୁ ଦେଖିଛି ବିଷ୍ଣୁ ରୂପରେ, ବୌଦ୍ଧ ଦେଖିଛି ବୁଦ୍ଧ ରୂପରେ, ଶୈବ ଦେଖିଛି ଶିବ ରୂପରେ, ଗାଣପତ୍ୟ ଦେଖିଛି ଗଣପତି ରୂପରେ । ପୁଣି ବୈଷ୍ଣବମାନେ ତାଙ୍କୁ କଳ୍ପନା କରିଛନ୍ତି କେତେବେଳେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ମହାବିଷ୍ଣୁ ରୂପରେ, କେତେବେଳେ କୃଷ୍ଣ ରୂପରେ, କେତେବେଳେ ରାମଚନ୍ଦ୍ର ରୂପରେ । ତେଣୁ ଜଗନ୍ନାଥ କୌଣସି ଏକ ନିର୍ଦ୍ଦିଷ୍ଟ ସତ୍ତା, ସୀମା ବା ରୂପରେ ଆବଦ୍ଧ ନୁହନ୍ତି ।

ଗୋଟିଏ ବଳୟ ଭିତରେ, ଗୋଟିଏ ରୁଦ୍ଧି ଭିତରେ ତାଙ୍କର ସ୍ଥିତି କଳ୍ପନା କରାଯାଇ ପାରେନା । ଏକରୁ ଅନେକରେ, ବ୍ୟଷ୍ଟିରୁ ସମଷ୍ଟିରେ, ଆଞ୍ଚଳିକତାରୁ ବୈଶ୍ୟଭାବରେ, ସଂକୀର୍ଣ୍ଣତାରୁ ପରିବ୍ୟାପ୍ତିରେ ତାଙ୍କୁ ଅନୁଭବ କରିହୁଏ । ବାହୁ ପ୍ରସାରଣ କରି ଜଗନ୍ନାଥ ସତେ ଯେମିତି ସମଗ୍ର ବିଶ୍ୱବାସୀଙ୍କୁ ଆଲିଙ୍ଗନ କରିବା ପାଇଁ ଉଦ୍ୟତ ।

                                 “ଜଗତ ଭିତରେ ଯେତେକ ଠାକୁର ସଭିଁଏ କୁହନ୍ତି ମୁଣ୍ତିଆ ପକା
                                  କୋଟିଏ ଭିତରେ ଗୋଟିଏ ଠାକୁର ଯିଏ କହେ ମୋତେ କୁଣ୍ଢେଇ ପକା”

ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ଠାକୁର । ଜଗନ୍ନାଥଙ୍କ ଦେଉଳ ହେଉଛି ବଡ ଦେଉଳ, ତାଙ୍କର ଦାଣ୍ଡ ହେଉଛି ବଡ଼ଦାଣ୍ଡ, ତାଙ୍କର ପଣ୍ଡା ହେଉଛନ୍ତି ବଡ଼ପଣ୍ଡା, ତାଙ୍କର ଦୀପ ହେଉଛି ମହାଦୀପ, ତାଙ୍କର ଉଦଧି ମହାଉଦଧି (ମହୋଦଧି) ତାଙ୍କର ଶକ୍ତି ମହାଲକ୍ଷ୍ମୀ, ତାଙ୍କର ପ୍ରସାଦ ମହାପ୍ରସାଦ । ବଡ଼ଠାକୁର, ବଡ଼ଦେଉଳ, ବଡ଼ଦାଣ୍ଡ, ବଡ଼ପଣ୍ଡା, ମହାଦୀପ, ମହୋଦଧି, ମହାଲକ୍ଷ୍ମୀ, ମହାପ୍ରସାଦ ଶବ୍ଦ ମଧ୍ୟରେ ରହିଛି ଏକ ମହାନତାର ଆହ୍ୱାନ । ତେଣୁ ଜଗନ୍ନାଥ ଚେତନା ଭିତରେ ନାହିଁ ସଂକୀର୍ଣ୍ଣତା, ନାହିଁ କ୍ଷୁଦ୍ରତା, ସେଇଠି ବଡତ୍ୱ ବା ମହତ୍ୱ ହେଉଛି ମହତୀ ଚିନ୍ତାଧାରା । ଶ୍ରୀକ୍ଷେତ୍ର, ସୁଭଦ୍ରା, ବଳଭଦ୍ର, ସୁଦର୍ଶନ ନାମ ଭିତରେ ରହିଛି ସୁ, ସୁନ୍ଦର, ଶିବ ବା ଶୁଭର ସୂଚନା । ନୀଳଚକ୍ର ଚିରନ୍ତନତାର ଚୈତନ୍ୟ । ମୁକ୍ତିମଣ୍ଡପ, ରତ୍ନ ମଣ୍ଡପ, କୋଇଲି ବୈକୁଣ୍ଠ, ନାଲିବାନା, ସ୍ଵର୍ଗଦ୍ଵାର ଯଥାକ୍ରମେ ମୁକ୍ତି ଜ୍ଞାନ ବା ସମୃଦ୍ଧି, ବିକୁଣ୍ଠା ବା ଉଦାରତା, ଅନୁରାଗ ବା ସ୍ନେହ ଓ ସ୍ୱର୍ଗୀୟତା ବା ଦିବ୍ୟଭାବର ଦ୍ୟୋତକ ।

ଜଗତରେ କେହି ଅନାଥ ନିରାଶ୍ରୟ ନ ହୁଅନ୍ତୁ ଏହି ଆଶ୍ୱାସନା ମିଳେ ଜଗନ୍ନାଥ ନାମ ଭିତରେ । ଜଗତର ନାଥ ସେ ଜଗନ୍ନାଥ – ଆଞ୍ଚଳିକ ସୀମା ସରହଦ ଭିତରେ ସେ ସୀମିତ ନୁହଁନ୍ତି; ସେ ନାଥ, ସେ ନେତା,ସେ ମହାପ୍ରଭୁ । ମାନସ ଭିତରେ ଅତିମାନସ ଚେତନା, ମାନବ ଭିତରେ ଅତିମାନବିକତା, ସସୀମ ଦୃଷ୍ଟି ଭିତରେ ଅସୀମ ଦୃଷ୍ଟି, ସସୀମ ଦୃଷ୍ଟି ଭିତରେ ଅସୀମ ସୃଷ୍ଟି, ଚେତନାର ଜାଗରଣ ପାଇଁ ସତେ ଯେପରି ଓଡ଼ିଆ ଜାତିର ଯୁଗାଯୁଗାବ୍ଧି ତପସ୍ୟାର ଫଳଶ୍ରୁତ ହେଉଛନ୍ତି । ତାର ରାଷ୍ଟ୍ରଦେବତା, ତା ସଂସ୍କୃତିର ପ୍ରାଣସଭା ଓ ପ୍ରାଣବତ୍ତା ପ୍ରଭୁ ଜଗନ୍ନାଥ । ତେଣୁ ଓଡ଼ିଆର ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ।

ଏ ସଂସ୍କୃତି ‘ଏକ’ ଭିତରେ ‘ଅନେକ’ ଓ ‘ଅନନ୍ତ’ର ଭୂୟୋଦର୍ଶନ ପାଇଁ, ଅନ୍ୟ ପକ୍ଷରେ ‘ଅନେକ’ ଓ ‘ଅନନ୍ତ’ ଭିତରେ ‘ଏକ’ ର ଅନନ୍ୟ ଅନ୍ତଃଦର୍ଶନ ପାଇଁ ଜଗନ୍ନାଥ ଚେତନାର ସ୍ୱରୂପ ନିରୂପଣ କେବଳ ସେହି ଚେତନାରେ ହିଁ ସମ୍ଭବ ବାସ୍ତବ ସତ୍ତା ଭିତରେ ନୁହେଁ । ତଥାପି ‘ପ୍ରତୀକ’ ସତ୍ତା ‘ପ୍ରକୃତ’ ସତ୍ତାର ପ୍ରତିଫଳନ ବା ପ୍ରତିବିମ୍ବ ଭାବରେ ମୂଳ ଚେତନାର ଉପଲବ୍ଧ ଧିରେ କେତେକ ପରିମାଣରେ ସହାୟକ ହୋଇଥାଏ । ଜଗନ୍ନାଥଙ୍କ ସହିତ ସଂପୃକ୍ତ ଅନେକ ଉପାଦାନ ଭିତରେ ଶ୍ରୀଜଗନ୍ନାଥ – ଚେତନାର ମହତ୍ୱ ପ୍ରତିଫଳିତ । ସେ ରହସ୍ୟମୟ ପୂର୍ଣ୍ଣଗର୍ଭୋ, ସଦାପୂର୍ଣ୍ଣ, ପୂର୍ଣ୍ଣବ୍ରହ୍ମଙ୍କୁ କୋଟିକୋଟି ଦଣ୍ଡବତ ।
                                        ”ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ
                                          ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ”

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.