Latest Odisha News

BREAKING NEWS

ପ୍ରେମ

ପ୍ରେମ

ମାନିନୀ ମିଶ୍ର

ପ୍ରେମିକା –
ବିବସ୍ତ୍ରା ଧାଡି ଆଉ ଶବ୍ଦର
ଅନ୍ଧାର ବୋଝେଇ ଜାହାଜର ମାସ୍ତୁଲ ଧରି
ଛିଡା ହୋଇଥବା ଟାଇଟାନିକ ପୋଜ
ଯେଉଁଠି ରାତି ମାନେ ରତି, ରତି ମାନେ ରାତି
ସେଠି ବେଖାତିର କରିହୁଏ
ଲୁଣାସମୁଦ୍ରର ଛୁନ୍ଚିଆ ଛୁଆଁ
ସେଠି ବେଖାତିର କରିହୁଏ
ରକ୍ତଲୋଭୀ ତିମିର ଆଖିମିଟିକା
ସେଠି ଜହ୍ନର ଓଠରେ ଚୁମା ଦିଏ
ରଙ୍ଗୀନ ପରର ଡେଣାଲଗା କବିତା
ନିମ୍ବ ଫୁଲର ବାସ୍ନାରେ ଚହଟୁଥାଏ
ମୋର ରଫ ଖାତା ।

ପ୍ରେମିକ –
ସ୍ପିଗ୍ମୋମାନୋମିଟରର ମନିଟରରୁ
ବାହାରି ଯାଇଥିବା ପଚାଶ ଭାଗ ପାରଦ
ହାତରେ ଧରିଲେ ବିଷ
ନ ଧରିଲେ ବିନ୍ଦୁବିନ୍ଦୁ ହୋଇ
ଛୁଟିରେ ଗାଁକୁ ଫେରିଯିବ
ନ ଧରିଲେ ପ୍ରେମିକା ଭାବି
ଖାଲି ବିଅର କ୍ୟାନକୁ ଗେହ୍ଲା କରିବ
ବେଖାପିଆ ମ୍ୟୁଟ କେରେକ୍ଟର ସାଜି
ମୋ ସହ କଥାବାର୍ତ୍ତା ବନ୍ଦ କରିବ
ମୁଁ ସ୍ପ୍ରିଂ ଦିଆ ପ୍ଲାଷ୍ଟିକ କଣ୍ଢେଇ ପରି
ମିଟମିଟ ଦେଖୁଥିବି
ସେ ମାର୍କର ଧରି ତାର ଚିତାକୁଟା ହାତରେ
ପୋସ୍କୋ ନ ହେଲେ
ପୋଡା ଆକାଶକୁ ନେଇ କବିତା ଲେଖିବ

ନ ଧରିଲେ ତା ଅଗଣିତ ପ୍ରେମିକାଙ୍କ
ଲିପଷ୍ଟିକର ନାଲି ରଙ୍ଗ ଆଣି
ତା ରୁମର ବାର୍ବିକୁ ଜୀବନ୍ୟାସ ଦେବ
ବାସର ରାତିକି ଷ୍ଟ୍ୟାଚୁ ପୋଜରେ ରଖି
ଫାଳିକିଆ ଜହ୍ନକୁ ଅନ୍ଧାରର ଦେହରେ
ଲେସି ହେବା ପାଇଁ ଉସୁକେଇବ
ରାତି ଅଧରେ ମେଘକୁ ଭିଡିଓ କଲ କରି
ବ୍ଲାକ ହୋଲର ଅସରନ୍ତି ଶୋଷ ବୁଝେଇବ ।

……………..
ରେଢାଖୋଲ ହସପିଟାଲ, ରେଢାଖୋଲ, ସମ୍ବଲପୁର
୯୪୩୭୩୨୯୩୧୬

Leave A Reply

Your email address will not be published.