ଗୋଟେ ଚେଇଁ ଉଠୁଥିବା ରାତି…

ବିଡାଏ ଦରଶୁଖିଲା ଘାସ ନେଇ ବଉଳ ଗଛ ମୂଳେ ପକେଇଦେଲା ମକୁ, ଯେଉଁଠି ଦିନସାରା ଝୁମୁରି ବନ୍ଧା ହୁଏ । ଶୁଖିଲା ହୋଇଥାଏ ବୋଲି ଘାସ ଉପରେ ବ୍ରାହ୍ମଣ ମନ୍ତ୍ରପାଣି ଛିଞ୍ଚିଲା ପରି ପାଣି ଅଞ୍ଜୁଳେ ବୁଣିଦେଲା । ଗୁହାଳରୁ ଝୁମୁରିକୁ ଆଉ ତା ସହିତ କିଛିଦିନ ତଳେ ଜନ୍ମିଥିବା କଅଁଳା ଅଣ୍ଡିରା ବାଛୁରୀକୁ ପଘାରୁ ଫିଟେଇ ନେଇଆସିଲା ।
ରାତିର ବୟସ ବାବଦରେ ଝୁମୁରି ସଂପୂର୍ଣ୍ଣ ଅବଗତ ଥିଲେ ହେଁ ବିନା ଦ୍ଵିଧାରେ ସେ ବାହାରି ଆସିଲା । କାରଣ ନିଜ ଅପେକ୍ଷା ତାର ଅଧିକ ଭରସା ଥିଲା ତା ମାଲିକ ମକରନ୍ଦ ଉପରେ । ସେ ଭଲଭାବେ ବୁଝେ ମକୁର ତା ପ୍ରତି ଥିବା ଭଲପାଇବାକୁ । ବୁଝିବନି ବା କେମିତି । ପ୍ରତ୍ଯେକ ଦିନ ଶୋଇବାକୁ ଯିବା ପୂର୍ବରୁ ମକୁ ତା ଖାଇବା କଥା ବୁଝେ, ଘାସ-କୁଟା ପକାଏ, ଧୂଆଁ ଦିଏ, ମଳ ସଫା କରେ, ଫିନାଇଲ ପକାଏ ଇତ୍ୟାଦି । ଏଥରକୁ ଲଗେଇ ପଞ୍ଚମ ଥର ପାଇଁ ଝୁମୁରି ମାତୃତ୍ଵର ଅପୂର୍ବ ଆନନ୍ଦକୁ ଉପଭୋଗ କରିଛି । ପ୍ରତିଥର ଅଣ୍ଡିରା ହିଁ ଜନ୍ମ ଦେଇଛି, ତାହା ପୁଣି ରାତିବେଳେ । ତେବେ ସବୁଥର ରାତିସାରା ଅନିଦ୍ରା ହୋଇ ଜଗିରହି ତା ସେବା କରିଆସିଥିବା ଲୋକଟା ତ ସେହି ମକୁ । ସେଥିପାଇଁ ବୋଧହୁଏ ଝୁମୁରିର ମକୁପ୍ରତି ଏତେ ଆନୁଗତ୍ୟ, ଏତେ ଭଲପାଇବା ।
 ଏହାକୁ ଲଗେଇ ସାତ କି ଆଠଥର ବୋଧହୁଏ ମକୁ ବାହାରକୁ ଆସିଲାଣି । ସବୁଥର ପାଦ ଚିପିଚିପି ଆସେ ଯେ କିନ୍ତୁ ଠକିଯାଏ ଜଞ୍ଜିରା ପାଖରେ । କେଉଁ ଅମଳର ହାତପିଟା ଯାଉଁଳି କବାଟରେ ଲାଗିଥିବା ଜଞ୍ଜିରାଟିକୁ ଯେତେ ଆସ୍ତେ କରି ଖୋଲିଲେ ବି ଧୁଡ୍ କିନା ଶବ୍ଦଟେ ହେବା ଥୟ । ଅବଶ୍ୟ ସେ ଶବ୍ଦରେ କାହାର ଦରଫୁଟା ସ୍ଵପ୍ନ ଯେ ନିମିଷକେ ଧୂଳିସାତ ହୋଇଯିବ ସେ ଭୟ ନଥାଏ । ବାହାରେ ଅନ୍ଧାରର ମନମୁଖୀ ସମରସଜ୍ଜା । ହାଲ୍କା ଶିତୁଆ ପବନ ମଝିରେ ମଝିରେ ଗାଲପାଟି କମ୍ପେଇ ଦେଇଯାଉଥାଏ । ଚଉରା ପାଖରେ ଦିଧାଡି଼ ଗେଣ୍ଡୁ ଗଛ ଆଈମା ଗପର ହନୁମୁହାଁ ଭୁତ ବସିଥିଲା ଭଳି ଲାଗୁଥାନ୍ତି । ବୁଢ଼ା ଚୌକିଦାରର ସାବଧାନ ରଡି଼ ସହ ଖୁବ ମେଳ ଖାଉଥାଏ । ବୋଉର ଚଦର ତଳୁ ଭାସି ଆସୁଥିବା ବିରକ୍ତିଆ ଘୁଙ୍ଗୁଡ଼ି ଗୁଡ଼ାକ । କାହିଁକି କେଜାଣି ଆଜି ଏ ରାତିଟା ସେତିକି ଭୟଙ୍କର ଲାଗୁନି ଯେତିକି ଲାଗୁଛି ଘରଭିତରର ମଞ୍ଜା ଆଲୁଅରେ ଚିକିମିକି କରୁଥିବା ପ୍ରତ୍ଯେକ କୋଣ ଅନୁକୋଣ । ଅଣନିଶ୍ବାସୀ ବି ଲାଗୁନି ଶୋଇବା ଘରର ବିଷାକ୍ତ ବାୟୁ ଭଳି । ତେଣୁ ତ ମକୁର ଏ ଅବାଞ୍ଛିତ ପଦଚାରଣ, ବାହାରୁ ଭିତରକୁ ଆଉ ଭିତରୁ ବାହାରକୁ ।
ସେ ବି ହାଲ୍କା ଶୀତର ହାତ ଆଉଁଷାରେ ଖୁ ବଡ଼ ଏକ ଫୁଲପକା ରେଜେଇ ସହ ସନ୍ଧିକରି ଶୋଇଯିବାକୁ ଇଚ୍ଛା କରିନି ତାହା ନୁହେଁ କିନ୍ତୁ ଯେତେଥର ଚେଷ୍ଟା କରିଛି ଝୁମୁରିର ନିରୀହ ଆଖିର କରୁଣ ଚାହାଣି ତାକୁ ବିଚଳିତ କରିପକାଇଛି । ନୟିମ୍ ଚାଚାର ଗୋଟେ ହାତରେ ବଡ଼ ପାଞ୍ଚଣ ସହ ଆର ହାତରେ ତୁଣ୍ଡି ବନ୍ଧା ଦଉଡି଼ଟେ ଧରିଥିବାର ଚିତ୍ରଟେ ନାଚି ଉଠୁଛି ବାରମ୍ବାର । ଏ ପରା ଏକ ଭଉଁରୀ । ସମ୍ପର୍କର ପୋଖରୀ ମଧ୍ୟରେ ଗଢି଼ ଉଠିଥିବା ଏକ ଭଲପାଇବାର ଭଉଁରୀ । ଏମିତି ଅନେକ ଉଦାହରଣ ଇତିହାସ ତା ପିଠି ଉପରେ ସାଇତି ରଖିଛି ଯେଉଁଥିରେ ଖୁବ୍ ନୀରବରେ ଗତି କରୁଥିବା କେତେ କେତେ ନଉକା ଏହିଭଳି ଭଉଁରୀର ସାମ୍ନା କରୁକରୁ ନିଜର ଗତିପଥ ବଦଳେଇ ଦିଗହରା ହୋଇଯାଇଛନ୍ତି । ଏମିତି ଭଉଁରୀ ସାମ୍ନା କରିବା ଯଦିଓ ମକୁ ପାଇଁ ନୂଆ ନୁହେଁ କିନ୍ତୁ ସବୁଠାରୁ କଠିନ କହିଲେ ଅତ୍ଯୁକ୍ତି ହେବନି । କାରଣ ନିଜଠାରୁ ଅଧିକ ଭଲପାଉଥିବା ଝୁମୁରି ସହ ସମ୍ପର୍କ ଛିନ୍ନ ହେବାର ସେ କଲିଜା ଫଟା ମୂହୁର୍ତ୍ତକୁ ଭେଟିବା ତା ପକ୍ଷେ ସଂପୂର୍ଣ୍ଣ କଷ୍ଟକର ବ୍ୟାପାର । ରାତି ପାହିଲେ ରାସ୍ତା ଅଲଗା । ଆଉ ମାତ୍ର ତିନିଚାରି ଘଣ୍ଟାର କଥା । ମୂଲଚାଲ ସରିଛି । କେଇ ଶହ ଟଙ୍କା ଲୁଙ୍ଗି ଅଣ୍ଟିରୁ ଫିଟେଇ ଚାଚା ବୋଉ ହାତରେ ଧରେଇଦେବ । ଆଉ ତା ପରେ ଝୁମୁରି ଚାଲିଯିବ ନୟିମ ଚାଚା ସହ ଖୁବ ଦୂରକୁ, ବହୁତ ଦୂରକୁ । ଏତେ ଦୂରରେ ଥାଇ ତାର ଆକୁଳ ନିବେଦନ ସବୁକୁ ପବନ ସହ ମିଶେଇ ତା ମାଲିକ ନିକଟକୁ ପଠେଇଦେବାକୁ ଆପ୍ରାଣ ଚେଷ୍ଟା କରି ବିଫଳ ହେଉଥିବ। କିନ୍ତୁ… କିନ୍ତୁ ମକୁ ସବୁ ଶୁଣିପାରୁଥିବ ପ୍ରାଞ୍ଜଳ ଭାବରେ, ଅନୁଭବ କରିପାରୁଥିବ ସବୁ ଯନ୍ତ୍ରଣାକୁ ଝୁମୁରିର ଶେଷ ଚିତ୍କାର ଯାଏ ।
ଓଃ ! ଏହି ପ୍ରକାରର ଅତି ଭାବାତ୍ମକ କଥା କାହିଁକି ଯେ ମୋ ମୁଣ୍ଡରେ ପଶେ ବୋଲି ଭାବି ମକୁ ବିରକ୍ତି ହୋଇ ପାରନ୍ତା । କିନ୍ତୁ ବୋଉ ପାଟିରୁ ଝୁମୁରିକୁ ବିକ୍ରିକରିବା କଥା ଶୁଣିବା ଠାରୁ ସେ ଯେ ଚଳପ୍ରଚଳ କରିପାରୁଥିବା ଗୋଟେ ମାନବ ଯନ୍ତ୍ର ପାଲଟିଯାଇଛି ଯାହା ନିଜେ ବୁଝିପାରିବା ଭଳି ଶକ୍ତି ଏବେ ଅବଶ୍ୟ ତା ପାଖରେ ନାହିଁ । ବୋଉର ଆଦେଶ ଅକାଟ୍ୟ ସେ ଜାଣେ । ସେ ମଧ୍ୟ ଜାଣେ ଏ ଘରେ ଚାଲିଆସିଥିବା ବୋଉର ଏକକ ଅଧିପତ୍ୟତାର ପ୍ରତ୍ଯେକ ହୁକୁମାତିକୁ । ଆଜିର ସମୟରେ ଅଣ୍ଡିରା ଗୋରୁର ଚାହିଦା ନାହିଁ ତଥାପି ସେ ଝୁମୁରିର ଚାରିଟା ପିଲା ଯାଏ ସହିଆସିଥିଲା । ହେଲେ ଏଥର ସେ ଆଉ ସହିଲାନି । କିନ୍ତୁ ଜଣେ ବାଧ୍ୟ ପୁଅ ଭାବେ ବୋଉର ସବୁ ଆଦେଶକୁ ମୁଣ୍ଡପାତି ସହି ଆସିଥିବା ମକୁର ହୃଦୟ କାହିଁକି କେଜାଣି ଆଜି ପ୍ରତିବାଦର ଝଡ଼ଟିଏ ବୋହିଦେବାକୁ ପ୍ରସ୍ତୁତ ହୋଇଛି । କିନ୍ତୁ ପାରିବ କି ନାହିଁ ଏବେ ବି କିଂକର୍ତ୍ତବ୍ୟବିମୁଢ଼ । ସେଥିପାଇଁ ଝୁମୁରିର ପଘା ଫିଟେଇ ତାକୁ ପ୍ରଥମେ ମେଲାଣି ଦେବାକୁ ଆଗେଇ ଆସିଛି ରାତ୍ରିର ଏଇ ଶେଷ ପ୍ରହରରେ ।
ରାତ୍ରିର ଯେଉଁ ପ୍ରହର ତାର ସବୁଠାରୁ ପ୍ରିୟ । ଯେଉଁ ପ୍ରହରରେ ସେ ଅଧିକ ଜାକିଜୁକି ହୋଇ ଶୋଇଥାନ୍ତା ଭାଡି଼ ତଳେ ବିଲେଇ ଛୁଆ ଭଳି ଅବା ନିଦୁଆ ଆଖିରେ ଦୁଷ୍ଟାମିର ଗାରେ ପ୍ରେମକୁ ଅରୂପାର ଓଠ ଓ ଗଣ୍ଡଦେଶରେ ଆଙ୍କିଦେଇଥାନ୍ତା, ନିଜେ ଜାଣି ଜାଣି ହେଉ ଅବା କଁ-କୁଟ୍ କଁ-କୁଟ୍ ହୋଇ ଘୂରୁଥିବା ଟେବୁଲ ପଙ୍ଖା ପବନରେ ଶାଢ଼ୀ ଉଡି଼ଯାଇ ମୁକୁଳା ପଡି଼ଥିବା ନାଭି ଗାତ୍ରରେ ସେ ଆସ୍ତେ କରି ହାତ ଥାପିଦେଇଥାନ୍ତା, ନିଜ ବଳିଲା ବାହୁ ବନ୍ଧନରେ ଛନ୍ଦିଦେଇ ତା ଗରମ ନିଶ୍ବାସର ବାସ୍ନାକୁ ମନଭରି ଉପଭୋଗ କରିଥାନ୍ତା, ଆଜି ସେହି ପ୍ରହରରେ ସେ ଜଣେ ଅପାଣିଆ ଭୂତ ଭଳି ବାଡିପିଣ୍ଡା ଦାଣ୍ଡପିଣ୍ଡା ହେଉଛି । କେତେବେଳେ ଅନ୍ଧାରରେ ମିଶିଯାଇ ବଳିପଡି଼ଥିବା ନିଜ ଦେହକୁ ଖୋଜୁଛି ତ କେତେବେଳେ ନିଜର ହାରିଯାଇଥିବା ଆଖି କୋଣରେ ଝରି ଆସୁଥିବା ଭଙ୍ଗା ସ୍ଵପ୍ନ ଦୁଇବୁନ୍ଦାକୁ ନିଜର ଠିକଣା ମାଗୁଛି । ଆଉ କେତେବେଳେ ଏହିଭଳି ନିଶବ୍ଦ ରାତିରେ ଝିଙ୍କାରୀ ମାନଙ୍କର ଇଲାକାର ଆର ପାର୍ଶ୍ଵରୁ ଆସ୍ତେ କରି ଭାସିଆସୁଥିବା ଅର୍ଦ୍ଧ ପରିଚିତ ଶବ୍ଦଟା ନିଜ ପାଇଁ ଭାବି କାନ ଡେରୁଛି ।
 ଏଇତ ପୁଣି ସେହି ସ୍ଵର ! ବିଚଳିତ ହୋଇ ଉଠିଲା ମକୁ । ବାରମ୍ବାର କିଏ ଆଜି ମୋତେ ଡାକୁଛି !
 ଚୁପ୍ କର …. ଚୁପ୍ ।
ଅନ୍ୟକୁ ନ ଶୁଭିଲା ପରି ଆସ୍ତେ କରି କହିବା ସହିତ ନିଜ ଆଙ୍ଗୁଠିକୁ ନିଜ ଓଠରେ ଚାପିରଖି ଶବ୍ଦ ଆଡ଼କୁ କାନ ଡେରିଲା ମକୁ । କାହାର ଏ ଶବ୍ଦ ! କେଉଁଠାରୁ ଆସୁଛି ! ଚିହ୍ନା ଓ ଅଚିହ୍ନାର ମିଶାମିଶି ସ୍ଵର ଟେ । ଚାରିଆଡ଼େ ଆଖି ଟିକେ ତୀବ୍ର ବେଗରେ ବୁଲେଇଆଣିଲା । ନା, ଏଥର ବି ସେ ନିରୀହ ସ୍ଵରରେ ଡାକୁଥିବା କେହିଜଣେକୁ ନପାଇ ନିରାଶ ହୃଦୟରେ ଆଗକୁ ପାଦ ବଢ଼େଇଲା; ପୁଣି ସେହି ସଂକ୍ରମିତ ପରିଧି ଆଡ଼କୁ । ବିଷାକ୍ତ କଣିକା ଘୂରିବୁଲୁଥିବା ବୋଉର ଆତ୍ମବଡି଼ମାରେ ତିଆରି ସେହି ବାଧ୍ୟ ଗହ୍ଵର ମଧ୍ୟକୁ । ପ୍ରତି ପାଦରେ ସେ ସେହି ଅଜଣା ସ୍ଵର ସହିତ ମନେ ମନେ ମେଳେଇ ଚାଲିଥାଏ ନିଜର କେହି ପରିଚିତର ସ୍ଵର ସବୁକୁ । 
ଏ ବୋଊର ସ୍ଵର ନୁହେ ! ଘର ଭିତରୁ ଏବେବି ଭାସିଆସୁଥାଏ ବୋଉର ଅବିଶ୍ରାନ୍ତ ଘୁଙ୍ଗୁଡି଼ । ତା’ପରେ ବୋଉ ହୋଇଥିଲେ ଏତେ ଧୀର କଣ୍ଠରେ କେବେ କହିନଥାନ୍ତା । ସେ ତ ଆରସାହି ଖାନଦାନି ଜମିଦାର ସାହୁ ଘର ଝିଅ । କାହାକୁ ଡରେନି । ସେ ନିଶ୍ଚୟ ଚିଲେଇ ଗଳାଫଟେଇ ଚିତ୍କାର କରିଥାନ୍ତା-
  ” ହେ… ଅଯୋଗ୍ୟ ….ଅକର୍ମା …ତୋ ପାଇଁ ମୋ ବଂଶର ମାନ ସମ୍ମାନ ସବୁ ଚୂଲିକି ଗଲା । ଚାକିରୀ ବାକିରି ତ ହେଲାନି, ଆହୁରି କ’ଣ ନା କେତେଟା ଗଜମୂର୍ଖଙ୍କ ସାଙ୍ଗରେ ପଡ଼ି ପଶୁ ସୁରକ୍ଷା ଅଭିଯାନ ଚାଲିଛି । ମାଆର ଗୋଡ଼ ହାତ ଟିକେ ମୋଡି଼ଦେବା, କମର ଟିକେ ଚିପିଦେବା ବଦଳରେ ସେ ଅସନା କୁକୁର ଛୁଆ ଗୁଡ଼ାକର ଘା ସଫା ହେଉଛି ।
ତା ଉପରେ ପୁଣି ଭଲ ପାଇ କେଉଁ ଗୋଟେ ଗୋବର ଗୋଟେଇକୁ ନେଇଅଇଲା ଯେ ସେ ଅଲକ୍ଷଣି ପେଟରୁ ପ୍ରଥମ ଗର୍ଭରେ ମଲା ଝିଅଟେ ଜନମ ହେଲା । ଦ୍ଵିତୀୟଟା ଜନ୍ମ ହୋଇ ମଲା, କିନ୍ତୁ ସବୁ ସେଇ ଝିଅ । ଛିଃ…ପୁଅ କାହିଁ ! କେତେଥର କହିଲିଣି ତାକୁ ଯେତେ ଶୀଘ୍ର ଏ ଘରୁ ବିଦାକର, ଆଉ ଗୋଟେ ନୂଆ ମାଈପ ଘରକୁ ଆଣ । ଗୋଟେ କାହିଁକି ଦି-ତିନିଟା ଆଣ, ମନା ନାହିଁ କିନ୍ତୁ ମୋର ନାତି ଦରକାର । “
ତେବେ ସେ ଶବ୍ଦ କଣ ଅରୂପାର !
ହୋଇ ନପାରେ । ଅରୂପା ହୋଇଥିଲେ ନିଶ୍ଚୟ ଏତେ ଧୀରେ କହିନଥାନ୍ତା ଜଣେ ସମର୍ପିତା ଭଳି । କାରଣ ସେ ଗରିବ ହୋଇପାରେ, ଗୋଟେ ଗାଉଁଲି ମଫସଲୀ ନୁହେଁ । ତାର ସ୍ଵାଭିମାନ ଅଛି । ଆଉ ସେ ଉଚ୍ଚଶିକ୍ଷିତା ଆଧୁନିକା ମଧ୍ୟ । ସେ ତ ଖୁବ ଶାଣଦିଆ ସ୍ଵରରେ ପ୍ରତିବାଦ କରିପାରେ ଭୁଲ୍ ଦେଖିଲେ । ବୋଉ ସହ ମୁହଁ ଦେଇ ଅନେକ ଥର ସେ କହିଛି:-
  ” ସମାଜ ଆଜି କେଉଁଠି ପହଞ୍ଚିଲାଣି ବୋଉ ତଥାପି ଆପଣ ସେହି କେଇ ସହ ବର୍ଷ ତଳେ ଅଛନ୍ତି ! ଆପଣ କେମିତି ଗୋଟେ ଝିଅକୁ ବୋଝ ବୋଲି ଭାବିପାରୁଛନ୍ତି, ଯେଉଁ ସମୟରେ ଝିଅମାନେ ଚନ୍ଦ୍ରପୃଷ୍ଟରେ କ୍ୟାଟୱାକ କରିବା କଥା ଚିନ୍ତା କଲେଣି । ତାପରେ ଆପଣ ବି ଜଣେ ନାରୀ, ପୁଣି ଆଉ ଜଣେ ନାରୀ ଗର୍ଭରୁ ଜନ୍ମ ହୋଇବି ଗୋଟେ ଝିଅକୁ ଏତେ ଘୃଣା କେମିତି କରିପାରୁଛନ୍ତି !”
କୁହାଯାଏ ସାହସ ଆଉ ଧୈର୍ଯ୍ୟ ବେଳେବେଳେ ରାସ୍ତା ଭୁଲେ । ସମାଜର କିଛି ସଙ୍କୁଚିତ ଚିନ୍ତାଧାରା ଆଗରେ ମୁଣ୍ଡ ନୂଆଏଁ ନୂଆ ଦୁନିଆର କିଛି ପରିକଳ୍ପନା । କାଳର ଅଦୃଶ୍ୟ ପ୍ରହାରରେ ଆଚ୍ଛା ଆଚ୍ଛା କରବାଳର ବି ଶାଣ ମୁଣ୍ଡା ହୋଇଯାଏ । କିନ୍ତୁ ଅରୂପା କ୍ଷେତ୍ରରେ ଏହା ଥିଲା ସଂପୂର୍ଣ୍ଣ ବ୍ୟତିକ୍ରମ । ସେ ଅସହାୟ ବୋଧ କରୁନଥିଲା ମିଛ ନୁହେଁ ବରଂ ସେହି ଅସହାୟତା ଆଉ ଜୀବନର ଘମାଘୋଟ ଲଢେଇରେ ସେ ମୁଣ୍ଡଟେକି ଅଣ୍ଟା ସଳଖି ଜିଇଁବା ଜାଣିଥିଲା । ଠିକ୍ ଯେମିତି ଅରୂପାର କାନ୍ଦ କାନ୍ଦ ସ୍ଵର ସେଦିନ ବୟାନ କରୁଥିଲା ଏକ ନୂଆ ଦୁନିଆର ସମ୍ଭାବନାକୁ ।
ଗାଈ ଗୁହାଳରେ ଧୂଆଁ ଦେଲାପରେ ସନ୍ଧ୍ଯା ସମୟରେ ମକୁ ଟିୱେଲରେ ଗୋଡ଼ ଧୋଇ ଘରକୁ ପଶିଆସିଲା ବେଳକୁ ଖଟ ଉପରେ ପୁରୁଣା କନ୍ଥା ସବୁ ବାହାର କରି ଦିପଟ ନୂଆ କନ୍ଥା ସଜାଡୁଥିଲା ସେ । ମକୁ ଆସିବା ଦେଖି ଗୋଡ଼ ପୋଛିବା ପାଇଁ କବାଟ ଉପରେ ଶୁଖୁଥିବା ଗାମୁଛାଟା ଟାଣିଆଣି ତା ଆଡ଼କୁ ବଢ଼େଇ ଦେଲାବେଳେ ମକୁ ମୁହଁକୁ ଚାହିଁ ଢାଳିଦେଇଥିଲା ତା ପ୍ରତିବାଦି ଆଖି ଦୁଇଟିରୁ ଅସରାଏ ତତଲା ପାଣି ।
  ” ଅପରେସନ୍…! ମୁଁ ପାରିବିନି ସତରେ । ସେ ପରା ତୁମରି ରକ୍ତ, ତୁମରି ଆତ୍ମା , କେବଳ ମୋ ପେଟରେ କଢି଼ଟିଏ ହୋଇ ଫୁଟିବାକୁ ଯାଉଛି । ଦୟାକରି ତାକୁ ଫୁଟିବାକୁ ଦିଅ । ଦେଖିବ, ନିଶ୍ଚେ ଦିନେ ଚହଟିବ ତାର ବାସ୍ନା । ମହକିତ କରିବ ସାରା ଦୁନିଆକୁ । ନାଇଁ ତ ନାଇଁ ଆମ ପରିବାରର ନାମ ରଖିବ । ତୁମ ନାଁ ରଖିବ । ବୋଉ ସିନା  ବୁଝୁନାହାନ୍ତି ହେଲେ ତୁମେତ ବୁଝିପାରୁଛ ନା ! ତେବେ କେମିତି ବୋଉଙ୍କ କଥାରେ ଶେଷରେ ତୁମେବି…! “
କିଛି ସମୟର ନୀରବତା ପରେ ଦୀର୍ଘଶ୍ଵାସ ଛାଡି଼ ସେ ଖୁବ ଦମ୍ଭରେ କହିଥିଲା :
  ” ଠିକ ଅଛି ମୋ ସହିତ ତୁମେ ନ ଆସିଲେ ବି ମୁଁ ବଞ୍ଚିପାରିବି ଏକା, ମୋ ମଲା ଅତୀତମାନଙ୍କର ସ୍ମୃତି ଆଉ ଆଗତ ଭବିଷ୍ୟତର ସୁନେଲି ସ୍ୱପ୍ନ ସହ । ତୁମେ ଆଜି ଜଣେ ପୁରୁଷ ଅଛ ଯେବେ ବାପା ହୋଇଯିବ ସେଦିନ ମୋ କଥା ମନେ ପଡି଼ବ, ପିତୃତ୍ୱର ସେ କୁହୁକ ଡୋରି ତୁମକୁ ଟାଣି ନେବ ମୋ ପାଖକୁ, ଆଉ ତୁମେ ଦଉଡି଼ ଦଉଡି଼ ଆସିବ ମୋ ପାଖକୁ ଏ ବିଶ୍ବାସ ମୋର ଅଛି । “
ଶୋଇବା ଘର ଖଟ ଉପରେ ଆସ୍ତେକରି ବସିପଡି଼ଲା ମକୁ । ପୁଣି ସେହି ଅତି ଉଜ୍ଜଳ ମଞ୍ଜା ଲାଇଟଟିକୁ ଜାଳିଦେଲା । ଘରସାରା ଆଲୋକର ସମ୍ଭାର । ଏବେ ସବୁ ପରିଷ୍କାର ଭାବେ ଦେଖିପାରୁଥିଲା ମକୁ; ଲଙ୍ଗଳା ହୋଇ ଠିଆ ହୋଇଥିବା ଆଲଣା, ହାଙ୍ଗରରେ ଝୁଲୁଥିବା ଦି-ଚାରିଟା ମଇଳା ହାତ ମୋଡ଼ା ହୋଇଥିବା ସାର୍ଟ, ଖଟ ତଳକୁ ଝୁଲି ରହିଥିବା ଗୋଟେ ରେଜେଇ ଆଉ ବେକଭାଙ୍ଗି ବସିରହିଥିବା ସେହି ରୋଗୀଣା ଟେବୁଲ ପଙ୍ଖାଟି । ବୋଊ ଭଳି ଏମାନେ ବି କଣ ମିଛ ଅହଂ କୁ ଭଲପାନ୍ତି ! ତେଣୁ ତ ଏଯାଏଁ ନିଶେଃଷ ହୋଇନାହାନ୍ତି କେହି । ହୋଇନାହାନ୍ତି ବୋଲି ହେବେନାହିଁ ଏକଥା କହିହେବ ନାହିଁ । କେହି ନ ଜାଣିଲେ ବି ମକୁ ଏକଥା ଭଲଭାବେ ଜାଣେ । ଅରୂପା ବିନା ସେ କେମିତି ଭିତରେ ଭିତରେ ଶେଷ ହୋଇଚାଲିଛି ପ୍ରତି ମୁହୂର୍ତ୍ତରେ ।
ପୁଣି ଥରେ ଶୋଇବାକୁ ହେଉ ଅବା ଅନ୍ୟମନସ୍କରେ ସେ କାତି ଛଡ଼ା ସାପ ଭଳି ଖୋଳରୁ ଅଧା ବାହାରକୁ ବାହାରି ପେଟେଇପଡି଼ଥିବା ତକିଆଟିକୁ ଟାଣି ଆଣିଲା । ତକିଆ ପେଟ ତଳେ ସନ୍ଧ୍ଯାବେଳୁ ଲୁଚିଥିବା ଧଳା ଛୋଟ କାଗଜଟି ବାହାରି ଆସିଲା ବାହାରକୁ । ଯେଉଁଥିରେ ମକୁର ବଙ୍କା ତେଡ଼ା ଅକ୍ଷରରେ ଲେଖା ଥିଲା ଖୁବ୍ ଦୂରର ଏକ ବଡ଼ ଡାକ୍ତରଖାନାର ଠିକଣା । କାଗଜଟିକୁ ହାତରେ ମୁଠେଇ ହଟାତ୍ ଖୁବଜୋରରେ ଚିତ୍କାର କରି ଦୌଡି଼ଲା ବାହାରକୁ । ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିକୁ ହଟାତ୍ ଜେଲରୁ ନିର୍ଦୋଷରେ ମୁକ୍ତ କରିଦିଆଗଲେ ସେ ଯେତିକି ଖୁସି ହେବ ତା ଠାରୁ ବହୁଗୁଣା ଖୁସି ହୋଇଯାଇଥିଲା ମକୁ ।
ସେ ଏବେ ଚିହ୍ନିସାରିଥିଲା ସେ ଅର୍ଦ୍ଧପରିଚିତ ସ୍ଵରକୁ ଭଲଭାବରେ । ଏ ଥିଲା ସେହି ସ୍ଵର ଯାହା ସନ୍ଧ୍ୟାବେଳେ ମୋବାଇଲରେ କଥାହେଉଥିବା ସମୟରେ ଏକ ନିହାତି ଅଚିହ୍ନା ସ୍ଵରକୁ ଟପି ମକୁର କାନ ବାଟେ ପଶି ହୃଦୟକୁ ବିଚଳିତ କରିପକେଇଥିବା ଗୋଟେ ଅତି ଚିହ୍ନା ସ୍ଵରଟେ । ତାର କୁଆଁ କୁଆଁ କାନ୍ଦ ଯେମିତି ଅଜାଣତରେ ଟାଣି ନେଉଥିଲା ଏକ ଅଲଗା ଦୁନିଆକୁ । ଯେମିତି ନିରୀହ ସ୍ଵରରେ କହୁଥିଲା :
  ” ମୁ ପରା ତୁମରି ଝିଅ । ମୋତେ ଦେଖା କରିବାକୁ ଆସିବନି ? ବାପା ତୁମେ ଆସିବନା !! “
  ହଁ ଏଇତ ସେ ସ୍ଵର !
ମକୁ ଦଉଡି଼ ଗଲା ବଉଳ ଗଛ ମୂଳକୁ, ଏଇକଥା ଭାବି ଯେ ଝୁମୁରି ନିଶ୍ଚୟ ଏତେବେଳକୁ ଚାଲିଯାଇଥିବ ନିଶ୍ଚୟ । କିନ୍ତୁ ସେ ସେମିତି ଶୋଇରହିଥାଏ ନିର୍ବିକାର ଭାବରେ ତା ଛୁଆକୁ ପାଖରେ ଭିଡି଼ଧରି । ବେଳେବେଳେ ଛୁଆର ମୁଣ୍ଡ ଆଊ ବେକକୁ ଚାଟିଚାଲିଥାଏ । ଛୁଆଟି ତା ମୁହଁ ଗୁଞ୍ଜି ଘଷି ହେଉଥାଏ ମାଆର ବେକ ପାଖରେ । ମକୁକୁ ପୁଣି ଆସିବା ଦେଖି ଝୁମୁରି ଉଠି ଠିଆହେଲା । ମକୁ ପାଖକୁ ଭିଡି଼ଆସି ହାତ ପାଖରେ ଜିଭ ବୁଲେଇ ଶୁଙ୍ଘିହେଲା । ବୋଧ ହୁଏ ସେ ଆହୁରି ଘାସ ଆସିଛି ଭାବି ଏମିତି କରୁଥିଲା । ମକୁ ତା ଲମ୍ବା ବଙ୍କା ସିଙ୍ଘ ଉପରେ ଥରେ ହାତ ଆଉଁସି ଆଣି କହିବାକୁ ଲାଗିଲା :
  ” ଆଲୋ ତୁ ଜାଣିଛୁ ! ମୁଁ ତୋତେ କହିବାକୁ ଭୁଲିଯାଇଥିଲି । ମୁଁ ବାପା ହୋଇଗଲି । ମୋର ଗୋଟେ କୁନି ଝିଅଟେ ହୋଇଛି । ମୁଁ ତା ପାଖକୁ ଯାଉଛି । ସବୁଦିନ ପାଇଁ ଏ ଘର ଛାଡି଼କି ଚାଲି ଯାଉଛି ।  ଶୁଣ୍ ତୁ ବି ଚାଲିଜା ତୋର ଯୁଆଡ଼େ ମନ । ନହେଲେ ତୁ ଏଠି ରହିଲେ ବଞ୍ଚିପାରିବୁନି, ଖାଲି ବିଷ ମିଳିବ । ତୋତେ ବିଶ୍ବାସରେ ମିଳିବ ତ ମୋତେ ନିଶ୍ଵାସରେ । ଯା ଚାଲିଯା ।”
  ଏହା କହି ସେ ଝୁମୁରିକୁ କିଛି ଦୂର ଯାଏ ଗୋଡେଇନେଇ ଛାଡି଼ଦେଲା ଆଉ ନିଜେ ଅନ୍ଧାର ଭିତରେ ହଜିଯିବାକୁ ଚେଷ୍ଟାକଲା। ଆଗକୁ ଆଗକୁ ମାଡି଼ଚାଲିଲା ସେ ଜଣେ ବାପା ର ଶରୀର ନେଇକି ।
ସେ ଖୁସି ଥିଲା କି ଚିନ୍ତିତ ଥିଲା ସ୍ପଷ୍ଟ ବାରିହେଉନଥିଲା ଅନ୍ଧାରରେ । କିନ୍ତୁ ନିଶ୍ଚୟ ଅନୁତାପ କରୁଥିଲା ଝୁମୁରି ସହିତ ଆଜି ବିଶ୍ୱାସଘାତକତା କରିଥିବାରୁ ।
ଆଜିଯାଏ ସେ ତା’ର ସବୁ ସୁଖଦୁଃଖକୁ ଝୁମୁରି ପାଖରେ  ବାଣ୍ଟି ଆସିଛି । ଆଜି କଣ କଲା ସିଏ ! ଯେତେ ଚେଷ୍ଟା କଲେବି ସେ କହିପାରିଲାନି କାହିଁକି ତା ଜୀବନ କାହାଣୀରେ ସୃଷ୍ଟି ହୋଇଥିବା ଝଡ଼ର ଶେଷଭାଗ ସୁଖାନ୍ତକ ନୁହେଁ ବରଂ ଦୁଖାନ୍ତକ ବୋଲି । ସନ୍ଧ୍ୟାରେ ଡାକ୍ତରଖାନାରୁ ଆସିଥିବା ଫୋନରେ କେବଳ ନବଶାବକର ଜନ୍ମର ଖବର ଆସିନଥିଲା । ତା ସହିତ ହୃଦୟକୁ ରୁନ୍ଧି ଦେଲା ଭଳି ଏକ ଖବର ମଧ୍ୟ ଆସିଥିଲା ।
 ” ଆପଣ ମକରନ୍ଦ ବାବୁ ?
ଅରୂପା ଦେବୀ ଆପଣଙ୍କ ପତ୍ନୀ ?
ଦୁଃଖର ସହିତ କହିବାକୁ ପଡୁଛି ସମ୍ପୂର୍ଣ୍ଣ ସୁସ୍ଥ କନ୍ୟାଟେ ଜନ୍ମ କରିଥିଲେବି ପ୍ରସବ ସମୟର ଅଧିକ କଷ୍ଟକୁ ସହିନପାରି ଆପଣଙ୍କ ପତ୍ନୀ ଆଉ ଇହ ଜଗତରେ ନାହାନ୍ତି । ଆବଶ୍ୟକୀୟ ପ୍ରମାଣପତ୍ର ସହ ଆପଣଙ୍କ ଶିଶୁକୁ ଯେତେଶିଘ୍ର ସମ୍ଭବ ନେଇଯାଆନ୍ତୁ ।ଯୋଗାଯୋଗ ପାଇଁ ଆମ ଠିକଣା ଲେଖିରଖନ୍ତୁ । “
ରକ୍ତତୀର୍ଥ ଇରମ, ଭଦ୍ରକ – ମୋ-୯୭୭୮୯୫୦୦୯୨

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.