Latest Odisha News

BREAKING NEWS

ବାଇଗଣ ବାଡ଼ିରେ ଶ୍ରୀଜଗନ୍ନାଥ: ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀଜୟଦେବଙ୍କ ଶ୍ରେଷ୍ଠ କାବ୍ୟକୃତି ଗୀତଗୋବିନ୍ଦକୁ ନେଇ ଅନେକ ସୁନ୍ଦର କିମ୍ବଦନ୍ତିମାନ ରହିଛି । ଗୀତଗୋବିନ୍ଦ ଯେ ମହାପ୍ରଭୁଙ୍କର କେତେ ପ୍ରିୟ ସେହି କଥାର ପ୍ରମାଣ ରହିଛି ଅନେକ କଥାବସ୍ତୁରେ ।

ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମେଘନାଥ ପାଚେରୀ ମଧ୍ୟରେ ନୈରତ୍ୟ କୋଣସ୍ଥ ବିସ୍ତୃତ ବଗିଚାରେ ବହୁ ପ୍ରକାର ଫୁଲଗଛ ସହିତ ବିଭିନ୍ନ ପରିବା ଚାଷ କରାଯାଇଥାଏ । ତାହାର ଦାୟିତ୍ୱରେ ଜଣେ ମାଳୀ ଥିଲା । ତାର ନାମ ଥିଲା ଧନେଶ୍ୱର । ମାଳୀ ଧନେଶ୍ୱର ପରିବାର ସହିତ ପଶ୍ଚିମ ଦ୍ୱାର ନିକଟରେ ଏକ ଚାଳ ଘରେ ରହୁଥାଏ । ଏହି ବଗିଚାର ଅଧାରୁ ଅଧିକ ଭାଗରେ ବାଇଗଣ ଚାଷ ହୋଇଥାଏ । ଦିନେ ପିତା ଧନେଶ୍ୱର ଅସୁସ୍ଥ ରହିଥିବା ଯୋଗୁଁ ଝିଅ ମାଳିନୀ ବଗିଚାକୁ ଆସିଥିଲା ବାଇଗଣ ତୋଳିବାକୁ । ଝିଅଟି ଭଲ ଗୀତ ଗାଇଥାଏ । ଭୋର୍ ସମୟ ଥିବାରୁ ମାଳିନୀ ଗୀତଗୋବିନ୍ଦ ଗାଉଥିଲା । ବାଇଗଣ ବାଡ଼ିରେ ସୁନ୍ଦର କଣ୍ଠରେ ଗୀତଗୋବିନ୍ଦ ଗାଉଥିଲା ବାଳିକା ମାଳିନୀ । ମହାପ୍ରଭୁ ତ ସହଜରେ ଗୀତଗୋବିନ୍ଦ ଶୁଣିବାକୁ ବେଶ୍ ଭଲ ପାଆନ୍ତି । କାଳିଆ କହ୍ନେଇ ସେ ତ ରସିକରାଜ । ଗୀତଗୋବିନ୍ଦ ଶୁଣିବାକୁ କାଳିଆ ଖୁବ୍ ଭଲପାଏ । ବାଇଗଣ ବାଡ଼ିରେ ଗୀତ ଗୋବିନ୍ଦର ସୁନ୍ଦର ସ୍ୱର ଶୁଣି ଆଉ କ’ଣ ଥୟ ଧରି ରହିପାରିବ କାଳିଆ ! ଧାଇଁ ଆସିଲା ବାଇଗଣ ବାଡ଼ିକୁ ଟିକେ ଗୀତ ଗୋବିନ୍ଦ ଶୁଣିବାକୁ ।

ମାଳିନୀ ବାଡ଼ିରେ ବାଇଗଣ ତୋଳି ଚାଲିଥାଏ, ଗୀତ ଗୋବିନ୍ଦ ସୁନ୍ଦର କୋକିଳ କଣ୍ଠରେ ଗାଇ ଚାଲିଥାଏ । ମହାପ୍ରଭୁ ଗୀତ ଶୁଣି ଶୁଣି ମାଳିନୀ ପଛେ ପଛେ ଚାଲିଥାଆନ୍ତି । ମାଳିନୀ ଗୀତ ଗାଇବା ବନ୍ଦ କରିବା ପରେ ମହାପ୍ରଭୁ ତରତର ହୋଇ ଶ୍ରୀମନ୍ଦିରକୁ ଧାଇଁ ଧାଇଁ ଚାଲିଆସିଲେ ।

ପଣ୍ଡା ପଢିଆରିମାନେ ରତ୍ନସିଂହାସନରେ ଦେଖିଲେ ମହାପ୍ରଭୁଙ୍କ ବସନ ଚିରିଯାଇଛି । ଏପରିକି ସେହି ବସନରେ ବାଇଗଣ କଣ୍ଟା ଲାଗିଥିବାର ମଧ୍ୟ ଦେଖିଲେ । ଆଶ୍ଚର୍ଯ୍ୟ ଚକିତ ହେଲେ ପଣ୍ଡାମାନେ । ସେବକ ମାନଙ୍କ ମାଧ୍ୟମରେ ରାଜାଙ୍କୁ ଏକଥା ଜଣାଇ ଦିଆଗଲା । ରାଜା ଏସବୁ ଶୁଣି ଶ୍ରୀମନ୍ଦିରକୁ ଧାଇଁ ଆସିଲେ । ଏହାର କାରଣ କ’ଣ । କ’ଣ ରହିଛି ଏହା ପଛର ରହସ୍ୟ । ରାଜା ଶ୍ରୀଜଗନ୍ନାଥଙ୍କ ଚରଣ ତଳେ ପ୍ରାର୍ଥନା କଲେ । ସେଠାରେ ଶୂନ୍ୟବାଣୀ ହେଲା ।

ଅଧିକ ପଢନ୍ତୁ – ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ରଥ ନିର୍ମାଣର ଚମତ୍କାରିତା…

ମହାପ୍ରଭୁ ଶ୍ରୀଜଗନ୍ନାଥ ଶୂନ୍ୟବାଣୀ ଦ୍ୱାରା ରାଜାଙ୍କୁ ସମସ୍ତ ସତ କଥା କହିଲେ । କିପରି ଧନେଶ୍ୱର ମାଳୀର ଝିଅ ମାଳିନୀ ସୁନ୍ଦର କଣ୍ଠରେ ଗୀତଗୋବିନ୍ଦ ବୋଲୁଥିଲା । ମହାପ୍ରଭୁ କିପରି ବାଇଗଣ ବାଡ଼ିରେ ତା ପଛରେ ଯାଇ ଗୀତ ଶୁଣୁଥିଲେ ତାହାର ସମସ୍ତ ବୃତ୍ତାନ୍ତ କହିଲେ ମହାପ୍ରଭୁ ।

ମୁଁ ବାଇଗଣ ବାଡ଼ିରେ ଦୌଡ଼ି ଚାଲି ଆସିିବାରୁ ମୋର ବସନରେ କଣ୍ଟା ଲାଗି ଚିରିଯାଇଛି ବୋଲି ମହାପ୍ରଭୁ କହିଲେ ।

ରାଜା ମାଳିନୀକୁ ଡକାଇ ପଠାଇଲେ । ସେଦିନଠାରୁ ଶ୍ରୀମନ୍ଦିରରେ ମାଳିନୀ ସୁନ୍ଦର କଣ୍ଠରେ ମହାପ୍ରଭୁଙ୍କ ସାମ୍ନାରେ ଗୀତଗୋବିନ୍ଦ ଗାଇଲା । ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମାଳିନୀ କନ୍ୟାର ବଂଶଧରମାନେ ଗୀତ ଗୋବିନ୍ଦ ଗାଇଥାଆନ୍ତି ।

ଭାରତୀୟ ଅଧ୍ୟାତ୍ମିକ ଚେତନାର ପରମ ଓ ଚରମ ଅଭିବ୍ୟକ୍ତି ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାର ପଟ୍ଟାନ୍ତର ନାହିଁ । ସେ ଜଗତର ନାଥ, ସେ ଅନ୍ତର୍ଯ୍ୟାମୀ ତ ସେ ଭାବଗ୍ରାହୀ ସେ ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ।

Leave A Reply

Your email address will not be published.