Latest Odisha News

BREAKING NEWS

ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍‍ ହକ୍‍

ବାଂଲାଦେଶର ବହୁଚର୍ଚ୍ଚିତ କଥାକାର, କବି ଓ ସାମ୍ବାଦିକ ଆନିସୁଲ୍ ହକ୍ ସ୍ୱରଚିତ ଉପନ୍ୟାସ ‘ମା’ ପାଇଁ ପ୍ରସିଦ୍ଧ । ୩୦ରୁ ଅଧିକ ବଙ୍ଗଳା ସଂସ୍କରଣ ଓ ଦେଶୀ ବିଦେଶୀ ଭାଷାରେ ଅନୁବାଦ ହୋଇସାରିଥିବା ଏହି ପୁସ୍ତକ ୧୯୭୧ ବାଂଲାଦେଶ ମୁକ୍ତି ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ । ‘ମା’ ବହିଟି ଦିବଂଗତ ଲେଖକ ଓ ଚିତ୍ରକର ସୁରେଶ ବଳବନ୍ତରାୟଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ଓ ‘ଟାଇମପାସ୍‍’ ଦ୍ୱାରା ପ୍ରକାଶିତ । ଓଡ଼ିଆ ସଂସ୍କରଣର ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ଅବସରରେ ଔପନ୍ୟାସିକ ଆନିସୁଲ୍‍ ହକ୍‍ଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍‍ ହକ୍‍

କେମିତି ଓ କେବେ ଆରମ୍ଭ କଲେ ଲେଖାଲେଖି?
ପିଲାଦିନରୁ ସବୁ ବଙ୍ଗାଳୀ ପୁଅପିଲାଙ୍କ ଭଳି ମୁଁ ଫୁଟବଲ୍‍ ଖେଳିବା ଓ କବିତା ଆବୃତ୍ତି କରିବାରେ ଅଭ୍ୟସ୍ତ ଥିଲି । କିନ୍ତୁ ତା’ ଅର୍ଥ ନୁହେଁ ଯେ ମୁଁ ଅତି ପିଲାବେଳୁ ଲେଖକ ହେବାକୁ ଚାହୁଁଥିଲି । ତେବେ ହଁ, ମୋ ସ୍କୁଲ୍ ଜୀବନରେ ମୁଁ ଅନେକ ପ୍ରାଚୀରପତ୍ରରେ ମୋ ନିଜ ଲେଖା ଓ ଚିତ୍ର ପ୍ରକାଶ କରିଥିଲି। ମୁଁ ମଧ୍ୟ ସେତେବେଳେ ପିଲାଙ୍କ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପାଇଁ ନାଟକ ଲେଖୁଥିଲି ଓ ସେସବୁ ସ୍କୁଲପିଲାଙ୍କ ଦ୍ୱାରା ମଂଚସ୍ଥ ହେଉଥିଲା । କିନ୍ତୁ ଢାକାର ଇଂଜିନିଅରିଂ ୟୁନିଭର୍ସିଟିରେ ପ୍ରଥମ ବର୍ଷରେ ପଢ଼ିଲା ବେଳେ ହିଁ ମୁଁ ମୋର ବନ୍ଧୁମାନଙ୍କ ଆଗରେ ଘୋଷଣା କରିଥିଲି ଯେ ମୁଁ ଜଣେ କବି ହେବାକୁ ଚାହୁଁଛି । ସେ ସମୟରେ ମୋର ବୟସ ଉଣେଇଶି । ତେବେ ଏପରି ଚିନ୍ତା ମୋ ମନକୁ ସଂକ୍ରମିତ ହୋଇଥିଲା ବହୁ ପ୍ରସିଦ୍ଧ ବଙ୍ଗଳା କବିଙ୍କ ପ୍ରଚୁର କବିତା ପଢ଼ି ।

କେଉଁ କାରଣରୁ ଲେଖକ ହେବାକୁ ଆଗ୍ରହ ପ୍ରକାଶ କଲେ?
ପୂର୍ବ ପ୍ରଶ୍ନର ଉତ୍ତରରେ କହିଛି ଯେ କବିତା ହିଁ ମୋତେ ସଂକ୍ରମିତ କରିଥିଲା । ଯେତେବେଳେ ମାତ୍ର ୧୭ / ୧୮ ବର୍ଷ ବୟସରେ ଆଧୁନିକ କବିତା ପଢ଼ିବା ଆରମ୍ଭ କଲି, ମୁଁ ଆବିଷ୍କାର କଲି ଶବ୍ଦର ରହସ୍ୟମୟ ଏକ ଦୁନିଆ, ଯାହା କେବଳ ଆନନ୍ଦ ହିଁ ବାଣ୍ଟେ । ସେଇ ସମୟରେ ମୁଁ ପଢ଼ିଲି କିଛି ବଙ୍ଗଳା କବିତା, ଯାହା ଗଦ୍ୟରେ ଲେଖା ଯାଇଥିଲା । ତେବେ ସେସବୁ ଗଦ୍ୟ ନଥିଲା, ଥିଲା କବିତା । ତାହେଲେ ଗଦ୍ୟ ଆଉ ପଦ୍ୟ ଭିତରେ ଫରକଟା କ’ଣ? – ମୁଁ ନିଜକୁ ନିଜେ ପ୍ରଶ୍ନ କରିଥିଲି । ତା’ପରେ ମୁଁ ଆରମ୍ଭ କରିଥିଲି କବିତାର ରହସ୍ୟକୁ ନେଇ ଖୋଳତାଡ଼ । ତେଣୁ ମୁଁ ପଢ଼ିଚାଲିଲି ଅଧିକରୁ ଅଧିକ କବିତା ଏବଂ ହୋଇଚାଲିଲି ଅଧିକରୁ ଅଧିକ କବିତାର ସଂକ୍ରମଣର ଶିକାର । ମୋର ପ୍ରଥମ ବହି, ଯାହା ମୋର ସ୍କୁଲ୍ କ୍ୟାରିଅରରେ ପ୍ରକାଶ ପାଇଥିଲା, ତାହା ଥିଲା କବିତା । ସିଭିଲ୍ ଇଞ୍ଜିନିଅରିଂରେ ଗ୍ରାଜୁଏସନ୍ ପରେ ମୋର ଜଣେ ଉପର କ୍ଲାସର ବନ୍ଧୁଙ୍କ ଦ୍ୱାରା ପ୍ରକାଶ ପାଉଥିବା ଗୋଟିଏ ସାପ୍ତାହିକ ପତ୍ରିକାରେ ମୁଁ ସହ-ସଂପାଦକ ଭାବେ କାମ କଲି । ତାହା ହିଁ ମୋତେ ଲେଖାଲେଖି ଓ ସାଂବାଦିକତାର ଦୁନିଆକୁ ଟାଣିନେଇଗଲା । ଲେଖାଲେଖି ପାଲଟିଗଲା ମୋର ନିଶା । ମୁଁ ଧୀରେଧୀରେ ସ୍ତମ୍ଭ ଲେଖିବାକୁ ଆରମ୍ଭ କଲି । ଲୋକେ ମୋତେ ଜଣେ ସ୍ତମ୍ଭଲେଖକ ଭାବେ ଚିହ୍ନିବାକୁ ଲାଗିଲେ । ସିଭିଲ୍ ଇଂଜିନିଅରିଂ ପାଶ୍ କଲା ପରେ ମୁଁ ଯୋଗଦେଲି ରେଳବାଇ ବିଭାଗରେ । ମାତ୍ର ୧୫ ଦିନ ପରେ ମୁଁ ପୁଣି ଚାକିରି ଛାଡ଼ି ଫେରି ଆସିଲି ସାମ୍ବାଦିକତାକୁ । ଗୋଟେ ସାପ୍ତାହିକ ପତ୍ରିକାରେ ମୁଁ ଧାରାବାହିକ ଭାବେ ଆରମ୍ଭ କରିଦେଲି ମୋର ପ୍ରଥମ ଉପନ୍ୟାସ, ଯେତେବେଳେ କି ମୁଁ ଜାଣିନଥିଲି ‘ଉପନ୍ୟାସଟା ପିଲାଖେଳ ନୁହେଁ’ । ତଥାପି ମୁଁ ଆରମ୍ଭ କଲି ଓ ଶେଷ କଲି ଏବଂ ମୋ ପ୍ରଥମ ଉପନ୍ୟାସର ଲେଖକ ପାଲଟିଗଲି ।

ବାଂଲାଦେଶୀ ସାହିତ୍ୟରେ ନୂଆ ଟ୍ରେଣ୍ଡ୍ କ’ଣ? ବିଶେଷକରି ଗଳ୍ପ ଓ କବିତାରେ?
ବାଂଲାଦେଶୀ ସାହିତ୍ୟରେ ଅନେକ ଟ୍ରେଣ୍ଡ୍ ଅଛି । କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆମର ଏଠି ଅଛନ୍ତି ଖୁବ୍ କମ୍ ପରୀକ୍ଷାନିରିକ୍ଷା କରୁଥିବା ଲେଖକ, ଯେଉଁମାନେ କିଛି ନୂଆ କଥା କରିବାକୁ ଚେଷ୍ଟା କରୁଛନ୍ତି । ଉପନ୍ୟାସ କ୍ଷେତ୍ରରେ ଏଠି ଅଛି ଦୁଇଟି ଧାରା, ଗୋଟେ ଲୋକପ୍ରିୟ ଓ ଅନ୍ୟଟି ସିରିଅସ୍ । କିନ୍ତୁ ଆମ ସାହିତ୍ୟରେ କିଛି ବରିଷ୍ଠ ଲେଖକ ଅଛନ୍ତି, ଯେଉଁମାନେ ଆନ୍ତର୍ଜାତୀୟ ମାନର କାମ କରିଛନ୍ତି । ହାସନ୍ ଅଜିଜୁଲ୍ ହକ୍ ଏବଂ ସ୍ୱର୍ଗତ ଅଖତାରୁଜମାନ୍ ଏଲିଆସ୍ ଉପନ୍ୟାସ ପାଇଁ ଆନନ୍ଦବଜାର ସାହିତ୍ୟ ପୁରସ୍କାାର ପାଇଛନ୍ତି । ସ୍ୱର୍ଗତ କବି ସାମସୁର୍‍ ରେହମାନ୍ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ । ଘଟଣାକ୍ରମେ ସେମାନେ ବାଂଲାଦେଶୀ ସାହିତ୍ୟରେ ଜଣାଶୁଣା ହୋଇସାରିଛନ୍ତି । କିନ୍ତୁ ମୁଁ ସୟିଦ୍ ସାମସୁର୍‍ ହକ୍, ମହମ୍ମୁଦୁଲ୍ ହକ୍, ସେଲିନା ହୁସେନ୍ ଏବଂ କବି ଅଲ୍ ମହମ୍ମୁଦ୍ମାନଙ୍କୁ ଏ କ୍ଷେତ୍ରରେ ଶ୍ରେୟ ଦେବାକୁ ଚାହେଁ, ଯେଉଁମାନେ କି ବାଂଲାଦେଶୀ ସାହିତ୍ୟର ପ୍ରମୁଖ ଲେଖକ । ଏ ସମସ୍ତେ ଆଧୁନିକ; ମୁଖ୍ୟତଃ ସେମାନଙ୍କ ଲେଖାରେ ସେମାନେ ଧର୍ମନିରପେକ୍ଷ ଓ ମାନବୀୟ ସଂବେଦନାର ପକ୍ଷପାତୀ । ୧୯୭୧ର ମୁକ୍ତି ଆଂଦୋଳନ ଏବଂ ୧୯୫୨ର ବଙ୍ଗଳା ଭାଷା ଆଂଦୋଳନଗୁଡ଼ିକ ବାଂଲାଦେଶୀ ଲେଖକଙ୍କ ପାଇଁ ପ୍ରମୁଖ ପ୍ରେରଣା । ଏହି ଆଂଦୋଳନ ଓ ଯୁଦ୍ଧ ଆମ ଜାତିର ପ୍ରଗତିରେ ଗୋଟିଏ ଗୋଟିଏ ବତୀଖୁଣ୍ଟ ପରି କାମ କରିଛି । ଏହି ବତୀଖୁଣ୍ଟ ଆମକୁ ବାରଂବାର ଦିଗ୍ଦର୍ଶନ ଓ ପ୍ରେରଣା ଦେଇ କହିଛି ଯେ ଆମେ ହେଉଛୁ ବେଙ୍ଗଲୀ, ଆମେ ମଣିଷ, ଏହା ହିଁ ଆମର ପ୍ରଥମ ପରିଚୟ, ତା’ପରେ ଯାଇ ପ୍ରଶ୍ନ ଉଠୁଚି ଆମ ଧର୍ମୀୟ ବିଶ୍ୱାସର । ଏଇ ସମସ୍ତ ବିଷୟ ଆମ ସାହିତ୍ୟକୁ ରୂପ ଦେଇଛି ।

ଭାରତୀୟ ସାହିତ୍ୟ ସଂପର୍କରେ ଆପଣଙ୍କ ମତ କ’ଣ?
ପଶ୍ଚିମବଙ୍ଗର ସାହିତ୍ୟ ଆମେ ପଢ଼ୁ । ତେଣୁ ଭାରତୀୟ ବଂଗଳା ସାହିତ୍ୟ ଉପରେ ଆମର କିଛି ଧାରଣା ରହିଛି । ଆମେ ମଧ୍ୟ ଭାରତୀୟ ଇଂରାଜୀ ସାହିତ୍ୟ ପଢ଼ିଛୁ । ଯେମିତିକି ଅରୁନ୍ଧତୀ ରାୟ, ଝୁମ୍ପା ଲାହିଡ଼ି, ସଲମନ୍‍ ରସଦୀ, ବିକ୍ରମ୍ ସେଠ୍ ଏବଂ ଅମିତାଭ୍ ଘୋଷ । ତେବେ ଅନ୍ୟ ଆଂଚଳିକ ଭାରତୀୟ ଭାଷାର ସାହିତ୍ୟ ସଂପର୍କରେ ଆମେ ସଂପୂର୍ଣ୍ଣ ଅଜ୍ଞ ।

ଆଉ ଓଡ଼ିଆ ସାହିତ୍ୟ?
ସତ କହିବାକୁ ଗଲେ କେବଳ ସରୋଜିନୀ ସାହୁଙ୍କ ଏକ ଉପନ୍ୟାସକୁ ଛାଡ଼ିଦେଲେ ଓଡ଼ିଆ ସାହିତ୍ୟ ସଂପର୍କରେ ମୋର ସେପରି କୌଣସି ଧାରଣା ନାହିଁ । ତାଙ୍କର ଏକ ଉପନ୍ୟାସ ‘ଗମ୍ଭିରିଘର’ ବଙ୍ଗଳାରେ ଅନୂଦିତ ହୋଇ ବାଂଲାଦେଶରେ ପ୍ରକାଶିତ ହୋଇଛି । ସେ ତାଙ୍କର ଲେଖିବା ଶୈଳୀ, କାହାଣୀର ଉପସ୍ଥାପନା ଏବଂ ବିଶ୍ୱସ୍ତରୀୟ ଚିନ୍ତନ ପାଇଁ ସ୍ୱତନ୍ତ୍ର । ଜଣେ ବାମାବାଦୀ ଲେଖିକା ଭାବେ ତାଙ୍କର ନିଜସ୍ୱ ଏକ ସ୍ୱର ଅଛି । ତାଙ୍କ ବ୍ୟତୀତ ମୁଁ ଜଗଦୀଶ ମହାନ୍ତିଙ୍କ ନାମ ବି ଶୁଣିଛି । ସେ ଓଡ଼ିଆ ସାହିତ୍ୟର ଜଣେ ମୁର୍ଦ୍ଧନ୍ୟ କଥାକାର । ମୁଁ ଏବେ ଜାଣୁଛି ଯେ ମୋ ବହିର ପ୍ରକାଶକ ସରୋଜ ବଳ ବି ଜଣେ ଚର୍ଚ୍ଚିତ ଲେଖକ । କିନ୍ତୁ ମୁଁ ଅନ୍ୟ ଓଡ଼ିଆ ଲେଖକମାନଙ୍କୁ ଜାଣି ନଥିବାରୁ ଦୁଃଖ ପ୍ରକାଶ କରୁଛି । ମୁଁ ମୋର ଅଜ୍ଞତାକୁ ନେଇ ଗର୍ବ କରୁନାହିଁ ଏବଂ ଏହା ମଧ୍ୟ ସୁସ୍ଥ ପରଂପରା ନୁହେଁ ଯେ ଆମେ ଆମର ପାଖପଡେ଼ାଶୀର ସାହିତ୍ୟ ଓ ସାହିତ୍ୟିକଙ୍କୁ ଜାଣିପାରୁନୁ ।

ଆଜିର ଏଇ ଗ୍ଲୋବାଲାଇଜେସନ୍ ଯୁଗରେ ଭାବୁଛନ୍ତି କି ‘ସାହିତ୍ୟ’ର ସତ୍ତା ଅମଳିନ ରହିବ?
ହଁ, ରହିବ । ଆମେ ଏବେ ଶହେ ବର୍ଷ ଆଗକୁ ଯାଇ ୨୧୦୮ମସିହାର ଏକ ପୃଥିବୀକୁ କଳ୍ପନା କରିପାରିବା, ଯେଉଁଠି ସାହିତ୍ୟର ରୂପ ଆଉ ଆତ୍ମା ବଦଳି ଯାଇଥିବ, ସାହିତ୍ୟ ହୋଇଯାଇଥିବ ଅଧିକରୁ ଅଧିକ ଡିଜିଟାଲ୍, ଟେକ୍ନୋ-ନିର୍ଭରଶୀଳ । କିନ୍ତୁ ଏସବୁ ସତ୍ୱେ ମଣିଷର କିଛି ନା କିଛି ଭାଷା ଥିବ ଏବଂ ସେମାନଙ୍କର ସାଧାରଣ ଅନୁଭବ ବି ବଂଚିରହିଥିବ । ଦୁଇ ମଣିଷଙ୍କ ଭିତରର ସଂପର୍କ ଏବଂ ମଣିଷ ଓ ପୃଥିବୀ ଭିତରର ସଂପର୍କକୁ ଭବିଷ୍ୟତର ଲେଖକମାନେ ନିଶ୍ଚୟ ଅନୁସଂଧାନ କରିବେ, ଯେମିତି ଏବେ ଆମେ କରୁଛୁ ।

ତସଲିମା ନସରିନ୍‍ଙ୍କ ସାହିତ୍ୟ-ପ୍ରତିଭା ସଂପର୍କରେ ଆପଣଙ୍କ ମତ କ’ଣ?
ଯଦି ସେ ଦେଶରୁ ବିତାଡ଼ିତ ହୋଇ ନଥାନ୍ତେ, ମୁଁ ଜାଣେନା ଏବେ ତାଙ୍କର କ’ଣ ହୋଇଥାନ୍ତା । ହୁଏତ ସେ ଏତେ ବେଶି ପ୍ରସିଦ୍ଧ ହେବାକୁ ସୁଯୋଗ ପାଇନଥାନ୍ତେ । ନିଃସଂଦେହରେ ସେ ଜଣେ ଶକ୍ତିଶାଳୀ ଲେଖକ । ତେବେ ଅତିରିକ୍ତ-ଚର୍ଚ୍ଚିତ । କିନ୍ତୁ ମୁଁ ଜଣେ ଲେଖକ ଭାବେ ତାଙ୍କ ଯଂତ୍ରଣାକୁ ଅନୁଭବ କରିପାରୁଛି । ବଂଗଳା କହୁଥିବା ଓ ଲେଖୁଥିବା ଜଣେ ଲେଖକକୁ ଯଦି ନିଜ ଦେଶରୁ ଅନ୍ୟ ଦେଶକୁ ନିର୍ବାସିତ ହେବାକୁ ପଡେ଼, ଯେଉଁଠି ସେ ନିଜ ଭାଷାରେ କହି ଓ ଲେଖି ପାରିବ ନାହିଁ, ବାସ୍ତବିକ ବିନା ପାଣିରେ ମାଛ ପରି ତା’ର ପରିସ୍ଥିତି ହେବ । ପ୍ରତିଟି ମଣିଷର କହିବା ଓ ଲେଖିବାର ଅଧିକାର ଅଛି । ତେବେ ଜଣେ ଇଚ୍ଛାକୃତ ଭାବେ କେବେ ଅନ୍ୟ ଜଣଙ୍କର ବିଶ୍ୱାସରେ ଆଘାତ ଦେବା ଉଚିତ ନୁହେଁ । ଏ ପୃଥିବୀ ଏମିତି ଏକ ଜାଗା, ଯେଉଁଠି ଉଭୟ ଆସ୍ତିକ ଓ ନାସ୍ତିକ ବାସକରନ୍ତି; ପ୍ରତ୍ୟେକଙ୍କ ଜୀବନଧାରା ଓ ଚିନ୍ତାଧାରାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ।

ସାହିତ୍ୟକୁ ଜୀବିକା କରି ଜଣେ ଲେଖକ ବାଂଲାଦେଶରେ ବଂଚିଯାଇପାରିବ କି?
ହଁ, ଯଦି ଜଣେ ଲେଖକ ନିଜ ଲେଖାରେ କିଛି ଲୋକପ୍ରିୟ ମାଧ୍ୟମ ଗ୍ରହଣ କରେ, ଯେମିତିକି ସିନେମା ଓ ଟିଭି ପାଇଁ ସ୍କ୍ରିପ୍ଟ ଲେଖିବା ଇତ୍ୟାଦି । ଏବଂ ନା, ଯଦି ଜଣେ ଲେଖକ କେବଳ ସିରିଅସ୍ ଭାବେ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଲେଖାଲେଖି କରେ ।

ଆପଣଙ୍କ ଦେଶରେ ପ୍ରକାଶନର ପରଂପରା ଓ ସ୍ଥିତି କିପରି?
ବାଂଲାଦେଶର ପ୍ରକାଶନ ଏବେ ପ୍ରଗତିର ରାସ୍ତାରେ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତି ବର୍ଷ ସ୍କୁଲ୍ ଓ ହାଇସ୍କୁଲରୁ ବାହାରୁଛନ୍ତି । ସେମାନଙ୍କର ପଢ଼ିବା ପାଇଁ ଦର୍କାର ହେଉଛି ବହି । ତେଣୁ ପ୍ରକାଶକଙ୍କର ଦର୍କାର ହେଉଛନ୍ତି ଅଧିକରୁ ଅଧିକ ଲେଖକ । ଆମର ବେଷ୍ଟସେଲର୍‍ କାହାଣୀକାର ହେଉଛନ୍ତି ହୁମାୟୁନ୍ ଅହମ୍ମଦ, ଯାହାଙ୍କର ଗୋଟିଏ ଗୋଟିଏ ବହି ୫୦,୦୦୦ରୁ ଅଧିକ ସଂଖ୍ୟାରେ ବିକ୍ରିହୁଏ । ଆମର ସରକାର ଏବଂ ଏନ୍.ଜି.ଓ.ଗୁଡ଼ିକ ଲାଇବ୍ରେରୀ ପାଇଁ ପ୍ରଚୁର ବହି କିଣନ୍ତି । ତେଣୁ ବାଂଲାଦେଶରେ ପ୍ରକାଶନ ଏକ ଲାଭଦାୟକ ବ୍ୟବସାୟ ଭାବେ ଗଣାଯାଏ ।

ଆପଣ ମଧ୍ୟ ଜଣେ ବରିଷ୍ଠ ସାମ୍ବାଦିକ । କହିପାରିବେ କି ଜଣେ ଲେଖକ ଓ ସାଂବାଦିକ ଭିତରେ ସୂକ୍ଷ୍ମ ପ୍ରଭେଦଟି କ’ଣ?
କଥିତ ଅଛି , ‘ରାଇଟିଂ ଏ ନଭେଲ୍ ଇଜ୍ ଏ କି୍ରଏଟିଭ୍ ଜର୍ଣ୍ଣାଲିଜମ୍ ।’ ଜଣେ ସାଂବାଦିକ ସତ୍ୟ ଓ ବାସ୍ତବତା ପ୍ରତି ସଚ୍ଚୋଟ ଓ ବସ୍ତୁନିଷ୍ଠ ରହିବା ଆବଶ୍ୟକ । ଅପରପକ୍ଷେ ଜଣେ ଲେଖକ ବିଷୟନିଷ୍ଠ ରହିବା ବାଂଛନୀୟ । କାରଣ, ଜଣେ ଲେଖକ ନିଜର ଦୃଷ୍ଟି ଓ ଦର୍ଶନ ଦେଇ ବାସ୍ତବତାକୁ ଲକ୍ଷ୍ୟ କରିପାରିବ । ସେ ପୃଥିବୀକୁ ପୁଣିଥରେ ଗଢ଼ି ପାରିବ ।

‘ମା’ର ଓଡ଼ିଆ ଅନୁବାଦ ପଢ଼ିବାକୁ ଚାହୁଁଛନ୍ତି କି? ତଳେ କ୍ଲିକ୍‍ କରନ୍ତୁ…
https://www.amazon.in/dp/B07QCBM7DL?ref=myi_title_dp

Leave A Reply

Your email address will not be published.