Latest Odisha News

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ବଳଦେବ ସିଂହ ଜଣେ ପ୍ରସିଦ୍ଧ ପଞ୍ଜାବୀ ଉପନ୍ୟାସକାର ଓ ଗାଳ୍ପିକ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଉପନ୍ୟାସର ରଚନାକାର ଭାବେ ସେ ପଞ୍ଜାବୀ ପାଠକମାନଙ୍କ ନିକଟରେ ବେଶ୍ ସୁପରିଚିତ । ସେହିଭଳି ତାଙ୍କର ଗଳ୍ପଗୁଡ଼ିକ ସାମାଜିକ ସମସ୍ୟାବଳୀ ଉପରେ ଆଧାରିତ ଏବଂ ଦେଶ ବିଦେଶର ବହୁ ଭାଷାରେ ଅନୂଦିତ ।  ବଳଦେବ ସିଂହ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ବହୁ ସମ୍ମାନ ଓ ପୁରସ୍କାରରେ ଭୂଷିତ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦

ମୂଳ ପଞ୍ଜାବୀ: ବଳଦେବ ସିଂହ

ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ ଜିନିଷପତ୍ରସବୁ ହଟାଇବାକୁ ଚେଷ୍ଟା କରୁଥିଲି । ସେଦିନ ରବିବାର ଥିବାରୁଏଥିପାଇଁ ଅଧିକ ସମୟ ଦେଇ ହେଉଥିଲା । ମଇଳା ଓ ଅଦରକାରୀ ଜିନିଷସବୁ ଘରୁ ବାହାରକରି ସେସବୁକୁ ଅଗଣାରେ ରୁଣ୍ଡାଉଥିଲି । ଏ କାମରେ ମୋତେ ସାହାଯ୍ୟ କରିବାକୁ
ପିଲାମାନଙ୍କୁ ମଧ୍ୟ ମଙ୍ଗେଇ ଥିଲି ।

ପୁରୁଣା ଜୋତା, ଖାଲି ବୋତଲ, ପୁରୁଣା ସ୍କୁଲ ବହି ଓ ଖାତା, ପୁରୁଣା ପ୍ଲାଷ୍ଟିକ୍ ଫିତା, ଅଦରକାରୀ ନଳ, ଅକାମୀ ହୋଇଯାଇଥିବା ସୁଇଚ୍‌, ଭଙ୍ଗା କଣ୍ଢେଇ, ପୁରୁଣା ସାଇକେଲ ଟାୟାର ଓ ଆହୁରି କେତେ କେତେ ଜିନିଷ । ସେସବୁକୁ ପିଲାମାନେ ଖୁସିରେ ଟାଣିନେଇ ବାହାର ଅଗଣାରେ ଗଦେଇ ଚାଲିଥିଲେ । ସେମାନଙ୍କ ଲାଗି ଏ କାମ କୌଣସି ଖେଳକୁଦଠାରୁ ସୁଦ୍ଧା କମ୍ ଆମୋଦଦାୟକ ନ ଥିଲା । ସେମାନଙ୍କ ଉତ୍ସାହ ଦେଖି ମୁଁ ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲି! ଭଗବାନଙ୍କୁ ଜଣା ବେବେ
(ବୁଢ଼ୀମା’) ଘର ଭିତରେ କେତେ ଅଦରକାରୀ ଚିଜ ଜମେଇଥିଲା! ବେବେର ସଦାବେଳେ ଅଭିଯୋଗ, ‘ଆରେ ତାକୁ ରଖ । କେତେବେଳେ କାମରେ ଆସିବ ।’
ବେବେ ଆଜି ପଡ଼ିଶାଘର ଆଡ଼େ ବୁଲି ଯାଇଥିଲା । ସେଇ ସୁଯୋଗରେ ଆମର ‘ଅପରେସନ୍ କ୍ଲିନ୍‌’ ଚାଲିଥିଲା । ନ ହେଲେ ଆମ କାଣ୍ଡ କାରଖାନା ଦେଖି ସିଏ ବିଗିଡ଼ି ଗାଳିଗୁଲଜ କରିବା ଥୟ ଥିଲା । ଯେକୌଣସି ଜିନିଷଟିଏ ଉଠେଇଲେ ସେ ଅଭିଯୋଗ ବାଢ଼ି ଥାଆନ୍ତା, ‘ଏଇଟାକୁ କାଇଁକି ଫିଙ୍ଗି ଦେଉଚ? ଆଉ ଏ ଜୋତା ହଳକ? ଇଏ ତ ଭଲ ଅଛି, ଆଉ କିଛିଦିନ ପିନ୍ଧି ହେବ । ପିଲାମାନଙ୍କ ଖେଳନା କଣ୍ଢେଇ କ’ଣ କିଏଫିଙ୍ଗିଦିଏ? ଯାହା ପାଖରେ ସେସବୁ ଅଛି, ସିଏ ଭାଗ୍ୟବାନ… ।’
ଅଗଣାରେ ପୁରୁଣା ଓ ଭଙ୍ଗାରୁଜା ଜିନିଷପତ୍ର ଜମାହୋଇଥିଲା । ସତେ ଯେମିତି ଛୋଟକାଟର କବାଡ଼ିଆ ଦୋକାନଟିଏ! ରୋଷେଇଘରୁ ପତ୍ନୀ ବ୍ୟାଗ୍ ଭିତରୁ ସବୁତକ ଶୁଖିଲା ବାସିରୁଣି ବାହାରକରି କହିଲେ, ‘ଏତକ ବି ଫିଙ୍ଗି ଦଉଚି ।’ ଏତିକି କହି ସେ ଫିମ୍ପିଲଗା ଶୁଖିଲା ରୁଟିକୁ ଶୁଙ୍ଘିଲାବେଳେ ତାଙ୍କ ଦେହମୁଣ୍ଡ ଉଲୁସି ଉଠିଲା । ପିଲାମାନେ ଏବେବେର ପୁରୁଣା ଚରଖାଟାକୁ ଟାଣି ଟାଣି ଆଣୁଥିଲେ ।

ଚରଖାଟା ଭାରି ଓଜନିଆ । ପିଲାଏ ସାହାସି ଯାଉଥିଲେ । କାହିଁ କେଉଁ ଅମଳର ଚରଖା । ସେଥିରୁ ଅଧା ଉଈ ଖାଇ ସାରିଥିଲା । ମୁଁ ଭାବିଲି, ‘ଏ ଅଳିଆଟାକୁ ବି ଫିଙ୍ଗି ଦିଆଯାଉ ।’ ଗଲା ପଚିଶବର୍ଷରେ ବେବେ ଏଥିରେ ଦିନେହେଲେ ସୂତା କାଟିବାର ମୁଁ ଦେଖି ନ ଥିଲି । କିନ୍ତୁ ବେଳେବେଳେ ଚରଖାଟିକୁ ଝଡ଼ାଝଡ଼ି, ପୋଛାପୋଛି କରି ସାଇତି ରଖିବାର ମୁଁ ଅନେକ ଥର ଦେଖିଛି । କେତେବେଳେ କେମିତି ଏଇ ଚରଖାଟିକୁ ଚାହିଁ ସେ କିଛି ଗୁଣୁଗୁଣୁ ହୋଇ ଗପେ । ସତେ ଯେମିତି ଚରଖାଟା ରକ୍ତମାଂସରେ ଗଢ଼ା ମଣିଷଟିଏ! ମୁଁ କିନ୍ତୁ ଜାଣିଥିଲି ଚରଖାଟିର ସବୁ କଌକ୍ଷଗ୍ଧ;ା ଓ ଖିଲାଣ ଢିଲା ଓ ଦଦରା ହୋଇସାରିଥିଲା । ଏବେ ମୁଁ ମନେ ମନେ ଅପେକ୍ଷା କରୁଥିଲି ଜଣେ କବାଡ଼ିଆକୁ ଯିଏ ବେବେ ଆସିବା ଆଗରୁ ଏସବୁ ଅଳିଆ ଓ ଚରଖାଟିକୁ ନେଇ ଚାଲିଯିବ । କିନ୍ତୁ ମୁଁ ଯାହା ଆଶଙ୍କା କରୁଥିଲି ଠିକ୍ ସେଇଆ ହେଲା । ଅଗଣାରେ ବେବେଙ୍କ ବଙ୍ଗୁବାଡ଼ିର ଠୁକୁଠୁକୁ ଶବ୍ଦ ଶୁଭିଲା । ଧୀରେ ସେ ଶବ୍ଦ ନିକଟତର ହେଉଥିଲା । ଆସିବା ମାତ୍ରେ ତାଙ୍କର ନଜର ପ୍ରଥମେ ପଡ଼ିଲା ଅଗଣାର ସେଇ ଭଙ୍ଗାରୁଜା ଜିନିଷ ଗଦା ଉପରେ । ଆଶ୍ଚର୍ଯ୍ୟ ହେଲାପରି ସେ କହିଲେ, ‘ଆରେ ପୁଅ, ତୁ ଏସବୁ କ’ଣ କରୁଛୁ?’

ଚୋରଟିଏ ଧରାପଡ଼ିଗଲା ପରି ମୁଁ ବେବେଙ୍କ ମୁହଁକୁ କେବଳ ବଲବଲ କରି ଚାହିଁରହିଲି । ‘ଆଉ ଏ ଚରଖାଟାକୁ କାଇଁକି ବାହାର କରିଚୁ ଶୁଣେ?

କ’ଣ ତାକୁ ବି କବାଡ଼ିଆକୁ ଦେଇ ଦେବୁ?’ ଏତିକି କହିଲାବେଳକୁ ବେବେଙ୍କ ମୁହଁରେ କେମିିତି ଦୁଃଖ ଓ ହତାଶାର ମୁଦ୍ରା ଘୋଟି ଆସିଥିଲା ।, ସେକଥାକୁ ମୁଁ କଣେଇ କଣେଇ ଲକ୍ଷ୍ୟକଲି । କେତେ ଶ୍ରଦ୍ଧାରେ ସେ ସେଇ ଚରଖାଟି ଆଡ଼େ ଚାହିଁ ରହିଥିଲେ । ତାଙ୍କ ଆଖି ସେତେବେଳକୁ ଲହୁ ଛଳଛଳ ହୋଇ ଉଠିଥିଲା । ମୁଁ ଜାଣି ପାରୁଥିଲି ବେବେଙ୍କ ମନକୁ ଏସବୁ କେତେ ଆଘାତ ପହଞ୍ଚେଇଛି । କିନ୍ତୁ ମୋର ଏପରି କାଣ୍ଡ ଲାଗି ଲଜ୍ଜା ଅନୁଭବ କରିବା ବଦଳରେ ମୁଁ ବିରକ୍ତି ଭାବ ପ୍ରକଟ କରି
କହିଭଲି, ‘ବେବେ, ଏ ଭଙ୍ଗା ଚରଖାଟାରେ ତୁମେ ଭଲା କରିବ କ’ଣ? ତୁମେ କେବେ ଏଥିରେ ସୂତା କାଟିବାର ତ ମୁଁଦେଖିନି ।’  ‘ନା, ପ୍ରୁଅ । ମୁଁ କେବେ ଏଥିରେ ସୂଚା କାଟିନି । କ’ଣ ହେଲା ସେଇଠୁ? । ତା’ବୋଲି କ’ଣ ସେ ଚରଖାଟାକୁ ଘରୁ ଫିଙ୍ଗିଦେବା?

ଗଲା ଦଶବର୍ଷ ହେଲା ମୁଁ ତ ଘରର କିଛି ବୋଲି କିଛି କାମ କରୁନି । କୁଟା ଖଣ୍ଡେ ବି ଉଠେଇନି । ଭାତ ଗଣ୍ଡେ ରୋଷଇ କରିନି । ଘର ଅଗଣାକୁ ବି ଖରକିନି । ତା’ବୋଲି କ’ଣ ତୁ ମତେ ଏ ଘରୁ ଫିଙ୍ଗି ବାହାର କରିଦେବୁ?’ ବେବେଙ୍କ ଅକାଟ୍ୟ ଯୁକ୍ତି ମୋତେ ନିରବ କରିଦେଲା । ସେ ପୁଣି ପଚାରିଲେ, ‘ତୁ କ’ଣ ଜାଣିଛୁ? ଫତିମା ଉପରେ ଥିବା ବିଶ୍ୱାସର ସନ୍ତକ ସ୍ୱରୂପ ମୁଁ ଏ ଜିନିଷଖଣ୍ଡିକ ଆଜିଯାଏ ସାଇତି ରଖିଛି । ମୁଁ ବଞ୍ôଚଥିବାଯାଏ ତାକୁ କଦାପି ଫିଙ୍ଗିବିନି, ଫିଙ୍ଗି ପାରିବିନି । ମୁଁ ମଲାପରେ ତୁ ଚରଖାଟାକୁ ଯାହା କରୁଛୁ, କର । ‘ ବେବେ ରୋକଠୋକ ଘୋଷଣା କଲେ । ଏତିକି କହି ଅଳିଆ ଗଦା ଭିତରୁ ସେ ଚରଖାଟିକୁ ଉଠେଇନେଲେ ଓ ତାକୁ ନିଜ କୋଳରେ ଧରି ଆଉଁସିଲେ ।

ମୁଁ ଥରେ ବେବେଙ୍କ ମୁହଁକୁ ଚାହିିଁଲି ଓ ତା’ପରେ ଚରଖାଟିକୁ । ଚରଖାଟା କେମିତି ବଙ୍କା ଦିଶୁଥିଲା । ଯେଉଁ ଫିତାଟି ଚରଖାଟିକୁ ଘୂରାଏ, ସେଇଟ ସେଥିରେ ନଥିଲା । ଆଉ ଚରଖାଟିର ଅବସଥା କଥା ଭାବିଲେ ବରଂ ବେବେଙ୍କ ଅବସ୍ଥା ତା’ଠାରୁ ଭଲ ଲାଗୁଥିଲା । ବେବେଙ୍କ ଆଣ୍ଠୁଗଣ୍ଠି ବଥଉଥିଲା, କେଉଁ ଦିନୁ ଦାନ୍ତସବୁ ଝଡ଼ି ସାରିଥିଲା ଓ ଦୃଷ୍ଟିଶକ୍ତି କ୍ଷୀଣ ହୋଇ ସାରିଥିଲା ।

‘ସେତେବେଳେ ତୁ ଛୁଆଟିଏ ହୋଇଥିଲୁ । ତିନି କି ଚାରିବର୍ଷର ପିଲା ।’ ସେଇ ଦଦରା ଚରଖାଟି ଉପରେ ଦୃଷ୍ଟି ନିବଦ୍ଧ କରି ବେବେ କହି ଚାଲିଥିଲେ । କାହିଁ ପଞ୍ଚାବନ ବର୍ଷ ତଳର ସ୍ମୃତିକୁ ସେ ନିରେଖି ଚାହୁଁଥିଲେ । ‘ସେଦିନ କଥା ମୋର ଆଜି ବି ସ୍ପଷ୍ଟ ମନେ ଅଛି । ସୂର୍ଯ୍ୟ ଠିକ୍ ଅସ୍ତ ଗଲାବେଳକୁ ଫତିବା କାନ୍ଦି କାନ୍ଦି ଆସି ଆମ ଘରେ ଥିଲା । ମୋ ଆଗରେ ସେମିତି ଲୁହଭିଜା ଆଖିରେ କହିଥିଲା, ‘ଆଲୋ ଭଉଣୀ, ମୁଁ କ’ଣ ଶୁଣୁଚି ଦେଶ ସ୍ୱାଧୀନ ହେଇଗଲା । ଆଉ ନୂଆକରି ପାକିସ୍ତାନ ଗଢ଼ାହେଲା, ଭାରତଠାରୁ ଭିନେ ହୋଇ । ଆମେସବୁ ସେଠିକିଯିବୁ । ମୋ ଆବ୍‌ବା ଓ ଚାଚାଜାନ୍ ତ ଏବେଠାରୁ ପେଡ଼ିପୁଟୁଳା ବନ୍ଧାବନ୍ଧି କରିବା ଆରମ୍ଭ କରିଦେଲେଣି ।’

ହଠାତ୍ ଯେମିତି ମୋର ନିଃଶ୍ୱାସ ବନ୍ଦ୍ ହେବାପରି ଲାଗିଲା । ଫତିମା କାନ୍ଦ ବନ୍ଦ୍ ହେଉ ନ ଥିଲା । ସିଏ ସେମିତି କାନ୍ଦି କାନ୍ଦି କହି ଚାଲିଥିଲା, ‘ଭଉଣୀ, ଇଏ ମହଲାକୁ ଛାଡ଼ି ଆମେ କେମିତି ଯିବୁ ଭଲା କହିଲ? ଏ ଗାଆଁ, ଏ ଘରଦ୍ୱାର, ଏ କ୍ଷେତ ଆଉ ଏ ଦେଶକୁ ସବୁଦିନ ଲାଗି ଆମକୁ ଛାଡ଼ି ଯିବାକୁ ପଡ଼ିବ!

ଆଲ୍ଲାଙ୍କୁ ଜଣା, ସେଠାରେ କେମିତିକିଆ ଲୋକ ଥିବେ! ମୁଁ ତ ଆଜିଯାଏ ମୋ ବାପଘରକୁ ଯାଇ ଦି’ଟା ଦିନ ରହିନି । ତୁମ ବିନା ମତେ କେମିତି ଭାରି ଅସହାୟ ଲାଗେ, ଏକୁଟିଆ ବୋଧ ହୁଏ । ମୁଁ ଏବେ କରିବି କ’ଣ?’ ମୁଁ ବେବେଙ୍କ ମୁହଁକୁ ଆବାକାବା ହୋଇ ଚାହିଁ ରହିଥିଲି । ତାଙ୍କ କଣ୍ଠସ୍ୱର ଆସ୍ତେ ବାଷ୍ପରୁଦ୍ଧ ହୋଇ ଉଠୁଥିଲା । ବେବେ କେଉଁ ଦୂର ଦିଗ୍‌ବଳୟ ଆଡ଼େ ଚାହିଁ ରହିଥିଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ବେବେ, ତୁମେ କାନ୍ଦୁଚ ନା କ’ଣ?’

ବେବେ ଦୀର୍ଘଶ୍ୱାସଟିଏ ଛାଡ଼ି ମୁହଁରେ ଶୁଖିଲା ହସ ଚେନାଏ ଖେଳାଇ କହିଲେ, ‘ମୋ ପାଖରେ ଆଖିରୁ ଲୁହ ଗଡ଼େଇବା ଛଡ଼ା ଆଉ ଭଲା  କ’ଣ? ଆସି ପଚାଶବର୍ଷରୁ ଅଧିକ ସମୟ ଗତ ହୋଇ ସାରିଲାଣି । କିନ୍ତୁ ମତେ ଗଲା କାଲି ଭଳିଆ ଲାଗୁଛି । ଯିବା ଆଗରୁ ସିଏ ମତେ ଏଇ ଚରଖାଟି ଦେଇ ଯାଇଥିଲା । କହୁଥିଲା ତା’ ନିଜ ପୁଅଝିଅଙ୍କଠୁ ବଳି ଏ ଚରଖାଟିକୁ ସେ ଅଧିକ ଭଲପାଏ । ସେତେବେଳେ ଯଦି ତୋର ହେତୁ ପାଇଥାଆନ୍ତା, ତା’ହେଲେ ତୁ ଜାଣି ପାରିଥାଆନ୍ତୁ ଚରଖା ଚାଲିଲେ କେମିତି ମଣିଷ କଥାବାର୍ତ୍ତା କଲାପରି ଲାଗେ! ଆମ ସ୍ୱର ସହ ଚରଖା ଚକ୍ରିର ଦଣ୍ଡଟା ଘୂରେ… ।’

ବେବେ ପୁଣି ଥରେ ଦୀର୍ଘଶ୍ୱାସଟିଏ ଛାଡ଼ିଲେ । ଆଖିରୁ ଲୁହ ପୋଛିନେଲେ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ଆଖି ଆଉ ଥରେ ଲୁହ ଢଳଢ଼ଳ ଦିଶିଲା । ବେବେ କହିଚାଲିଲେ, ‘ଗଲାବେଳେ ଫତିମା ଏ ଚରଖାଟିକୁ ଥରେ ଆଉଁସି ଦେଇଥିଲା । କହିଯାଇଥିଲା, କିଏ ଜାଣେ, ପୁଣି ଥରେ ଆମ ଦି’ଦେଶ ଏକାଠି ନ ହେବ! ସେତେବେଳେ ମୁଁ ଫେରିଲେ ତୁମଠୁ’ ଏ ଚରଖାଟି ନେବି… ମୋ ଚରଖାକୁ ଯତ୍ନରେ ରଖିଥିବ… ତୁମ ଦାୟିତ୍ୱରେ ଦେଇଯାଉଛି ।’ ଏମିତି ଅଚାନକ ଜଣେ ଲୋକ ବିଦାୟ ନେଲାବେଳେ ତାକୁ ଅବା କ’ଣ କହିହେବ? ସିଏ ତ ଘରଦ୍ୱାର, ପୂର୍ବପୁରୁଷଙ୍କ ଭୂଇଁ ସବୁକିଛି ଛାଡ଼ିଛୁଡ଼ି ଚାଲିଗଲା…!’

ବେବେ ଅତି ନରମ କଣ୍ଠରେ କହି ଚାଲିଥିଲେ । ଭଗବାନଙ୍କୁ ଜଣା,ଏକଥା ସେ ସେଇ ଭଙ୍ଗା ଚରଖାଟିକୁ କହୁଥିଲେ ନା ଫତିମାକୁ! ଏଭଳି ଏକ ଭାବାବେଗପୂର୍ଣ୍ଣ ଅବସ୍ଥାରେ ତାଙ୍କୁ ମୁଁ ଆଦୌ ବ୍ୟସ୍ତ ବିବ୍ରତ କରିବାକୁ ଚାହୁଁ ନ ଥିଲି । ପିଲାମାନଙ୍କୁ ସେଠାରୁ ଚାଲିଯିବାପାଇଁ ମୁଁ ଇସାରା କଲି ।

କାରଣ, ସେମାନେ ବେଶ୍ ଉତ୍ସାହର ସହିତ କାମ କରୁଥିଲେ । ସବୁ ଭଙ୍ଗାଦଦରା, ପୁରୁଣା କି ଫଟାଚିରା ଜିନିଷକୁ ଓଲଟପାଲଟ କରି ମଜା ନେଉଥିଲେ । କିନ୍ତୁ ଯେତେବେଳେ କିଛି ଗୋଟିଏ ଜିନିଏ ତଳେ ଖସି ପଡ଼ୁଥିଲା, ସେମାନେ ମୋତେ ଓ ବେବେ ଆଡ଼େ ଭୟମିଶା ନଜରରେ ଚାହୁଁଥିଲେ, ନିଜ ନିଜ ଓଠରେ ଅଙ୍ଗୁଳି ଦେଇ ନିରବ ହୋଇ ଯାଉଥିଲେ ଓ ଅନୃମାନଙ୍କୁ ନିରବ ରହିବା ଲାଗି ଇସାରା କରୁଥିଲେ ।

ସେତେବେଳକୁ କବାଡ଼ିଆଟିଏ ମଧ୍ୟ ଆସି ପହଞ୍ôଚ ସାରିଥିଲା । ବେବେ ତାଙ୍କ କୋଳରେ ଚରଖାଟିକୁ ଧରି ସେମିତି ଠିଆ ହୋଇଥିଲେ । ସତେ କି ତାଙ୍କଠାରୁ ସେ ଚିଜଟିକୁ କିଏ ଛଡେଇ ନେଇଯିବ!

କବାଡ଼ିଆଟି ସବୁ ଜିନିଷକୁ ଅଲଗା ଅଲଗା କରି ରୁଣ୍ଡେଇ ଚାଲିଥିଲା । ସେ ସବୁତକ ଭଙ୍ଗାରୁଜା ଜିନିଷ ନେବାକୁ ପ୍ରସ୍ତୁତ ଥିଲା । ଏ ଲୋକଗୁଡ଼ାକ ବଡ଼ ବିଚିତ୍ର! ଆମେଯାହାକୁ ଆଲୋଡ଼ା ବୋଲି ଦୂରେଇ ଦେଉ ସେଇଆକୁ ନେଇ ସେମାନେ ଜୀବନ ବଞ୍ଚନ୍ତି । ଏବେ ଓଜନ ସାରି ସେ ପଇସା ହିସାବ କଲା । ଲୁହାଲକଡ଼ି କେତେ, କେଇଟା ବୋତଲ, ଭଙ୍ଗା ଗ୍ଲାସ କେତୋଟି, କେତେ ପରିମାଣର ପ୍ଲାଷ୍ଟିକ୍ ଓ କେତେ ରଦ୍ଦି କାଗଜ… ଭିନ୍ନ ଭିନ୍ନ ଜିନିଷର ଭିନ୍ନ ଭିନ୍ଦ ଦର ।

ବେବେ ସେମିତି ତାଙ୍କ ଚରଖାଟିକୁ ପୋଛି ଚାଲିଥିଲେ । ବେଳେବେଳେ ଆଉଁସୁଥିଲେ । ଏଥର ପୁଣି ସେ ତୁଣ୍ଡ ଖୋଲିଲେ, ‘ପୁଅରେ, ସେତେବେଳେ ଯେଉଁ ଦଙ୍ଗା, ହଣାକଟା… ହେ ଭଗବାନ! ଲୋକମାନେ ହିଂସ୍ର ପଶୁଠାରୁ ବି ହୀନ ପାଲଟି ସାରିଥିଲେ । ସମସ୍ତେ ରକ୍ତମୁଖା! ମୁସଲମାନ ଲୋକମାନେ ପ୍ରାଣ ବଞ୍ଚେଇବାକୁ ଯେଝା
ଯେଝା ଘର ଭିତରେକ କବାଟ କିଳି ପଶିଥଲେ । ଆମ ଲୋକମାନେ ସେମାନଙ୍କ ଘରଦ୍ୱାର ଲୁଟିବାରେ ଲାଗି ପଡ଼ିଥିଲେ । କେଉଁଠି କେଉଁଠି ଲୁଟିସାରି ଘରେ ନିଆଁ ଲଗେଇ ଦେଉଥିଲେ । ଗାଈଗୋରୁମାନଙ୍କୁ ନେଇ ନିଜ ଗୁହାଳରେ ପୂରାଉଥିଲେ…. ।’

‘ଆଚ୍ଛା ବେବେ, ମୁସଲମାନ ଲୋକମାନେ କ’ଣ ପ୍ରତିବାଦ କରୁ ନ ଥିଲେ?’ ମୁଁ ପଚାରିଲି ।

‘ସେମାନେ କେମିତି ଏମାନଙ୍କ ସାଙ୍ଗରେ ଲଢ଼ିବେରେ ପୁଅ? ଯେଉଁ ଲୋକମାନଙ୍କ ଉପରେ ସେମାନେ ଆଶା ଭରସା କରିଥିଲେ ସେଇମାନେ ଏବେ ଲୁଟ୍‌ତରା ଓ ଦଙ୍ଗାର ନେତୃତ୍ୱ ନେଉଥିଲେ । ତେଟୁ ଛେଳିମେଣ୍ଡା ଭଳିଆ ଲଜ୍ଜା ଓ ଗ୍ଳାନିରେ ମୁସଲମାନ ଲୋକମାନେ ମୁହଁକୁ ତଳକୁ କରି ବସି ରହିଥିଲେ । ଆମ ଗାଆଁରେ
ଆମରି ଘର ସାମ୍‌ନାରେ ବଡ଼ ଫାଙ୍ଗା ଜାଗା ଖଣ୍ଡେ ଥିଲା । ସେ ଇଲାକାର ସବୁ ମୁସଲମାନ ଲୋକ ଆସି ସେଇଠି ରୁଣ୍ଡ ହୋଇଥିଲେ ।

‘ଲୋକମାନେ ତ କହନ୍ତି, ସୀମା ଆରପଟେ ପୁସଲମାନ ଲୋକମାନେ ଆମର ଢେର୍ ଲୋକଙ୍କୁ ହତ୍ୟା କରିଥିଲେ ବୋଲି ।’

‘ମାରିଥାଇ ପାରନ୍ତିରେ ପୁଅ । ଆମେ ସେମାନଙ୍କ ପ୍ରତି ଯାହା କଲେ, ସେମାନେ ମଧ୍ୟ ଆମ ସାଙ୍ଗରେ ସେଇଭଳି ଆଚରଣ କରିଥିଲେ । ମଣିଷ ଭିତରେ ତ ପଶୁପଣିଆ ଭରି ରହିଛି । କେବଳ ଯାହା ସେ ହିଂସ୍ରପଣର ଶିଙ୍ଗଟା ଆମକୁ ଦିଶେ ନାହିଁ!’ ବେବେଙ୍କ ମୁହଁ ସୂଚାଉଥିଲା ସତେ ଯେମିତି ୧୯୪୭ ମସିହାର ବିଭାଜନ ବେଳର ସେଇ ଦରପୋଡ଼ା ଘରଗୁଡ଼ିକୁ ସେ ଆଖି ସାମ୍ନାରେ ଦେଖି ପାରୁଥିଲେ!

କବାଡ଼ିଆଟି ତା’ର ପଇସା ହିସାବକରି ମୋ ହାତକୁ ଟଙ୍କା ବଢ଼େଇଦେଲା । ମୁଁ ସେ ଟଙ୍କାତକ ବେବେଙ୍କ ସାମ୍‌ନାରେ ଥୋଇଦେଲି ।

ସେ ଯେମିତି ତାଙ୍କ ସାମ୍ନାରେ କାନ୍ଦିବେେବେଇ ଧାଁଦଉଡ଼ କରୁଥିବା ଅସଂଖ୍ୟ ଅସହାୟ ଲୋକଙ୍କୁ ଦେଖି ପାରୁଥିଲେ । କିଛି ସମୟପରେ ସେ ମୋ ମୁହଁକୁ ଚାହିଁ କହିଲେ, ‘ନାଇଁ ପୁଅ, ମୋର ଏ ଟଙ୍କା କ’ଣ ହେବ? ହେଲେ ମୋତେ କଥା ଦେ, ତୁ କେବେ ଏ ଚରଖାଟିକୁ ଫିଙ୍ଗିଦେବୁନି କି ବିକି ଦେବୁନି । ଫତିମା! ଭଗବାନଙ୍କୁ ଜଣା ସିଏ ଏବେ କେଉଁଠି ଥିବ! ଦିନେ ମୋ ନିଜ ଭଉଣୀଠୁ ବି ସେ ଅଧିକ ପ୍ରିୟ ଥିଲା । ସେ ବି କେଉଁଠି ଭାବୁଥିବ, ‘ମୋ ଚରଖାଟା ଦିଦି ପାଖରେ ରହିଗଲା । ଦେଶ ଭାଗ ଭାଗ ହୋଇଯାଇଥାଇପାରେ, କିନ୍ତୁ ଆମ ସ୍ନେହ ତ ତୁଟିନି! ଗଲାକାଲି ରାତିରେ ପରା ର୍ମୁ ତାକୁ ସପନରେ ଦେଖିଚି । ସେକଥା ତ କେହି ରୋକି ପାରିବେନି… ।’

ମଧ୍ୟରାତିରେ ଆମକୁ ମିଳିଥିବା ସ୍ୱାଧୀନତା ବିଷୟରେ ମୁଁ ଢେର୍ କିଛି ପଢ଼ାପଢ଼ି କରିଥିଲି । କିନ୍ତୁ ବେବେ ସେ ସ୍ୱାଧୀନତାର ଏକ ଜାନ୍ତବ ଓ ଦୁଃଖଦ ଚିତ୍ର ମୋ ଆଗରେ
ଥୋଇଥିଲେ । ବାସ୍ତବତା ସେଇଆ ଥିଲା ।

‘ବେବେ, ଏଇଠି ମୁଁ ସେ ଟଙ୍କାକୁ ରଖିଛି । ନ ହେଲେ ତୁମେ ତ ସେମିତି କାନ୍ଦି ଚାଲିଥିବ । ଆଉ ତୁମର ସେ ଭୟଙ୍କର କାହାଣୀ ବି ସରିବନି ।’ ମୁଁ ଚାହୁଁଥିଲି ବେବେ ଅତୀତର ସେଇ ଭୟଙ୍କର ଅଧ୍ୟାୟ କବଳରୁ ମୁକ୍ତି ପାଇ ବାସ୍ତବ ଦୁନିଆକୁ ଲେଉଟନ୍ତୁ ।

‘ପୁଅରେ, ଯଦି ତୋର ଏଇ ବିରାଟ ମହଲାରୁ ତୋତେ କିଏ ଜୋର ଜବରଦସ୍ତ ଟାଣି ଭିଡ଼ି ବାହାର କରିଦେ ଓ ଧମକ ଦେଇ କହିବ ଯେ ତୁ ଆଉ ଏଠିକି ଫେରିବୁନି, ଯୁଆଡ଼େ ଇଚ୍ଛା ସେଆଡ଼େ ଚାଲିଯା’, ତୋତେ କେମିତି ଲାଗିବ? ଆଜିକାଲିକା ପିଲା ପଚାରିବେ, ଏକଥା କ’ଣ ସମ୍ଭବ? କିନ୍ତୁ ମୋ ନିଜ ଆଖି ଆଗରେ ମୁଁ ଏମିତି ଘଟନା ଦେଖିଚି ।’

ଦୀର୍ଘଶ୍ୱାସଟିଏ ଛାଡ଼ି ବେବେ କହିଲେ । ମୁଁ ତାଭ୍‌କ ହାତରୁ ଚରଖାଟିକୁ ନେଇ ଘର ଭିତରେ ରଖିଲି । ଏହାର କିଛିଦିନ ପରେ ଆମ ଘରେ ରଙ୍ଗ ଦିଆଯିବାଲାଗି
ପ୍ରସ୍ତୁତି ଚାଲିଲା । କବାଟ ଝର୍କା ବି ରଙ୍ଗ କରାଯିବାକୁ ସ୍ଥିର ହେଲା । ସେଥିପାଇଁ ମୁଁ ଜଣେ ଲୋକ ଯୋଗାଡ଼ କଲି । ତାକୁ କାମ ବତେଇ ମଜୁରି ଛିଣ୍ଡେଇଲି । ରଙ୍ଗ ସାମାନ୍ ମୁଁ ଦେବି ଓ ସେ ରଙ୍ଗ କରିବାଲାଗି ଠିକାରେ କାମ କରିବ । ଦିନିକିଆ ମଜୁରି ହିସାବରେ କାମ ଦେଲେ ସେମାନେ ଠକିବେ । ଠିକ୍ ସମୟରେ କାମ ସାରିବେନି । ଢିଲା ମାରିବେ । କପେ ଚା’ପିଇବା ଲାଗି  ବିଳମ୍ବ କରିବେ । ତେଣୁ ଠିକାରେ ଦେଲେ ନିଶ୍ଚିନ୍ତ । ସେମାନେ ମରିପଡ଼ି ଜଲ୍‌ଦି ଜଲ୍‌ଦି କାମ ସାରିବେ । ବେଳବୁଡ଼ି ଅନ୍ଧାର ହେଲେ ସୁଦ୍ଧା ସେମିତି କାମ ଚଲେଇଥିବେ । ବରଂ, ସେମାନଙ୍କୁ କାମ୍ ବନ୍ଦ୍ କରିବାକୁ କହିବାକୁ ପଡ଼ିବ । କିନ୍ତୁ ଠିକା କାମରେ ସେମାନଙ୍କୁ ଜଗିବା ଦରକାର । ନ ହେଲେ ର’ ଠ’ କରି ରଙ୍ଗ ବୋଳି ପକାଇବେ । ଭଲ କାମ କରିବେନି ।

ମୁଁ ଯୋଗାଡ଼ କରିଥିବା ଲୋକଟି ମାତ୍ର ତିନିଟା ଦିନରେ କାନ୍ଥରଙ୍ଗ କାମ ସାରିଦେଲା ଓ ତା’ପରେ କବାଟ ଝର୍କାରେ ରଙ୍ଗଦେବା ଆରମ୍ଭ କଲା । ଫି’ଦିନ ଅଫିସ୍ ଯିବା ଆଗରୁ ସେ ଦିନ କି କି କାମ ହେବ, ମୁଁ ସେକଥା ତାକୁ ଭଲଭାବେ ବୁଝେଇ ଦେଇ ଯାଏ । ତାକୁ କହେ, ‘ଦେଖ । ଆମେ ଗାଆଁରୁ ଆସି ପ୍ରଥମେ ଏ ଘରେ ରହିଲାବେଳେ ମାତ୍ର ଥରେ ରଙ୍ଗ ଦିଆହୋଇଛି । ତେଣୁ ଭଲକରି ରଙ୍ଗ ଦେବ । ଯେଉଁଠି ଜଙ୍କ୍ ଲାଗିଛି କି ଫାଟିଛି, ମରାମତି ଘଷିଘାଷି ରଙ୍ଗ ମାରିବ ।’ ଲୋକଟା ମୋତେ ନିର୍ଭର ପ୍ରତିଶ୍ରୁତି ଦେଲା, ‘ଆପଣ ନିଶ୍ଚିନ୍ତ ରହନ୍ତି… ସବୁକାକ ଭଲଭାବେ କରିବି ।’ କିନ୍ତୁ ମୋ ପତ୍ନୀ କହେ, ‘ଲୋକଟା ତା’ ମନଇଚ୍ଛା କାମ କରୁଛି । ଆମ ଫରମାସୀ ଅନୁସାରେ ନୁହେଁ ।   କୁହାଟ ଛାଡ଼ୁଛି… ବିବିଜୀ, ଚା’ଟିକେ ଦିଅ । କାମ କରି କରି ହାଲିଆ ଲାଗିଲାଣି । ମୁଁ କେବେ ଲୋକଟିକୁ ଦି’ପହରେ ଖାଇବା ସୁଦ୍ଧା ଦେଖିନି ।’

ଦିନେ ମୁଁ ଅଫିସରୁ ଫେରି ଦେଖିଲି ବେବେ ତାଙ୍କର ସେଇ ଚରଖାଟିକୁ ରଙ୍ଗ କରାଉଛନ୍ତି । ଠିକା ମଜୁରିଆଟି ସୁନ୍ଦର କରି ସେଥିରେ ରଙ୍ଗ ମାରିଚାଲିଛି । ବେବେ ତା’ ପାଖରେ ବସିଛନ୍ତି । ଲୋକଟି ବେଶ୍ ଖୁସିରେ କାମ କରୁଥିବା ପରି ଲାଗୁଥିଲା । ମୁଁ ମନେମନେ ଭାବିଲି, ଏ ଲୋକଗୁଡ଼ାକ ଫନ୍ଦିଫିକର ବାହାର କରିବାରେ ଓସ୍ତାଦ୍ । ଅବଶ୍ୟ ବେବେ ମୋତେ ଦେଖି ସେତେଟା ଖୁସି ହୋଇ ନ ଥିଲେ । ତାଙ୍କ ମୁହଁକୁ ଲକ୍ଷ୍ୟକରି ସେକଥା ମୁଁ ସହଜରେ ଠଉରାଇ ନେଇଥିଲି । ଚରଖାଟିକୁ ରଙ୍ଗ କଲାବେଳେ ସେ ଲୋକଟି ପାଖରେ ବସି ସେ ଯେତିକି ଖୁସି ଲାଗୁଥିଲେ, ତାଙ୍କ ମୁହଁ ଯେତିକି ଉଜ୍ଜ୍ୱଳ ଦିଶୁଥିଲା, ମୋ ଉପରେ ନଜର ପଡ଼ିବା ମାତ୍ରେ ତାହା ନିମିଷକେ କୁଆଡ଼େ ଉଭେଇଗଲା । ବୋଧହୁଏ ବେବେ ଭାବୁଥିଲେ ଯେ ମୁଁ ଏକଥା ଦେଖି ବିରକ୍ତ ହେବି ।

‘ଘରେ କିଛି ଅଧିକା ରଙ୍ଗ ଥିଲା । ମୁଁ ଭାବିଲି ରହି ରହି ନଷ୍ଟ ହେବ କାଇଁକି, ବରଂ ଚରଖାଟା ରଙ୍ଗ କରିଦେବି । ବେବେ ଉପରେ ପଡ଼ି ମୋତେ କାରଣ ଦର୍ଶାଇଲେ । ‘ବେବେ, ତୁମେ ତ କେବେ ଏ ଚରଖାଟିକୁ ଚଲେଇନ । ଭବିଷ୍ୟତରେ ବି ଏଇଟା ତୁମର କିଛି କାମରେ ଆସିବନି ।’ ମୁଁ ମୋର ବିରକ୍ତିଭାବ ପ୍ରକଟ କରି ରହିଲି ।
‘ହଁ’ରେ ପୁଅ । ଏଇଟା କାମରେ ଆସିବ । ଦିନେ ନା ଦିନେ ଅବଶ୍ୟ କାମରେ ଲାଗିବ ।’ ବେବେଙ୍କ କଣ୍ଠସ୍ୱରରେ ଥିବା ଦୃଢ଼ତାକୁ ମୁଁ ଅନୁମାନ କରିପାରୁଥିଲି ।

‘ତୁମେ ଅଯଥାରେ ଲୋକଟିର ସମୟ ବରବାଦ କରୁଛ ।’ ଏ ସମୟ ଦେଇଦେଲେ ବେଦ ଅଶୁଦ୍ଧ ହୋଇଯିବନି । ଦେଖିଲୁ, ଚରଖାଟା କେଡ଼େ ସୁନ୍ଦର ଦିଶୁଛି । ମତେ ଲାଗୁଛି । ମତେ  ଲାଗୁଛି ସତେ ଯେମିତି ଫତିମା ଏଇ ସାଙ୍ଗେ ସାଙ୍ଗ ମତେ ଚରଖାଟି ଦେଇଛି ।’ ବେବେଙ୍କ ମୁହଁର ଔଜଲ୍ୟକୁ ମୁଁ ଲକ୍ଷ୍ୟ କରୁଥିଲି ।
ବିଚରା ମଜୁରିଆଟି ସବୁ ରଙ୍ଗ ଆଣି ସାମ୍‌ନାରେ ରୁଣ୍ଡେଇ ଥୋଇଥିଲା । ସେ ବି ମନେମନେ ବେବେଙ୍କ କାମଟି କାମଟି କରି ଖୁସି ଜଣାପଡ଼ୁଥିଲା । ବେବେ ତାକୁ କହି ଚାଲିଥିଲେ, ‘ଏ ଚରଖାଟି ମୋର ଜଣେ ସାଙ୍ଗର । ସିଏ ଏବେ ପାକିସ୍ତାରେ ଅଛି । ଭଗବାନଙ୍କୁ ଜଣା ସିଏ  କି ମରି ସାରିଛି… ।’

‘ତା’ହେଲେ ତ ମୁଁ ଆପଣଙ୍କଠୁ ପାହୁଲାଟିଏ ସୁଦ୍ଧା ନେବିନି ।ମତେ କେବଳ ଆଉ କପେ ଚା’ ଦେବେ ।’ ବେବେଙ୍କ ମୁହଁରେ ଦୁଃଖର ବାଦଲ ଘୋଟି ଆସିବା ଦେଖି ମଜୁରିଆଟି ତାଙ୍କୁ କହିଲା । ବେଳେବେଳେ ଏଇ ଦିନ ମଜୁରିଆଟିଠାରେ ମୁଁ ବିଚିତ୍ର ମାନବିକତା ଲକ୍ଷ୍ୟ କରୁଥିଲି । ଆଉ ବେଳେବେଳେ ଭାବୁଥିଲି, ଲୋକଟା ନିହାତି ଠକ, କେବଳ ଅଭିନୟ କରୁଛି । ନିଜ ପେଟପାଟଣା ଲାଗି ସମସ୍ତଙ୍କ ଆଗରେ ଏମିମତି ସରପକା ମିଠା କଥା କହି ଭୂଆଁ ବୁଲଉଛି! ମୋ ପତ୍ନୀ ମଧ୍ୟ କହୁଥିଲେ,
‘ଲୋକଟି ଭାରି ସରଳ । ବିଚରା ଗରିବଟିଏ । ସେ ବି ତା’ଜନ୍ମମାଟି ଛାଡ଼ିଥିଲା, ଦେଶ ଛାଡ଼ିଥିଲା । ଏଠାରେ ତା’ର କେହି ନାହାନ୍ତି ।’ କିନ୍ତୁ ମୁଁ ଏକଥା ମଧ୍ୟ ଲକ୍ଷ୍ୟ କରିଛି, ଏଭଳି ମୂଲିଆ ମଜୁରିଆ ବେଳେବେଳେ କହିହୁଅନ୍ତି – ୟା’କୁ ଏକଥା କହି ଠକିଦେଲି, ତାକୁ ସେକଥା କହି ଚୂନ ଲଗେଇଦେଲି, ଇତ୍ୟାଦି, ଇତ୍ୟାଦି ।

ତେବେ ଆମ ରଙ୍ଗମିସ୍ତ୍ରୀଟି ତା’ର ସବୁ କଳାକୌଲା ପ୍ରଦଶାନ ର୍କି ଚରଖାଟିକୁ ଖୁବ୍ ସୁନ୍ଦର ଭାବେ ରଙ୍ଗେଇଥିଲା । ଏବେ ସେ ତାକୁ ଶୁଖିବାଲାଗି ଖରାରେ ଥୋଇଥିଲା । ଅଳ୍ପ ଦୂରରେ ବସି ବେବେ ସେଇ ଚରଖାଟିକୁ ଚାହିଁ ରହିଥିଲେ । ପୁରୁଣା ହେଲେ ବି ରଙ୍ଗଲାଗି ସେଇଟି ଅର୍ଖ ନୂଆ ଦିଶୁଥିଲା । ବେବେଙ୍କ ବୋହୂମାନେ ଥରେ ଚରଖାଟିଆଡ଼େ ଚାହିଁ ପୁଣି ବେବେଙ୍କ ମୁହଁକୁ ଉଣ୍ଡୁଥିଲେ । ସମସ୍ତଙ୍କ ଅଲକ୍ଷ୍ୟରେ ମୁହଁ ମୋଡ଼ୁଥିଲେ । ଶାଶୂ -ବୋହୂଙ୍କର କେବେ ବି ପଟୁନଥିଲା । ବେବେଙ୍କୁ ସବୁକଥା ଜଣା, ହେଲ ସେ ଉଁ ଚୁଁ କିଛି କହନ୍ତିନି । ସାନବୋହୂ ପରିହାସ କରି କହିଲା, ‘ଏବେ ବେବେ ସେଥିରେ ସୂତା କାଟିବେ ।’ ବେବେଙ୍କ କାନରେ ସେକଥା ପଡ଼ିଲା । କିନ୍ତୁ ସେ ଚୁପ୍ ରହିଲେ । ବଡ଼ବୋହୂର ମୁହଁକୁ ଚାହିଁ ସାନବୋହୂ ପୁଣି କହିଲା, ‘ଆମ ବାହାଘର ଲାଗି ଯେତେ ନୂଆ ଲୁଗା କି ଦରି ଦରକାର ହେବ ସେ କାମ ଆମେ ବେବେଙ୍କୁ ଦେଇଦେବୁ ।’ ଏତିକି କହି ସେ ମନଖୋଲା ହସ ହସିଲା ।

ଏଥର କେମିତି ଅଶ୍ୱସ୍ତିବୋଧ କରି ବେବେ କହିଲେ, ‘ଆଲୋ ବୋହୂ, ତୋ ପେଟରେ ଯେତେ ବୁଦ୍ଧି ଅଛି ସିଏ ମୋ ନଖକଣମଳିକୁ ସରି ନୁହେଁ । ତୁ କ’ଣ ମତେ ଛିଗୁଲଉଚୁ କିଲୋ? ତୋ ହାବଭାବ, କଥାବାର୍ତ୍ତା ମତେ ସବୁ ଜଣା ।’ ବେବେଙ୍କ ମୁହଁ ସେତେବେଳକୁ ରଙ୍ଗା ପଡ଼ିସାରିଥିଲା ।

‘ବେବେ, ଆମେ ତ ତୁମର ସେଇ ସ୍ୱାଧୀନତା ଆନ୍ଦୋଳନ ବେଳର ଚରଖାଟା କଥା କଥାବାର୍ତ୍ତା ହେଉଛୁ । ତୁମେ ତୁଚ୍ଛାଟାରେ କାଇଁକି ଆମକୁ ଦୋଷ ଦେଉଛ କହିଲ?’ ସାନବୋହୂ କେମିମତି ପ୍ରତିବାଦ କଲାଭଳି ସ୍ୱରରେ କହିଲା । ତା’ କଥାରେ ନା ଥିଲା ବିନୟଭାବ, ନା ଥିଲା ଶାଶୂ ପ୍ରତି ସାମାନ୍ୟତମ ସମ୍ମାନବୋଧ ।
‘ତୁମେମାନେ ମୋ ଆଖି ଆଗରୁ ଚାଲିଯାଅ । ସ୍ୱାଧୀନତା ବିଷୟରେ ତୁମେ କ’ଣ ଜରଶିଛ? ତା’ ଅର୍ଥ କ’ଣ ବୁଝିଛ? ଖାଇପିଇ ମଉଜମସ୍ତି କରି ଜୀବନ  ହେଉଛି ତୁମମାନଙ୍କ କାମ ।’ ଲକ୍ଷ୍ୟକଲି ବେବେଙ୍କ କଣ୍ଠସ୍ୱର ବେଳକୁ ବେଳ ଅଧିକ ରୁକ୍ଷ ଶୁଭୁଥିଲା ।

ମୁଁ ଆଶଙ୍କା କଲି, ଯଦି ବୋହୂ ଚୁପ୍ ନ ପଡ଼େ, ତା’ହେଲେ ବେବେଙ୍କର ଧୈର୍ଯ୍ୟବନ୍ଧ ଆଜି ନିଶ୍ଚେ ଭାଙ୍ଗିବ । ସେ ଗାଳିଗୁଲଜ କରିବେ । ଘରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ । ତେଣୁ ମୁଁ ଯାଇ ସେମାନଙ୍କୁ ବୁଝାବୁଝି କରି ଚୁପ୍‌ ପଡ଼ିବାକୁ ଅନୁରୋଧ କଲି । ସେମାନେ ସମସ୍ତେ ମୋ କଥା ମାନି ସେଠାରୁ ଚାଲିଗଲେ । କିନ୍ତୁ ସାନବୋହୂର ଜିଭ କ୍ଷୁର ଭଳି ଧାରୁଆ । ଯିବାବେଳେ ସୁଦ୍ଧା ସେ ତାଙ୍କୁ ଶୁଣେଇ ଶୁଣେଇ ଗଲେ, ‘ଆମେ ବି ଦେଖିବୁ ବେବେ ସେ ଚରଖାଟାରେ କେତେ ସୂତା କାଟୁଛନ୍ତି!’

‘ହଁ, ଚରଖାଟାରୁ ରଙ୍ଗ ଶୁଖି ସାରୁ । ମୁଁ ତତେ ଦେଖେଇଦେବି କେମିତି ସୂତା କାଟନ୍ତି । ଆଲୋ ତୁ ଜନ୍ମ ହେବା ଆଗରୁ ମୁଁ ପରା ସୂତା କାଟିଛି । ତା’ ବହପକୁ ଦେଖ!’ ବେବେ ବୋହୂକୁ ଜବତ କରିବା ପରି ରାଗିପାଚି ଶୁଣାଉଥିଲେ । ଏବେ ରଙ୍ଗକାମ ସରିଥିଲା । ନୂଆ ରଙ୍ଗର କେମିତି ଏକ ବିଚିତ୍ର ବାସ୍ନା ଘରଦ୍ୱାର ଓ ସମଗ୍ର ପରିବେଶକୁ ଆଚ୍ଛନ୍ନ କରି ରଖିଥିଲା । ସେ ବାସ୍ନା ଭାରି ଭଲ ଲାଗୁଥିଲା । ଘରଦ୍ୱାର ଖୁବ୍‌ ସଫାସୁତୁରା ଓ ବିନ୍ୟସ୍ତ ଲାଗୁଥିଲା । ହେଲେ ଏ କ’ଣ? ଗୋଟିଏ ଥାକ ଭିତରେ ଅତି ଯତ୍ନରେ କପଡ଼ା ଗୁଡ଼ାହୋଇ ରହିଥିବା ସେ ଚରଖାଟିକୁ ବେବେ ପୁଣି ଥରେ କାଢ଼ିଲେ କାଇଁକି? ବେବେ ମୋ ମୁହଁକୁ ଚାହିଁ କହିଲେ,

‘ଏମାନେ କ’ଣ ମତେ ଯିକେ ଶାନ୍ତିରେ ବସେଇ ଉଠେଇ ଦଉଚନ୍ତି?’ ତାଙ୍କର ଏଭଳି ଇଙ୍ଗିତ ଯେ ସେ ବୋହୂମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ସେକଥା ମୁଁ ଠିକ୍ ଠଉରାଇ ପାରୁଥିଲି । ବୋହୂମାନେ ବି ଶାଶୂଙ୍କୁ ଦେଖେଇ ଶିଖେଇ କେତେ କଥା କହିଚାଲିଥିଲେ ।

ବେବେ ଅଭିଯୋଗ କଲାଭଳି କହିଲେ, ‘ଦାଣ୍ଡ ଦୁଆରକୁ ଜଣେ ବାବାଜୀ ଭିକ ମାଗିବାକୁ ଆସିଲେ ଏମାନେ କହୁଛନ୍ତି କ’ଣ ନା ମୋ ଚରଖା ଶବ୍ଦ ଶୁଣି ସିଏ ଆମ ଦୁଆରକୁ ଆସିଛନ୍ତି! ମୁଁ ଆଜି ସେମାନଙ୍କୁ ଦେଖେଇଦେବି ।’

ମୋହୂମାନେ ପୁଣି ମୁହଁରେ ଲୁଗା ଜାକି ହସିଲେ ।
‘ବେବେ, ତୁମେ ଏବେ କେମିତି ଏ ଚରଖାରେ ସୂତା କାଟିବ?

ଚରଖାଟା ତ ଆଉ ଚଳନ୍ତା ଅବସ୍ଥାରେ ନାହିଁ । ତୁମରି ଭଳିଆ ଦଦରା ହୋଇସାରିଛି ।’ ସାନବୋହୂ ପରିଆସିଆ କଣ୍ଠରେ କହିଲା ।

‘ଆଲୋ ବୋହୂ । ସୂତାକଟା ଗୋଟିଏ କଳା । ତୁ ସେ କଥା କେମିତି ବୁଝିବୁ?’ ବେବେ ଚଟାପଟ ଉତ୍ତର ଦେଲେ । ସେ ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲେ ।
ମୁଁ ଲକ୍ଷ୍ୟକଲି, ବେବେଙ୍କ ମୁହଁ ବଳେକୁ ବେଳ ଆହୁରି ଦୃଢ଼ ହୋଇଉଠୁଛି । ମନରେ ଆତ୍ମବିଶ୍ୱାସ ଭରିଯାଉଛି । ସୂତା କଟାରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ଥିଲା ।  ଚରଖାଟାକୁ ନେଇ ସେ ମନେମନେ ଖୁବଗ ଗର୍ବ କରୁଥିଲେ । ଏବେ ବେବେ ଦୁମ୍‌କରି ଗୋଟିଏ ଷ୍ଟୁଲ ଉପରେ ବସିପଡ଼ିଲେ । ଚରଖାଟିର ପ୍ରତିଟି ଯୋଡ଼େଇ ଜାଗାରେ ଟିକେ ଲେଖାଏଁ ତେଲ ଦେଲେ । ସେଇଟିକୁ ଘୂରେଇବା ଲାଗି ଚକ୍ରିରେ ଆଉ ଖଣ୍ଡେ ନୂଆ ଫିତା ଯୋଡ଼ିଲେ । ପ୍ରତିଟି ଯୋଡ଼ା ଦଣ୍ଡରେ ଆହୁରି ତେଲ ବୋଳିଲେ । ଏଥର ଚରଖାଟିର ଚକ୍ରକୁ ଆସ୍ତେ ଚାପି ସିଧା କଲେ । ଆଙ୍ଗୁଠିରେ ସାମାନ୍ୟ ଚାପ ଦେବାମାତ୍ରେ ଚକ୍ରିଟା ସିଧା ହୋଇଗଲା । କାହିଁ କେତେଦିନୁ ସାଇତି
ରଖିଥିବା ପୁଳାଏ ତୁଳା ବେବେ ବାହାର କଲେ । ବୋହୂମାନେ ଅଳ୍ପ ଦୂରରେ ଠିଆହୋଇ ବେବେଙ୍କର ପ୍ରତିଟି କାମକୁ ନିରୀକ୍ଷଣ କରୁଥିଲେ । ସେମାନଙ୍କ ମୁହଁର ଚାପା ହସକୁ ମୁଁ ଲକ୍ଷ୍ୟ କରୁଥିଲି । କିନ୍ତୁ ବେବେ ନିଜ କାମରେ ବ୍ୟସ୍ତ ଥିଲେ । ଫାଙ୍ଗା ଚକ୍ରିଟିକୁ ଟିକେ ଟାଣିଦେଇ ବେବେ ତାକୁ ଭଲକରି ପରୀକ୍ଷା କରିନେଲେ ।

ସବୁକିଛି ଠିକ୍ ଥିବା ପରି ତାଙ୍କୁ ଲାଗିଲା । ଏଥର ସେ ତୁଳା ପୁଳାଏ ଧରି ତାକୁ ବଲ୍ ଟିଏ ପରି ଗୋଲ କଲେ ଓ ନିଜ ହାତରେ ସାମାନ୍ୟ ବଳିଲେ । ତୁଳାକୁ
ଚରଖାଟିର ଚକ୍ରିରେ ଲଗେଇବା ଆଗରୁ ଦଣ୍ଡେ ଆଖିବୁଜି ପ୍ରାର୍ଥନା କଲାପରି ତୁନି ପଡ଼ିଗଲେ ଓ ତା’ପରେ ଆଖିଖୋଲି ଧୀରେ କହିଲେ, ‘ଆସ ଭଉଣୀ ଫତିମା । ତୁମ ଚରଖାରେ ସୂତା କାଟ… ।’

ବେବେ ଯେତେବେଳେ ଚକ୍ରିଟିକୁ ଘୂରାଇ ସେଥିରେ ତୁଳା ଛୁଆଁଇ ନିଜ ବାଁ ହାତକୁ ପଛକୁ ଘୂରାଇନେଲେ ତା’ ଭିତରୁ ସରୁ ସୂତାର ଖିଅଟିଏ ବାହାରି ଆସିଲା! ବେବେ ସେତେବେଳକୁ ସମ୍ପୂର୍ଣ୍ଣ ଧ୍ୟାନସ୍ଥ ଥିବାପରି ଲାଗୁଥିଲା ।

ବୋହୂମାନେ ଆଁକରି ତାଙ୍କୁ ଚାହିଁ ରହିଥିଲେ । ହାତକୁ ପାଟିରେ ଦେଇ ସେମାନେ ମନେମନେ ଭାବୁଥିଲେ – ନିଜ ଆଖି ସାମ୍‌ନାରେ ଯାହା ଦେଖୁଛନ୍ତି ତାହା ବାସ୍ତବ ତ!

ବେବେ ତାଙ୍କ ଚରଖାରେ ସେମିତି ସୂତା କାଟି ଚାଲିଥିଲେ । ତାଙ୍କ ଆଖିରୁ ଦି’ଧାର ଲୁହ ସେମିତି ବହିଚାଲିଥିଲା ।

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.