Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମାଉସୀମାଙ୍କ ବିଷୟରେ ଜାଣିବା ପରେ, ସାଧାରଣତଃ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରଭୁ ତାଙ୍କ ମାଉସୀ ଘରକୁ ଯାଉଛନ୍ତି ବୋଲି ଅନେକ କହିଥାନ୍ତି ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସେହି ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ଭାବରେ ବିବେଚନା କରିଥାନ୍ତି।ଏହି ଧାରଣା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ସେଥିପାଇଁ ଆଜି ଆମେ ଆଲୋଚନା କରିବା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପର୍କରେ ।

ଶ୍ରୀମନ୍ଦିରର ଉତ୍ତର ଦିଗରେ ୮୩୨୬ ଫୁଟ ବା ୨ .୮ କ. ମି ଦୂରରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର, ଠିକ ଶ୍ରୀମନ୍ଦିର ପରି ଦୁଇଟି ପ୍ରାଚୀର ଦ୍ୱାରା ପରିବେଷ୍ଠିତ । ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଓ ଭୋଗମଣ୍ଡପ ଏପରି ଚାରି ଭାଗରେ ବିଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରର ସମୁଦାୟ କ୍ଷେତ୍ର ପାଞ୍ଚ (୫ )ଏକର ଜମି ଉପରେ ଅବସ୍ଥିତ। ବର୍ଷ ସାରା ବାବନା ଭୂତ ଅକ୍ତିଆରରେ ଶୂନ୍ୟ ପଡ଼ିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠେ। କାରଣ ଭକ୍ତଙ୍କ ମନରେ ପୁରାଣ ବର୍ଣ୍ଣିତ ଶ୍ରୀଗୁଣ୍ଡିଚା ମନ୍ଦିରର ମହିମା ଏହିପରି ବର୍ଣ୍ଣିତ ।\
ନୀଳାଦୌ ଦଶବର୍ଷାଣି ଗୁଣ୍ଡିଚା ମଣ୍ଡପେ ଦିନେ, ଦିବସେ ଦର୍ଶନଂ ପୁଣ୍ୟଂ ରାତ୍ରୋ ଦଶ ଗୁଣଂ ଭବେତ। ଅର୍ଥାତ ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନର ଫଳ, ଗୁଣ୍ଡିଚା ମଣ୍ଡପରେ ଗୋଟିଏ ଦିନ ଦର୍ଶନ ଫଳ ସହ ସମାନ। ସେହିପରି ଦିବସ ଦର୍ଶନର ପୁଣ୍ୟ ଫଳ ଅପେକ୍ଷା ରାତ୍ର ଦର୍ଶନର ପୁଣ୍ୟ ଦଶଗୁଣ ଅଧିକ। ସେଥିପାଇଁ ଆଡପମଣ୍ଡପରେ ସାନ୍ଧ୍ୟ ଦର୍ଶନ ପାଇଁ ଖୁବ ଭିଡ଼ ହୋଇଥାଏ। ଆଷାଢ଼ ଶୁକ୍ଳ ଚତୃଥୀଠାରୁ ନବମୀ ପର୍ଯ୍ୟନ୍ତ ଏଠାରେ ରୋଷ ହୋଇ ଆଡପ ଅଭଡ଼ା ମିଳେ। ତାଛଡା ବିଭିନ୍ନ ସଂlସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର, ପଲ୍ଲୀଶ୍ରୀମେଳା, ସରକାରୀ ଵିଜ୍ଞାପନ ଓ ସୂଚନା କେନ୍ଦ୍ର, ବିଭିନ୍ନ ସେବା କେନ୍ଦ୍ର ଓ ସ୍ଥାନେ ସ୍ଥାନେ ଉତ୍କଳୀୟ ସଂସ୍କୃତିରେ ପାଲା, ଦାସକାଠିଆ, ଗୋଟିପୁଅ ନୃତ୍ୟ ପ୍ରଭୃତି ପରିବେଷଣ କରାଯାଇ ଗୁଣ୍ଡିଚା ମନ୍ଦିରର ଆଖ ପାଖ ଅଞ୍ଚଳ ଖୁବ ଆନନ୍ଦମୟ ରହେ। ଏହି ଅନ୍ନପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ଅଗ୍ନି କୋଣରେ ଏକ ରୋଷଶlଳା ଯେଉଁଠି ୨୦୩ ଗୋଟି ଚୁଲି ରହିଛି । ସେଥିମଧ୍ୟରୁ ୧୩୮ ଟି ଅନ୍ନ ଚୁଲି,୫୧ ଟି ଅହିଆ ଚୁଲି ଓ ୧୪ ଟି ପିଠା ଚୁଲି ଅଛି। ଏଠାରେ ମଧ୍ୟ ଅନ୍ନ ପ୍ରସାଦ ପ୍ରଭୁଙ୍କଠାରେ ଭୋଗ ଲାଗିବା ପରେ ଜଗମୋହନର ଏକ ସ୍ତମ୍ଭରେ ବିମଳାଙ୍କ ସ୍ୱରୂପ କଳ୍ପନା କରାଯାଇ ସେଠାରେ ସମର୍ପିତ ହୁଏ। ତେଣୁ ଶ୍ରୀମନ୍ଦିର ଅଭଡ଼ା ପରି ଏହାମଧ୍ୟ ମହାପ୍ରସାଦ ରୂପେ ବିବେଚିତ ହୋଇ ଭକ୍ତଙ୍କ ଅତ୍ୟନ୍ତ ପ୍ରିୟ ହୋଇ ଥାଏ। ଆଗାମୀ ଅଧ୍ୟାୟରେ ଆଡପ ମଣ୍ଡପ ସହ ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରକୃତ ଇତିହାସ ଓ ପୌରାଣିକ ତଥ୍ୟ ଜାଣିବା ଆଜି ଏବେ ଆରାଧନା ଓ ଭାଗବତ ପଠନ କରିବା।

ଆଚର ମୂଳେ ଧର୍ମ ଜାତ
ଧର୍ମେ ଧାରଣ ଏ ଜଗତ ।
ଏଣୁ ଧାର୍ମିକ ପ୍ରାଣୀଙ୍କର
ନିଗମ ଦେଖାଏ ଆଚlର ।
ଉଦ୍ଧବ ଭକ୍ତି ଯୋଗେ ମୋର
ନାହିଁ ନିଗମେ ଅଧିକାର ।
ପୃଥିବୀ ଅଗ୍ନି ବାୟୁ ଜଳl
ଆକାଶ ମିଶି ପଞ୍ଚ ଠୁଳ ।
ଏ ପଞ୍ଚ ଭୂତ ଦେହ ଯେତେ
ବ୍ରହ୍ମlଦି ସ୍ଥାବର ପର୍ଯ୍ୟନ୍ତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.