Latest Odisha News

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୯ ବର୍ଷ, ଏବେବି ଶୁଖୁନି ଲୁହ, ଲିଭିନି ଚିହ୍ନ

ଭୋପାଳ: ୨ ଡିସେମ୍ବର ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି। ସେଇ କାଳ ରାତି ଅନେକ କିଛି ଛଡେଇ ନେଇଛି। କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ବାର୍ଦ୍ଧକ୍ୟକୁ ଏକାକୀ ଜୀଇଛି। ଆଜି ସେଇ ଭୟଙ୍କର ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୂରିଛି ୩୯ ବର୍ଷ । ଏବେବି ଏହି ଗ୍ୟାସ୍ ଦୁର୍ଘଟଣାର କ୍ଷତ ଭୋପାଳବାସୀଙ୍କ ମନରୁ ଲିଭି ନାହିଁ।

୧୯୮୪ ମସିହା ଡିସେମ୍ବର ୨ର ସେହି କାଳରାତ୍ରୀ । ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିର ପ୍ଲାଣ୍ଟ ନମ୍ବର ସିର ଟ୍ୟାଙ୍କ ନମ୍ବର ୬୧୦ରୁ ବାହାରିଥିଲା ବିଷାକ୍ତ ଗ୍ୟାସ ।ସୁପ୍ତ ସହରବାସୀଙ୍କୁ ଚିର ନିଦ୍ରାରେ ଶୁଆଇ ଦେଇଥିଲା ବିଷାକ୍ତ ମିଥାଇଲ ଆଇସୋସିଆନେଟ ଗ୍ୟାସ୍ । ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ଗ୍ୟାସରେ ନିରବୀ ଯାଇଥିଲା ଅଧିକାଂଶ ଭୋପାଳବାସୀଙ୍କ ନିଃଶ୍ୱାସ । ସକାଳର ସୂର୍ଯ୍ୟ ଦେଖିବା ଆଗରୁ ଶୋଇଯାଇଥିଲେ ଚିର ନିଦ୍ରାରେ । ପୂରା ସହରକୁ ବ୍ୟାପି ଯାଇ ନେଇଥିଲା ହଜାର ହଜାର ନୀରିହ ଜୀବନ । ମାତ୍ର ୩ ମିନିଟ ମଧ୍ୟରେ ପ୍ରାଣ ହରାଇଥିଲେ ୩୮୦୦ରୁ ଅଧିକ ଲୋକ ।

ଏତେ ବଡ ଦୁର୍ଘଟଣା ପାଇଁ ପ୍ରସ୍ତୁତ ନଥିଲେ ଭୋପାଳବାସୀ । ବିଷାକ୍ତ ଗ୍ୟାସ ନିର୍ଗତ ହେବା ସମୟରେ ଆର୍ଲାମ ସିଷ୍ଟମ ମଧ୍ୟ କାମ କରିନଥିଲା । ଯାହାଫଳରେ ପୂରା ସହରକୁ ବ୍ୟାପିଥିଲା ଏହି ବିଷାକ୍ତ ଗ୍ୟାସ । ଏହିକଥା ଜଣାପଡିବା ପରେ ସବୁ କିଛି ଯେମିତି ଶେଷ ହୋଇ ସାରିଥିଲା । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ହସ୍ପିଟାଲରେ ଜମିଥିଲା ପ୍ରବଳ ଭିଡ । ରାସ୍ତାକଡରେ କୁଢ କୁଢ ଶବ । ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ । ଗ୍ୟାସ୍ ଟ୍ରାଜେଡିରେ କେତେ ଜଣ ମୃତ୍ୟୁ ବରଣ କରିଥିଲେ ତାହାର ପ୍ରକୃତ ଉତ୍ତର କାହା ପାଖରେ ନଥିଲା । ପ୍ରାୟ ୫ ଲକ୍ଷ ୨୦ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିଲେ । କିଛି ମହିଳା ମା’ ହୋଇପାରିନଥିଲେ, କିଛି ଶିଶୁ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ । ଏବେବି କିଛି ସେଠାରେ ଶିଶୁ ବିକଳାଙ୍ଗ କିମ୍ବା ମାନସିକ ଅନଗ୍ରସର ହୋଇ ଜନ୍ମ ହେଉଛନ୍ତି।ଏହି ଭୟଙ୍କର ଗ୍ୟାସ ଦୁର୍ଘଟଣା ସେତେବେଳେ ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ଏବେବି ବହୁ ଲୋକ ବଞ୍ଚିଛନ୍ତି ଯେଉଁମାନେ ସେଦିନର ସେହି ମର୍ମନ୍ତୁଦ ଘଟଣା ସ୍ୱଚକ୍ଷୁରେ ଦେଖିଛନ୍ତି ଓ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଛନ୍ତି। ଗ୍ୟାସ ପ୍ରଭାବରେ ଏବେବି ସେଠାକାର ମୃତ୍ତିକା ଓ ଭୂତଳ ଜଳରେ ବିଷାକ୍ତ ପଦାର୍ଥ ଥିବା ପରୀକ୍ଷାରୁ ଜଣାପଡିଛି।

Leave A Reply

Your email address will not be published.