Latest Odisha News

BREAKING NEWS

Maa Majhighariani temple:ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା’ମଝିଘରିଆଣିଙ୍କ ହୁଣ୍ଡି; ୫୪ ଲକ୍ଷ, ବିଦେଶୀ ନୋଟ ସହ ମିଳିଲା ଦୁଃଖଭରା ଚିଠି

ରାୟଗଡ଼ା: ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ ହୋଇଛି । ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା । ପରେ ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ସହିତ ୬୪ ଗ୍ରାମ ସୁନା ଓ ୧୭୬୪ ଗ୍ରାମ ରୂପା ବାହାରିଥିବା ଜଣାପଡ଼ିଛି।

ଏଥିସହିତ ୬ ଟି ଦେଶର ୧୧ ଟି ବିଦେଶୀ ନୋଟ ଓ ୩ ଟି ମୁଦ୍ରା ମଧ୍ୟ ବାହାରିଛି। ଯେଉଁଥିରେ ରହିଛି ଆମେରିକା, କାନାଡା, ଇଂଲଣ୍ଡ ଓ ୟୁଏଇ ଦେଶର ନୋଟ୍ ଓ ମୁଦ୍ରା। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି।

ମୋଟ ସଂଗ୍ରହ ଅର୍ଥ ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିଅନ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି । ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ସାମିଲ ହୋଇଥିଲେ ।

ଏହା ପୂର୍ବରୁ ଜୁନ ୨୯ ତାରିଖରେ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୂପା ବାହାରିଥିଲା। ଏଥିସହ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା।

ସେହିପରି ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ଏକ ଭାବବିହ୍ୱଳ ତଥା ଦୁଃଖଭରା ଚିଠି ମିଳିଛି ହୋଇଛି। ହୁଣ୍ଡି ଗଣତି ସମୟରେ ଟଙ୍କା, ସୁନା ଓ ରୂପା ଅଳଙ୍କାର ସହ ଏହି ଚିଠି ମିଳିଥିବା ବେଳେ ଏହା ମନ୍ଦିର କମିଟି ଓ ଉପସ୍ଥିତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୂଚନାନୁସାରେ, କୋରାପୁଟ ଜିଲ୍ଲାର ଜଣେ ଅସହାୟ ଭକ୍ତ ପରିବାରର ଆର୍ଥିକ ଅନଟନ ଓ ପ୍ରବଳ ଋଣଭାରରେ ଅତିଷ୍ଠ ହୋଇ ଶେଷରେ ମା’ ମଝିଘରିଆଣୀଙ୍କ ଶରଣ ପଶିଛନ୍ତି। ଚିଠିରେ ସେ ନିଜ ଦୁଃଖ ଓ ଆର୍ଥିକ ସମସ୍ୟା ବଖାଣିବା ସହ ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ମଧ୍ୟରୁ ପ୍ରାୟ ୨୩ ଜଣଙ୍କଠାରୁ ଋଣ ନେଇଥିବା ଉଲ୍ଲେଖ କରିଛନ୍ତି। ଋଣ ପରିଶୋଧ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଚିଠିରୁ ଜଣାପଡ଼ିଛି। ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା’ ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖିଛନ୍ତି ଏହି ଭକ୍ତ। ଆର୍ଥିକ ସମସ୍ୟାରେ ପଡି ଜଣେ ଭକ୍ତ ନିଜର ଶେଷ ଭରସା ଭାବେ ମା’ଙ୍କ ଶରଣ ନେଇଥିବା ଘଟଣା ଉପସ୍ଥିତ ଲୋକଙ୍କୁ ଭାବବିହ୍ୱଳ କରିଦେଇଛି।

ସୂଚନାଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୪ ମାସ ପରେ ଖୋଲାଗଲା। ତେବେ ଆଗକୁ ଦଶହରା ଥିବାରୁ ଏହା ପୂର୍ବରୁ ହୁଣ୍ଡି ଖୋଲାଯାଇ ଗଣତି ଶେଷ ହୋଇଛି।

Comments are closed.