Latest Odisha News

୭୫ ବର୍ଷର ସ୍ମରଣୀୟ ଯାତ୍ରା: ଏନ୍‍.ସି. କଲେଜ

ଯାଜପୁର ପରି ସଂସ୍କୃତି ଓ ଐତିହ୍ୟ ସଂପନ୍ନ ଅଞ୍ଚଳରେ ଶିକ୍ଷାଦାନ ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ଯଥେଷ୍ଟ ଆଗରୁ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ସ୍କୁଲ କେବେଠାରୁ ୧୨୫ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଶିକ୍ଷକ ଓ ଶିକ୍ଷାଦାନର ପରଂପରା ସବୁଦିନେ ଯାଜପୁରରେ ଅନନ୍ୟ । ସେଇଲାଗି ସେ ସହର ଓ ଜିଲ୍ଲାରେ ଶିକ୍ଷକମାନଙ୍କ ସମ୍ମାନ ଓ ଆଦର ଢେର ଅଧିକ ।

ଯାଜପୁରରେ କଲେଜ ପ୍ରତିଷ୍ଠା ହୋଇଥିଲା ୧୯୪୬ ମସିହାରେ । ସ୍ୱାଧୀନତା ମିଳିବା ଆଗରୁ । ପାଖ ପଡ଼ିଶା ଅଞ୍ଚଳଠାରୁ ଏହା ଏ ଦିଗରେ ଢେର ଆଗୁଆ ଥିଲା । କଲେଜ ନାଁ ରଖା ଯାଇଥିଲା- ନରସିଂହ ଚୌଧୁରୀ ମହାବିଦ୍ୟାଳୟ । ସ୍ଥାନୀୟ ଜମିଦାରଙ୍କ ନାଁରେ । ତାଙ୍କ ଘର କୋଦଣ୍ଡପୁର, ଯାହାଙ୍କ ସାହାଯ୍ୟରେ ସେ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଏ କଲେଜ ଗଢି ଉଠିଥିଲା ।

ପ୍ରଥମେ ୧୯୫୨ ମସିହା ପର୍ଯ୍ୟନ୍ତ ଯାଜପୁର ବୟଜ ହାଇସ୍କୁଲ ବା ଏବକାର ଜିଲ୍ଲା ସ୍କୁଲରେ ଏହାର କ୍ଲାସ ଚାଲିଥିଲା । ପରେ ଏହା ସହରଠାରୁ ଦୁଇ କିଲୋମିଟର ଦୂରକୁ ବାଣପୁର ଗାଁ ପାଖରେ ନିଜର କ୍ୟାମ୍ପସକୁ ଆସି ଯାଇଥିଲା । ୩୦ ଏକରର ସେଇ କଲେଜ କ୍ୟାମ୍ପସ୍‍ ବେଶ ମନଲୋଭା ଓ ପୂର୍ବରୁ ରେଭେନ୍ସା କଲେଜ ପରେ ନାଲିଆ କୋଠା ଭାବେ ଏହା ପରିଚିତ ଥିଲା । ରାଜ୍ୟର ପୁରାତନ ଶିକ୍ଷାନୁଷ୍ଠାନଙ୍କ ମଧ୍ୟରୁ ଏହା ଅନ୍ୟତମ ।

କଲେଜର ରଂଗ ଥିଲା ନାଲିଆ । କଲେଜ ଗ୍ୟାଲେରୀ, ତା ପାଖକୁ ଲାଗି ବ୍ରଜ ମୋହନ ପ୍ରହରାଜ ଛାତ୍ରାବାସ, ରାସ୍ତା ସେ କଡ଼କୁ ଛାତ୍ରୀ ନିବାସ, ଆଉ ଟିକେ ଆଗକୁ ଅଧ୍ୟକ୍ଷଙ୍କ ସରକାରୀ ବାସଗୃହ, କଲେଜ ସାମ୍ନାରେ ବିରାଟ, ବିସ୍ତୃତ ପଡ଼ିଆ- ସବୁଦିନେ ଏ କଲେଜକୁ ଭାରି ସୁନ୍ଦର କରି ଗଢି ତୋଳିଥିଲା । ପୁଣି ଏ କଲେଜର ବିଶେଷତ୍ୱ ଥିଲା- ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ । ଅନେକ ଉତ୍ସବ ଓ ପାଠପଢାର ଶୃଙ୍ଖଳିତ ବାତାବରଣ ।
ଯାଜପୁର, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ ଆଦି ଅନେକ ଜିଲ୍ଳାରୁ ହଜାର ହଜାର ଛାତ୍ର ଏଠିକୁ ପଢିବାକୁ ଆସନ୍ତି । ବିଶେଷକରି ଗାଁ ଗହଳିର ମେଧାବୀ ଛାତ୍ରମାନଙ୍କ ନିମନ୍ତେ ଏହି କଲେଜ ଅଭୟ ଆଶୀର୍ବାଦ ପରି ।

ଯଦିଓ କଲେଜରେ ଆଗରୁ ଏତେଟା ହଷ୍ଟେଲ ନଥିଲା ଓ ଅନେକ ପିଲା ପାଖାପାଖି ଅଞ୍ଚଳର ମେସରେ ରହୁଥିଲେ, କିନ୍ତୁ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷାରେ ଏହା ବେଶ ଭଲ ପ୍ରଦର୍ଶନ କରି ଆସିଛି । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଏନସି କଲେଜ, ୧୯୯୯-୨୦୦୦ ମସିହାରେ ସ୍ୱୟଂଶାସିତ କଲେଜ ମାନ୍ୟତା ପାଇଲା । ସ୍ୱୟଂଶାସିତ କଲେଜ ମାନ୍ୟତା ପାଇବାରେ ରାଜ୍ୟର ଅନ୍ୟ କଲେଜଗୁଡ଼ିକଠାରୁ ଏହା ଯଥେଷ୍ଟ ଆଗରେ । ଏହି କଲେଜରେ ଅନେକ ସା୍ନତକ ବିଷୟ ସହ ପୂର୍ବରୁ ଦୁଇଟି ବିଷୟରେ ସା୍ନତକୋତ୍ତର ଶିକ୍ଷା ଚାଲୁଛି – ଗଣିତ ଓ ଇତିହାସ । ପରେ ସେଲଫ ଫାଇନାନ୍ସିଂ କୋର୍ସ ଏଥିରେ ଯୋଡ଼ି ହୋଇଛି ।

ରାଜ୍ୟର ଶିକ୍ଷା ମାନଚିତ୍ରରେ ଏନସି କଲେଜର ସ୍ଥାନ ସ୍ୱତନ୍ତ୍ର । ଏହା ପାଠପଢା ପରିବେଶ, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ନିବିଡ଼ ସଂପର୍କ କାରଣରୁ ଏକ ମହାନ ଅନୁଷ୍ଠାନ ଭାବେ ଛିଡ଼ା ହୋଇ ପାରିଛି ।

କିନ୍ତୁ ଗତ କିଛି ବର୍ଷ ହେବ, ଏହାର ମାନ ହ୍ରାସ ପାଇବାରେ ଲାଗିଛି । ୧୯୯୬ ମସିହାରେ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇ ପାରିଲା ନାହିଁ । ଏ ନେଇ ସେତେବେଳେ ଉଦ୍ୟମ ବି ହେଲାନାହିଁ । ପୁଣି ନାଲିଆ କୋଠା ଭାବେ ପରିଚିତ ଏନସି କଲେଜ ଓ ଏହାର ରଂଗକୁ କଲେଜ କର୍ତ୍ତୃପକ୍ଷ ଅଚାନକ ବଦଳେଇ ଦେଇ ଈଷତ ଦୁଧ ରଂଗର କରି ଦେଇଛନ୍ତି । ଯାହା କଲେଜର ପରିଚୟକୁ ଓ ପୁରୁଣା ଛାତ୍ରଙ୍କ ମନରେ ଥିବା ଭବନାକୁ ଠିକ ଭାବେ ପ୍ରତିଫଳିତ କରିପାରୁ ନାହିଁ । ଯଦିଓ କଲେଜରେ ଅନେକ କାମ ଚାଲିଛି, କିନ୍ତୁ ମଝିରେ ଢେର ଦିନ ଧରି କଲେଜର ମୁଖ୍ୟ ଫାଟକ ଭଙ୍ଗା ଅବସ୍ଥାରେ ଝୁଲୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ତେବେ ଏଇ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଆଜିଠାରୁ ୭୫ ବର୍ଷରେ ପାଦ ଥାପୁଛି । ହଜାର ହଜାର ଗାଉଁଲି ପିଲାଙ୍କ ସୁନେଲି ଭବିଷ୍ୟତ ଗଢିବାରେ ସର୍ବାଧିକ ସାହାଯ୍ୟ କରିଥିବା ଏଇ କଲେଜ ୭୫ ବର୍ଷର ଗରିମାମୟ ଇତିହାସ ନେଇ ନୂଆ ଫର୍ଦ୍ଦ ନିଜ ସଫଳତାର କାହାଣୀରେ ଯୋଡ଼ୁଛି । ଏଇ ସମୟରେ- ମୁଖ୍ୟ ଦାବି ରହିବ, ଏଇ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଉ ।

ଖାଲି କେଠାବାଡ଼ି ତିଆରି କଲେ ଏହାର ବିକାଶ ହେବନାହିଁ । ଏହାର ପୁରୁଣା ଶୈକ୍ଷିକ ବାତାବରଣ ଫେରେଇ ଆଣିବା ଦିଗରେ ସ୍ଥାନୀୟ ସମସ୍ତେ ପ୍ରୟାସ କରନ୍ତୁ । ଅନେକ କଲେଜ ଏହା ଭିତରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲାଣି । ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ ପ୍ରତିଷ୍ଠା ପାଇଁ ଘୋଷଣା ଓ ସବୁ କାମ ସରିଥିଲେ ମଧ୍ୟ ଏହା କେବଳ ନାଁକୁ ମାତ୍ର ଚାଲିଛି । ତେଣୁ ଏନସି କଲେଜକୁ ବିଶ୍ୱବିଦ୍ୟାଳୟ ମର୍ଯ୍ୟାଦା ଦେବାର ପ୍ରୟାସ ସରକାର କରନ୍ତୁ । ଏଠାରେ ଅନ୍ୟାନ୍ୟ ବିଷୟରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରାଯାଉ ଓ ଗବେଷଣା କାର୍ଯ୍ୟ ଚାଲୁ । ପିଏଚ୍‍ଡି ଓ ଏମ୍‍ଫିଲ୍‍ ପରି ପାଠ୍ୟକ୍ରମ ଆରମ୍ଭ ହେଉ । ନ ହେଲେ ଓଡ଼ିଶାର ଆଗୁଆ ଶିକ୍ଷାନୁଷ୍ଠାନ ପୁଣି ପଛେଇ ଯାଇଥିବ ।

ତେବେ ପ୍ଳାଟିନମ ଜୁବୁଲି ଆରମ୍ଭ ଦିନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଏବେକାର ଛାତ୍ରଛ୍ରତୀ, ପୁରାତନ ଅଧ୍ୟାପକ, ଅଧ୍ୟକ୍ଷ, ଅଣ ଶିକ୍ଷକ କର୍ମଚାରୀଙ୍କୁ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଶୁଭେଚ୍ଛା । ଆଶା- ଏ କଲେଜ ସଫଳତାର ରାସ୍ତାରେ ପୁଣି ଥରେ ଶୀର୍ଷରେ ପହଞ୍ଚିବ ।

(ସହକାରୀ ପ୍ରଫେସର, ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ)
ମୋ- ୯୪୩୭୦୮୦୦୪୮

Leave A Reply

Your email address will not be published.