ଜ୍ଞାନେନ୍ଦ୍ର କୁମାର ପଣ୍ଡା
ଉଦୟ ସୂର୍ଯ୍ୟରେ ମୋର କୁଆଁକୁଆଁ ରଡ଼ି
ଅସ୍ତସୂର୍ଯ୍ୟରେ ନିଏ ମୁଁ ଶେଷ ନିଶ୍ବାସ..।
ବାକି ସମୟର ଜୀବନରେ ମୋର
ଚଞ୍ଚଳ ଚିତ୍ତ ଓ ପାପୀ ଉଦର ସଂଘଟିତ
ଭୀଷଣ କୁମନ୍ତ୍ରଣା ପର୍ବ..!
ଚାଖଣ୍ଡେ ମାତ୍ର ପେଟକୁ ଆଢୁଆଳ କରି…
ମିଛିମିଛିକା ସାଜିଛି ମୁଁ କେତେ ଛଦ୍ମବେଶ
ଖାଦ୍ୟ ଭର୍ତ୍ତି ପେଟରେ ମିଛରେ କହିଛି ମୁଁ
ଯେତେ ପାରୁଛ ଦିଅ…ଦିଅ ମୋତେ ଆହାର
ପେଟରେ ପରା ମୋର ଆଜୀବନର ଭୋକ !
ମଧୁଶାଳାର ମଧୁ, ନଦୀ ଯାକର ଜଳ ପିଇସାରି
ତଥାପି ଗଳାଫଟେଇ ଚିତ୍କାରରେ ସବୁଠି କହିଛି
ମୋତେ ଆହୁରି ପିଆଅ, ମୁଁ ଆଜୀବନ ତୃଷାର୍ତ୍ତ !
ସିନ୍ଦୁକରେ ମିଛ ପ୍ରାଚୁର୍ଯ୍ୟକୁ ଲୁଚେଇ ଦେଇ
ଶୁକ ପକ୍ଷୀର ଥଣ୍ଟରେ ରାମ ରାମ ଜପ ପରି
ମୁଁ ବୁଭୁକ୍ଷୁ, ମୁଁ କାଙ୍ଗାଳ, ମୁଁ ଗରିବ ବୋଲି
ସମସ୍ତଙ୍କ ଆଗରେ ସଦା ଗୁଣୁଗୁଣୁ ଜପିଛି,
ମୋତେ ଦିଅ ମୋତେ ଦିଅ ବୋଲି…ହାୟ
ଆବଶ୍ୟକତାର ଏହି ମିଥ୍ୟା ଅବବୋଧକୁ
ରାଜଦ୍ୱାର ଅବା ଶ୍ମଶାନ ସବୁଠି ମୁଁ ଗାଇଛି !
କାହିଁକି କେଜାଣି ଜାଣୁଥାଇ ଅଜଣା ହୁଏ ମୁଁ,
ଜୀବାତ୍ମାର କେନ୍ଦ୍ରୀଭୂତ ସତ୍ୟ ଏତିକି ହିଁ ମାତ୍ର
ମୋକ୍ଷ ହିଁ ତାହାର ଚିରକାଳର ଅନ୍ତିମ ଲକ୍ଷ୍ୟ
ଏ ଶରୀର କାରୁକାର୍ଯ୍ୟର ଅନ୍ତିମ ଏହି ନିର୍ଯ୍ୟାସ
ଶେଷ ସନ୍ଧାନରେ ଜୀବାତ୍ମା ଖୋଜଇ ପଞ୍ଚଭୂତ ।
ଅଢେଇ ହାତ ମାଟିର ପରିବେଷ୍ଟନୀ ଖୋଜା ହୁଏ
ଜୁଇରେ ଜଳି ଆହୁତିରେ ହେବାପାଇଁ ନିଃଶେଷ
ମିଥ୍ୟା ଥିଲା ଧନ, ଯୌବନ, ମାନ, ଅଭିମାନ ସବୁ
ଏ ଫେରିବାର ମହାଯାତ୍ରା ପଥରେ ଲୋଡ଼ା ଖାଲି
ଅଗ୍ନି,ବାୟୁ,ଜଳ,ପୃଥିବୀ,ଆକାଶ ଏତିକି ହିଁ ମାତ୍ର ।
ଜୀବନ ଖେଳର ଶେଷାର୍ଦ୍ଧରେ ସୂର୍ଯ୍ୟ ନଇଁଗଲେ
ଆଖିରେ ଆଗତ ଅନ୍ଧାର ରତରତର ବେଳା ଦେଖି
ଏଇ ପ୍ରାଣ ଗାଇବାକୁ ଲୋଡୁଥିବ ପଦିଏ ଚିରସତ୍ୟ
ଏଯାବତ ଯେଉଁ ଶରୀରର ଥିଲା ପ୍ରିୟ ସାଥୀ ମୋର
ଠିକ୍ ସେତିକିବେଳକୁ ସେ ଶରୀର ଆସ୍ତେ ଆସ୍ତେ
ହାତ ମୋର ଛାଡି ଦେଇ ଦେହଛପା ଦେଉଥିବ.. !
ଜିଭ ଟିକେ ଲେଉଟିବାକୁ ଆପ୍ରାଣ ଚେଷ୍ଟା କରୁକରୁ
ଦେହ ମୁଣ୍ଡ ଝାଇଁ ଝାଇଁ ପାଟି ମୋର ଖନି ମାରୁଥିବ
ଏତିକି ବେଳେ କାନରେ ମୋର କେହି ଜଣେ ଆସି
ମହାଯାତ୍ରା ଲାଗି ବିରତି ଆବଶ୍ୟକ ବୋଲି କହୁଥିବ
ସେତେବେଳେ ତିଳେ ଆଉ ନ’ଥିବ ଇଚ୍ଛା ଅନିଚ୍ଛାର ପ୍ରଶ୍ନ
ଶେଷଯାତ୍ରା ପାଇଁ ଉଦ୍ଦିଷ୍ଟ ଛଅଖଣ୍ଡ ବାଉଁଶର କୋକେଇ
ମହାଯଜ୍ଞ ଲାଗି ଚାରିଖଣ୍ଡ କାଠର ଜୁଇ ସଜଡ଼ା ସରିଥିବ !
ପାପରୁ ମୁକ୍ତି ଲାଗି ପାପୀର ପ୍ରତି ବଦଳରେ
ସବୁଥର ପରି ଏଥର ବି
ଆତ୍ମୀୟ ଓ ଶବବାହକଙ୍କ ଓଠରେ ଶୁଭୁଥିବ…
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ…
Comments are closed.