Latest Odisha News

BREAKING NEWS

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ଦ୍ୱିତୀୟ ଲହର, ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ଟପିଛି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା ସହ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଆମେରିକା ପରେ ଭାରତ ଦୈନିକ ୧ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ କରିବାରେ ଦ୍ୱିତୀୟ ଦେଶ ହେବାକୁ ଯାଉଛି ।

ଆଜି ସାମ୍ବାଦିକ ସମ୍ମିଳନୀ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପାଉଲ କହିଛନ୍ତି- ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଠାରୁ କରୋନା ଏବେ ଦ୍ରୁତଗତିରେ ବ୍ୟାପୁଛି । କେତେକ ରାଜ୍ୟରେ ସ୍ଥିତି ଜଟିଳ ହୋଇ ପଡ଼ିଛି । ଆସନ୍ତା ୪ ସପ୍ତାହ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ସଂକ୍ରମଣରେ ବୃଦ୍ଧି ଏହି ଭଳି ଲାଗି ରହେ ତ ଦେଶକୁ ଅନେକ କିଛି ହରାଇବାକୁ ପଡ଼ିବ ବୋଲି ସେ ସତର୍କ କରାଇଛନ୍ତି ।

କରୋନା ସଂକ୍ରମଣ ରୋକିବାକୁ ଏବେ ବି ସେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଧିକ ଟେଷ୍ଟିଂ ସହ ମେଡିକାଲ ଭିତ୍ତିଭୂମି ଉପରେ ଜୋର୍ ଦେଇଛନ୍ତି । ଏଥିସହ ୪୫ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଟିକା ନେବାକୁ କହିଛନ୍ତି ।

ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ ଆଦି ରାଜ୍ୟ ଦେଶର ଚିନ୍ତା ବଢ଼ାଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ପଞ୍ଜାବ ଓ ଛତିଶଗଡ଼ରେ ମୃତ୍ୟୁସଂଖ୍ୟା ଅଧିକ ରହିଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମଣ ହାର ଅଧିକ ରହିଛି । ମହାରାଷ୍ଟ୍ରରେ ମୋବାଇଲ୍ ଟେଷ୍ଟିଂ ଲାବ୍ସ ଲାଗି ପଦେକ୍ଷପ ନିଆଯାଉଛି ।

ଛତିଶଗଡ଼ ଆୟତ୍ତନ ଓ ଜନସଂଖ୍ୟା ଦୃଷ୍ଟିରୁ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଛତିଶଗଡ଼ରେ ଦୈନିକ ୬ ପ୍ରତିଶତ ପଜିଟିଭ୍ ମାମଲା ଓ ୩ ପ୍ରତିଶତ ମୃତ୍ୟୁ ହେଉଛି । ସେହିଭଳି ପଞ୍ଜାବରେ ପାଖାପାଖି ୪.୫ ପ୍ରତିଶତ ମୃତ୍ୟୁ ହେଉଛି ।

Leave A Reply

Your email address will not be published.