Latest Odisha News

BREAKING NEWS

ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦି ଏହାକୁ କେହି ଏହାକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କଠାରୁ ଆଦାୟ ହେବ ଦୁଇ ଗୁଣା ଜରିମାନା ।

ମୁଖ୍ୟମନ୍ତ୍ରୀ କହଛନ୍ତି, ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏଭଳି ସ୍ଥିତିରେ ଆମେ କଟକଣା ମାନିଲେ ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁର ଦରକାର ପଡ଼ିବ ନାହିଁ । ସମସ୍ତେ କୋଭିଡ ନିୟମକୁ ମାନିବା ସହ ମାସ୍କ ପିନ୍ଧିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କକୁ ବେକରେ ନ ଝୁଲାଇ, ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ମା’ ମାନଙ୍କୁ ଅନୁରୋଧ ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି । ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ । କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ତେଣୁ ଏହି ଅମାନିଆଙ୍କ ଠାରୁ ଦୁଇ ଗୁଣ ଜରିମାନା ଆଦାୟ କରାଯିବ ।

ସେହିପରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ଆମେ ବିନା ଲକଡାଉନରେ କରୋନା ମହାମାରୀକୁ ରୋକି ପାରିବା । ଯଦି ଆପଣ ଚାହୁଁଛନ୍ତି ରୋଜଗାର ବନ୍ଦ ନହେଉ, ତେବେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.