Latest Odisha News

BREAKING NEWS

ପୁସ୍ତକ ପରିଚୟ : ବିବାକ ବସୁଧା

ବିବାକ ବସୁଧା
କବି : ଭରତ ବେହେରା
ପ୍ରକାଶକ : ଏଥେନା ବୁକସ
ଭୁବନେଶ୍ୱର- ୨
ପୃଷ୍ଠା : ୯୬
ମୂଲ୍ୟ : ୧୧୦

କବିତାରେ କେବଳ ଲାଳିତ୍ୟର ସ୍ୱର ନ ଖୋଜି ଜୀବନ ଯନ୍ତ୍ରଣାର ସ୍ୱର ଖୋଜୁଥିବା କବି ଭରତ ବେହେରାଙ୍କ କବିତା ସଙ୍କଳନ “ବିବାକ ବସୁଧା” ଏକ ସ୍ୱତନ୍ତ୍ର ସୃଷ୍ଟି । ଏଠାରେ କବି ମାଟିର ମଣିଷ କଥା କହିଛନ୍ତି । କବିତା କେବଳ ବିଭୋର କରେ ନାହିଁ ; କବିତା ପରିବର୍ତ୍ତନ ଆଣେ । ବିପ୍ଳବ ଆଣେ । ସେ ବିପ୍ଳବ ଭିତରେ ପ୍ରଗତିର ଧାରା ଦେଖାଏ । ଅନ୍ଧାର ମଝିରେ ଖୋଜେ ଆଲୁଅର ଧାରା । ଶାଳ ମହୁଲର ଜଙ୍ଗଲ ଭିତରେ ଅହରହ ଖୋଜି ହେଉଥାଏ ମହୁଆ ବାସ୍ନା । କବି ଅନେକ କବିତା ମାଧ୍ୟମରେ ଆଦିବାସୀଙ୍କ ସରଳତା ଭିତରେ ହୃଦୟର ରାସ୍ତା ଖୋଜିଛନ୍ତି ।ପୁଣି ବଣ ମଲ୍ଲୀ ଭିତରେ ଚାନ୍ଦ ଖୋଜିଛନ୍ତି । କେବେ ଦେଶାନ୍ତରୀ ହୁଏ । ନଦୀରୁ ସମୁଦ୍ର , ସମୁଦ୍ରରୁ ଦ୍ବୀପ, ଦ୍ବୀପରୁ ପୁଣି ବୁଲାଣିଆ ବାଟ ଦେଇ ପହଞ୍ଚିଯାଏ ହୃଦୟ ଭିତରେ। କବିଙ୍କ ଭାଷାରେ :

ନଦୀରୁ ସମୁଦ୍ର , ସମୁଦ୍ରରୁ ଦୀପ
ବେଖାତିର କରି ସବୁ ବୁଲାଣିଆ ବାଟ
ଅଧାଅଧି ବର୍ଷ ବିତିଥିବ
ଜଳଯାତ୍ରା ବୈପାରିକ ଦିଗ
କିନ୍ତୁ ତମ ଜଳଯାତ୍ରା ଅଭ୍ରାନ୍ତ ଅକ୍ଷର
ଲେଖା ହୋଇ ରହିଥିବ
ସବୁ ସବୁ ଉତ୍କଳୀୟ ହୃଦୟ ତଟରେ ।

ବାଳୁତର ବାସ୍ନା କବିତାରେ କବି ମାଟିର କଥା କହିଛନ୍ତି । ମାଟି ଭିତରେ ଶୈଶବର ସମ୍ଭାବିତ ଶିଖା ଦେଖିଛନ୍ତି । ବାଳୁତର ପହିଲି ପୁଲକକୁ ଅନୁଭବ କରିଛନ୍ତି । ଅର୍ଦ୍ଦଳିର ଚିତ୍କାର ଶୁଣିଛନ୍ତି ।ବହି ବସ୍ତାନି ବର୍ଣ୍ଣବୋଧର ଜୀବନର ଫର୍ଚ୍ଚାକୁ ଦେଖିଛନ୍ତି । ଗାନ୍ଧୀ କବିତାରେ ଭାରତର ପ୍ରତିଟି ଧୂଳିକଣାରେ ଅହିଂସା , ସତ୍ୟାଗ୍ରହ , ଅସହଯୋଗର ଅମୋଘ ଅସ୍ତ୍ରକୁ ସଜେଇ ଶତାଦ୍ଦୀ ଶତାଦ୍ଦୀର ଗୁଳାମୀର ଗଣ୍ଠିକୁ ଫିଟାଇବାକୁ ଚେଷ୍ଟା କରିଛନ୍ତି । ଗାନ୍ଧୀଙ୍କ ନୀତି ଆଦର୍ଶରେ ଅଭିନ୍ନତାର ସ୍ରୋତ ଦେଖିଛନ୍ତି ଜାଗ୍ରତ କରିଛନ୍ତି ମୁକ୍ତିର ମାର୍ଗ ।

କ୍ଷେତରୀର କ୍ଷେତ , ଗଦବାର ଦିନଲିପି, ଚୂନ୍ଦୁରୀର ଗାଁ , ମାଆ ବସୁଧା , ବାଟ ପ୍ରସବ , ରାତିର ରାଗ , ରଘୁ ଦାସ , ହାତ ଉଧାରୀ , ଅଗଷ୍ଟର ଆଶା ଆଦି କବିତାରେ କବି ବସୁଧାର ବିବାକପଣକୁ ଦେଖାଇଛନ୍ତି ଶୁଖିଲା ମାଟି , ମଉଳି ଯାଇଥିବା ଗଛ , ପରାସ୍ତ ମଣିଷର ମୁହଁ ମୁକ୍ତି ଖୋଜୁଥିବା ସ୍ୱରଶବ୍ଦ , ସଂଘର୍ଷ ଅବାକ ପ୍ରସାଶନ ଆୟତ୍ତରେ ନଥିବା ଅଣଚାଶ ପବନର ଆବେଗରେ ଯେତେ ଜର୍ଜରିତ ହେଉ କେବେ ବି ପ୍ରଶ୍ନ କରେ ନାହିଁ । ବସୁଧା ସେ ସବୁବେଳେ ଛଳ ଛଳ ଛିନ୍ନ ଡେମ୍ଫର କଷି ଭିତରେ ବି ଦେଇପାରେ ବୀଜ । ମଧୁଶାଳା ଭିତରେ ବି ଶୁଣିପାରେ ମଧୁର ସଙ୍ଗୀତ ଅନ୍ତରୀକ୍ଷରୁ ସାଉଁଟି ପାରେ ପ୍ରତ୍ୟୟ ।
କବିଙ୍କ ଭାଷାରେ :
ଖୋଜିବତ ଖୋଜ ସାତଲୋକ, ସାତସ୍ୱର୍ଗ , ସାତସ୍ବର
ଅବା ଅନ୍ତରୀକ୍ଷ ଏମିତି ଜାଗା ନଥିବ
ମନ୍ତ୍ରୋଚ୍ଚାରଣ ସମ୍ମୋହନ ଶବ୍ଦ
ଏଠି ପ୍ରତି ମୁହୂର୍ତ୍ତରେ ପାରାୟଣ ପ୍ରବଚନ

ବସୁଧା ତ୍ୟାଗ ଓ ତିତିକ୍ଷାର ଏକ ନିଃସ୍ୱାର୍ଥ ପ୍ରତିମୁର୍ତ୍ତି । ସକାଳରୁ ରାତି ଯାଏଁ , ରାତିରୁ ପୁଣି ସକାଳ ଯାଏଁ ଜୀବନକୁ ସଜାଡୁଥିବ ବାସ୍ତବରେ “ବିବାକ ବସୁଧା” ଏକ କେବଳ ଏକ କବିତା ସଙ୍କଳନ ନୁହେଁ , ଏହା ବସୁଧାର ତୀବ୍ର ସ୍ୱର , ଏ ସ୍ୱର ଆବେଗର , ଏ ସ୍ୱର ତ୍ୟାଗର , ଏ ସ୍ୱର ସମର୍ପଣର , ଏ ସ୍ୱର ପୀଡ଼ାର ପୁଣି ସ୍ନେହର , ପ୍ରେମର ସର୍ବୋପରି ନିସର୍ତ୍ତ ଭାବର ଚିରାଚରିତରୁ ସମ୍ପୂର୍ଣ୍ଣ ଭିନ୍ନ ଏଇ କବିତା ସଙ୍କଳନଟି ବିପୁଳ ବିପୁଳ ପାଠକୀୟ ଆଦୃତି ସହ ସମାଜର ଗତାନୁଗତିକ ଧାରାରେ ପରିବର୍ତ୍ତନ ଆଣିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.