Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୮

ଦେହ ଭଲ ଲାଗୁନି କି ମନ ଭଲ ଲାଗୁନି ଜମା । ଜବାଭଳି ଝିଅଟା କେମିତି ଚମ୍ପଟ ମାରିଲା…। କାହା ସହିତ କି ସମ୍ପର୍କ ରଖିଲା…ନକହି ଚାଲିଗଲା…। ମୋ’ ଆଖିରୁ ଖସିଗଲା । ଏ ସମସ୍ତେ ମିଛୁଆ …କେହି ଦେଖିପାରିଲେନି। ରୁବିକୁ ଦି ଥାପଡ ଦେଲି, ତଥାପି କହିଲା ଜାଣେନି …। ମକବୁଲ୍, କାସିମ ଖୋଜୁଛନ୍ତି ଯେ…ଉଭେଇ ଗଲା ଯେମିତି …ମାଆ ଭଳି ମଉନମୁହୀଁ.. ଜାଣି ସିଆଣୀ… କାହାଘରେ ବାସନ ମାଜୁଥିବ ନିଶ୍ଚୟ …ଏଇଠୁ ଯିଏ ଯାଏ ସେ ଚାକରାଣୀ ହୁଏ ନହେଲେ ଏଠିକୁ ଫେରେ…ନହେଲେ ମରେ..ଯାଉ.. ମରୁ… ଯାଉ … ସେ ରାଜକୁମାର ଦାଦାଭାଇ ଖୋଜି ପକଉଛନ୍ତି କେମିତି …ଜବା ବିନା କାମ ହବକି ଆଉ…।

କି ମନ୍ତ୍ର ପଢିଛି ଯେ ଇଏ ମୋହିତ। ଦେହ ମୋ’ର ଯାହା ହଉଚି, କିଏ ପଚାରୁଚି ଯେ…। ଥିଲେ ରାଣୀ ହୋଇଥାଆନ୍ତା, ଯାଉ ସେ ଛୋଟଲୋକ ଦୁଷ୍ଟ ଚାକରାଣୀ ।cମରିବ ନିଶ୍ଚୟ ..। ହଁ , ମରଣ ଆସିଲେ ଡେଣାଲାଗେ…କେତେ ବାଟ ଉଡିବ ସେ..କୋଉ ନାଳ କି ନର୍ଦ୍ଦମାରେ ପଡି ପ୍ରାଣଯିବ। ଏଇଭଳି ମିଛେଇ ପାଇଁ ମୁଁ କାହିଁ ଏତେ ଭାବିବି ….ଖାଇବାକୁ ନ ପାଇଲେ ଲେଉଟି ଆସିବ। ମୋ’ ପାଦ ଧରିବ, ସେତେବେଳେ ଦେବି ଯେ ଏମିତି, ଓରମାନ ମେଣ୍ଟିବ।

ଦେହ ଦେଖାଇବାକୁ ମନ ଯେ …ଥାଉ ମକବୁଲ୍ ଯାହା ଔଷଧ ଆଣିବ ଖାଇବି। ଆଉ ସହି ହେଉନି… ରହି ହେଉନି …।ଧଇଁସଇଁ ଲାଗୁଚି …ଭବିଷ୍ୟତ ଯାହା ହାତରେ ସପିଁଦେଇ ନିଶ୍ଚିନ୍ତ ହୋଇଥାଆନ୍ତି ସେ ଉଡିଗଲା ଡେଣାମେଲି …ଓଃ ! ଯେମିତି ପଞ୍ଜୁରୀ ଭିତରେ ଥିଲା…ଯେତେ ଦେଲେ ନେଲେ ସେତେ ଲୋଭ ଏମାନଙ୍କର। ଏ ସହରରେ ଅଛିକି କୁଆଡେ ଗଲାଣି କେଜାଣି …. ଯାଉ ଯାଉ…ଖଣ୍ଡିଆଖାବରା ହୋଇ ଫେରିବ ଯେ।

ଶୋଇ ପଡିଥିଲି କି…କେଉଁଠି ମୁଁ …ଏଇଟା କୋଉ ଜାଗା … ରୁବି, ହେନା, ସିରିନ୍, ମକବୁଲ୍, କାସିମ୍…ଚାଚା..କୁଆଡେଗଲେ ସବୁ…କୋଉଠି ମୁଁ …କୋଉଠି … ସିଷ୍ଟର, ଡକ୍ଟରଙ୍କ ସହ ଧାଇଁ ଆସିଲେ…ଚେତା ଫେରିଛି ..ରୋଗିଣୀ ଠିକ୍ ଆଡକୁ ଏବେ…ଆଶ୍ବସ୍ତ ଜୀବନ …ଚାହାଣିରେ ଅଜସ୍ର ପ୍ରଶ୍ନ …ତୁମେ ଭଲ ଆଡକୁ ଯାଉଛ … ସମୟ ଲାଗିବ …ବିପି ବଢି ଏ ଅସୁବିଧା… କଣ ଏତେ ଭାବୁଚ…ଷ୍ଟ୍ରେସ କମ କର, ଟେନସନ ନିଅନି…ଭଲ ହୋଇଯିବ ।

ଡାକ୍ତର ଜାଣିଥିଲେ ସେ ମିଛ କହୁଛନ୍ତି …ଓପନ ହାର୍ଟ ସର୍ଜରୀ ଦରକାର । ଦେଖାଯାଉ… ଟିକିଏ ଭଲ ହେଲାପରେ କହିବାକୁ ହବ। ଆତ୍ମୀୟ ସ୍ଵଜନ କହିଲେ ମକବୁଲ୍ ଓ କାସିମ ସମୟକରି ଆସୁଛନ୍ତି ଓ ଜଗୁଛନ୍ତି। କୌଣସି ଡିସିସନ ନେଇ ପାରୁନାହାଁନ୍ତି କି ଟଙ୍କା ଦେଇ ପାରୁନାହାଁନ୍ତି ।କାମ ହେବ କେମିତି …ରୋଗୀ ନିଜେ ନିଜର ଡିସିସନ ମେକର।

ମିଥିଳା ମୁଁ …ରାଣୀ ମୁଁ ..ମୋର କାହିଁକି ଦେହ ଖରାପ ହବ ମ…ଏଗୁଡା ଟଙ୍କା ଛାଣି ନେବାର ଫନ୍ଦିଫିକର କରୁଛନ୍ତି। ବେକାର…ହଃ,କଣ ଟିକିଏ ହେଲା ଯେ ଆଣି ପକେଇଦେଲେ…ମୋ’ ସୁନା, ମୋ’ ଗହଣା …ମୋ’ ଟଙ୍କା ଲୁଟି ନେବେ ଏମାନେ। ଭଲ କଣ ମ..ମୁଁ ପଳେଇବି। ମୋ’ ସ୍ବର୍ଗର ମୁଁ ଇନ୍ଦ୍ରାଣୀ …ମୋ’ ହୁକୁମରେ ମୋ’ ଘର ଚଳେ। ପବନ ବହେ… ପତ୍ର ହଲେ…ଏମାନେ ମୋତେ ଫେର ବୁଦ୍ଧି ଶିଖେଇବେ…ଶୁଣିବିନି ମ.. ଗୋଟା ଭଲ ମଣିଷକୁ ଖରାପ କହି ଟଙ୍କା କାଢିନେବେ…।ଦେବିନି …ଦେବିନି..ସେସବୁ ମୋ’ର …ଖାଲି ମୋ’ର…ଛଞ୍ଚାଣପଲ ଖାଇବା ଶିଖିଚନ୍ତି….ମୋତେ ଫେର ମଣିଷ ଚିହ୍ନେଇବେ ଏମାନେ….!

ମାଆ ସହିତ କେତେ କଷ୍ଟରେ ଉପାର୍ଜିତ ରାଶି ଧରେଇଦେବି ଏମାନଙ୍କ ହାତରେ ଏମିତି … ହୁଃ… ସୁଯୋଗ ପାଇଲେ ଚମ୍ପଟ ମାରିଲେ ଗଲା…ମୋର ସେଇ ଭଜି ଔଷଧ ଦୋକାନୀ ଭଲ….କାହିଁ ଶୁଣିବି ୟାଙ୍କ କଥା…।

ମଲେ ମରିବି ସେଇଠି…ମୋ’ ଜନ୍ମ ମାଟି, ମୋ’ ମନର ମଣିଷ …ସବୁତ ସେଇଠି।ଆଉ ଏ ଚିଲ ,ଛଞ୍ଚାଣପଲଙ୍କ ପାଖରେ ରହିବିନି। ଏମିତି ପଳେଇବି…ଏମାନେ ଟେର ପାଇବେନି …। ( କ୍ରମଶଃ )

Comments are closed.