Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୦

ଏକା ସହିତ ସମସ୍ତେ ରୋଗୀ ହୋଇଗଲେ ଦୁନିଆ ଚଳିବ କିପରି …ହୁଁ । ବୟସ ହେଲା,ଦେହ ପା’ ହବ। ଏତେ ଭାବିଲେ ହବକି …ଥରଥରକରି ମନ୍ତ୍ର ପଢଉଛନ୍ତି। ଶୁଣିବିନି କହିଲେ ବି ଶୁଣଉଛନ୍ତି। ମୋ’ ସହିତ ତାଙ୍କ ଦେଖା … ସେଦିନ ଦୀପ୍ତାଂଶୁ କି ସୁନ୍ଦର ଦିଶୁଥିଲେ..ରାଜକୁମାର …ମୁଁ ମାଆ କଥାରେ ମୁଜରା ….ଆଖିରେ ଆଖିରେ କଥା… ସେଦିନରୁ କିଭଳି ଏକ ତୃପ୍ତ ପ୍ରାଣ… । ଆଉ ତିତିକ୍ଷା ଓ ଟିକିଝିଅ ସହ ଯୋଉଦିନ ପୁଣି ଥରେ ଆସିଲେ ସେଦିନଟି ଭୁଲିବାର ନୁହେଁ।ନାଲି ଟୁକଟୁକ୍ ଓଠ ଦେଖି ମୁଁ କହିଥିଲି ଜବା… ଜବାଫୁଲ …।ତିତିକ୍ଷା ହେଲା ତିତିଲି ମୋ’ ପାଇଁ …ଓଃ ଦୁହେଁ ଦୁହିଁଙ୍କ ପାଇଁ …ଉଡିଗଲେ ଦୁହେଁ କିଏ କୁଆଡେ …ଯାଆନ୍ତୁ … ।ମୋ’ ପ୍ରିୟ ମଣିଷ ମୋ’ ପାଖରେ…।ଦାଦାଭାଇ ବୋଲି ସେଇ ତିତିକ୍ଷା ଡାକୁଥିଲା।ତାପରଠୁ ସମସ୍ତେ ଡାକିଲେ…ଅଣ୍ଡା ବଚ୍ଚା ସଭିଙ୍କର ପାଟିରେ ସେଇ ଗୋଟିଏ ଡାକ।ମଣିଷ ତ ସମ୍ପର୍କ ସ୍ଥାପନ ପାଇଁ ଡାକଟିଏରେ ବାନ୍ଧିହୋଇଯାଏ।ଶବ୍ଦ ମିଠା ଲାଗେ …ଆଃ ଜୀବନ …।ଦେହ ଖରାପ ହୋଇଗଲା … ଆମେ ଦୁହେଁ ଏକାସହିତ …ଉହୁଁ …।

ରୋଗ କାହାକୁ ନହୁଏ ଯେ! ଡର କଣ…ହଉ…। ନେଇଯିବ ଜୀବନ …ନା ମ.. ସତରେ ସେଇଟା ମୋ’ ଘର ? ଚାରିକାନ୍ଥ ଆବଦ୍ଧକୁ ଘର କହିବି ନା…ମାଆ ପରେ ମୁଁ ରାଣୀ…ଆଉ ସବୁ ମୋ’ ପୋଇଲି …ଘର କାହିଁ …କିଏ ସେଇଠି ମୋ’ର ନିଜର…ଘରେ ନିଜଲୋକ ରହନ୍ତି …ମୋ’ ପାଖରେ ତ ଅର୍ଦ୍ଦଳି ସମସ୍ତେ …ତଥାପି କାହିଁକି ମୋତେ ଏତେ ନିଜର ଲାଗନ୍ତି ସମସ୍ତେ…।

ଅପରେସନ କରିବେ, କରନ୍ତୁ, ବିଛଣାରେ ଆଉ କେତେଦିନ ରହିବି ଯେ….କି ବିପି ଆସିଲା …ମୋ’ ଅଙ୍ଗହାନୀ …କି ସୁନ୍ଦର ନାଚିପାରୁଥିଲି !

ଡକ୍ଟର ଶୁଣାଇଦେଲେ ଅପରେସନ ହବ । ନେଇ ଯାଅ କାଟିଛାଟି…ନାନା ଯୋଡିଯାଡି ବସେଇଦିଅ ଯନ୍ତ୍ର …ଦେହ ତ ଯନ୍ତ୍ର ସେଥିରେ ପୁଣି ବସେଇଦିଅ ଆଉ କିଛି ନୂଆ ଯନ୍ତ୍ରପାତି।

କାହିଁକି ମୋତେ ବାଇଆଣୀ କହୁଛ …?କଣ ହେଇଚି ମ ମୋର .. ଡକ୍ଟର ବସା ପଚାରିଲେ , କେମିତି ଅଛ ?
:ଭଲ ଲାଗୁଚି
: ଛାଡି ପାରିବ କି ସେସବୁ
:ଧନ୍ଦା !
:କିଏ କାହାର ଏଇଠି …କାହିଁକି ଏତେ ଭଲ ପାଇବା କୁହତ
: ଭଲ ପାଏ ବୋଲି ତ ବଞ୍ଚିଚି ..ଫେରେଇଆଣି ପାରିବକି ମୋ’ ସୁଖ ?
:ସୁଖ ! ଫୁରକିନା ଉଡିଯାଏ
: ଉଡିଯାଏ ! ଉଡିଯାଏ ?

ଉଡିଯାଅ ସବୁ ଶୁଆଶାରୀ ବଣି, ପାରା…ଖୋଲି ଦେଉଚି ପଞ୍ଜୁରୀ … ମେଲାଇ ଦେଉଚି ଦ୍ବାର …ଯାଅ ଯାଅ ,ସ୍ବାଧୀନତା ତୁମର ଅକ୍ଷୁଣ୍ଣ ରହୁ…ଯାଅ ଚାଚା ହଜ କରିବାକୁ, ମକବୁଲ୍ ଓ କାସିମ ସହଯୋଗ କର… ନା ମୋ’ର ଆଉ କଣ ଦରକାର … ଉଡିଯାଅ…ମୁଁ ଉଡିଯିବି…ଆମେ ଉଡିଯିବୁ !

ଆଶ୍ଚର୍ଯ୍ୟ ଚକିତ ସହର ଆଜି…।ଏତେ ବଡ ଏରିଆରେ ଖାଲି ଘର ପଡିଚି…।ଉଠିଗଲେ ନା ବାସହରା ହେଲେ …।କେମିତି ମ…ବୃନ୍ଦାବନ ନା ମଧୁବନ…ଚନ୍ଦନବନ… ଖବର କାଗଜରେ,ଟିଭିରେ ସବୁଠି ପ୍ରଚାର ଓ ପ୍ରସାର ହେଉଚି ମିଥିଳା ସାମ୍ରାଜ୍ୟର ପତନ …। ପ୍ରଜାପତି, ମହୁମାଛି କିଏ କୁଆଡେ  ? ସମୟର ଖେଳ ଇଏ , କାହାରି ବି ଜୁ ନାହିଁ ଏଡେଇ ଦେଇ ଆଗକୁ ପାଦ ବଢେଇବା ନେବ ।ତଥାପି ମଣିଷ ସବୁ ବୁଝି ଅବୁଝା ରହେ କାହିଁକି ?  ( କ୍ରମଶଃ )

Comments are closed.