Latest Odisha News

BREAKING NEWS

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା ।

ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା ହେଲେ । ତାଙ୍କ ପଦଧୂଳିଟିକେ ନେଇ ମୁଣ୍ଡରେ ମାରିଲି ଆଉ ପଚାରିଲି ,”ଆଜ୍ଞା ସବୁ ଭଲତ?”

ମୋତେ ଦେଖି ହଠାତ ତାଙ୍କ ମୁହଁ ଶୁଖିଗଲା । କହିଲେ ,”କଣ ଆଉ ଭଲ, ଯେବେଠୁ ତୁମ ବନ୍ଧୁ ଫେସବୁକର ବିଭିନ୍ନ ସାହିତ୍ୟ ଗ୍ରୁପରେ ମିଶି ସାହିତ୍ୟ ଚର୍ଚ୍ଚା କଲେଣି ସେବେଠୁ ସକାଳ ଚାହା ମୁଁ ନିଜେ ତିଆରିକରି ପିଉଛି। ପତ୍ନୀ କହୁଛନ୍ତି ରାତିରେ ଯେଉଁ କବିତାକୁ ସ୍ୱପ୍ନରେ ଦେଖିଥିଲେ ସକାଳେ ଆଗେ ସେଇଟାକୁ ପୋଷ୍ଟ କରିସାରେ ତାପରେ ଯାଇ ଯେଉଁ କଥା । ଯେ ପର୍ଯ୍ୟନ୍ତ ଚାରି ପାଞ୍ଚଟା କବିତା ଆଉ ଗପରେ ଆଙ୍ଗୁଠି ଟିପ ନ ମାରିଛନ୍ତି ଖଟରୁ ତଳକୁ ଓହ୍ଲାଉ ନାହାନ୍ତି । ଗଲା ଦୁଇ ମାସ ଭିତରେ ଚାହା ସହ ପିଲାଙ୍କ ପାଇଁ ଜଳଖିଆ ତିଆରି କରିବା ଶିଖିଗଲିଣି ।”

ତାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲି, ” ଆଉ ଦୁଃଖ କରନ୍ତୁ ନାହିଁ । ଆସ୍ତେ ଆସ୍ତେ ସବୁ ଦେହସୁହା ହୋଇଯିବ । ମୁଁ ବି ଦେଖୁଛି କେବଳ ମଧ୍ୟ ରାତ୍ରର କିଛି ଘଣ୍ଟା ଛାଡିଦେଲେ ବାକି ପ୍ରାୟ ସବୁ ସମୟରେ ଫେସବୁକର କେଉଁଠି ନା କେଉଁଠି ତାଙ୍କର ଉପସ୍ଥିତି ରହୁଛି । ଏବେ ସେ ଯେଉଁ ରେଟରେ ଗାରଉଛନ୍ତି ଗଳ୍ପ, କବିତା, ନୀତିବାଣୀ, ଏକପଦୀ, ଦୁଇପଦୀ, ଚଉପଦୀ କିଛି ବି ଛାଡୁନାହାନ୍ତି । ଜହ୍ନ ମାମୁଁ ଭଳି ପିଲାଠୁ ବୁଢା ପର୍ଯ୍ୟନ୍ତ ସେ ଏବେ ସମସ୍ତଙ୍କ ନାନୀ ନହେଲେ ଅପା । କଲେଜର ଶାନ୍ତଶିଷ୍ଟ, ଏକାନ୍ତ ଗମ୍ଭୀର ଓ ରୁକ୍ଷ ଜଣାପଡୁଥିବା ସହପାଠିନୀ ଆଜି ସମସାମୟିକ ମୁଖପୁସ୍ତକ ସୃଜନ ଜଗତରେ ଠିଆ ଠିଆ ଉପନ୍ୟାସ ଲେଖିପାରୁଥିବା ଆଶୁ ସାହିତ୍ୟିକ ଓ ସାହିତ୍ୟିକାମାନଙ୍କ ଭିତରେ ବେଷ୍ଟ ଟେନରେ ଗଣା ଯାଉଛନ୍ତି ; ଏକଥା ମୋତେ ନିଜକୁ ପରତେ ଯାଉନାହିଁ । ସେ ଯେପରି ଅନୁଜ ପାଠକମାନଙ୍କ ପାଇଁ ଅଜସ୍ର ସ୍ନେହାଶିଷ ଢାଳୁଥିବା ନାନୀ , ସେହିପରି ଅଗ୍ରଜମାନଙ୍କୁ, ଭୂମିଷ୍ଠ ପ୍ରଣାମ କରୁଥିବା ସେମାନଙ୍କ ଏକାନ୍ତ ଅନୁଗାମିନୀ ପାଠିକା । ଓଃ କଣ ସେ ନୁହନ୍ତି !! ଏତେ ପରିବର୍ତ୍ତନ !ଆଶ୍ଚର୍ଯ୍ୟ ! ସତରେ ଭାଇନା ଆପଣ କେଉଁ ଜନ୍ମରେ କି ପୁଣ୍ୟ କରିଥିଲେ ଆମ ବାନ୍ଧବୀଙ୍କୁ ପତ୍ନୀ ରୂପରେ ପାଇଛନ୍ତି । ତାଙ୍କରି ପୂଣ୍ୟପଣରୁ ଆଜି ଆପଣଙ୍କ ବଗିଚାରେ ଫୁଟିଛି ବିରଳ ଗେଣ୍ଡୁ । ଏହା ଭଗବାନଙ୍କ ଆଶୀର୍ବାଦ ନୁହେଁ ତ ଆଉ କଣ !”

—- ବିରଳ ଗେଣ୍ଡୁ ? ସେଇଟା ପୁଣି କ’ଣ ! ଆପଣଙ୍କ ବନ୍ଧୁ ତ ସାହିତ୍ୟ ଚର୍ଚ୍ଚା କରୁ କରୁ ଦିନ ଦଶଟା ବାଜୁଛି । ପୂଜା ବିନା ଚଉଁରା ତୁଳସୀ ଗଛ କେବେଠୁ କାଠି ହୋଇଗଲାଣି । ବଗିଚାରେ ଗେଣ୍ଡୁ କୋଉଠୁ ଆସିବ ?

— କିନ୍ତୁ ବନ୍ଧୁ ତ ଫେସବୁକରେ ପୋଷ୍ଟ କରିଥିବା ଗେଣ୍ଡୁ ଫୁଲର ଫୋଟ ପାଖରେ ଲେଖିଥିଲେ ଆମ ବଗିଚାରେ ଫୁଟିଥିବା ବିରଳ ଖରାଦିନିଆ ଗେଣ୍ଡୁ ।

ଜୟ ଜଗନ୍ନାଥ, ସବୁ ଆପଣଙ୍କ ପୁଣ୍ୟର ଫଳ, ଅଭିନନ୍ଦନ ଓ ଶୁଭେଚ୍ଛା ଇତ୍ୟାଦି ମିଶେଇକି ଦୁଇଶହ ପାଖାପାଖି କମେଣ୍ଟ ବି ଆସିଛି ।

— ହଉ ଆପଣଙ୍କ ବନ୍ଧୁ, ଆପଣ ଜାଣିଥିବେ । ଆମକୁ ତ କିଛି ଜଣା ନାହିଁ ।

— ନା ନା ସେମିତି କୁହନ୍ତୁ ନାହିଁ । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଭଲ ପାଉନଥିଲେ କଣ ଆପଣଙ୍କ ମନ ପସନ୍ଦ ବାଇଗଣ ଭର୍ତ୍ତାକୁ ଏତେ ସରାଗରେ ବନେଇଥା’ନ୍ତେ ! ଆଜିକାଲି କୋଉ ସ୍ତ୍ରୀ ଏ ପ୍ରଚଣ୍ଡ ଗୁଳୁଗୁଳିରେ କଷ୍ଟକରି ତା ପ୍ରାଣପ୍ରିୟଙ୍କ ପାଇଁ ବାଇଗଣ ଭର୍ତ୍ତା ବନଉଛି ମ ? ମୁଁ ତ ଆପଣଙ୍କଠୁ କିଛି ଟିପ୍ସ ନେବି ବୋଲି ଭାବୁଥିଲି। ଏ ସବୁ କେମିତି ପାରିଛନ୍ତି ଆପଣ… ଘରଣୀଙ୍କୁ ମନେଇବାର କଳାକଉଶଳରେ ମୁଁ ଆଜିଯାକେ ଫେଲ ମାଇଲି।

ମୋ କଥା ଶୁଣି ଭାଇନା କହିଲେ “ଆପଣ କ’ଣ ସବୁ ଗପୁଛନ୍ତି ମୁଁ କିଛି ବୁଝିପାରୁନି । କିଏ କହିଲା ମୋତେ ବାଇଗଣ ଭର୍ତ୍ତା ଭଲଲାଗେ ବୋଲି । ମୁଁ ଆଦୌ ଖାଏନି । ବାଇଗଣରେ ଆଲର୍ଜି ମୋର । ”

—- ମାନେ ! ଆପଣ ଏ କ’ଣ କହୁଛନ୍ତି ! ଆମ ବନ୍ଧୁ ତ ଗଲା ସୋମବାର ଦିନ ବାଇଗଣ ଭର୍ତ୍ତାର ଫୋଟ ଛାଡିଥିଲେ । ତଳେ ଲେଖା ଥିଲା, ଏତେ ଗରମରେ ଆଜି ତିଆରି କରିଛି ଖାସ ୟାଙ୍କ ପାଇଁ ତାଙ୍କ ମନ ପସନ୍ଦର ବାଇଗଣ ଭର୍ତ୍ତା । ମୋ ଭଳି ଅନେକ ପାଠକ ତ ଗଦ୍ ଗଦ୍ ହୋଇଯାଇଥିଲେ ତାଙ୍କର ଆପଣଙ୍କ ପ୍ରତି ଥିବା ଅନାବିଳ ପ୍ରେମକୁ ଦେଖି ।

ଭାଇନା ଧ୍ୟାନ ଦେଇ ଶୁଣନ୍ତୁ, ଯାହା ହେବାର ହୋଇଗଲାଣି ଏବେ ଆପଣଙ୍କୁ ଯଦି କିଏ ପଚାରେ ତେବେ କହିବେ ହଁ ଆମ ବଗିଚାରେ ଗୋଟେ ବିରଳ ଗେଣ୍ଡୁ ଫୁଲ ଫୁଟିଥିଲା । ପ୍ରଥମ ଫୁଲ ବୋଲି ମହାପ୍ରଭୁଙ୍କୁ ଲାଗି କରିଦେଇଛୁ, ନହେଲେ ଦେଖେଇ ଦେଇଥାନ୍ତି । ଆଉ ଯଦି କୋଉ ପଙ୍ଗତକୁ ଯିବେ ଆଗ ବାଇଗଣ ଭର୍ତ୍ତା ଖୋଜିବେ । ଇଚ୍ଛା ଥାଉ କି ନଥାଉ ଅଧିକା ମାଗିକି ଖାଇବେ । ଯେମିତି ଆପଣ କେବଳ ବାଇଗଣ ଭର୍ତ୍ତା ଖାଇବା ପାଇଁ ବଞ୍ଚିଛନ୍ତି । ଆମ ବନ୍ଧୁ ଲେଖିଦେଇଛନ୍ତି ମାନେ ସେଇଟା ଠିକ । ଆପଣ ଯେତେ ପ୍ରତିବାଦ କଲେବି କେହି ବିଶ୍ୱାସ କରିବେନି । ବର୍ତ୍ତମାନ ଫେସବୁକର ସାହିତ୍ୟ ପୃଷ୍ଠା ଗୁଡିକରେ ତାଙ୍କର ଯାହା ପୋଜିସନ ସେଥିରେ ସେ ଖାଲି କମା କି ହଳନ୍ତ୍ ମାରିଦେଲେ ବି ପାଠକେ ସେଥିରେ ଭଗବାନଙ୍କ ସତ୍ତାକୁ ଦେଖି ଭାବବିହ୍ୱଳ ହୋଇଯାଉଛନ୍ତି । ତେଣୁ ସେ ଯାହା ଲେଖିଛନ୍ତି ତାକୁ ସତ ବୋଲି ମାନିନିଆନ୍ତୁ । ନଚେତ ଆପଣଙ୍କ ଏପରି ଆଚରଣ ପାଇଁ ଆପଣଙ୍କ ବିରୁଦ୍ଧରେ କିଛି କମେଣ୍ଟ ଫେସବୁକରେରେ ଆସିବା ଅସମ୍ଭବ ନୁହେଁ, ଅନୁଗାମୀମାନେ ଆନ୍ଦୋଳନ ଫାନ୍ଦୋଳନ ବି କରିଦେଇ ପାରନ୍ତି।

ଜାଣିଶୁଣି କୀଳା ନେବେ କେଉଁ ଖୁସିରେ…?”

ମୁଁ ସ୍ପଷ୍ଟ ଦେଖିପାରୁଥିଲି ଭାଇନାଙ୍କର ଅଣଚାଷ ବୋହିଲାଣି, ଓଠ ଅଠା ହୋଇଗଲାଣି । ଖପୁରିଆ ଛକ ମାଛ ମାର୍କେଟର କୋଳାହଳ ଭିତରେ ବି ସେ ନିଜକୁ ଏକା ଏକା ଅସହାୟ ମନେକରୁଛନ୍ତି । ଦେହରୁ ଗମଗମ ଝାଳ ବାହାରି ସାର୍ଟ ଓଦା। ହାତଧରି ପାଖ ଦୋକାନ ବେଞ୍ଚରେ ବସେଇଦେଲି । ଦୋକାନରୁ ପାଣି ମାଗି ଭାଇନାଙ୍କ ହାତକୁ ପାଣି ବୋତଲ ବଢ଼େଇଦେଇ କହିଲି,”ଆପଣ ଟିକେ ମୁହଁକୁ ଭଲ ଭାବେ ଧୋଇ ଦି ଢ଼ୋକ ପିଇ ଦିଅନ୍ତୁ । ଭଲ ଲାଗିବ । ଘଡ଼ିଏ ବସନ୍ତୁ, ଝାଳ ଶୁଖିଲେ ଯିବେ। ”

ବନମାଳୀ ଭବନ , ଖାନନଗର
କଟକ,ଓଡିଶା
୭୫୩୦୧୨

Leave A Reply

Your email address will not be published.