ବ୍ୟତିରେକ
ସ୍ମୃତିରଞ୍ଜନ ସେଠୀ
ମୁଁ ହରେଇ ସାରିଥିବି ସେତେବେଳକୁ
କାକର ବୁନ୍ଦାର ଶେଷ ଅବସୋସ
ଝଡିସାରିଥିବ ଜହ୍ନରୁ
କେଇ ପଳଖା କଳଙ୍କ
ଚଢେଇ ପେଟରୁ
କୁହୁଳି ଉଠୁଥିବ ଭୋକ
ପାହାନ୍ତିତାରାର ପିଠିରେ ବସି
ସବୁଦିନ ଗଲାବେଳେ
ତୁ ସେମିତି ଥରେ ଅନେଇଦେବୁ
ମୋ ଦୁଆରକୁ
ଝାପ୍ସା ଦିଶିବ ଘର ଭିତର
ତୁ ସେମିତି ଚାହିଁ ଚାହିଁ
ମିଳେଇଯାଉଥିବୁ ଆକାଶରେ ।
କେବେ ଥରେ
ସବୁ ସମ୍ଭାବନା ସବାର କରି
ତୁ ଓହ୍ଲେଇ ଆସିବୁ
ମୋ ଲିପାହୋଇନଥିବା ପିଣ୍ଢାକୁ
କଣେଇ ଚାହିଁବୁ ସେମିତି ଘର ଭିତରକୁ
ସବୁ ଆକଟ ସତ୍ତ୍ୱେ
ମୁଁ ନଥିବି ସେତେବଳେ
ବାସ୍ ! ଏତିକି ଯଥେଷ୍ଟ ତୋ ପାଇଁ ।
ଜାଣିଛି,
ମୁଁ ନଥିବା ସେଇ ସକାଳରେ
ତୁ ଉଡିଯିବୁ
ମୋ ଦୁନିଆ ଛାଡି
ତୋ ଦୁନିଆକୁ
ଖୋଜିବା ବାହାନାରେ ।
……………
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
Comments are closed.