କବିର ରାଜନୀତି
ମୁକୁଲ୍ ମିଶ୍ର
ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ
କିଳିକିଳା ଚିତ୍କାର ବେଳକୁ
ମୋର ଏଠି, ଏମିତି
ତରଳ ପ୍ରେମ କବିତାଟେ ହୋଇ
ତମ ଭିତରେ ଭେଦିଯିବା କଣ ଠିକ୍?
ଅବଶ୍ୟ
ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ
ବନ୍ଧନ ଛିଣ୍ଡେଇ
ବହିଯାଏ ଯିଏ
ସେ ମୁଁ ନୁହେଁ ।
ଆବୋରି ଧରିବା ଜାଣେ
ବୋଲି ତ
ପ୍ରେମର ଅଜସ୍ର ଚେରରେ ଏଡେ
ସଶକ୍ତ ଏ ମାଟି ।
ସେମାନେ
ସତ୍ତା ପାଇଁ ବାଡବତ୍ତା
ଡେଇଁଗଲା ବେଳେ
ମୁଁ ଚୁମ୍ବନର ଚୁମ୍ବକରେ
ଏମିତି
ଯୋଡିଦେବା ଆଉ
ଯୋଡିହେବା ହିଁ
ବୋଧେ ଦେଶଦ୍ରୋହ ।
ରକ୍ତ ପୋଛି
ରସ ରୋପିଦେବାର ଏ ଦ୍ରୋହ ପାଇଁ
ତୁମ ସମ୍ବିଧାନର
ଯେ କୌଣସି ଦଣ୍ଡ
ମଞ୍ଜୁର ମତେ ।
ପ୍ରତି ମୁହୂର୍ତ୍ତରେ
ନିଜ ବିକ୍ଷିପ୍ତ ସତ୍ତାକୁ
ନୂଆ କରି ଗଢୁ-ଗଢୁ
କାରିଗର ପାଲଟି ସାରିଥିବା
ମୋର ମଧ୍ୟମ ବୟସ
ମଧ୍ୟମ ଉଚ୍ଚତା ଆଉ
ଥାଇରଏଡ୍ ଦେହ ସତ୍ତ୍ୱେ
ସୀମାନ୍ତ ସେପାଖରୁ ଆସିଥିବା
ଗୁଳି ପାଇଁ
ଠିକ୍ ସୈନ୍ୟ ପରି ହିଁ
ସଜିଲ୍ ମୋର ଲହୁ
ମୋର ଛାତି
ମୁଁ କିଏ ବୋଲି ଆଉ ପଚାରନା
ଗୋଟେ କାନ୍ଧ ଓଢଣୀ
ଆର କାନ୍ଧରେ ତ୍ରିରଂଗାର ଦାୟ
ଗୋଟେ ହାତ ଧ୍ୱଜା
ତ ଆର ହାତେ ମୋର
ଶବ୍ଦର ଆଶ୍ରୟ
ଚିତ୍କାର ନୁହେଁ ସିତ୍କାର ବୁଝେ ମୁଁ
ଆଖି ଦେଖି
ଭୋକ ମାପିବା ମୋର କଳା
ଶବ୍ଦ ଢାଳି ଦୂରତା ଲଂଘିବା
ମୋର ହବି
ମୁଁ କବି।
Comments are closed.