Latest Odisha News

ଟି୨୦ ବିଶ୍ୱକପରେ ବି ଖେଳିବେନି ଜାଡେଜା !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଘାତ ସମସ୍ୟା ଜଟିଳ ହୋଇଥିବାରୁ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଇଭେଂଟରେ ଖେଳିପାରିବେ ନାହିଁ । ତେବେ ଏ ନେଇ ବିଧିବଦ୍ଧ ଭାବେ ଜାଡେଜା କିମ୍ବା ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଚଳିତ ଏସିଆ କପ ଅବସରରେ ସେ ଡାହାଣ ଆଂଠୁରେ ଆଘାତ ପାଇଥିଲେ । ରିପୋର୍ଟ ମୁତାବକ ତାଙ୍କର ଏକ ବଡ ଧରଣର ଅସ୍ତ୍ରୋପଚାର ହେବାକୁ ଯାଉଛି । ଯଦି ଏହା ହୁଏ ତାହାହେଲେ ଅତି କମରେ ୩ରୁ୪ ମାସ ବିଶ୍ରାମ ନେବାକୁ ପଡିବ । ଫଳରେ ସେ ଟି୨୦ ବିଶ୍ୱକପରୁ ବାଦ ପଡିବା ଏକପ୍ରକାର ନିଶ୍ଚିତ ।

ଏସିଆ କପରେ ଜାଡେଜା ଖେଳିଥିବା ୨ଟି ଯାକ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜାଡେଜା ଏହି ଆଘାତ ସମସ୍ୟା ନେଇ ଚିନ୍ତାରେ ପଡିଥିଲେ । ସେଥିପାଇଁ ସେ ବୋଲିଂ ତୁଳନାରେ ବ୍ୟାଟିଂ ଉପରେ ବିଶେଷ ଧ୍ୟାନ ଦେଉଥିଲେ । ବାରମ୍ବାର ସମସ୍ୟାରେ ପଡୁଥିବାରୁ ଶେଷରେ ସେ ସର୍ଜରୀ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

Comments are closed.