ଝାରସୁଗୁଡା: ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦାବି ହେଉଥିଲା। ଏବେ ଏହି ବାଇପାସ ରୋଡ୍ ପାଇଁ ଅନୁମତି ମିଳିଛି। ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ଠାରେ ଭାୟା ତାଳପଟିଆ ଦେଇ ରାସ୍ତା ତିଆରି କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ଟଂକା ମଧ୍ୟ ମଞ୍ଜୁର ହୋଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।
ଜାତୀୟ ରାଜପଥ ଏନଏଚ-୪୯କୁ ଏହି ରାସ୍ତା ସଂଯୋଗ କରିବ। ମୋଟ୍ ୩୧.୨୪ କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ମୋଟ୍ ୫୮୭.୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ତିଆରି ହେବା ବେଳେ ହାତୀ ମାନଙ୍କ ନିରାପଦ ଚଳପ୍ରଚଳ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ରାସ୍ତା କାମ ପାଇଁ ପ୍ରାୟ ୭୦ ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ଏବଂ ବାକି କାମ ଖୁବ୍ ଶୀଘ୍ର ଶେଷ ହେବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୧ରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ରାସ୍ତା ନିର୍ମାଣ କାମ ତୁରନ୍ତୁ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.