ଓଡ଼ିଶା ସମ୍ବାଦ ବ୍ଯୁରୋ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ଏକ ସୁପରସାଇକ୍ଲୋନ ବା ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ଏପରି କିଛି ଇସାରା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବଣ ଉପକୂଳରୁ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ ବୋଲି ଚାରି ଦିନ ତଳେ ପୂର୍ବାନୁମାନ କରାଯାଇଥିଲା।ତେବେ ରବିବାରର ପୂର୍ବାନୁମାନରେ ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
କାନାଡାର ସସକାଚଓ୍ୱନ ବିଶ୍ବବିଦ୍ୟାଳୟର ଜଳବାୟୁ ପରିବର୍ତ୍ତନ ଉପରେ ପିଏଚଡି କରୁଥିବା ଛାତ୍ର ମୋସ୍ତାଫା କମଲ ପଳାଶ କହିଛନ୍ତି, ଅକ୍ଟୋବର ୧୭ ତାରିଖରେ ଏକ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ଅକ୍ଟୋବର ୧୮ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଉଲ୍ଲେଖ ରହିଛି। ଏହି ବାତ୍ୟାର ନାମ ‘ସିତରଙ୍ଗ’ ରଖାଯିବାର ସମ୍ଭାବନା ରହିଛି।
ବାଂଲାଦେଶର ପ୍ରମୁଖ ଗଣମାଧ୍ୟମ ‘ଦ ବିଜନେସ୍ ଷ୍ଟାଣ୍ଡାର୍ଡ’କୁ ଏହି ପିଏଚଡି ଛାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ସୁନ୍ଦରବଣ ଉପକୂଳ ମଧ୍ୟରେ ଯେକୌଣସି ସ୍ଥାନରେ ଶକ୍ତିଶାଳୀ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ସଦ୍ୟତମ ଜିଏଫ୍ଏସ୍ ଭବିଷ୍ୟବାଣୀକୁ ଉଲ୍ଲେଖ କରି ପଳାଶ କହିଛନ୍ତି, ବାତ୍ୟା ‘ସୁପର ସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଆମ୍ପାନ୍ ଭଳି ଘଣ୍ଟା ପ୍ରତି ୨୨୦-୨୫୦ କି.ମି ମଧ୍ୟରେ ରହିପାରେ। ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଉପକୂଳ ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ଜାତୀୟ ଗଣମାଧ୍ଯମରେ ଅକ୍ଟୋବର ୧୦ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ଦେଶର ପାଣିପାଗ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।
Comments are closed.