Latest Odisha News

ଛାଡ଼ଖାଇ

ଛାଡ଼ଖାଇ

ବିଦ୍ୟାଧର ପଣ୍ଡା

ଛାଡ଼ଖାଇ ଦିନକୁ ଭୁଆଁଭାଇ ଚାରିପେଟି ମିଲିଟାରି ଥ୍ରୀ ଏକ୍ସ ରମ କାର୍ଟୁନ ଯୋଗାଡ଼ କରି ତିନିମାସ ହେଲା ଜଗିଥିଲା । ଶନିବାର ପଡ଼ିଗଲା ବୋଲି ମନମାରି ଦାଣ୍ଡପିଣ୍ଡାରେ ଏକାଏକା ବସି କ’ଣ ଗୁଡ଼ାଏ ଭାବୁଛି । ଉଦାସ ଚେହେରା । ଶନିବାରଟିକୁ ସିଏ କୋଡ଼ିଏ ବର୍ଷ ହେବ ମାନେ, ନିରାମିଷ ଖାଇ ପାଳେ । ଯେତେ ଦରକାର ଥିଲେ ମଧ୍ୟ ଶନିବାରେ ଭୁଆଁ ଦାଢ଼ି କାଟେନି କି ଆଇଁଷ ଛୁଏଁନି, ଆଜି କେମିତି ହେବ?

ଏତିକି ବେଳେ ପହଞ୍ଚିଲା ମିଞ୍ଜା । କ’ଣ ହେଲା ଭାଇ, କିଛି ଟେନସନ? ତୁମ ପାଇଁ ଆମ ଜାନ ହାଜିର… କହି ଦେଶୀ ବନ୍ଧୁକଟି ପକେଟରୁ ବାହାର କରି ବସିଲା । ଭୁଆଁଭାଇ ବହୁତ ଗହନ ଚିନ୍ତାରେ ବୁଡ଼ିଥିବାର ଦେଖି, ଧୀରେଧୀରେ ପାଖକୁ ଘୁଞ୍ଚି ଆସି ପଚାରିଲା:
– କୁହନ୍ତୁ କ’ଣ ହେଇଛି?
– ନାଇଁ! ସେମିତି କିଛି ନାହିଁ । ଏଇ ଛାଡ଼ଖାଇ କଥା ଭାବୁଥିଲି…
– ଭାବିବାର କ’ଣ ଅଛି? ଝକାସ ପାର୍ଟି ହବ । ଆର ବର୍ଷ ପରିକା । ବାନ୍ତିକଲେ ଆଗରୁ କହି ଦେଇଛି, ନେଇକି ମହାନଦୀର ଥଣ୍ଡା ପାଣିରେ ବୁଡେ଼ଇବି । ଯେତିକି ଦମ ଅଛି, ସେତିକି ପିଇବ। ଶ… ଦୀନା, ଭିକାରୀଟା, ମାଗଣା ମିଳିଲେ ପିଚୁ ଗିଳିଯିବ । ଗତବର୍ଷ ରଅ ମାଲ ଗୁଡ଼ା ଢକଢକ କରି ବିକଳ ହୋଇ ପିଇଗଲା । ଅଧଘଣ୍ଟା ଭିତରେ ଦୁଆରବନ୍ଧରେ ଛିଡ଼ା ହୋଇ ପିଚକାରୀ ପରି ଭକ ଭକ ଏମିତି ବାନ୍ତିକଲା ଯେ, ପୂରା ଦାଣ୍ଡ ଗନ୍ଧେଇଗଲା । ଏଥର କିନ୍ତୁ ତାକୁ ସତର୍କ କରି ଦେଇଛି ।
– ଶ… ଶ… ଶନିବାରଟା ଅବାର । କିଛି ନ’ବୁଝି ପାଗଳ ପରିକା ଗପୁଛୁ । କଲିଜା ଚାଖଣାକୁ ଖାସି ମାଉଁସ ଟିକିଏ ଟଣା ନ’ହେଲେ କି ଛାଡ଼ଖାଇ? ପନିର ଛତୁ ଭଜା କିଛି କାମ ନୁହଁ ।

ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଭୁଆଁ ଗୋଷ୍ଠୀର ସାର୍ପସୁଟର ଷେଣ୍ଢିଆ ଆସିଲା- ଛାଡ଼ଖାଇ ପାଳିବାରେ କିଛି ଅସୁବିଧା ନାହିଁ ଭାଇ । ସନ୍ଧ୍ୟାବେଳେ କାଜୁଫ୍ରାୟ ସାଙ୍ଗରେ କ୍ଲାସ ଚାଲୁ କରିବା । ସଲିମକୁ କହିଲେ ଆଠଟା ରାତିରେ ଦଶ ବାର କିଲୋ ଫ୍ରେସମଟନ ନଗଦ ହଲାଲ କରିଦବ । ରୋଷେଇ ନଅଟାରୁ ଆରମ୍ଭ କଲେ ସାଢେ଼ ଏଗାରଟାରେ ଶେଷ । ଠିକ ମଧ୍ୟରାତ୍ର ୧୨ଟାରେ ଶନିବାର ଖତମ, ରବିବାର ହେଲେ ଆମର ଛାଡ଼ଖାଇ ସୁରୁ । ଭୁଆଁ ହସିଲା । କହିଲା ଷେଣ୍ଢିଆ! ତୋ ମୁଣ୍ଡରେ ମୁଁ ଭାବୁଥିଲି ଖାଲି ଗୋବର, ଶ… ଏତେ ବୁଦ୍ଧି ଖୁନ୍ଦି ହୋଇଅଛି । ଆୟୋଜନର ଜିମ୍ମେଦାରି ଭୁଜାଲିବାଲା କଟାକୁନାକୁ ଦିଆଗଲା । ଫାଇନାଲ ହେଲା କାଜୁ, ସେଓ, କାକୁଡ଼ି, ଗାଜର, ମିକ୍ସଚର ଆଦିରେ ସନ୍ଧ୍ୟା ୭ଟାରେ କ୍ୟାଣ୍ଡେଲ ଲାଇଟ ନିରାମିଷ ଆଳତୀ ଚିୟର୍ସ ହେବ । ରାତ୍ର ୧୨ଘଟିକା ୧ମିନିଟ ୧ ସେକେଣ୍ଡରେ ଦିନ ବଦଳିଲେ ପ୍ରକୃତ ଛାଡ଼ଖାଇ କଲିଜା, ମଟନ, ଚିକେନ, ଚୁଙ୍ଗୁଡ଼ି ଆଦି ସେବନରେ ଏ’ବର୍ଷ ଛାଡ଼ଖାଇ ଜାଗରଣ ହେବ । ରାତି ୨ଟା କି ୩ଟା ଭିତରେ ସାରିଦେବା । ସକାଳ ଯାଏ ଚାଲିଲେ ବି କିଛି ଅସୁବିଧା ନାହିଁ, ଏକ ତାରିଖ ଦିନଯାକ ଶୋଇଯିବା ।

ସଲିମ ଖାଁ ଉପରେ ତିନି ପଞ୍ଚାୟତ ଲୋକଙ୍କ ଆଶା । ଗୋଟିଏ ମୁସଲିମ ଘର । ସଲିମ ମିଆଁ’ର ଦୁଇଟି ଝିଅ, କଟାକଟି କାମକୁ ନୁହଁ । ତଥାପି ଓଜନ ବାଜନରେ ଆଜି ବଡ଼ଝିଅ ବହୁତ ମେହେନତ କରିଛି । ଚାଳିଶଟା ଛେଳି ବିକୁବିକୁ ଦିନ ୩ଟା ହେଲା । ଭାବିଛି କାଲି ରବିବାର ପ୍ରକୃତ ଛାଡ଼ଖାଇ ପାଇଁ ମାଲ ଯୋଗାଡ଼ କରିବାକୁ ଖାଇ ସାରିଲା ପରେ ଟିକିଏ ଶୋଇପଡ଼ି ବାହାରି ଯିବ । ଆଜି ଚାଳିଶ ଖପିଛି ମାନେ କାଲି ଷାଠିଏ ବି ନିଅଣ୍ଟ ହେବ । ଆହ୍ଲା ମିଆଁକୁ ଦୋଷ ଦଉଛି, ଗୋଟାଏ ପୁଅ ଦେଇଥିଲେ କେତେ ସହଯୋଗ କରିଥାନ୍ତା? ଶଳା ଦୁଇଟା ଅଛନ୍ତି, ହେଲେ କେହି କଥା ଶୁଣୁ ନାହାନ୍ତି । ଯେତିକି ପାରିବ ସେତିକି କରିବ ଭାବି ସପ ଉପରେ ଟିକିଏ ଲମ୍ବା ହେବାକୁ ଯିବାବେଳେ ବୁଲେଟ ମୋଟର ସାଇକେଲ ଶଦ୍ଧ ଦାଣ୍ଡପଟେ ଶୁଣାଗଲା । ଅଣ୍ଡିରା କୁକୁରଟାଏ ଅଚିହ୍ନା ବାରି ଭୋ’ଭୋ’ କରି କମ୍ପେଇଲା । ସଲିମର ପାଳିତ କୁତି ମୋତି ଏଇ ଅଣ୍ଡିରା କୁକୁର ସାଙ୍ଗରେ ମିଶି ଛଅଟା ଛୁଆ ଜନମ କରିଛି । ମୋତି ସଙ୍ଗେସଙ୍ଗେ ସାଥୀ କୁକୁରର ପାଳିଧରି ଭୁକିଲା । ଦି’ଦି’ ମାସର ଛୁଆଗୁଡ଼ା ବି କୁଁ କାଁ ହୋଇ ବୋବାଇବାକୁ ଲାଗିଲେ । ଗୋଟାଏ ପରେ ଗୋଟାଏ ତିନିଟା ବୁଲେଟ ମୋଟର ସାଇକେଲରେ ଛଅଜଣ ଗେଧାଗେଧା ନରରାକ୍ଷସ ପରିକା ଆସି ଛିଡ଼ା ହେଲେ । ପଛେପଛେ ବଡଝିଅ ଫାଟକ ପାଖକୁ ଯାଇ ବାପା ପଛରେ ଛିଡ଼ାହେଲା । ତାଙ୍କ ଭିତରେ କାଟାକୁନାର ସବୁଠାରୁ ବିକୃତ ଚେହେରା । ସିଏ ଆଗକୁ ଆସି ସଲିମକୁ କହିଲା ଭାଇ ପଠେଇଛି, ଦଶକିଲୋ ମଟନ ରାତି ଆଠଟା ବେଳେ ଦରକାର । ସଲିମ ଯେତେ ନେହୁରା ହୋଇ କହିଲା କିଛି ମାଲ ନାହିଁ, କ୍ଷମା କର – କେହି ଶୁଣିଲେନି । କଟାକୁନା ଦେଶୀ କଟା ତା’ ଆଡ଼କୁ ଦେଖାଇ କହିଲା ଏବେ ଚାରିଟା ବାଜିଛି । ତୋତେ ଚାରିଘଣ୍ଟା ସମୟ ଦେଲୁ । ଠିକ ଆଠଟାରେ ଆସିଲା ବେଳକୁ ଗୋଟିଏ ବାଲଟିରେ ଦଶକିଲୋ ମଟନ ପ୍ୟାକ କରି ରଖିଥିବୁ ନଚେତ ତୋ’ ଝିଅ ଦି’ଟାକୁ ରେଡି ରଖିବୁ । ଭାଇ କଞ୍ଚା ମାଉଁସ ବି ଭଲପାଏ । ଭାଇ କହିଛି ମାନେ ଦବୁ, ଆସୁଛୁ ।

ଜଲଦି ଅଟୋ ଆଣି ଆସିବାକୁ ସଲିମ ବଡ଼ଶଳାକୁ ଫୋନକଲା । ରାକ୍ଷସ ଗୁଡ଼ାଙ୍କର ପାପ ନଜରରୁ ବଞ୍ଚେଇବାକୁ ଯାଇ ଶଳା ସାଙ୍ଗରେ ସ୍ତ୍ରୀ, ଝିଅ ଦୁଇଟାକୁ ଶଶୁର ଘରକୁ ପଠେଇଦେଲା । ଘରେ ଏବେ ଏକା ନିଜେ ବଞ୍ଚିବାର ଉପାୟ ଭାବିଲା । ରାତିପାଇଁ କିଛି ରନ୍ଧା ମାଉଁସ ବଞ୍ଚିଥିଲା । ହାଡ଼ହାଡ଼ ଦେଖି ଦୁଇଖଣ୍ଡ ଦାନାଦାର ପାଣିରେ ବୁଡେ଼ଇ ଅଣ୍ଡିରା କୁକୁର ଆଗରେ ପକେଇଲା । ପାଞ୍ଚମିନିଟରେ ଘାଉଁରେଇ ହେଇ ନାଳ ବାହାରକଲା । ଝାଡ଼ାପଡ଼ିଆ ବଣ ଭିତରକୁ ନେଇ ତାକୁ ହଲାଲ କରିଦେଲା । ଛଅକିଲୋ ମାଲ ରେଡି । ଏବେ ମୋତି ପାଳି । ଆହ୍ଲା ମିଆଁକୁ କ୍ଷମା ମାଗିଲା, ମୋତିକୁ ଚୁ ଚୁ କରି ଡାକି ସେଇ ଜାଗାକୁ ନେଲା । ଗୋଟିଏ ଚୋଟରେ ଗଣ୍ଡି ମୁଣ୍ଡ ଅଲଗା କଲାବେଳେ ଆଖିରୁ ପାଣି ନିଗିଡ଼ି ଗଲା । ନିଜେ ବଞ୍ଚିଲେ ବାପର ନାଁ । ଦୁଇଟିଯାକ ବନେଇ ଓଜନ କଲା ଆଠ କିଲୋ ସାତଶ’ । ରାକ୍ଷସ ଦ’ଶ କହିଛନ୍ତି, ଏତିକିରେ ମାନିବେନି । ସାଢେ଼ ସାତୁଟା ବାଜିଲାଣି, କୁଆଡେ଼ ଯିବ? ଶେଷରେ ଛଅ ଛୁଆଙ୍କ ଭିତରୁ ଗୋଟିଏ ଅଣ୍ଡିରା ଆଉ ଗୋଟିଏ ମାଈ ନେଇ ନିଜ ଶୋଇବା ଘରେ ବନ୍ଦ କରିଦେଲା । ବାକି ଚାରିଟାକୁ ପଛେ ପଛେ ଆଣି ହଲାଲ କଲା । ଗାଏ ମୋଟ ଓଜନ କରିବାରୁ ନ’ଅ କିଲୋ ଆଠ ଶହ ହେଲା, ଦୁଇଶ ନିଅଣ୍ଟ । ଚଳିବ ବୋଲି ଭାବି ବଢ଼ିଆ ଭାବେ ସଫା କରି ବାଲଟିରେ ସଜାଇଲା ।

ଆଠଟା ବାଜିବାକୁ ପନ୍ଦର ମିନିଟ ଅଛି ରାକ୍ଷସଗଣ ହାଜର । ଅଣ୍ଡିରା କୁକୁରର ସ୍ୱାଗତ ଭୋ’ଭୋ’ ଶବ୍ଦ ନାହିଁ, ଭିତରୁ ମୋତିର ଭୁକାଭୁକି ଉଁ କି ଚୁଁ କିଛି ଶୁଭୁନି । ସଲିମ ଘର ପରିବେଶ ପୂରା ନିଶବ୍ଦ । ବାଲଟି ନେଇ ସଲିମ ବାହାରିଲା । କଟାକୁନା କହିଲା କୁଆଡୁ କ’ଣ ବୁଢ଼ାହଡ଼ା ଦେଇଛୁ, ଖାଇଲା ପରେ ଭାଇ କହିଛି ପଇସା କଥା ବୁଝିଦେବ ।

ରବିବାର ବେପାର ଭୁଲି, ସଲିମ ଭାବିଲା ଆଜି ବୋଧେ ମୋର ଘାତଚନ୍ଦ୍ର ମୃତ୍ୟୁଯୋଗ । ପ୍ରଥମ ଥର ପାଇଁ କୁକୁର କାଟିଛି । ମାଉଁସ ଯଦି ଭାଇକୁ ପସନ୍ଦ ନ’ଆସେ? ଆହ୍ଲା ମିଆଁ ଯଦି ନସିବରେ ମରଣ ଲେଖିଥିବ ମରିବି । ଏମିତି ଭାବିଭାବି ନିଦ ହଉନି ।

ରାତି ଦୁଇଟା ଉପରେ ହେବ । ମୋଟର ସାଇକେଲର ଫଟ ଫଟ ଶବ୍ଦ କାନରେ ପଡ଼ିଲା । ମରିବ କି ବଞ୍ଚିବ ଜାଣିନି । ଘର ଭିତରୁ କବାଟ ଫାଙ୍କରେ ଚାହିଁ ଫାଟକ ପାଖକୁ ସାହସ କରି ଆସିଲା । କଟାକୁନା ଆସିଛି । ନିଶାରେ ଟଳଟଳ ହେଉଛି । ଶୀତରେ ଥରିଥରି ଜ୍ୟାକେଟ ଭିତରେ ହାତ ପୂରାଇଲା । ସଲିମ ମିଆଁର ଲୁଙ୍ଗି ଓଦା ହେବା ଉପରେ, ଭାବୁଛି କାଟ୍ଟାଟି କାଢ଼ି ତା’ ଆଡ଼କୁ ଦେଖାଇ ଯଦି ଘୋଡ଼ା ଚିପିଦେଲା? ମିନିଟିକରେ ରାମ ନାମ ସତ୍ୟ ।

କଟାକୁନା ଧୀରେଧୀରେ ପାଖକୁ ଆସି ଜ୍ୟାକେଟ ଚୋରା ପ୍ୟାକେଟରୁ ପୁଳାଏ ନୋଟ ବାହାର କରି କହିଲା –
“ତୁ ଆଜି ଭୁଆଁଭାଇର ଦିଲ ଖୁସ କରିଦେଲୁ । ନେ ତୋର ଆଜିର ମଟନର ପାଉଣା ଚାରିହଜାର କେତେ ହଉଥିଲା, କିନ୍ତୁ ଭାଇ ଦେଇଛି ପାଞ୍ଚ ହଜାର, ପୂରା ପାଞ୍ଚ ହଜାର ମାନେ ରାଉଣ୍ଡ ଫିଗର । ଶଳା ବୁଝୁଛୁ କି ନାହିଁ? କାହିଁକି ଦେଲା? ମାଲ ଭଲ ଥିଲା? ମାନେ ବହୁତ ଭଲ । କୋଉ ଗାଁ ଡାଳପତ୍ର ଖାଇ ଶଳା ସେ ଛେଳି ବଢ଼ିଥିଲା କେଜାଣି ଚର୍ବିଗୁଡ଼ା ପାଟିରେ ପଡୁ ପଡୁ ମିଳେଇ ଯାଉଥାଏ । ତୋ ବେପାରରେ କିଏ ରୋଡା କଲେ ଭାଇ କହିଛି ଆମକୁ କହିବୁ । ତୋ ଠାରୁ ଆମର ସେ ସବୁ ବାବଦକୁ କିଛି ନବାର ନାହିଁ । ଇଛା କଲେ ମାଉଁସ କିଲେ ଦି’କିଲେ ଦେଇଦେବୁ । ଆଉ ଆଗାମୀ ବର୍ଷର ଅଗ୍ରୀମ ନେ ରଖ ହଜାରେ ଟଙ୍କା । ଏମିତି ଗାଏମୋଟ ଛଅ ହଜାର ଭାଇ ଦେଇ କହିଛି ଆଜି ରାତିରେ ତୋତେ ଦେଇ ଫେରିବାକୁ । ଏମିତି ମଟନ ସିଏ ତା’ ଜୀବନରେ କେବେ ଆଗରୁ ଖାଇନଥିଲା । ତୋ’ ପାଇଁ ଆମେ ଏଇ ଛାଡ଼ଖାଇକୁ ଜୀବନରେ ଭୁଲି ପାରିବୁନି । ମା’ ରାଣ ଖାଇ କହୁଛି । ଏତେ ଭଲ ଟେଷ୍ଟି ମଟନ ମୁଁ କନ୍ଧମାଳ କି ମୟୂରଭଞରେ ବି ଖାଇନି । ଜଙ୍ଗଲର ସୁଦୁ ଦେଶୀ ଖାସିଠାରୁ ବି ଅଧିକ ଚିକ୍କଣିଆ ସ୍ୱାଦିଷ୍ଟ ଥିଲା । ଭାଇ କହିଲା ଏଇ ରାତିରେ ତୋ’ର କ୍ଲିୟର କରି ଆରବର୍ଷ ପାଇଁ ଆଡଭାନ୍ସ ଦେଇ ମୋତେ ଫେରିବାକୁ । ଏଇଭଳି ମଟନ ଆମକୁ ସବୁ ବର୍ଷ ଦେଉଥିବୁ । ବା’ଏ ବା’ଏ । ଗୁଡ ନାଇଟ । ହାପି ଛାଡ଼ଖାଇ” ।

Comments are closed.