ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ: ବ୍ରହ୍ମପୁର ଷ୍ଟେସନ୍ରେ ୨ ଜଣଙ୍କ ଉପରେ ମାଡିଯାଇଥାନ୍ତା ସୁପରଫାଷ୍ଟ ଟ୍ରେନ
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ। ୟସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା ଲାଗି ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନ୍ରେ ସାମାନ୍ୟ ଧକ୍କା ଲାଗିବା ପରେ ତୁରନ୍ତ ଷ୍ଟେସନ୍ରେ ଉପସ୍ଥିତ ଥିବା ଲୋକେ ଓ ରେଳବାଇ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ।
ସୋମବାର ବ୍ରହ୍ମପୁର ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ବୃଦ୍ଧକଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି କନ୍ଧମାଳ ଜିଲ୍ଲା ରାଇକିଆ ନିକଟ ଚାଂଚେଲି ଗ୍ରାମର ଚିତ୍ରସେନ ନାୟକ ବୋଲି ଜଣାପଡିଛି। ଉଭୟେ ମଦ୍ୟପାନ କରିଥିଲେ ବୋଲି କୁହାଯାଉଛି। ଗୁରୁତର ଚିତ୍ରସେନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଦୁର୍ଘଟଣା ଯୋଗୁ ୟସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନଟି ନିଜ ନିୟମିତ ରହଣି ସମୟ ଠାରୁ ଅଧିକ ୨୦ ମିନିଟ ଅଟକିବାକୁ ପଡିଥିଲା। ଘଟଣା ସ୍ଥଳରେ ଷ୍ଟେସନ ମେନେଜର, ଜିଆରପି ଓଏବଂ ଆରପିଏଫ ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।